Unknown

 

 

 

 

 

 

 

 

 

 

 

ବିଭାଜ୍ୟ

ମାନସୀ ଦାସ

 

ଉତ୍ସର୍ଗ

 

ଦାଦା ଓ ଖୁଡ଼ୀ

ଶ୍ରୀ ଗୋକୁଳଚନ୍ଦ୍ର କାନୁନ୍‌ଗୋ ଓ ଶ୍ରୀମତୀ ବିରଜା ଦେବୀଙ୍କ ହାତରେ-

 

ଦାଦା-

 

ପିଲାଦିନେ, ମଣିଷ ଯେତେବେଳେ ଖୁବ୍ ଛୋଟ ଥାଏ, ପୃଥିବୀଟା କେତେ ବଡ଼ ପଚାରିଲେ ସେ ଦୁଇ ହାତକୁ ଦୁଇଆଡ଼େ ଖୁବ୍ ପ୍ରସାରିତ କରି କହେ, ଏତ୍‌ତେ ବଡ଼ । ତାହା ହିଁ ତାର ଗଭୀରତାର, ବିଶାଳତାର ପରିମାପ । ଶୈଶବର ସ୍ମୃତି ତଳେ ଚାପି ହୋଇ ଏବେ ମଧ୍ୟ ମୁଁ ଛୋଟ ରହିଯାଇଛି; ତେଣୁ ମୋର ଦୁଇଟି ହାତରେ ହିଁ ତମର ମହାନତାର ପରିମାପ କରି ବସିଛି ।

 

ସ୍ନେହାଧୀନା

ମାନୁ

 

ଭୂମିକା

 

ଶିଶୁଟିକୁ ଲାଳନପାଳନ କରୁଥିବା ସମୟରେ ସେ ନାଆଁ କରିବ କିମ୍ବା ଅମଣିଷ ହେବ, ଅଣ୍ଟିରେ ତାର ପଇସା ଅଜାଡ଼ି ଦେବ କିମ୍ବା ଧୂଳି କୁଢ଼େଇବ, କିଛି ଚିନ୍ତା ନକରି ମାଆ ଯେପରି ତାକୁ ମନପ୍ରାଣ ଦେଇ ଯତ୍ନକରେ, ଗପଟିଏ ଲେଖିବା ସମୟରେ ସେହିପରି ତାର ଭବିଷ୍ୟତ ଚିନ୍ତାକୁ ମନରେ ନଆଣି ମୁଁ ଲେଖିଯାଏ । କିନ୍ତୁ ଲେଖି ସାରିବା ପରେ ତାକୁ ଯେତେଥର ପଢ଼େ, ମନରେ ସେତେ ଆଶଂକା ହୁଏ–ପାଠକମାନେ ପସନ୍ଦ କରିବେ ତ ? ଲେଖାଟି ଯଦି ପାଠକ ମନକୁ ଆଲୋଡ଼ିତ ନ କଲା, ତେବେ ତାହା ସାର୍ଥକ ରଚନା ନୁହେଁ । ମୋର ମାନସସନ୍ତାନର ଜନ୍ମ କଣ ବିଫଳ ହୋଇଯିବ ? ‘ବିଭାଜ୍ୟ’ର ପରିସମାପ୍ତିକୁ କେନ୍ଦ୍ରକରି ମୋ ମନରେ ସବୁଠାରୁ ବେଶୀ ଦୁଶ୍ଚିନ୍ତା ହୋଇଥିଲା । ଆତ୍ମା କଳଙ୍କିତ ହୁଏ ନାହିଁ, ଅନୁତାପର ଝରଣା ଜଳରେ ଧୋଇ ହୋଇ ତାହା ପୁଣି ସୁନାପରି ଝଟକି ଉଠେ । ଏହାକୁ ହିଁ ଆଧାରକରି ଉପନ୍ୟାସଟି ଶେଷ କରିଛି ।

 

ତେବେ, ଅଗ୍ରଜ ସମାନ, ଅଧ୍ୟାପକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କର ପ୍ରେରଣା ତଥା ସାହାଯ୍ୟ ପାଇ ନ ଥିଲେ ଉପନ୍ୟାସଟି ପ୍ରକାଶ ଆଶାରେ ପ୍ରକାଶକ ମହାଶୟଙ୍କ ଦ୍ଵାରସ୍ଥ ହୋଇଥାଆନ୍ତା କି ନାହିଁ ସନ୍ଦେହ । ଶ୍ରୀ ରାଧାଶ୍ୟାମ ମହାନ୍ତି ଉପନ୍ୟାସଟିର ପ୍ରକାଶଭାର ଗ୍ରହଣ କରିଥିବା ଯୋଗୁଁ ମୁଁ ଦୁହିଁଙ୍କ ନିକଟରେ ଚିର କୃତଜ୍ଞ ।

 

ବୁର୍ଲା

ଲେଖିକା

ତା-୨୨ । ୧୨ । ୮୧

 

 

(ଏକ)

 

ସୁନନ୍ଦା ଫେରି ଆସୁଛନ୍ତି । ଅନେକ ବର୍ଷ ତଳର ପୁରୁଣା ସଂସାରକୁ ସେ ପୁଣି ଆପଣାର କରିବା ପାଇଁ ଫେରୁଛନ୍ତି । ନିଜର ସଂସାର ବୋଲି ଦିନେ ସେ ଯାହାକୁ ଜନ୍ମହେବା ପରଠାରୁ ମନେକରି ଆସିଥିଲେ ଓ ବିବାହ ପରେ ଦିନେ ଯାହାକୁ ପଛରେ ପକାଇ ଆଗକୁ ପାଦ ବଢ଼ାଇଥିଲେ, ସେ ସଂସାରରୁ ତାଙ୍କର ସମସ୍ତ ଅସ୍ତିତ୍ଵ ଯେ ଏହା ମଧ୍ୟରେ ଲୋପପାଇ ଯାଇଥିବ, ତା ଆଜି ପ୍ରଥମ କରି ଚିନ୍ତାକରି ଦେଖୁଛନ୍ତି ସୁନନ୍ଦା । ସେତେବେଳେ ସେ ଘରେ ପ୍ରତ୍ୟେକ କୋଠରୀରେ ତାଙ୍କର ସ୍ପର୍ଶ ଥିଲା; ଅଧିକାର ଥିଲା । ଡ୍ରଇଂ ରୁମରେ ବାପା, ବୋଉ, ଭାଇ ଓ ତାଙ୍କର ସମବେତ ଚିତ୍ର ଟଙ୍ଗା ଯାଇଥିଲା, ସୋଫା କଭରରେ ତାଙ୍କ ହାତ ତିଆରି ଏମ୍ବ୍ରୟଡ଼ରୀ ଥିଲା । ନିଜର ବୋଲି ଦାବୀ କରିବା ଭଳି ଏକ କୋଠରୀ ଥିଲା ସେ ଘରେ, ଯେଉଁଠାରେ ବିଭିନ୍ନ ରଙ୍ଗର ପର୍ଦ୍ଦା ଟାଣୁଥିଲେ ସୁନନ୍ଦା, ଅଲଗା କୋଠରୀରୁ ଭଲ ଫର୍ଣ୍ଣିଚର ଟାଣି ଆଣି ତାହାକୁ ଆଭିଜାତ୍ୟପୂର୍ଣ୍ଣ, ମନୋରମ କରୁଥିଲେ । ମୁନ୍ନା ବହିପତ୍ର ଘାଣ୍ଟିବ, ସିଲ୍‌କ ଟେବୁଲ କ୍ଳଥ ଉପରେ କଳାଦାଗ କରିଦେବ ବୋଲି କଲେଜ ଯିବା ସମୟରେ ସେ କୋଠରୀରେ ତାଲା ପକାଇ ଯାଉଥିଲେ, ପୁଣି କେବେ କେବେ କଲେଜରେ ଚାବି ହଜାଇ ଆସି ସଙ୍ଗେ ସଙ୍ଗେ ବଢ଼େଇ ଡକାଇ ତାଲା କଟାଉଥିଲେ । ସେତେବେଳେ ବୋଉଙ୍କର ଥମ ଥମ ମୁହଁ ଦେଖି, ବିରକ୍ତିଆ କଥା ଶୁଣି ଦବି ଯାଉ ନଥିଲେ । ଅବଜ୍ଞା ଭାବରେ କହୁଥିଲେ–“ତୁ ଦିନକୁ ପନ୍ଦର ଥର ଚାବି ହଜାଇବୁ, ଆଉ କିଏ ଦଶ ବର୍ଷରେ ଥରେ ହଜାଇଲେ ତୋର ମୁଣ୍ଡକୁ ପିତ୍ତ ଚଢ଼ିଯିବ । ଏଥର ଯେତେବେଳେ କହିବୁ, ନନ୍ଦା ଲୋ–ଟିକେ ଚାବିଟା କୋଉଠି ଅଛି ଖୋଜି ଦେଲୁ ସେତେବେଳେ ଦେଖିବୁନି କେତେ ଖୋଜିବି । ଯେଉଁ ବୋଉଙ୍କ ଗାଳିରେ ଦବି ଯାଉ ନଥିଲେ ସୁନନ୍ଦା, ଆକଟକୁ ଗ୍ରହଣ କରୁ ନଥିଲେ, ସେ ଆଉ ହସ ହସ ମୁହଁରେ ଆସି ଠିଆ ହେବେ ନାହିଁ, କାର୍‌ରୁ ଓହ୍ଲାଇବା ପରେ ଆଦରରେ ପାଛୋଟି ନେବେ ନାହିଁ । ତାଙ୍କ ଭୂମିକା ଅନେକ ଦିନୁ ବଦଳି ଯାଇଛି । ସେ ଦିନ ଅନେକ ପଛରେ ରହି ସ୍ମୃତି ପାଲଟି ଯାଇଛି । ବର୍ତ୍ତମାନ ସେ ଘର ଭାଇ ଭାଉଜଙ୍କର । ସେଠାରେ ଭାଉଜ ସର୍ବମୟ କର୍ତ୍ତ୍ରୀ ।

 

ଗାଡ଼ିରୁ ଓହ୍ଲାଇବା ପରେ ଭାଉଜଙ୍କ ପଛେ ପଛେ ସେ ଘର ଭିତରକୁ ଯିବେ । ତାଙ୍କ କୋଠରୀ ନିକଟରେ ଠିଆ ହୋଇ ଭାଉଜ ହୁଏତ କହିବେ, “ତମ ଘରଟାକୁ ଏବେ ମୁନ୍ନା ଅଧିକାର କରିଛି, ନନ୍ଦା । ସେଟାକୁ ଖାଲି କରି ଦେବି କି ?” ସେତେବେଳେ ସେ ଶୁଷ୍କ ହସ ହସି କହିବେ, “କି ଦରକାର ଭାଉଜ ? ମୋର ସେ ଠାକୁର ପାଖ ଘରଟା ହେଲେ ଚଳିବ ।”

 

––ସେଟା ଏତେ ଛୋଟ । ପୁଣି ରୂପାବାସନ, ପୁରୁଣା ଲୁଗାର ଟ୍ରଙ୍କ ଗୁଡ଼ା ଭର୍ତ୍ତି ହୋଇଛି-। ବାପାଙ୍କ ବହିଗୁଡ଼ା ମଧ୍ୟ ସେହି ଘରେ ରହିଛି ।

 

––ମୋର ସେଇଠି ଚଳିଯିବ ଭାଉଜ, ଜଣେ ଲୋକର ଚଳିବା ପାଇଁ ସେ ଘର ଯଥେଷ୍ଟ-

 

ଜଣେ ଲୋକ ଚଳିବା ପାଇଁ କେତେ ବଡ଼ କୋଠରୀ ଯଥେଷ୍ଟ ତାହା ଏବେ ହୃଦୟଙ୍ଗମ କରୁଛନ୍ତି ସୁନନ୍ଦା, ସେତେବେଳେ କରି ନ ଥିଲେ ।

 

ଉପର ମହଲା ତିଆରି ସରିଲା ପରେ ବାପା ଯେତେବେଳେ କହିଥିଲେ, ‘‘ସେ ଘରଟାରେ ରାଜୁ ରହୁ-ତାକୁ ସୁବିଧା ହେବ,” ସେତେବେଳେ ଖୁବ୍ ଜୋରରେ ପ୍ରତିବାଦ କରିଥିଲେ ସେ–“ନାଁ । ବାପା, ମୁଁ ସେ ଘରେ ରହିବି ।”

 

ଆଦର କରି ମୁଣ୍ଡ ଆଉଁସି ବାପା କହିଥିଲେ–‘‘ସେଟା ବଡ଼ ଘର । ରାଜୁ କଲେଜରେ ପଢ଼ୁଛି । ଅନେକ ବହିପତ୍ର ତାର । ସେ ସେ ଘରେ ରହୁ ମା ।”

 

––ବାଃରେ ! ତମେ କଣ ଭାବିଛ ମୁଁ ସବୁ ଦିନେ ଏଇଟ୍‌ଥ କ୍ଲାସରେ ପଢ଼ୁଥିବି, ଆଉ କେବେ ଦିନେ କଲେଜ ଯିବି ନାହିଁ ?

 

ହସିଥିଲେ ବାପା । ସୁନନ୍ଦାଙ୍କର ସବୁ ଦାବୀ ପରି ସେ ଦାବୀଟିକୁ ମଧ୍ୟ ସେ ମାନି ନେଇଥିଲେ ।

 

ସେହି କୋଠରୀ ସୁନନ୍ଦାଙ୍କର ଆଖି ଆଗରେ ଭାସି ଉଠିଲା, ଯାହାର ପଛ ପାଖ କବାଟ ଖୋଲି ଦେଲେ ଏକ ବିରାଟ ପିଣ୍ଡା ଓ ତା ପରେ ତିନୋଟି ପାହାଚ ଓହ୍ଲାଇ ଗଲେ ପ୍ରଶସ୍ତ ଗୋଲିଆ ବାଲକୋନି ପଡ଼େ । ସେହି କୋଠରୀ ଭିତରେ ଠିଆ ହୋଇ ଝରକା ବାଟେ ଚାହିଁଲେ କାଠଯୋଡ଼ିର ବାଲି ଦିଶେ, ଟ୍ରେନ୍ ଲାଇନ୍ ଦିଶେ ।

 

ନାଁ, ସେ କୋଠରୀ ଆଉ ତାଙ୍କର ଦରକାର ନାହିଁ । ସେ ଆଉ କଲେଜ ଝିଅ ସୁନନ୍ଦା ନୁହନ୍ତି କିମ୍ବା ଦୂରରୁ ଟ୍ରେନ୍ ଦେଖି ଏଟା ପାସେଞ୍ଜର କିମ୍ବା ଏକ୍‌ସପ୍ରେସ୍ ବୋଲି ବାନ୍ଧବୀମାନଙ୍କ ସଙ୍ଗେ ବାଜି ପକାଇବାର ବୟସ ଆଉ ତାଙ୍କର ନାହିଁ । ସେହି ଛୋଟ କୋଠରୀଟା ହେଲେ ତାଙ୍କର ଚଳିଯିବ, ଯେଉଁଠାରେ ଭାଉଜଙ୍କର ଯୌତୁକ ଟ୍ରଙ୍କ୍‌ଗୁଡ଼ା ଜମା ହୋଇଛି ଓ ଜମା ହୋଇଛି ଅନେକ ଅଦରକାରୀ ପୁରୁଣା ଜିନିଷ । ସେହି ପୁରୁଣା-ଅଦରକାରୀ ଜିନିଷ ସହିତ ନିଜକୁ ମିଶାଇ ଦେଇ ବାକି ତକ ଜୀବନ କାଟିବେ ସୁନନ୍ଦା । ଆଉ ଆକାଶ ବା କାଠଯୋଡ଼ି ନଈର ବାଲିକୁ ଘଣ୍ଟା ଘଣ୍ଟା ଧରି ଚାହିଁ ରହିବେ ନାହିଁ । ସେହି ଛୋଟ କୋଠରୀର ଝରକା ଦେଇ ସେ ଭଡ଼ାଟିଆଙ୍କ ରୋଷେଇ ଘରର ଧୂଆଁ’କୁ ଦେଖିବେ, ତାକୁ ସ୍ପର୍ଶ କରିବା ପାଇଁ ହାତ ବଢ଼ାଇବେ । ତାଙ୍କ ଛାତ ଉପରେ ମାଡ଼ିଥିବା କଖାରୁଡଙ୍କରେ କେତେଟା କଷି ଧରିଛି ଗଣିବେ ।

 

ଅନେକ ବର୍ଷ ତଳେ ଦେଖିଥିବା ସେହି ଛୋଟ କୋଠରୀକୁ ମନେ ପକାଇଥିଲେ ସୁନନ୍ଦା-। ଗୁଡ଼ାଏ ଟ୍ରଙ୍କ୍‍, ବାକ୍‌ସ, କାଗଜ ଢାବଲ ଧୀରେ ଧୀରେ ସେ କୋଠରୀରେ ଜମା ହୋଇଛି, ଯେଉଁଟା କିଛି ବର୍ଷ ଆଗରୁ ପୂରାପୂରି ଖାଲି ଥିଲା । ଜେଜେଙ୍କ ଆରମ ଚେୟାର ଉପରେ ପଡ଼ୁଥିବା ହରିଣ ଛାଲଟାକୁ ସେହି କୋଠରୀର ଗୋଟିଏ କୋଣରେ ପଡ଼ିଥିବା ଦେଖି ସୁନନ୍ଦା ସେତେବେଳେ ଭାଉଜଙ୍କୁ ପ୍ରଶ୍ନ କରିଥିଲେ ଓ ଭାଉଜ ଉତ୍ତରରେ କହିଥିଲେ, ‘ପୁରୁଣା ହୋଇଗଲାଣି । ଦେଖୁନା, ରୁମଗୁଡ଼ା ଉପୁଡ଼ିଯାଇ କେମିତି ବୁଲାକୁକୁର ପିଠି ଭଳିଆ ଦିଶୁଛି ।” ହସିଥିଲେ ଭାଉଜ ।

 

ଭାଉଜ ଘରଣୀ । ସେ ପୁରୁଣା ଜିନିଷକୁ ବଦଳାଇ ତା ସ୍ଥାନରେ ନୂଆ ଜିନିଷ ରଖନ୍ତି, କିନ୍ତୁ ପୁରୁଣା ଜିନିଷକୁ ଫୋପାଡ଼ି ଦିଅନ୍ତି ନାହିଁ, ସାଇତି ରଖନ୍ତି । ସୁନନ୍ଦାଙ୍କୁ ମଧ୍ୟ ସେ ଫୋପାଡ଼ି ନ ଦେଇ ସାଇତି ରଖିବେ । ଅଦରକାରୀ ଜିନିଷମାନଙ୍କୁ ଘାଣ୍ଟି ବେଳେବେଳେ ଦରକାରୀ ଜିନିଷଟିଏ ମିଳିଯିବା ପରି କେବେ କେବେ ସୁନନ୍ଦାଙ୍କୁ ଡାକିବେ, “ନନ୍ଦା ! ଟିକେ ଏଆଡ଼େ ଆସିଲ... ।” କିନ୍ତୁ ସୁନନ୍ଦା ? ନୂଆକୁ ପୁରୁଣା ହେବା ଆଗରୁ ତାକୁ ଫିଙ୍ଗି ଦେଇ ସେ ଆହୁରି ନୂଆ ପଛରେ ଧାଇଁଲେ । ଧାଇଁ ଧାଇଁ ଶେଷରେ ପୁଣି ପୁରୁଣା ପଛରେ ପହଞ୍ଚିଗଲେ । କାଠଯୋଡ଼ିର ଅସୁମାରୀ ବାଲିକୁ ହାତ ବଢ଼ାଇ ସେ ହାତ ମୁଠାରେ ପାଇଲେ ପଡ଼ିଶା ଘର ରୋଷେଇ ଧୂଆଁରୁ ପୁଳାଏ ।

 

ଆଖିରେ ହାତ ମାରିଲେ ସୁନନ୍ଦା । ଓଦା ଲାଗୁଛି ? ନାଁ ସେ କାନ୍ଦୁ ନାହାନ୍ତି । ଟିକଏ କଥାରେ ସକେଇ କାନ୍ଦିବାର ବୟସ ସେ ଅନେକ ଦିନରୁ ଟପି ଆସିଛନ୍ତି । ବର୍ତ୍ତମାନ ସେ ବୟସ୍କ ଏକ ଭଦ୍ର-ମହିଳା, ଯେ କାନ୍ଦିବା ଆଗରୁ ସବୁ ଜିନିଷକୁ ତଳେଇ, ଭଲ ଭାବରେ ଦେଖିବା ଉଚିତ ।

 

ନୂଆଦିଲ୍ଲୀ ଷ୍ଟେସନର ପୁରୁଣା ଛବି ମନେ ପଡ଼ିଲା ସୁନନ୍ଦାଙ୍କର । ସେହି ଛବି ଭିତରେ ସେ ହଜିଗଲେ ।

 

ଏଇ ଷ୍ଟେସନରେ ସୁଦୀର୍ଘ ଆଠବର୍ଷ ତଳେ ହୁଇଲର ପାଖରେ ଠିଆ ହୋଇ, ଏକ ପତ୍ରିକାରେ ଅଧା ମୁହଁ ଢାଙ୍କି, ଛଳ ଛଳ ଆଖିରେ ସେ ଟ୍ରେନକୁ ଚାହିଁ ରହିଥିଲେ । ଷ୍ଟେସନର ଅସଂଖ୍ୟ ଟିଉବଲାଇଟ ତଳେ ଠିଆ ହୋଇ ତାଙ୍କ ମନ ଭିତରେ କ୍ରମେ ବିକଟ ଅନ୍ଧାର ଘନୀଭୂତ ହେଉଥିଲା । ବିଭୂତିବାବୁ ସେତେବେଳେ ଟ୍ରେନ୍‌ରେ ଜିନିଷପତ୍ର ଲଦା ଏବଂ ଟିକେଟ ନମ୍ବର ସହିତ ସିଟ୍ ନମ୍ବର ମିଳାଇ ବାବୁନିକୁ ସୁବିଧାରେ ବସାଇବା ଇତ୍ୟାଦିରେ ବ୍ୟସ୍ତ ଥିଲେ ।

 

ସମସ୍ତ କାମ ସାରିଲା ପରେ ସିଟ୍‌ରୁ ଉଠିଆସି କରିଡ଼ର୍‌ର ଝରକା ଦେଇ ଉଙ୍କି ମାରି ବିଭୂତିବାବୁ ବାହାରକୁ ଚାହିଁଲେ, ବାବୁନ୍ ପାଇଁ ଚକୋଲେଟ୍ କିଣିଲେ, ଚିହ୍ନା ଲୋକଙ୍କୁ ଦେଖି ଫ୍ଲାଟଫର୍ମକୁ ଓହ୍ଲାଇ ଆସିଲେ । ଗାର୍ଡ଼ ହୁଇସିଲ ମାରିଲା । ସୁଧୀର ଟ୍ରେନ ନିକଟକୁ ଆଗେଇଗଲା । ବିଭୂତିବାବୁ ହାତ ବଢ଼ାଇ ସୁଧୀର ସହିତ ହାତ ମିଳାଇଲେ । ସୁନନ୍ଦାଙ୍କୁ ପଛରେ ପକାଇ ସେ ବାବୁନ୍‌କୁ ନେଇ ସେଦିନ ଆଗେଇ ଗଲେ ଅନେକ ଦୂରକୁ । ସୁନନ୍ଦା ସେଦିନ ନିଜକୁ ସମ୍ଭାଳି ରଖି ପାରି ନଥିଲେ । ଆଖିରୁ ତାଙ୍କର ଝରଝର ହୋଇ ଲୁହ ଧାର ବହି ଆସିଥିଲା, ସତେ ଯେପରି ସୁନନ୍ଦା ସେହି ଲୁହ ସହିତ ତରଳି ଯିବେ ଓ କ୍ରମେ ତାହାରି ସହିତ ମିଳାଇ ଭାସିଯିବେ । କିନ୍ତୁ ସୁଧୀର ତାଙ୍କୁ ଏପରି ଭାବରେ ମିଳାଇ ଯିବାପାଇଁ, ଲୁହ ସହିତ ବହିଯିବା ପାଇଁ ନ ଦେଇ ତୋଳି ଧରିଥିଲା ।

 

...ଆଇ ଆମ୍ ସରି ନନ୍ଦା ! ସୁଧୀର ସୁନନ୍ଦାଙ୍କ ପୃଷ୍ଠ ଦେଶରେ ମୃଦୁ ସ୍ପର୍ଶ ଦେଲା ।

 

ସୁନନ୍ଦା ଚମକି ପଡ଼ିଲେ । ସୁଧୀରର କଣ୍ଠ ଅନେକ ଭାରି, ଅଥଚ ତାର ସ୍ପର୍ଶ କେତେ କୋମଳ !! ତର ତର କରି ନିଜ ଆଖିରୁ ଲୁହ ପୋଛି ଦେଲେ ସୁନନ୍ଦା । ଭିଜା ରୁମାଲଟାକୁ ହ୍ୟାଣ୍ଡବ୍ୟାଗ୍‌ରେ ପୁରାଇ ଦେଇ ସୁଧୀର ଆଡ଼େ ଚାହିଁ ହସିବା ପାଇଁ ଚେଷ୍ଟା କଲେ । ନାଁ–ସେ ସୁଧୀରକୁ ଆଉଥରେ ବ୍ୟଥିତ କଣ୍ଠରେ I am sorry କହିବା ପାଇଁ ଦେବେନାହିଁ ।

 

-ୱାପସ୍ ଚଲେଁ ?

 

-ଜୀ ।

 

ସୁଧୀର ସେଦିନ ହାତ ଧରି ତାଙ୍କୁ କାର୍ ନିକଟକୁ ଆଗେଇ ନେଇଥିଲା । ସେ କାର୍‌ରେ ଷ୍ଟାର୍ଟ ଦେବା ପରେ ସିଟ୍‌କୁ ଆଉଜି ବସିଥିଲେ ସୁନନ୍ଦା । ପରମ ଆବେଗରେ ସୁଧୀରର ବାମ ବାହୁକୁ ଦୁଇ ହାତରେ ଚାପି ଧରି ଡାକିଥିଲେ–“ସୁ-ଧୀ-ର” । ତାପରେ ଆଉ ପଛକୁ ଫେରି ଚାହିଁ ନଥିଲେ ସୁନନ୍ଦା । ଦିଲ୍ଲୀର ରାଜରାସ୍ତା ଭିତରେ, କୃଷ୍ଣଚୂଡ଼ାର ଆଭିନିଉ ସଙ୍ଗରେ ନିଜକୁ ହଜାଇ ଦେଇ ସେ ସୁଧୀରର ନିକଟତମ ହୋଇ ବସି ରହିଲେ ।

 

ଟ୍ରେନ୍‌ର ଝରକାବାଟେ ତାଜମହଲ ଦିଶୁଛି । ଧାଡ଼ି ଧାଡ଼ି ଗଛ ଭିତରୁ ତାଜମହଲ ଉଙ୍କିମାରୁଛି । ଏଇ ତାଜମହଲ ନିକଟରେ ହିଁ ସୁଧୀର ସହିତ ସୁନନ୍ଦାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ।

 

ଶରତ୍ ସକାଳର ମେଘମୁକ୍ତ ଆକାଶ ତଳେ ଶୁଭ୍ରମର୍ମର ତାଜମହଲ ସୁନନ୍ଦାଙ୍କୁ କେବଳ ଆତ୍ମହରା ନୁହେଁ, ମନ୍ତ୍ରମୁଗ୍‌ଧା କରିଥିଲା । ସେ ସତକୁ ସତ ପାଗଳୀ ହୋଇ ଉଠିଥିଲେ । ତାଙ୍କର ଇଚ୍ଛା ହୋଇଥିଲା, ଧୀରେ-ଧୀରେ ଚାଲି ଚାଲି ନୁହେଁ, ଦଉଡ଼ି ଦଉଡ଼ି ସେ ତାଜମହଲର ଭିତର-ବାହାର, ଉପର-ତଳ ଅନେକ ଥର ବୁଲି ଆସନ୍ତେ ।

 

––ନନ୍ଦା ! ଚାଲିଯାଅ ନାହିଁ । ମୋ ସାଙ୍ଗେ ସାଙ୍ଗେ ରୁହ । ନୂଆଯାଗା, ଅନେକ ଭିଡ଼ । ହଜି ଯିବ ।

 

ବିଭୂତିବାବୁ ଆଗେଇ ଆସି ନାହାନ୍ତି, ହାତକୁ ପଛରୁ ଟାଣି ଧରି ନାହାନ୍ତି, ଅନେକ ପଛରୁ ଆଦେଶ ଦେଉଛନ୍ତି–ମୋ ସଙ୍ଗ ଛାଡ଼ି ଚାଲି ଯାଅନାହିଁ । ପାଖେ ପାଖେ ରୁହ । ମୋ ପାଦର ଗତି ସହିତ ଗତି ମିଳାଇ ଚାଲ । ତା ନ ହେଲେ ତମେ ହଜିଯିବ । ବିପଦରେ ପଡ଼ିଯିବ । …ଥମ୍‌କି ଠିଆହେଲେ ସୁନନ୍ଦା ।

 

––ବା ବାଃ ! ତାଜମହଲ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ ! ସେତେବେଳେ ତ ନିହାତି ଶସ୍ତା ଯୁଗ ଥିଲା ।

 

ତେବେ ବି…ଇସ୍ ତାଜମହଲ ଯେତେ ସୁନ୍ଦର ବୋଲି ଶୁଣୁଥିଲି, କଳ୍ପନା କରିଥିଲି ସେ ତା’ଠାରୁ ଢେର୍‌ ବେଶୀ ସୁନ୍ଦର । ଆଗେ ସେଥିରେ ହୀରା, ନୀଳା ସବୁ ଲାଗିଥିଲା, ନୁହଁ ?

 

ସୁନନ୍ଦାଙ୍କର ପ୍ରଶ୍ନର କିଛି ଉତ୍ତର ଦେଇ ନଥିଲେ ବିଭୂତିବାବୁ । ଅଦୂରରେ ଫଟୋ ଉଠାଉଥିବା ବିଦେଶୀ ଭଦ୍ରଲୋକଙ୍କୁ ଚାହିଁ ଆଗେଇ ଚାଲିଥିଲେ ।

 

––ଜାଣ, ବହୁତ ବର୍ଷ ଆଗେ ଜହ୍ନପକ୍ଷ ରାତିରେ ଏଠି କୁଆଡ଼େ ଶାହାଜାହାନ ଆଉ ମମତାଜମହଲଙ୍କ ଭୂତ ହାତ ଧରା ଧରି ହୋଇ ବୁଲୁଥିଲେ, ଅନେକ ଲୋକ ଦେଖିଛନ୍ତି ।

 

ବିଭୂତିବାବୁ ମୁହଁ ବୁଲାଇ ସୁନନ୍ଦାଙ୍କୁ ଚାହିଁଲେ । ସାର୍‌ଙ୍କ ପ୍ରଶ୍ନର ଜାଣୁ ଜାଣୁ ଏକ ଭୁଲ୍ ଉତ୍ତର କହିଥିବା ଛାତ୍ରୀପରି ସୁନନ୍ଦା ଭୟଭୀତା ହୋଇ ଉଠିଲେ । ଦବିଯାଇ କହିଲେ, “କୋଉ ଗୋଟାଏ ବହିରେ ପଢ଼ିଥିଲି ।”

 

––ବାଜେ ବହିରେ ଏମିତି ଅନେକ କଥା ଲେଖାଥାଏ ଏବଂ ତମେ ସେଇ ବହିମାନଙ୍କ ଛଡ଼ା ଅଲଗା ବହି କିଛି ପଢ଼ିନାହଁ–ନୁହେଁ ? ବିଭୂତିବାବୁ ଅଳ୍ପ ହସି କହିଲେ, ଅଥଚ ସୁନନ୍ଦାଙ୍କୁ ଲାଗିଲା, ସେ ହସରେ ଶ୍ଳେଷ ବ୍ୟତୀତ ଅନ୍ୟ କିଛି ନାହିଁ ।

 

ସେ ଦିନ ଅନେକ ବୁଲିଥିଲେ ସେମାନେ । ସଂପୂର୍ଣ୍ଣ ତାଜମହଲଟିକୁ ଦେଖିସାରି ଦଳ ଦଳ ହୋଇ ବୁଲୁଥିବା ଦେଶୀ-ବିଦେଶୀ ମହିଳାମାନଙ୍କ ବେଶ ପୋଷାକକୁ ଦେଖିବା ପାଇଁ ଯଥେଷ୍ଟ ସମୟ ପାଇଥିଲେ ସୁନନ୍ଦା, ପୂର୍ବରୁ ଅନେକ ଥର ଦେଖିଥିଲେ ମଧ୍ୟ ବିଭୂତିବାବୁ ସମସ୍ତ କାରୁକାର୍ଯ୍ୟକୁ ବହୁତ ସମୟ ଧରି ତନ୍ନ ତନ୍ନ କରି ଦେଖୁଥିଲେ ଓ ଗାଇଡ଼୍‌ର କଥାକୁ ଖୁବ୍ ମନଯୋଗ ଦେଇ ଶୁଣୁଥିଲେ ।

 

ସେତେବେଳେ ବାସ୍ତବିକ୍ ଅସମ୍ଭବ ଶାଢ଼ିର ସଉକ ଥିଲା ସୁନନ୍ଦାଙ୍କର । ତେଣୁ ତାଜମହଲ ଦେଖିବାର ସ୍ପୃହା ମେଣ୍ଟିଗଲା ପରେ ସେ ତାହାହିଁ ଦେଖିବାକୁ ଲାଗିଲେ । …ହସିଲେ ସୁନନ୍ଦା ସେଠାରେ ବୁଲୁଥିବା ଜଣେ ଇଂରେଜ ମହିଳାଙ୍କ ପୋଷାକରେ ନିଜକୁ କଳ୍ପନା କରି କେମିତି ଦେଖାଯିବ ବୋଲି ସେଦିନ କେତେ ସମୟ ଧରି ଚିନ୍ତା କରିଥିଲେ ।

 

ଏହି ସମୟରେ କାନ୍ଧରେ କ୍ୟାମେରା ଝୁଲାଇ ସେଠାକୁ ସୁଧୀର ଆସିଥିଲା । ବିଭୂତିବାବୁ ପରିଚୟ କରାଇ ଦେଇଥିଲେ–ଏ ହେଉଛନ୍ତି ସୁଧୀର ରୂପେନଓ୍ୱାର । ଲକ୍ଷ୍ନୌର ଲୋକ-। ଆମରି ବିଲ୍‍ଡ଼ିଂର ଶହେ ତେର ନମ୍ବର ଫ୍ଲାଟ୍‌ରେ ରହନ୍ତି । ଆଉ ଏ ମୋର ସ୍ତ୍ରୀ, ସୁନନ୍ଦା-

 

ଦୁଇ ହାତ ଯୋଡ଼ି ସୁନନ୍ଦାଙ୍କୁ ନମସ୍କାର କରିଥିଲା ସୁଧୀର । ପକେଟରୁ ଚୁଇଂଗମ୍ କାଢ଼ି ବାବୁନ୍‌ ହାତରେ ଦେଇଥିଲା–ସିଗାରେଟ୍ କେଶ୍‌ଟା ବିଭୂତିବାବୁଙ୍କ ଆଗରେ ଖୋଲି ଧରିଥିଲା ।

 

ସେଦିନ ସେମାନଙ୍କର କେତେ ଫଟୋ ତୋଳିଥିଲା ସୁଧୀର । ବିଭୂତିବାବୁ-ସୁନନ୍ଦା, ବାବୁନ୍-ସୁନନ୍ଦା, ବାବୁନ୍-ବିଭୂତିବାବୁ, ପୁଣି ତିନିଜଣଙ୍କର ଏକ ଗ୍ରୁପ ଫଟୋ...ଏମିତି ଅନେକ । ଶେଷରେ ସୁଧୀର ଏକ ଆକସ୍ମିକ ଅନୁରୋଧ କରି ବସିଲା–“ଭାବି, ମୁଁ ତମର ଏକୁଟିଆ ଗୋଟାଏ ସ୍ନାପ୍ ନେବି । …ନା ଏଠି ନୁହେଁ, ଯମୁନାର ପାହାଚ ଉପରେ ।”

 

ଦିଲ୍ଲୀ ଯିବା ପୂର୍ବରୁ ବହୁତ ଲାଜକୁଳୀ ଥିଲେ ସୁନନ୍ଦା । ବିଭୂତିବାବୁଙ୍କ ବନ୍ଧୁମାନଙ୍କ ସହିତ ନିହାତି ଦରକାର ନ ପଡ଼ିଲେ ସେ କଥା କହୁ ନ ଥିଲେ ଏବଂ କଥା କହୁଥିବା ସମୟରେ ମୁଣ୍ଡ ଉଠାଇ ଚାହିଁବା ପାଇଁ ତାଙ୍କୁ ବହୁତ କଷ୍ଟ ହେଉଥିଲା । ଦିଲ୍ଲୀରେ ବଦଳିବା ପାଇଁ ଚେଷ୍ଟା କରିବେ ବୋଲି ସେ ପୂର୍ବରୁ ଠିକ୍ କରିଥିଲେ ମଧ୍ୟ ଏତେ ଶୀଘ୍ର ତାଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାପାଇଁ ପଡ଼ିବ ବୋଲି ସେ ଭାବି ନ ଥିଲେ । ତେଣୁ ସୁଧୀରର ଅନୁରୋଧରେ ଲାଜରେ ଝାଉଁଳି ପଡ଼ିଥିଲେ ସୁନନ୍ଦା ଓ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚୁପ୍‌ଚାପ୍‌ ଠିଆହୋଇ ରହିଥିଲେ । ବିଭୂତିବାବୁ ପରିସ୍ଥିତିକୁ ଲକ୍ଷ୍ୟକରି ସୁଧୀରର ଫଟୋଗ୍ରାଫିର ଅନେକ ପ୍ରଶଂସା କରି, ଗପି ଗପି ସୁନନ୍ଦାଙ୍କୁ ଯମୁନାର ପାହାଚ ନିକଟକୁ ଆଗେଇ ନେଇଥିଲେ । …ଭାବୁ ଭାବୁ ଅଟକି ଗଲେ ସୁନନ୍ଦା-। ସତେତ, ସେ ଦିନର ପରିସ୍ଥିତିକୁ ସେ କେତେଶୀଘ୍ର ବୁଝିପାରି କିପରି ଭାବରେ ତାହାକୁ ସରଳ କରି ଦେଇଥିଲେ । ତା ନ ହୋଇଥିଲେ ସୁନନ୍ଦା ହୁଏତ ଆଉ ଟିକେ ପରେ କହିଥାଆନ୍ତେ, ‘‘ନାଁ–ଆଜି ନୁହେଁ ।”

 

ବିଭୂତିବାବୁ ସେଦିନ ତାଙ୍କର ମାନ ବଞ୍ଚାଇଥିଲେ । ଅତିରିକ୍ତ ଲାଜ ବଶତଃ ସେ ଯେ ଅଭଦ୍ରାମୀ କରିଥାଆନ୍ତେ, ସେଥିରୁ ତାଙ୍କୁ ଉଦ୍ଧାର କଲେ, ଅଥଚ ନିହାତି ସରଳ କଥାକୁ ସେ ବୁଝିପାରୁ ନ ଥିଲେ ।

 

ସୁନନ୍ଦା ନିଜ ଭିତରୁ ନିଜକୁ ବାହାର କରି ଆଣିଲେ । ସେ ଏହା ଭିତରେ ବିଭୂତିବାବୁଙ୍କ ଉପରେ କଛିଟା ଅଭିମାନ କରି ବସିଛନ୍ତି ଅଥଚ ଦୁହିଁଙ୍କର କିବା ସମ୍ପର୍କ ! କିଛି ନାହିଁ । ଅନେକ ବର୍ଷ ହେଲା ସେ ତାଙ୍କ ଉପରେ ଅଭିମାନ କରିବା ସମ୍ପର୍କକୁ ଛିନ୍ନ କରିଛନ୍ତି । କେତେ ବର୍ଷ ? ବିରକ୍ତ ହୋଇ ଉଠିଲେ ସୁନନ୍ଦା । ସେ ସବୁ ସମୟରେ ଏତେ ବର୍ଷର ହିସାବ ଦେଖନ୍ତି କାହିଁକି ?

 

ଫଟୋ ଉଠାଇ ସାରି ସୁଧୀର ସେମାନଙ୍କ ସହିତ ଘାସ ଉପରେ ବସି ଗପ କରିଥିଲା, କଫି ପିଇଥିଲା, ଫୋର୍ଟ ଭିତର ବୁଲିଥିଲା ଓ ବିଭୂତିବାବୁଙ୍କ ସହିତ ଗପିବା ମଝିରେ ସୁନନ୍ଦାଙ୍କ ସହିତ ମଧ୍ୟ ଦୁଇ ତିନି ପଦ କଥା କହିଥିଲା । କିନ୍ତୁ ସେମାନଙ୍କ ସହିତ କାର୍‌ରେ ନୂଆଦିଲ୍ଲୀ ଫେରି ନଥିଲା । କାମ ଅଛି ବୋଲି କହି, ସେମାନଙ୍କୁ କାର୍ ପାଖରେ ଛାଡ଼ି ସେ ଚାଲି ଯାଇଥିଲା । କାର୍‌ର ସାମନାପଟ କବାଟ ଖୋଲି ସୁନନ୍ଦା ବସିବା ପାଇଁ ଯିବା ସମୟରେ ତାଜମହଲକୁ ଆଉଥରେ ଫେରି ଚାହିଁଥିଲେ । ସୁଧୀର ତାଜମହଲର ପ୍ରବେଶ ଦ୍ଵାର ନିକଟରେ ଠିଆହୋଇ ସେମାନଙ୍କ ଉଦ୍ଦେଶ୍ୟରେ ହାତ ହଲାଉଥିଲା ।

 

––ହେ ! ସେ ଲୋକ ତମକୁ ହାତ ଠାରୁଛନ୍ତି ।

 

ବିଦାୟ ନେବା ଭଙ୍ଗୀରେ ହାତ ହଲାଇ ବିଭୂତିବାବୁ ଗାଡ଼ିରେ ଷ୍ଟାର୍ଟ ଦେଲେ ।

 

ରାସ୍ତାରେ ସେଦିନ ସୁଧୀର କଥା ଅନେକ ଗପିଥିଲେ ବିଭୂତିବାବୁ, କିନ୍ତୁ ସେସବୁ ଶୁଣିବାରେ ସୁନନ୍ଦାଙ୍କର ଆଗ୍ରହ ନଥିଲା ।

 

ସେ ଆଗ୍ରା ଦେଖୁଥିଲେ, ରାସ୍ତା ଚିହ୍ନୁଥିଲେ, ଓଡ଼ିଶା ଓ ଆଗ୍ରା ଭିତରେ ପାର୍ଥକ୍ୟ ଖୋଜୁଥିଲେ ।

 

––ୟାଡ଼େ ବି ଏତିକି ଅସନା ଗଳି ଅଛି ? ....ମାଲୋ ! ସେ ଘୋଡ଼ାଟାକୁ କେଡ଼େ ଜୋରରେ ପିଟୁଛି…ଦେଖ୍‌ରେ ବାବୁନି, ପଛକୁ ଅନା–ସେଟା କଅଣ ଦିଶୁଛି ?

 

ଘରକୁ ଫେରି ଗୁଣୁଗୁଣୁ ହୋଇ ଗୀତ ଗାଇ ସୁନନ୍ଦା କାମ ସାରିଥିଲେ । ବାବୁନ୍‌କୁ ଶୁଆଇ ନିଜେ ବିଛଣାକୁ ଯାଇଥିଲେ । ସାରା ଦିନଟାର ଘଟଣାମାନ କ୍ରମେ ତାଙ୍କ ଆଖି ଆଗରେ ଭାସି ବୁଲିଥିଲା–ବିଦେଶୀ ଭଦ୍ରମହିଳା, ତାଜର ସମାଧି, ତାର ସୁଦୃଶ୍ୟ ବଗିଚା, ଯମୁନାର ପାଣିରେ ତାଜର ଛାଇ । …ହଠାତ୍ ସୁଧୀର ତାଙ୍କର ଫଟୋ ଉଠାଇବା ଦୃଶ୍ୟ ମନେ ପଡ଼ିଗଲା । ସେହି ନିର୍ଜନ କୋଠରୀରେ ଏକୁଟିଆ ବିଛଣାରେ ଶୋଇ ପୁଣି ଥରେ ଲାଜରେ ସେ ରଙ୍ଗୀନ ପଡ଼ିଗଲେ ।

 

(ଦୁଇ)

 

ସୁଧୀର ଇଂଜିନିୟର । ଏକ ବିଦେଶୀ ଫାର୍ମରେ ଭଲ ବେତନର ଚାକିରି ଥିଲା ତାର । ଅବିବାହିତ ସୁଧୀର ଫ୍ଲାଟ୍‌ରେ ଏକା ରହୁଥିଲା । ନିଜ ହାତ ତିଆରି ବ୍ରେକ୍‌ଫାଷ୍ଟ ଖାଇ, ସେ ଦିନର ଅବଶିଷ୍ଟ ଭୋଜନ ପ୍ରାୟ ବାହାରେ ହିଁ କରୁଥିଲା । ସୁଧୀର ପ୍ରଥମ ଥର କେବେ ତାଙ୍କ ହାତରନ୍ଧା ଖାଦ୍ୟ ଖାଇଥିଲା, ଆଜି ମନେ ପଡ଼େ ନାହିଁ ସୁନନ୍ଦାଙ୍କର, କିନ୍ତୁ ଖୁବ୍ ଶୀଘ୍ର ସୁଧୀର ତାଙ୍କ ହାତ ଯଶ ଗାନ କରିବାରେ ଶତଜିହ୍ୱ ହୋଇ ଉଠିଥିଲା ।

 

ଅଫିସରୁ ଫେରି ବିଭୂତିବାବୁ ବାଥ୍‌ରୁମ୍‌ରେ ଥିଲେ । ସୁନନ୍ଦା ଚାହା, ଜଳଖିଆ ସଜାଡ଼ିବାରେ ବ୍ୟସ୍ତ ଥିଲେ । ଡୋର ବେଲ୍ ବାଜି ଉଠିଲା, ପାଞ୍ଚବର୍ଷର ପୁଅ ବାବୁନ୍‌ର ହୁକ୍ ଖୋଲିବା ପାଇଁ ହାତ ପାଇବ ନାହିଁ । ସୁନନ୍ଦା ଇତସ୍ତତଃ ହୋଇ କବାଟ ଖୋଲିଲେ–ସୁଧୀର ।

 

––ନମସ୍ତେ ଭାବିଜୀ ।

 

ଦୁଇ ହାତ ଉପରକୁ ଟେକି ଦେଇ ସୁନନ୍ଦା ଦେଖିଲେ, ରନ୍ଧାଘରୁ ଭୁଲରେ ସେ ଚାହାଛଣାଟା ଧରି ବାହାରି ଆସିଛନ୍ତି । ହସିଲା ସୁଧୀର । ସୁନନ୍ଦା ଲାଜରା ହେଲେ, ବିଭୂତିବାବୁ ଏତେ ସମୟ ଧରି ବାଥ୍‌ରୁମ୍‌ରେ ଅଛନ୍ତି ବୋଲି ମନେ ମନେ ବିରକ୍ତ ହେଲେ ।

 

ଏକତ୍ର ଚାହାପାନ ପରେ ସୁନନ୍ଦା ଉଠି ଯାଇଥିଲେ–ବିଭୂତିବାବୁ ପଛରୁ ଡାକିଲେ–“ତମେ ପରା କଣ ଆଜି କାକରା ପିଠା କରିବ ବୋଲି କହୁଥିଲ ?”

 

ତାପରେ ସୁଧୀର ଆଡ଼େ ଚାହିଁ କହିଲେ–ତମ ଭାବି ଆଜି ଓଡ଼ିଶୀ ପିଠା କରିବେ ସୁଧୀର, ରାତିରେ ଏଇଠି ଖାଇନେବ ।

 

ଏହିପରି ଭାବରେ କ୍ରମେ ସୁଧୀର ସହିତ ଏକତ୍ର ରାତ୍ରିଭୋଜନ କରିବା ବିଭୂତିବାବୁଙ୍କର ଅଭ୍ୟାସରେ ପରିଣତ ହୋଇଗଲା । ଅଫିସରୁ ଫେରି ସୁଧୀର ନିତ୍ୟକର୍ମ ସାରି ବିଭୂତିବାବୁଙ୍କ ଫ୍ଲାଟ୍‌ର ବେଲ୍ ଟିପେ । ଚାହାପାନ ପରେ ବିଭୂତିବାବୁ କହନ୍ତି, ସୁଧୀର, ଆଜି ଏଇଠି ଖାଇବ । ତମ ଭାବି ବିରିୟାନୀ ରାନ୍ଧୁଛନ୍ତି,...ଆଜି ଆମ ସଙ୍ଗେ ଖାଇବ ସୁଧୀର, ନନ୍ଦା ରେସିପି ବହିରୁ କଣ ନୂଆ ଜିନିଷ ରାନ୍ଧି ଖୁଆଇବେ… । କେବେ କେବେ ଆଜି କିଛି ଭଲ ଖାଇବା ହୋଇନାହିଁ କହି ସୁନନ୍ଦା ମୃଦୁ ଆପତ୍ତି କଲେ ବିଭୂତିବାବୁ କହନ୍ତି, ଯାହା ରାନ୍ଧିଛ ସୁଧୀର ସେଇଆ ଖାଇବ । ସେ କଣ ବାହାର ଲୋକ ହୋଇଛି ? ବିଚରା ନ ହେଲେ ଏତେ ରାତିରେ ଘରେ ଯାଇ କିଛି ଫଳ ନ ହେଲେ ବ୍ରେଡ଼୍-ବଟର ଖାଇ ଶୋଇ ପଡ଼ିବ ।

 

ବିଭୂତିବାବୁ ଦିଲ୍ଲୀକୁ ବଦଳି ହେବାର ପାଞ୍ଚମାସ ପରେ ସୁନନ୍ଦା ଆସିଲେ । ତା’ ପୂର୍ବରୁ ବିଭୂତିବାବୁ ଏକା ଥିଲେ । ଦିଲ୍ଲୀ ପରି ସହରରେ ବିଭୂତିବାବୁ ଘୂରି ବୁଲୁ ନଥିଲେ, ଫୁର୍ତ୍ତିକରୁ ନଥିଲେ, ବରଂ କେବେ କେବେ ଖୁବ୍ ନିଃସଙ୍ଗ ବୋଧ କରୁଥିଲେ । ତାଙ୍କର ବିବାହର ବର୍ଷେ ପରେ ବୋଉ ମରିଗଲେ । ଘରେ ଭଉଣୀ ରେଣୁ ଏକା । ତେଣୁ କଲିକତାରେ ଥିବା ସମୟରେ ରେଣୁର କଲେଜ ଛୁଟି ହେଲେ କେବେ ସେ ସୁନନ୍ଦା ଓ ରେଣୁକୁ ନିଜ ପାଖକୁ ନେଇ ଆସୁଥିଲେ । ତାଙ୍କର ଦିଲ୍ଲୀ ବଦଳି ହେବାର ଅଳ୍ପଦିନ ପୂର୍ବରୁ ରେଣୁ ବାହା ହୋଇ ଯାଇଥିଲା ତେଣୁ ସୁନନ୍ଦା ଓ ବାବୁନ୍‌କୁ ପାଖକୁ ନେଇ ଆସିବାର ଆଉ କୌଣସି ବାଧା ନଥିଲା । ହୁଏତ ସେହି ବାଧା ନ ଥିଲା ବୋଲି କଲିକତା ଅପେକ୍ଷା ଦିଲ୍ଲୀରେ ବିଭୂତିବାବୁ ବେଶୀ ନିଃସଙ୍ଗ ବୋଧ କରିଥିଲେ ଓ ସେମାନଙ୍କୁ ଶୀଘ୍ର ନେଇ ଆସିବା ପାଇଁ ମନ ଭିତରେ ବ୍ୟାକୁଳତା ଅନୁଭବ କରିଥିଲେ ।

 

ସୁନନ୍ଦା ଆସିବା ପୂର୍ବରୁ, ଅଫିସ କାମ ପରେ ବିଭୂତିବାବୁ ବହି ଖଣ୍ଡେ ଧରି ଅନେକ ରାତିଯାଏ ପଢ଼ନ୍ତି । ଦର୍ଶନ, ରାଜନୀତି, ଉପନ୍ୟାସ, କବିତା–ସବୁ ପ୍ରକାର ବହି ତାଙ୍କ ପରିସରର ଅନ୍ତର୍ଭୁକ୍ତ ଥିଲା । ଏଇଟା ତାଙ୍କର କଲେଜ ଜୀବନର ଅଭ୍ୟାସ । ବହିଟି ପଢ଼ୁ ପଢ଼ୁ ଥରେ ଥରେ ଘଣ୍ଟା ଆଡ଼କୁ ଚାହିଁ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆରେ–ରାତି ତିନିଟା ହେଲାଣି । ପାଆଁଶ ପୃଷ୍ଠାର ବହିଟି ଶେଷ ହୋଇଯିବା ଉପରେ । କାଲି ରାତିପାଇଁ ପୁଣି ବହିଟିଏ ଯୋଗାଡ଼ କରିବାକୁ ପଡ଼ିବ ।

 

ଆଉ କେବେ କେବେ ସୁଧୀର ଫ୍ଲାଟ୍‌ରେ ବସି ସେଡ଼୍‍ ଗୀତ ଶୁଣୁଥିଲେ ।

 

ଅଫିସ ଯିବା ସମୟରେ ସୁଧୀର ସଙ୍ଗେ ଥରେ ଲିଫ୍‌ଟ୍‌ରେ ଦେଖା । ଥରେ ଅଧେ ସୁଧୀରକୁ କାର୍‌ରେ ଲିଫ୍‌ଟ ଦେବା ପରେ ବନ୍ଧୁତ୍ୱ, ତାପରେ ଘନିଷ୍ଠତା ବୃଦ୍ଧି । ବୟସରେ ଅନେକ ପାର୍ଥକ୍ୟ ଥିଲେ ମଧ୍ୟ ସୁଧୀର ଓ ବିଭୂତିବାବୁଙ୍କର ସଉକରେ କିଛିଟା ସାମଞ୍ଜସ୍ୟ ଥିଲା । ଅନେକ ରାତି ପର୍ଯ୍ୟନ୍ତ ସେ ଦୁହେଁ ବିଭୂତିବାବୁଙ୍କ ବେଡ଼ରୁମରେ ବସି ଗାନ୍ଧୀ, ଲେନିନ୍ ବା ମାକ୍‌ସମୁଲାର, ଗାର୍କୀ, ରସେଲଙ୍କ ଉପରେ ଆଲୋଚନା କରୁଥିଲେ କିମ୍ବା ସୁଧୀରର ସିଟିଂ ରୁମ୍‌ରେ ମେହେଦୀ ହାସାନଙ୍କ ଗଜଲ ବା ବିଥୋଭେନ୍‌ଙ୍କ ଭାଓଲିନ୍‌ ଶୁଣୁଥିଲେ । ସେତେବେଳେ ସଙ୍ଗୀତର ମୃଦୁ ଝଙ୍କାରରେ ଦୁହେଁ ବିଭୋର ହୋଇ ଯାଉଥିଲେ । ଅନେକ ସମୟ ଆଖି ବନ୍ଦ କରି ଶୁଣିବା ପରେ ଚେଞ୍ଜର ବନ୍ଦ ହୁଏ । ବିଭୂତିବାବୁ ଆଖି ଖୋଲି ବାସ୍ତବତାକୁ ଉପଲବ୍‌ଧି କରନ୍ତି–ସେ ନିଜ ଘରେ ନୁହେଁ, ସୁଧୀରର ଫ୍ଲାଟରେ । ସୁଧୀର ଅନ୍ୟମନସ୍କ ହୋଇ ତଥାପି ବସି ରହିଛି । କେତେବେଳେ ସେ କଫିକରି ଆଣିଥିଲା ଓ ତାହା ଟେବୁଲ ଉପରେ ରହି ରହି କେତେବେଳୁ ଥଣ୍ଡା ହେଲାଣି, ତାହା କାହାରି ମନେନାହିଁ ।

 

ତାପରେ ସୁନନ୍ଦା ଦିଲ୍ଲୀ ଆସିଲେ ।

 

ବାବୁନ୍‌କୁ ଶୁଆଇ ଦେଇ ରାତିରେ ସେମାନେ କେବେକେବେ ସୁଧୀର ଘରେ ଗୀତ ଶୁଣନ୍ତି । ସୁଧୀର ରେକର୍ଡ଼ କେଶ ଖୋଲି ପଚାରେ, ‘‘ଭାବି–କୌନସି ଗାନା ପସନ୍ଦ ହେ ବୋଲିଏ-?” ସୁନନ୍ଦା କିଛି କହନ୍ତି ନାହିଁ । ସ୍ତ୍ରୀଙ୍କ ସହିତ ପ୍ରଥମ ଦେଖା ସମୟରେ କାଳିଦାସ ଯେପରି ଦ୍ଵିଅର୍ଥ ବିହୀତ ହସଟିଏ ହସିଥିବେ, ସେହିପରି ହସି ବସି ରହନ୍ତି । ସୁଧୀର ନିଜ ପସନ୍ଦ ରେକର୍ଡ଼ ଧରାଏ–ଠୁମରୀ, ଗଜଲ ଇତ୍ୟାଦି । ସୁଧୀର ଓ ବିଭୂତିବାବୁ ସେ ସଙ୍ଗୀତକୁ ଆକଣ୍ଠ ପାନ କରୁଥିବା ସମୟରେ ସୁନନ୍ଦା ନୀରବରେ ସେମାନଙ୍କୁ ବସି ବସି ଦେଖନ୍ତି । କାରଣ ସୁନନ୍ଦାଙ୍କର କେବଳ ଲଘୁ ସଙ୍ଗୀତ, ହିନ୍ଦୀ ସିନେମାଗୀତ ହିଁ ପସନ୍ଦ ଥିଲା । ଶାସ୍ତ୍ରୀୟ ସଂଗୀତର ମୃଦୁମୂର୍ଚ୍ଛନାରେ ଯେ ଲୋକ ଏମିତି ଭାସି ଯାଇ ପାରନ୍ତି, ତାଙ୍କର ସେ ଧାରଣା ନଥିଲା । କିନ୍ତୁ ସେହି ପରିବେଶ ତାଙ୍କୁ ଭଲଲାଗେ ।

 

ରେକର୍ଡ଼ରେ ବାଜୁଥିବା ଗୀତକୁ ପସନ୍ଦ କରିବା ପାଇଁ ଚେଷ୍ଟା କରୁ କରୁ ନିଜ ଉପରେ ତାଙ୍କର ରାଗ ହୁଏ । ରେଡ଼ିଓରେ ତ ଏଭଳି ଅନେକ ଗୀତ ବାଜେ । ସେ ସେତେବେଳେ ବିରକ୍ତ ହୋଇ ରେଡ଼ିଓ ବନ୍ଦ କରୁଥିଲେ କାହିଁକି । ସାଙ୍ଗମାନଙ୍କ ସହିତ ଗପ କରିବା ସମୟରେ ଥଟ୍ଟା କରି ମନଁ ମୋଁରା ବାଁବରାଁ ଗାଇ ସମସ୍ତଙ୍କ ସହିତ ମଜା କରୁଥିଲେ କାହିଁକି ? ଶସ୍ତା ଓଡ଼ିଆ ଡିଟେକ୍‌ଟିଭ ବଦଳରେ ସେ କିଛି ଭଲ ଇଂରାଜୀ ବହି ପଢ଼ିଲେ ନାହିଁ କାହିଁକି ? ପୃଥିବୀର ବଡ଼ ମଣିଷମାନଙ୍କ ବିଷୟରେ, ବଡ଼ ଲେଖକମାନଙ୍କ ବିଷୟରେ ଓ ସେପରି ସଙ୍ଗୀତ ବିଷୟରେ କିଛି ଜ୍ଞାନ ଆହରଣ କରିବା ତାଙ୍କର ଉଚିତ ଥିଲା । ତା ହେଲେ ବର୍ତ୍ତମାନ ତାଙ୍କୁ ନିଜକୁ ଏତେ ଛୋଟ ଲାଗନ୍ତା ନାହିଁ । ସେ ମଧ୍ୟ ବିଭୂତିବାବୁଙ୍କ ପରି ସୁଧୀର ସହିତ ଆଲୋଚନା କରିପାରନ୍ତେ । ସ୍କୁଲ କଲେଜ ପାଠ ଉପରେ ରାଗ ହୁଏ ସୁନନ୍ଦାଙ୍କର । ଏତେ ମୋଟା ମୋଟା ଗୁଡ଼ାଏ ବହି ରଖି ନ ଥିଲେ କଣ ଚଳି ନଥାନ୍ତା ? ପାଠ ପାଇଁ, ପରୀକ୍ଷା ପାଇଁ ତ ସେ ତାଙ୍କର ସବୁତକ ମୂଲ୍ୟବାନ ସମୟ ନଷ୍ଟ କଲେ–ଏସବୁ ଲାଗି ସମୟ ତାଙ୍କର ରହିଲା କେଉଁଠୁ ?

 

ଛାତ ଉପରର ବୁଢ଼ିଆଣୀ ଜାଲକୁ କିଛି ସମୟ ଧରି ଚାହାନ୍ତି ସୁନନ୍ଦା । ରାସ୍ତାର ନିଅନ୍‌ଲାଇଟ୍‌କୁ ଆଖି ଫେରାନ୍ତି । ରେକର୍ଡ଼ର ଗୀତ ବଦଳେ । ସେ ବିଭୂତିବାବୁଙ୍କୁ ଦେଖନ୍ତି, ତାପରେ ସୁଧୀରକୁ । ସୁଧୀରକୁ ଅନେକ ସମୟ ଧରି ଚାହିଁ ରହିବା ପାଇଁ ସୁନନ୍ଦାଙ୍କର ଇଚ୍ଛା ହୁଏ । ତାର ଇତସ୍ତତଃ କେଶଗୁଚ୍ଛ, ତାର ଚଷମାର ମୋଟା କଳା ଫ୍ରେମ ଆଖିର ବିହ୍ୱଳତା…ସବୁ କିଛି ତାଙ୍କୁ ଭଲଲାଗେ । ତଥାପି ସେ ତାକୁ ବେଶି ସମୟ ଧରି ଚାହିଁରହି ପାରନ୍ତି ନାହିଁ ।

 

ସୁଧୀର ବିଭୂତିବାବୁଙ୍କୁ ଲକ୍ଷ୍ୟ କରି ନିମ୍ନ ସ୍ୱରରେ କହେ–“ତାଙ୍କର ଆଡ଼୍‌ମିନ୍‌ଷ୍ଟ୍ରେଟିଭ୍‌ ଲାଇନରେ ନ ଯାଇ ଉଦୟଶଙ୍କର ଗ୍ରୁପ୍‌ରେ ଯୋଗଦେବା ଉଚିତ ଥିଲା, ନାଇଁ ଭାବି ?”

 

ସୁନନ୍ଦାଙ୍କର ଇଚ୍ଛାହୁଏ–“କେବଳ ସେ ନୁହେଁ, ଆପଣ ମଧ୍ୟ” କହିବା ପାଇଁ । କିନ୍ତୁ ସେ କେବଳ ଟିକେ ହସନ୍ତି ।

 

ବାବୁନ୍‌ର ଅସମ୍ଭବ ଭାବରେ ଟ୍ରେନର ସଉକ ଥିଲା । ତା ବ୍ୟତୀତ ଅନ୍ୟ ଖେଳନା ପ୍ରତି ସେ ଏତେ ଆଗ୍ରହ ଦେଖାଉ ନଥିଲା । ଷ୍ଟେସନ ଗଲେ ‘ଟେନ୍’ ‘ଟେନ୍’ କହି ତାଳମାରି ନାଚୁଥିଲା । …ତାଙ୍କ ନିଜର ମଧ୍ୟ କଣ ଟ୍ରେନପ୍ରତି ଦୁର୍ବଳତା ନଥିଲା ? ନିଜ ରୁମ୍‌ରେ ବସି ଟ୍ରେନ ସଂପୂର୍ଣ୍ଣ ଅଦୃଶ୍ୟ ନହେବା ପର୍ଯ୍ୟନ୍ତ ସେ ତାକୁ ଏକଲୟରେ ଚାହିଁ ରହୁଥିଲେ । ଅନେକ ଥର କାର୍ ନୁହେଁ, ଟ୍ରେନ୍‌ରେ ବସି ବୁଲି ଯିବା ପାଇଁ ସେ ବାପାଙ୍କ ନିକଟରେ ଅଳି କରନ୍ତି । କାର୍‌ରେ ଜିନିଷପତ୍ର ଲଦା ହେଉଥିବା ସମୟରେ ଭଗବାନଙ୍କୁ ଡାକନ୍ତି–କାର୍ ଷ୍ଟାର୍ଟ ନ ହୁଅନ୍ତା କି ! ତାହେଲେ ହୁଏତ ବାପା ଟ୍ରେନରେ ଯିବାପାଇଁ ରାଜି ହେବେ । କେତେଥର ବାପାଙ୍କ ଉପରେ ବିରକ୍ତ ହୋଇଛନ୍ତି ସୁନନ୍ଦା । ଓକିଲାତି ନ କରି ସରକାରୀ ଚାକିରୀ କରିଥିଲେ ସେମାନେ ବିଭିନ୍ନ ସ୍ଥାନକୁ ବଦଳି ହେଉ ଥାଆନ୍ତେ-। ଟ୍ରେନରେ ବସି କେତେ ବୁଲୁ ଥାଆନ୍ତେ ।

 

ବାବୁନ୍‌ର ତାହା ପଞ୍ଚମ ଜନ୍ମଦିନ ଓ ଦିଲ୍ଲୀରେ ପ୍ରଥମ । ଅଳ୍ପ କିଛି ବନ୍ଧୁଙ୍କ ଗହଣରେ ସେ ସନ୍ଧ୍ୟାଟି ପାଳିଥିଲେ ବିଭୂତିବାବୁ । ସମସ୍ତେ ଚାଲି ଯାଇଥିଲେ, କେବଳ ସୁଧୀର ଓ ବିଭୂତିବାବୁ ଡ୍ରଇଂରୁମରେ ବସି ଆଳାପ କରୁଥିଲେ । ସବୁ କାମ ସାରି ସୁନନ୍ଦା ବେଡ଼୍‍ରୁମ୍‌କୁ ଫେରି ଆସିଲେ । ସେଠାରେ ଉପହାର ଜିନଷସବୁ ରଖାହୋଇଛି । ସେ ତାହାକୁ ଗୋଟି ଗୋଟି କରି ଖୋଲି ଦେଖିଲେ । ସବୁଠାରୁ ବଡ଼ ପ୍ୟାକେଟିଟି ଖୋଲି ସେ ସ୍ତବ୍‌ଧ ହୋଇଗଲେ । ଏକ ଟ୍ରେନ୍–ଇଲେକ୍‌ଟ୍ରିକ ଟ୍ରେନ । ବଡ଼ ଇଞ୍ଜିନ, ଚାରିଟା କମ୍ପାଟମେଣ୍ଟ, ମାଲଡ଼ବା ଓ ଅନେକଗୁଡ଼ିଏ ଲାଇନ୍ ମିଶି ଏକ ବିରାଟ ପ୍ୟାକେଟ୍ । କେତେ କେଜାଣି ଟଙ୍କା ହୋଇଥିବ ! କିଏ ସେ ସେହି ଉପହାର ଦେଇଛି ଜାଣିଥିଲେ ମଧ୍ୟ ପୁଣି ଥରେ ପ୍ୟାକ୍‌ଟଟାକୁ ସେ ପଢ଼ିଥିଲେ–ଟୁ-ବାବୁନ ଫ୍ରମ-ଅଙ୍କଲ ସୁଧୀର ।”

 

କାହିଁକି ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ କଲା ସୁଧୀର ? ଗୋଟିଏ ପୁଅ ହେଲେ ମଧ୍ୟ ଏପରି ଦାମୀ ଖେଳନା ବିଭୂତିବାବୁ କେବେ ତ ବାବୁନ୍ ପାଇଁ କଣି ଦେଇ ନାହାନ୍ତି ! ବାବୁନ୍ ପାଇଁ ଇଲେକ୍ଟ୍ରିକ ଟ୍ରେନଟିଏ କିଣିବା ବୋଲି ସେ ଥରେ ହେଲେ ସୁନନ୍ଦାଙ୍କୁ କହି ନାହାନ୍ତି । ଅଥଚ ସୁଧୀର ବାବୁନ୍ ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛି ! ଖେଳନା, ଛବିବହି, ଚକୋଲେଟ କେତେ ଜିନିଷ ସେ ବାବୁନ୍ ପାଇଁ ଆଣେ । ବିଭୂତିବାବୁ ନଥିଲେ ସେ ବାବୁନ୍ ସଙ୍ଗେ ଘଣ୍ଟା ଘଣ୍ଟା ଧରି ଖେଳିବ, ଗପ କରିବ, ସତେ ଯେପରି ବାବୁନ୍‌ର ସେ ଏକାନ୍ତ ନିଜର ଲୋକ ବା ସମବୟସୀ ବାଳକଟିଏ ।

 

ଟ୍ରେନ୍‌ଟାକୁ ହାତରେ ଧରି ସୁନନ୍ଦା ଭାବିଲେ, ଏପରି ଉପହାର ପାଇଁ ସୁଧୀରକୁ ଧନ୍ୟବାଦ ନ ଦେଲେ ହେବ ନାହିଁ । ସେ ଦଉଡ଼ି ଯାଇ ବିଭୂତିବାବୁଙ୍କୁ କହିବେ–ଦେଖ, ବାବୁନି ପାଇଁ ସୁଧୀରବାବୁ କଣ ଆଣିଛନ୍ତି । ତାପରେ ସୁଧୀରର ନିକଟତର ହୋଇ ତାର ହାତ ଧରି କହିବେ, ତମେ ଏପରି କାହିଁକି କଲ ? ବାବୁନ୍ ପାଇଁ ଅକାରଣରେ ଏତେଗୁଡ଼ାଏ ଟଙ୍କା କାହିଁକି ଖର୍ଚ୍ଚ କଲ ?

 

ସୁନନ୍ଦା ଅନୁଭବ କଲେ, ଟ୍ରେନ୍‌ଟା ପ୍ରଖର ଗତିରେ ଦୌଡ଼ୁଛି ଓ ତାଙ୍କର ଶରୀର ଜୋରରେ ହଲୁଛି । ସେଦିନ କିନ୍ତୁ ସେ ଟ୍ରେନର ଗତି ନଥିଲା, ବେଗ ନଥିଲା; ଅଥଚ ସେ ତାଙ୍କର ସମସ୍ତ ଶରୀରରେ ଏକ ଅଦ୍ଭୁତ କମ୍ପନ ସୃଷ୍ଟିକରି ମନ ଭିତରଟାକୁ ଖୁବ୍ ଜୋରରେ ଆନ୍ଦୋଳିତ କରୁଥିଲା ।

 

ସୁନନ୍ଦା ସେ ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଉପହାର ଟ୍ରେନ୍‌ଟିକୁ କୋଳରେ ଧରି ବସି ରହିଥିଲେ ।

 

(ତିନି)

 

ଦିଲ୍ଲୀକୁ ପଛରେ ପକାଇ ଅନେକ ଷ୍ଟେସନ ପାରିହୋଇ ଆସିଲେଣି ସୁନନ୍ଦା । କେତେଟା ଷ୍ଟେସନ ଗଲା ଗଣି ନାହାନ୍ତି, ସେମାନଙ୍କର ନାମ ଦେଖି ନାହାନ୍ତି, କେଉଁ ଯାତ୍ରୀମାନେ ଓହ୍ଲାଇଗଲେ ଓ କିଏ ଆସିଲେ, ସେମାନଙ୍କ ଆଡ଼େ ଫେରି ଚାହିଁ ନାହାନ୍ତି । କେବଳ ନିଜ ଚିନ୍ତାରେ ସେ ବୁଡ଼ିରହି ଅତୀତର ଗୋଟିଏ ଗୋଟିଏ ପୃଷ୍ଠା ଓଲଟାଉଛନ୍ତି । ଆସିବା ସମୟରେ ସେ ମନେ ମନେ ପ୍ରତିଜ୍ଞା କରିଥିଲେ, ସୁଧୀରକୁ ପ୍ରତିଶ୍ରୁତି ଦେଇଥିଲେ, ପଛକଥାକୁ ମନେ ପକାଇ ବ୍ୟଥିତ ହେବେ ନାହିଁ, ଲୁହ ଝରାଇବେ ନାହିଁ । ଏକ ଅଧରାତ୍ରିର ସ୍ଵପ୍ନ ପରି ସେ ସବୁକୁ ଭୁଲିଯାଇ ବାଟସାରା ଗପବହି ପଢ଼ିବେ, ମାଗାଜିନ୍ ଓଲଟାଇବେ, ଷ୍ଟେସନ ଦେଖିବେ, ଲୋକ ଗଣିବେ । ଅଥଚ ତା ମଧ୍ୟରୁ କିଛି ହେଲେ କରି ପାରିଲେ ନାହିଁ ସେ । ଅତୀତକୁ ଭୁଲିବା ପାଇଁ ଚେଷ୍ଟାକରି ତାକୁ ବେଶୀ ମନେ ପକାଇଲେ, ଯାହା ଦୀର୍ଘ ସାତବର୍ଷ ହେଲା ସେ କରି ନଥିଲେ ।

 

ଜୀବନରେ ଅଜସ୍ର ସଂଧ୍ୟା ଆସିଛି ସୁନନ୍ଦାଙ୍କର, କିନ୍ତୁ ସବୁକୁ କଣ ସେ ମନେ ରଖିଛନ୍ତି-? ନାଁ–ସବୁ ସଂଧ୍ୟା ମନେରଖି ପାରିଲା ଭଳି ସ୍ଵାକ୍ଷର ରଖିଯାଇ ନାହାନ୍ତି, ତେଣୁ କ୍ରମେ ସେମାନଙ୍କୁ ଭୁଲି ହୋଇ ଯାଇଛି । ଯେଉଁ ସଂଧ୍ୟାମାନେ ତାହାର ବ୍ୟତିକ୍ରମ, ସେପରି ଏକ ସଂଧ୍ୟାରେ ଥରେ ସୁଧୀର ଆସିଲା । ସେତେବେଳେ ଆଦ୍ୟ ଶ୍ରାବଣରେ ବର୍ଷାର ପ୍ରସ୍ତୁତି । ଧୂସର ଆକାଶ ତଳେ ବାଲ୍‌କୋନିରେ ଚେୟାର ପକାଇ ସୁନନ୍ଦା ବାବୁନ୍ ପାଇଁ ସ୍ଵେଟର ବୁଣୁଥିଲେ । ବିଭୂତିବାବୁ କାର୍ଯ୍ୟବଶତଃ ଅଫିସରୁ ଫେରିବା ପାଇଁ ଡେରିହେବ ବୋଲି ଫୋନ୍‌ରେ ଜଣାଇ ଦେଇଥିଲେ-

 

ସୁନନ୍ଦା ସୁଧୀର ଆସିବ ବୋଲି ଜାଣିଥିଲେ ।

 

ସୁଧୀର ବିନା ବ୍ୟତିକ୍ରମରେ ବିଭୂତିବାବୁଙ୍କ ଘରକୁ ଆସେ । ଯେଉଁଦିନ ନ ଆସେ, ସେ ଦିନ ସୁଧୀର ଦିଲ୍ଲୀରେ ନାହିଁ ବୋଲି ଧରି ନିଆଯାଏ । ପ୍ରାୟ କିଛି ଜିନିଷ ସଙ୍ଗରେ ଆଣେ ସୁଧୀର–କେବେ ବାବୁନ୍ ପାଇଁ ଟଫି କିମ୍ବା ଚକୋଲେଟ୍ କେବେ ବିଭୂତିବାବୁଙ୍କ ପାଇଁ ବିଦେଶରୁ ମଗାଇଥିବା ସିଗାର୍… ଇତ୍ୟାଦି । କିନ୍ତୁ ସେଦିନ ହାତରେ ଧରିଥିବା ପ୍ୟାକେଟ୍‌ଟି ଟେବୁଲ ଉପରେ ରଖିଦେଇ କହିଲା–“ଖୋଲି ଦେଖ ଭାବି, ତମର ପସନ୍ଦ ତ ?”

 

ପ୍ୟାକେଟଟିକୁ ଦେଖିଲେ ସୁନନ୍ଦା, କିନ୍ତୁ ସୁଧୀର ସମ୍ମୁଖରେ ଖୋଲି ଦେଖିବା ପାଇଁ ସଂକୋଚ ଅନୁଭବ କଲେ । ମନ ହେଉଛି ସୂତାଟାକୁ ଫିଟାଇ ଦେଇ କାଗଜ ଖୋଲି ଦେବେ । ତା’ରି ଭିତରେ ରହିଛି ସୁଧୀର ତାଙ୍କ ପାଇଁ ଆଣିଥିବା ଜିନିଷ; ଅଥଚ ପାରିଲେ ନାହିଁ ସେ ।

 

––ଦୋକାନରେ ଗପବହି ଖଣ୍ଡେ କିଣୁଥିଲି, ହଠାତ୍ ଏଇ ବହିଟି ଦେଖି ତମ କଥା ମନେ ପଡ଼ିଲା । ତମର ରାନ୍ଧିବାରେ ଏତେ ସଉକ, ତେଣୁ ବହିଟି ନ କିଣି ରହି ପାରିଲି ନାହିଁ ।

 

ପ୍ୟାକେଟଟାକୁ ଖୋଲି ବହିଟି ସୁନନ୍ଦାଙ୍କ ହାତରେ ଦେଲା ସୁଧୀର । ଚାହା ଜିନିଷ ସଜାଡ଼ି ଆୟା ଟ୍ରେ ରଖିଦେଇ ଗଲା । ସୁନନ୍ଦା ଅନେକ ସମୟ ଧରି ସ୍ଥାଣୁ ପରି ବସି ରହିଲେ । ବହିଟିକୁ ଛୁଇଁ ଦେବା ପରେ ହଠାତ୍ ସେ ଯେପରି ମୂର୍ତ୍ତି ପାଲଟି ଗଲେ । ବହିଟି ଖୋଲି ଦେଖିଲେ ନାହିଁ, ପଟ୍‌ରୁ ଢାଳି ଚାହା ତିଆରି କରି ପାରିଲେ ନାହିଁ, କିମ୍ବା ସୁଧୀରକୁ ଧନ୍ୟବାଦଟିଏ ମଧ୍ୟ ଦେଇ ପାରିଲେ ନାହିଁ, କାରଣ ସେ ହିନ୍ଦୀ ସହିତ ନିଜର ମାତୃଭାଷା ମଧ୍ୟ ଭୁଲି ବସିଥିଲେ । ‘‘ତମ କଥା ମନେ ପଡ଼ିଲା…ବହିଟି ନ କିଣି ରହି ପାରିଲି ନାହିଁ" ବ୍ୟତୀତ ତାଙ୍କ କାନରେ ଆଉ କୌଣସି ଶବ୍ଦ ବାଜୁ ନ ଥିଲା ।

 

କ୍ରମେ ଚାହାକରି ସୁଧୀରକୁ ଦେଲେ ସୁନନ୍ଦା, ବହିଟିକୁ କୋଳରେ ରଖି ଓଲଟାଇଲେ । ସୁଧୀରର ଚାହାଣୀରେ ମୁଗ୍‌ଧା ହେଲେ, ପୁଲକିତା ହେଲେ । ବହିଟିକୁ ହାତରେ ଧରି ତାଙ୍କୁ ଲାଗିଲା, ସାତରଜାର ଧନ ତାଙ୍କ ହାତ ମୁଠାରେ ରହିଛି, ତାକୁ ହରାଇବା ଭୟରେ ସେ ବହିଟିକୁ ଦୁଇ ହାତରେ ଚାପି ଧରିଲେ ।

 

ହାତବ୍ୟାଗ ଖୋଲିଲେ ସୁନନ୍ଦା–ସୁଧୀର ଲଣ୍ଡନରୁ ଆଣିଥିବା ପ୍ରସାଧନ ସାମଗ୍ରୀରେ ତାହା ପରିପୂର୍ଣ୍ଣ । ମଣିବନ୍ଧରେ ସୁଇଜରଲାଣ୍ଡରୁ ଆଣିଥିବା ଘଡ଼ି, ଦେହରେ ଦାମୀ ସିମ୍ଫନ୍ ଶାଢ଼ି– । ଏହି କେତେ ବର୍ଷ ଭିତରେ ସୁଧୀର ତାଙ୍କୁ ଅଜସ୍ର ଉପହାର ଦେଇଛି । କିନ୍ତୁ ସେ ଦିନର ସେ ରନ୍ଧା ବହି ଯେପରି ତାଙ୍କୁ ଅନ୍ୟ ଏକ ଭୁବନକୁ ଉଡ଼ାଇ ନେଇଥିଲା ।

 

ସୁଧୀରର ପ୍ରଥମ ଉପହାର ।

 

ସେ ଦିନ ସଂଧ୍ୟାରେ ସେମାନେ ଅନେକ ଗପ କରିଥିଲେ ଏବଂ ଗପ କରୁ କରୁ ସୁନନ୍ଦା ବିଭୂତିବାବୁଙ୍କର ଫେରିବାରେ ଆହୁରି ଡେରି ହେଉ ବୋଲି ବାରମ୍ବାର ଇଚ୍ଛା କରିଥିଲେ । ବିଭୂତିବାବୁଙ୍କୁ ସେ ଦିନ ନିଜ ସୁଖର ଅନ୍ତରାୟ ବୋଲି ତାଙ୍କର ମନେ ହୋଇଥିଲା ଏବଂ ସେହି ସଂଧ୍ୟାରେ ହଁ ସୁନନ୍ଦା ନିଜ ମନ ଭିତରର ଏକ ଗୋପନ ତଥ୍ୟ ଆବିଷ୍କାର କରିଥିଲେ–ସେ ବିଭୂତିବାବୁଙ୍କୁ ପ୍ରତି ସଂଧ୍ୟାରେ ଅପେକ୍ଷା କରନ୍ତି, କିନ୍ତୁ ସୁଧୀର ପାଇଁ କରନ୍ତି ପ୍ରତୀକ୍ଷା, ଯେଉଁ ପ୍ରତୀକ୍ଷାରେ ପ୍ରବଳ ଉତ୍ସୁକତା ଥାଏ, ଯେଉଁ ପ୍ରତୀକ୍ଷା ସମଗ୍ର ଶରୀରରେ ରୋମାଞ୍ଚ ଖେଳାଏ, ହୃଦୟକୁ ଆଲୋଡ଼ିତ କରେ ।

 

ସେହି ପ୍ରତୀକ୍ଷା ଦୀର୍ଘ ସାତ ବର୍ଷ ହେଲା କରି ଆସିଥିଲେ । ସୁଧୀର ଫେରିବା ସମୟର, ସୁଧୀରର କାର ହର୍ଣ୍ଣର, ତାର ଜୋତା ଶବ୍ଦର ପ୍ରତୀକ୍ଷା । ସୁଧୀର ଫେରିବାରେ ସାମାନ୍ୟ ବିଳମ୍ବ ହେଲେ ସୁନନ୍ଦା ବ୍ୟସ୍ତ ହୋଇ ପଡ଼ୁଥିଲେ । ପିଞ୍ଜରାବଦ୍ଧ ଶାରୀ ପରି ପ୍ରତିଟି ଝରକାରେ ଉଙ୍କି ମାରୁଥିଲେ, ଗେଟ୍ ପାଖକୁ ଧାଇଁ ଯାଉଥିଲେ । ତାଙ୍କର ବ୍ୟସ୍ତତା ଦେଖି ପଡ଼ୋଶୀ ଫ୍ଲାଟ୍‌ର ଭଦ୍ର ମହିଳା ଟିପ୍‌ପଣୀ କରନ୍ତି–ସାହାବ କେ ଲିଏ ତୋ ଆପ୍ ବିଲ୍‍କୁଲ ପାଗଲ ହୋ ଯାତେ ହେଁ ! କିନ୍ତୁ ସେ ସବୁ ସୁନନ୍ଦା ଶୁଣି ପାରୁ ନ ଥିଲେ, କାରଣ ରାସ୍ତାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ସୁଧୀର ପରି ଦିଶୁଥିଲେ ଓ ସେ କ୍ରମେ ଅଧିକରୁ ଅଧିକ ଚଞ୍ଚଳ ହୋଇ ଉଠୁଥିଲେ ।

 

ସୁଧୀର ଅଫିସ କାମରେ ଦିଲ୍ଲୀରୁ ବାହାରକୁ ଗଲେ ଆଖିରେ ଲୁହ ଛଳ ଛଳ ହୋଇ ଯାଉଥିଲା ସୁନନ୍ଦାଙ୍କର । ଉପର ଦେଖାଣିଆ ନୁହେଁ, ସେ ସତକୁ ସତ ସୁଧୀରର କେଇ ଘଣ୍ଟାର ବିଚ୍ଛେଦ ମଧ୍ୟ ସହ୍ୟ କରି ପାରୁ ନ ଥିଲେ, କାରଣ ସୁନନ୍ଦାଙ୍କର ହୃଦୟରେ ଏକ ଖରସ୍ରୋତା ତଟିନୀର ଉଚ୍ଛଳ ଜଳ ପ୍ରବାହିତ ହେଉଥିଲା, ଯାହା ତାଙ୍କର ହୃଦୟର ଦୁଇ ତଟକୁ ଅସଂଖ୍ୟ ଢେଉରେ ମୁହ୍ୟମାନ କରି ଦେଉଥିଲା । ସେ ତଟିନୀର ନାମ ପ୍ରେମ-ଜାହ୍ନବୀ । ସେହି ଉତ୍ସୃଙ୍ଖଳ ଜୁଆରିଆ ନଦୀରେ ଜୋରକରି ଭଟ୍ଟା ପକାଇ ସୁନନ୍ଦା ଆଜି ସବୁଦିନ ପାଇଁ ସୁଧୀରକୁ, ତାର ଲୋଭନୀୟ ସଂସାରକୁ ଛାଡ଼ି ଚାଲି ଆସିଛନ୍ତି ।

 

ରାତି କେତେ ହୋଇଥିଲା ମନେ ନାହିଁ ସୁନନ୍ଦାଙ୍କର, ଘଡ଼ି ଦେଖି ନ ଥିଲେ । ସେ ଅନେକ ବେଳୁ ଶୋଇ ଯାଇଥିଲେ, ସୁଧୀର ଗପ ବହଟିଏ ପଢ଼ୁଥିଲା । ହଠାତ୍‌ ତାଙ୍କର ନିଦ ଭାଙ୍ଗିଗଲା । ବିଛଣାରେ ଉଠି ବସିଲେ । ଜଗ୍‌ରୁ ଢାଳି ପାଣି ପିଇଲେ । ତାପରେ ଦୀର୍ଘଶ୍ଵାସଟିଏ ପକାଇ ବିଛଣାକୁ ଫେରିଗଲେ ।

 

––କିଛି ଖରାପ ସ୍ୱପ୍ନ ଦେଖିଲ କି ?

 

ସୁଧୀର ଆଡ଼େ ଫେରି ଚାହିଁଲେ ସୁନନ୍ଦା । ନିଜ ଭିତରେ ମଗ୍ନ ରହି ସେ ସୁଧୀରର ଉପସ୍ଥିତ ସଂପୂର୍ଣ୍ଣ ଭୁଲି ଯାଇଥିଲେ ।

 

––ହଁ, ସ୍ଵପ୍ନ ଦେଖିଲି । ବାବୁନିକୁ ।

 

ଏ କଥା କହିଲା ପରେ ସୁଧୀର ଆଡ଼େ ଆଉ ଚାହିଁଲେ ନାହିଁ ସେ । ଦୁଇ ଆଖି ବନ୍ଦ କରିଦେଲେ । ଲୁହ ଧାର ଧାର ଝରି ଆସିଲା ।

 

––ସ୍ଵପ୍ନରେ ବିଭୂତିବାବୁଙ୍କୁ ମଧ୍ୟ ଦେଖିଲ ନାଁ କଣ ?

 

ସାମାନ୍ୟ ଚମକି ଉଠିଲେ ସୁନନ୍ଦା । ସେହିପରି ଆଖି ବନ୍ଦ କରି ସୁଧୀର ପ୍ରଶ୍ନର ତାତ୍ପର୍ଯ୍ୟ ଖୋଜିବାକୁ ଲାଗିଲେ । ହଠାତ୍ ତାଙ୍କର ଇଚ୍ଛା ହେଲା–ସୁଧୀର ତାଙ୍କୁ ଘୃଣାକରୁ । ତାଙ୍କ ପ୍ରତି ତାର ବିରାଗ ଜାତ ହେଉ । ମୋ ସହିତ ସାତବର୍ଷ କାଳ ଘର କଲା ପରେ ସେ ଲୋକଟାକୁ ପୁଣି କାହିଁକି ମନେ ପକାଉଛ ବୋଲି କହି ତମଙ୍କ ସହିତ କଳି କରୁ । ତେଣୁ କହିଲେ–“ହଁ, ତାଙ୍କୁ ମଧ୍ୟ ।’’

 

କିଛି ସମୟ ନୀରବତାରେ କଟିଗଲା ପରେ ସେ ନିଜ କେଶ ଭିତରେ ସୁଧୀର ଆଙ୍ଗୁଳି ଚାଳନାର କୋମଳ ସ୍ପର୍ଶ ଅନୁଭବ କଲେ ।

 

––ଶୋଇ ପଡ଼ ନନ୍ଦା । ରାତି ଅନିଦ୍ରା ହେଲେ ତମର ମୁଣ୍ଡ ବିନ୍ଧିବ ।

 

ଟ୍ରେନ୍ ଦିଲ୍ଲୀଠାରୁ ଅନେକ ଦୂର ଆଗେଇ ଗଲାଣି । ଦିଲ୍ଲୀର ବିରାଟ ବୁକୁରେ ଅପରାହ୍ନ ଘନେଇ ଆସୁଥିବ, ଆକାଶର ରଙ୍ଗ ମଳିନ ଦିଶୁଥିବ… ଓ ସୁଧୀର-ସୁଧୀର କଣ ଏମିତି ଉଦାସୀ ଆଖିରେ ଆକାଶକୁ ଚାହିଁ ରହି ତାକୁ ଝୁରି ହେଉଥିବ ?...ରୁମାଲରେ ଆଖି କୋଣ ପୋଛିଲେ ସୁନନ୍ଦା । ଯେତେ ଚେଷ୍ଟା କଲେ ମଧ୍ୟ ନିଜ ମନକୁ ରୋକି ପାରୁ ନାହାନ୍ତି । ହାତ ବ୍ୟାଗ ଖୋଲି ସେ ସୁଧୀରର ଫଟୋଟିଏ ବାହାର କରି ଦେଖିଲେ । ଛୋଟ ଫଟୋଟିଏ । କାଲି ସଂଧ୍ୟାରେ ସେ ତିନୋଟି ଯାକ ଆଲ୍‌ବମ୍‌ରୁ ଶତାଧିକ ଫଟୋ କାଢ଼ି ଜାଳି ଦେଇଛନ୍ତି । କେତେ ସ୍ଥାନର କେତେ ଫଟୋ । ସୁଧୀର ସହିତ କଟାଇଥିବା ଦିନ ଗୁଡ଼ିକର ଜୀବନ୍ତ ଆଲେଖ୍ୟ । ବିଭିନ୍ନ ଭଙ୍ଗୀରେ, ବିଭିନ୍ନ ସ୍ଥାନରେ ଦୁହେଁ ସେ ଫଟୋଗୁଡ଼ିକ ଉଠାଇଥିଲେ, ଯାହାକୁ ସେ ଅତି ଯତ୍ନରେ ତାରିଖ ଲେଖି ଆଲବମ୍‌ରେ ସଜାଇଥିଲେ ।

 

––ଥାଉ ଥାଉ ନନ୍ଦା, ତାକୁ ନଷ୍ଟକରି ଦିଅ ନାହିଁ । ହାତ ଧରି ପକାଇଥିଲା ସୁଧୀର ।

 

ସୁନନ୍ଦା କିନ୍ତୁ ତାର ଅନୁରୋଧ ରକ୍ଷା କରି ନଥିଲେ । କାରଣ ସୁଧୀରର ଭବିଷ୍ୟତ ନେଇ ସେ ସେତେବେଳେ ସବୁଠାରୁ ବେଶୀ ବ୍ୟଗ୍ର ଥିଲେ । ଫଟୋଟିକୁ ଚାହିଁଲେ ସୁନନ୍ଦା-ସୁଧୀର ହସୁଛି । ସୁନନ୍ଦାଙ୍କର ଅତି ପରିଚିତ ହସ । ଚିର ବାଞ୍ଛିତ ହସ । ହଠାତ୍ ସୁନନ୍ଦା ଚମ୍‌କି ଉଠିଲେ । ପରୀକ୍ଷା ଖାତାରେ ଭୁଲ ଉତ୍ତର ଲେଖି ଆସିଥିବା ଛାତ୍ରୀପରି ସେ ବିବ୍ରତ ହୋଇ ଉଠିଲେ । ଆଲବମ୍‌ର ଫଟୋଗୁଡ଼ିକ ସେ ନଷ୍ଟକରି ଦେଇ ଆସିଛନ୍ତି, ଅଥଚ ତା ତଳେ ଲେଖା ହୋଇଥିବା ତାରିଖ ସବୁ ସେମିତି ରହିଛି । ସେଗୁଡ଼ିକ ମଧ୍ୟ ଫଟୋ ସହିତ ତାଙ୍କର ନଷ୍ଟ କରି ଦେବା ଉଚିତ ଥିଲା…ନିଶ୍ଚଳ ହୋଇ ଅନେକ ସମୟ ଧରି ବସି ରହିଲେ ସୁନନ୍ଦା । ନିଆଁରେ ଜାଳିଦେଇ ଆସିଥିବା ସ୍ମୃତିର ପ୍ରଚଣ୍ଡ ଶିଖାରେ ତାଙ୍କର ଦେହ, ମନ କ୍ରମେ ବିବର୍ଣ୍ଣ ହୋଇ ଆସିଲା । ସତରେ କଣ ସେ ଅତୀତକୁ ଭୁଲି ଯାଇ ପାରିବେ ???

 

(ଚାରି)

 

ସୁନନ୍ଦା ବାସ୍କେଟ ଖୋଲି ତଉଲିଆ ବାହାର କଲେ ଓ ମୁହଁରୁ ଭଲ ଭାବରେ ଧୂଳି ପୋଛି ଦେଲେ । ସୁଧୀର ଚାହୁଁଥିଲା ପ୍ଲେନ୍‌ରେ ଟିକେଟ କରିବା ପାଇଁ । ସେ ବାରଣ କରିଥିଲେ । ଦିଲ୍ଲୀରୁ ଶେଷ ବିଦାୟ ନେଉଛନ୍ତି ସେ । ଆଉ ଦିନେ ଏ ମାଟିକୁ ଫେରିବେ ନାହିଁ । ତେଣୁ ପ୍ରତ୍ୟେକଟି ଗଛ, ରାସ୍ତା, ଷ୍ଟେସନ, ବସ୍ତିକୁ ସେ ତନ୍ନ ତନ୍ନ କରି ଦେଖି ଦେଖି ଯିବେ । ଦିଲ୍ଲୀକୁ ତ୍ୟାଗ କରି ଏଇ କେତେ ଘଣ୍ଟା ଭିତରେ ସେ ଓଡ଼ିଶା ମାଟିରେ ଓହ୍ଲାଇ ପଡ଼ିବା ପାଇଁ ଚାହାନ୍ତି ନାହିଁ-। ହାତରେ ତାଙ୍କର ଅପର୍ଯ୍ୟାପ୍ତ ସମୟ ରହିଛି ।

ବାସ୍କେଟ ଭିତରୁ ଚିକେନ୍ ସାଣ୍ଡଉଇଚ୍‌ର ବାସ୍ନା ଆସୁଛି । ରାସ୍ତାରେ ଖାଇବେ ବୋଲି ସୁଧୀର କିଣି ଦେଇଥିଲା । ସେ ଖାଇବା ପାଇଁ ଭୁଲି ଯାଇଛନ୍ତି । ସାଣ୍ଡଉଇଚର ବ୍ରେଡ଼୍ ହୁଏତ ଶୁଖି ଆସିଥିବ, କିନ୍ତୁ ଚିକେନର ବାସ୍ନା ତଟକା ରହିଛି । …ସେ ଦିନ ମଧ୍ୟ ସୁଧୀର ଚିକେନ୍ ସାଣ୍ଡଉଇଚ ସଙ୍ଗରେ ନେଇଥିଲା ।

ସୁଧୀର ଅନେକଥର ପୂର୍ବରୁ କିଛି ଆଭାସ ନଦେଇ, ସିନେମା ଟିକେଟ କିଣି ଆଣି ସେମାନଙ୍କୁ ପ୍ରସ୍ତୁତ ହେବା ପାଇଁ ତର ତର କରେ, ବିଭୂତିବାବୁ ଯାଇ ପାରିବେ ନାହିଁ ବୋଲି କହିଲେ ସେ କହେ, ‘‘ସେଇଥିପାଇଁ ତ ଆଗରୁ ଟିକେଟ ନେଇ ଆସିଛି ।’’

ଛୁଟି ଦିନରେ ଥରେ ଥରେ ଏଗାରଟାରେ ଆସି କହିବ, “ଚାଲ ପିକ୍‌ନିକ୍‌ରେ ଯିବା ।” ପିକ୍‌ନିକ୍‌ ବାସ୍କେଟ୍‌ଟା ସୁନନ୍ଦାଙ୍କ ହାତକୁ ବଢ଼ାଇ ଦେଇ କହିବ–“ଦେଖ ଭାବି, ଏଥିରେ ତମର ପ୍ରିୟ ଖାଇବା ସବୁ ଭର୍ତ୍ତିକରି ଆଣିଛି । ଆଉ କିଛି ଦରକାର ଯଦି, ତମେ ରଖିଦେବ ।”

ସୁନନ୍ଦା ରାନ୍ଧିସାରିଛନ୍ତି ବୋଲି କହିଲେ ଚିଡ଼ାଇବ–“ବ୍ୟବହାର କରିବନି ଯଦି, ଏତେବଡ଼ ଫ୍ରିଜ୍‌ଟା କିଣିଲ କାହିଁକି ଭାବି–ବିକିଦିଅ ।”

ସୁଧୀରର ଏହି ଆକସ୍ମିକ ଆମନ୍ତ୍ରଣ ସୁନନ୍ଦାଙ୍କୁ ଅନେକଥର ବହୁତ ଅସୁବିଧାରେ ପକାଇଛି, କିନ୍ତୁ କୌଣସି ଦିନ ସେ ସେଥିପାଇଁ ବିରକ୍ତ ହୋଇ ନାହାନ୍ତି, ବରଂ ସେ ତାହାକୁ ପସନ୍ଦ କରୁଥିଲେ, ପୂର୍ଣ୍ଣ–ପ୍ରାଣରେ ଉପଭୋଗ କରୁଥିଲେ । ଏପରି ଆକସ୍ମିକତାରେ ଯେଉଁ ମାଧୁର୍ଯ୍ୟ ଅଛି-। ତାହା ଆଗରୁ ଠିକ୍ କରିଥିଲେ ମିଳନ୍ତା ନାହିଁ ବୋଲି ତାଙ୍କର ମନେ ହେଉଥିଲା ।

ତାରିଖ ମନେ ପଡ଼େ ନାହିଁ ସୁନନ୍ଦାଙ୍କର, ମାସ ଥିଲା ଅକ୍ଟୋବର । କୁତବମୀନାର ନିକଟରେ ପିକନିକ୍ କରିଥିଲେ ସେମାନେ । ସୁଧୀର ହିଁ ପ୍ରସ୍ତାବ ଦେଇଥିଲା । ବିଭୂତିବାବୁଙ୍କ ବାରଣ ନମାନି ତାଙ୍କୁ ମିନତି କରିଥିଲା––ମୁଁ ସବୁ ଜିନିଷ କିଣି ସାରିଛି । ଚିକେନ ସାଣ୍ଡ-ଉଇଚ, ଆଇସକ୍ରିମ୍, ଫ୍ରୁଟ୍‌ସ୍, ପାସଟ୍ରିକ…

––ଭାବି, ମୀନାରର ଶୀର୍ଷକୁ କେବେ ଯାଇଛ ?

ମୀନାରର ଶୀର୍ଷକୁ କେବେ ଯାଇ ନଥିଲେ ସୁନନ୍ଦା, କାରଣ ଦିଲ୍ଲୀ ଆସିବାର ଆଠମାସ ଭିତରେ ସେ ଥରେ ମାତ୍ର ସେଠାକୁ ଆସିଥିଲେ, ଯେଉଁଦିନ କାରଧରି ବିଭୂତିବାବୁ ତାଙ୍କୁ ଦିଲ୍ଲୀ ନଗରୀ ବୁଲାଇ ଦେଖାଇ ଥିଲେ–ଯୁମା ମସ୍‌ଜିଦ, ଲାଲକିଲ୍ଲା, ପାର୍ଲିଆମେଣ୍ଟ ହାଉସ୍… । ବାଦସାହୀ ବିଳାସର ନିଦର୍ଶନ ଦେଖ ନନ୍ଦା–ଲାଲକିଲ୍ଲା । ହୀରା, ନୀଳା, ମୋତି ମାଣିକ୍ୟରେ ସଜା ଯାଇଥିଲା ଶାହାଜାହାନଙ୍କ ପ୍ରାସାଦ । ସେତେବେଳେ ସେ କଣ ଜାଣିଥିଲେ, ତାଙ୍କ ଶେଷ ପରିଣତି ଏଇଆ ହେବ ! ତାଙ୍କୁ କାରାଗାର ଭିତରେ ଦୀର୍ଘ ସାତବର୍ଷ ଧରି ସଢ଼ିବାକୁ ପଡ଼ିବ–ପୁଣି କିଏ ତାଙ୍କୁ ବନ୍ଦୀ କରିବ ? ନିଜ ରକ୍ତର ପୁଅ, ଆଉରଙ୍ଗଜେବ ! ...ଏଇ ଦେଖ, ଦିୱାନ-ଇ-ଖାସ, ଦିୱାନ-ଇ-ଆମ, ରାଣୀ ହଂସପୁର, ସ୍ନାନା-ଗାର... ବିଳାସର ଚରମ, ବ୍ୟଭିଚାରର ଚରମ । ମୋଗଲ୍ ବାଦଶାହାମାନେ କେତେ ଦୂର କଳାପ୍ରିୟ ଥିଲେ, ତା ବିଷୟରେ ମୁଁ କେବେ ଭାବି ନାହିଁ ନନ୍ଦା, କିନ୍ତୁ ଚାବୁକ୍ ମାଡ଼ ଖାଇ ଯେ ଶିଳ୍ପୀ ଏତେ ସୁନ୍ଦର କଳା ଫୁଟାଇ ପାରୁଥିଲା, ତା ଵିଶ୍ଵାସ ହୁଏ ନାହିଁ । କଳା କାହା ଆଙ୍ଗୁଳି ନିର୍ଦ୍ଦେଶରେ ପ୍ରକାଶ ପାଏ ନାହିଁ, ତାହା ସ୍ପଣ୍ଟାନିୟସ୍–ସ୍ୱତଃ-ପ୍ରବୃତ୍ତ । ଶିଳ୍ପୀର ମାନସ କନ୍ୟା । କୋଣାର୍କକୁ ଦେଖିଲେ ମୁଁ ଆଶ୍ଚର୍ଯ୍ୟ ହୁଏ–ଅପନ୍ତରା ବାଲି ଭରରେ ଓଡ଼ିଆ କାରିଗର କି ପ୍ରେରଣା ପାଇ ଏପରି ଭାସ୍କର୍ଯ୍ୟ ଫୁଟାଇ ପାରିଲା । ଆଶ୍ଚର୍ଯ୍ୟ !

…ଏଇ ଚାଦିନୀଚୌକରେ ଦିନେ ତେଗ୍‌ବାହାଦୁରଙ୍କର ଶିରଚ୍ଛେଦ ହୋଇଥିଲା...ଏଇ ରାସ୍ତାରେ ଦାରାସିକୋଙ୍କୁ ଆଉରଙ୍ଗଜେବ ବନ୍ଦୀ କରି ଚଲାଇ ଚଲାଇ ନେଇ ତା ପରେ ହତ୍ୟା କରିଥିଲେ…ଆଉ ଏ ହେଉଛି ପାର୍ଲିଆମେଣ୍ଟ ହାଉସ–ବ୍ରିଟିଶ ରାଜତ୍ଵକୁ ମନେ ପକାଇବାର ଅନେକ ନିଦର୍ଶନ ମଧ୍ୟରୁ ଗୋଟିଏ ।

ସେମାନେ ସେଦିନ ମୀନାରର ଉପରକୁ ଚଢ଼ିଥିଲେ । କିନ୍ତୁ ତୃତୀୟ ବାଲ୍‌କୋନିରେ ପହଞ୍ଚି ବିଭୂତିବାବୁ କହିଥିଲେ–‘‘ବାବୁନ୍‌ର ଟିକିପାଦ ଦୁଇଟା ଥକି ପଡ଼ିଲାଣି, ଏଥର ତଳକୁ ଫେରିବା ।” ସୁନନ୍ଦା କିନ୍ତୁ ବାବୁନ୍‌ର ପାଦ ନୁହେଁ, ସ୍ଥୂଳକାୟ ବିଭୂତିବାବୁଙ୍କ ଘର୍ମାକ୍ତ ଶରୀର ଓ ଛାତିର ଉତ୍‌ଥାନ-ପତନ ଦେଖି ତଳମୁହାଁ ହୋଇଥିଲେ ।

ସୁନନ୍ଦା ଓ ସୁଧୀର ମୀନାରର ଉପରକୁ ଉଠିଥିଲେ । ବିଭୂତିବାବୁ ପ୍ରସ୍ତାବ ଦେଇଥିଲେ, ‘‘ମୁଁ ବାବୁନ୍‌କୁ ତଳେ ରଖୁଛି, ତମେ ତମ ଭାବିଙ୍କୁ ନେଇ ଉପରକୁ ଯାଅ ସୁଧୀର । ତାଙ୍କର ମୀନାରର ଶୀର୍ଷକୁ ଯିବା ପାଇଁ ବହୁତ ଇଚ୍ଛା ।”

 

ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଥିଲେ ସୁନନ୍ଦା । ତଳକୁ ଚାହିଁ ଦେଖିଥିଲେ–ବାବୁନ୍ ଟିକିଟିକି ଚଢ଼େଇମାନଙ୍କୁ ପାଉଁରୁଟି ଛିଡ଼ାଇ ପକାଉଛି ଓ ନିକଟରେ ଠିଆ ହୋଇ ବିଭୂତିବାବୁ ସିଗାରେଟ୍ ଟାଣୁଛନ୍ତି । କ୍ରମେ ବାବୁନ୍ ସେହି ଚଢ଼େଇମାନଙ୍କ ପରି ଓ ବଭୂତିବାବୁ ବାବୁନ୍ ପରି ଦେଖା ଯାଇଥିଲେ । ଅବଶେଷରେ ସୁନନ୍ଦାଙ୍କ ଆଖିରୁ ସେମାନେ ସମସ୍ତେ ଅଦୃଶ୍ୟ ହୋଇ ଯାଇଥିଲେ । ନିକଟରେ ଥିଲା କେବଳ ସୁଧୀର–ଅତି ନିକଟରେ ।

 

ମୀନାରର ଶୀର୍ଷ ଭାଗରେ ପହଞ୍ଚି କ୍ଳାନ୍ତିରେ ଆଖି ବୁଜିଥିଲେ ସୁନନ୍ଦା, ବ୍ୟାଗ୍‌ରୁ ରୁମାଲ କାଢ଼ି ମୁହଁ ପୋଛିଲେ । ଅନେକ ଉପରକୁ ଯାଇ ଦିଲ୍ଲୀ ସହରକୁ ଭିନ୍ନ ରୂପରେ ଦେଖିବାର ପିପାସାକୁ ସେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ଅସୀମ କ୍ଳାନ୍ତିରେ ସମସ୍ତ ଦେହ ଅବଶ ହୋଇ ଆସୁଥିଲା ।

 

––ଆପ୍ ‘ତୋ ବିଲ କୁଲ ଟାୟାର୍ଡ଼ ହୋ ଗୟେ ହୈଁ । ସୁଧୀର ସୁନନ୍ଦାଙ୍କ କ୍ଳାନ୍ତ ମୁଖମଣ୍ଡଳକୁ ଚାହିଁ ପ୍ରସ୍ତାବ ଦେଲା–ତମେ ଏଠି ଟିକେ ବିଶ୍ରାମ କର, ତାପରେ ତଳକୁ ଯିବା ।

 

––ଏପରି ପଥର କାମ ସବୁ ଦେଖିଲେ ମୋର କଣ ମନେହୁଏ ଭାବି ? ମନେହୁଏ ସେମାନଙ୍କ ଆଖିରୁ ଲୁହ ଝରୁଛି । ଯେଉଁ ଲୋକମାନେ ପିଠିରେ ଚାବୁକ ମାଡ଼ ଖାଇ ଖାଇ ଏସବୁ ତିଆରି କରିଛନ୍ତି, ତାକୁ ଆମେ ବିହ୍ଵଳ ଦୃଷ୍ଟିରେ ଦେଖି ରାଜା, ସମ୍ରାଟମାନଙ୍କୁ ପ୍ରଶଂସା କରୁ, କିନ୍ତୁ ବିଚାରୀ କାରିଗରକୁ, ପଥର ବୁହାଳୀମାନଙ୍କୁ କେହି ମନେ ପକାଏ ନାହିଁ । ରୋମର କଲୋସିୟମ କୁହ ବା ଇଜିପ୍‌ଟରେ ପିରାମିଡ଼୍ କୁହ, ସମସ୍ତଙ୍କ ପଛରେ ଏକା ଇତିହାସ–ଲୁହ ଲହୁର ଇତିହାସ । ଯେଉଁମାନଙ୍କର ରକ୍ତ ନିଗଡ଼ା ଶ୍ରମରେ ସେ ତିଆରି, ସେମାନେ ପଥର ଭିତରେ ଲୁଚି ଯାଇଛନ୍ତି । ଯାହା ହାତରେ ଅର୍ଥ ଥିଲା, ଚାବୁକ ଥିଲା, ଆମେ ତାକୁଇ ପ୍ରଶଂସା ଢାଳୁଛୁ । ମତେ ଲାଗୁଛି ତମେ ମଧ୍ୟ ଠିକ୍ ଏମିତ ଭାବୁଥିବ, ନୁହେଁ ?

 

ସୁନନ୍ଦା କଣ ସୁଧୀରର କଥା ଶୁଣୁଥିଲେ ଯେ, ସଙ୍ଗେ ସଙ୍ଗେ କିଛି ଗୋଟାଏ ଉତ୍ତର ଦେବେ ? ସେ ସୁଧୀରକୁ ଏକ ନୂଆ ରୂପରେ ଦେଖୁଥିଲେ, ତାର ଅନ୍ତରର କୋମଳତାକୁ ସ୍ପର୍ଶ କରିବା ପାଇଁ ଚେଷ୍ଟା କରୁଥିଲେ ।

 

––ଆମେ କିନ୍ତୁ ସନ୍ଧ୍ୟାପରେ ଏଠି ରହିଲେ ଅମୃତା କାଉରର ଭୂତ ଦେଖିବା । ତମେ ରହିବ ଭାବି–ଡରିବନିତ ?

 

––ଅମୃତା କାଉର ?

 

––ଅମୃତା କାଉର କଥା ଶୁଣିନ ? ବିଚରା କଲେଜରେ ଜଣେ ସହପାଠୀକୁ ବାହାହେବ ବୋଲି ଜିଦ୍ ଧରିଲା–ସେ ମୁସଲମାନ । ଅମୃତା ଘରେ ଭୀଷଣ ଆପତ୍ତି କଲେ । ତା ଭାଇମାନେ ତାକୁ ଖୁବ୍ ପିଟିଲେ । ଝିଅଟା ଏତେ ବୋକି, କିଛି ବାଟ ନ ପାଇ ଶେଷକୁ ଦିନେ ଏଠାରୁ ତଳକୁ ଡେଇଁ ଆତ୍ମହତ୍ୟା କଲା । ଏଠି କୁଆଡ଼େ ତାର ଆତ୍ମା ଘୁରି ବୁଲୁଛି । ଅନେକ ଲୋକ ତା କାନ୍ଦ ଶୁଣିଛନ୍ତି, ତା ଭୂତ ଦେଖିଛନ୍ତି । –ତମେ ଭୂତ ବିଶ୍ଵାସ କର ?

 

ସୁଧୀର କଥା ଶୁଣି ମଧ୍ୟ ତାର ଉତ୍ତର ଦେଇ ପାରିଲେ ନାହିଁ ସୁନନ୍ଦା । ଅମୃତା କାଉର ଲାଗି ମନଟା ତାଙ୍କର ବିକଳ ହୋଇ ଉଠୁଥିଲା । ଆଉ କଣ କଛି ବାଟ ନଥିଲା ତାପାଇଁ ? –ଭଲ ପାଇ ମଣିଷ କେବେ କେବେ ବିଫଳ ହୁଏ, ପୁଣି ସେଥିପାଇଁ ଆତ୍ମହତ୍ୟା କରେ–ଏସବୁ ବିଷୟରେ ତ ସେ କେବେ ଥରେ ମଧ୍ୟ ଚିନ୍ତା କରି ନାହାନ୍ତି ?

 

ସୁନନ୍ଦାଙ୍କୁ ଅନ୍ୟମନସ୍କ ହେବା ଦେଖି ସୁଧୀର ଆମୋଦିତ ହେଲା । ତାଙ୍କ ନିକଟରୁ ସାମାନ୍ୟ ଦୂରକୁ ଘୁଞ୍ଚି ଯାଇ କହିଲା–ମୁଁ ଯଦି ସେମିତି ଏଠୁ ଡେଇଁ ପଡ଼ିବି, ତମେ କଣ କରିବ ଭାବି-?

 

––ନାଁ । –ନାଁ । ଆତଙ୍କରେ ଶିହରୀ ଉଠି ସୁଧୀରକୁ ଜଡ଼ାଇ ଧରିଥିଲେ ସୁନନ୍ଦା । ଛଳ ଛଳ ଆଖିରେ ଆକାଶକୁ ଚାହିଁ ବିକଳ ହୋଇ କହିଥିଲେ, ସେ କଥା କୁହନା ସୁଧୀର, ସେ କଥା ପାଟିରେ ବି ଧରନା ।

 

––ନନ୍ଦା....

 

ପୃଷ୍ଠ ଦେଶରେ ସୁଧୀରର କୋମଳ ମଧୁର ସ୍ପର୍ଶ ।

 

ମୁହୂର୍ତ୍ତକ ପରେ ସୁଧୀରକୁ ମୁକ୍ତକରି ତା ନିକଟରୁ ଘୁଞ୍ଚି ଆସିଥିଲେ ସୁନନ୍ଦା, କିନ୍ତୁ ଆଉ କିଛି ସେ ଶୁଣିପାରୁ ନଥିଲେ, କିଛି ଅନୁଭବ କରି ପାରୁ ନ ଥିଲେ, କାରଣ ସେ ସେତେବେଳେ ମୀନାରର ଅନେକ ଉପରେ ଧଳା ବାଦଲ ଖଣ୍ଡ ହୋଇ ଉଡ଼ି ବୁଲୁଥିଲେ ।

 

ସନ୍ଧ୍ୟାପରେ ସେମାନେ ଘରକୁ ଫେରି ଆସିଥିଲେ । କିନ୍ତୁ ଅମୃତା କାଉରର ପ୍ରେତ ସୁନନ୍ଦାଙ୍କ ସହିତ ଘରଯାଏଁ ଧାଇଁ ଆସିଥିଲା । ସୁନନ୍ଦା ଯେପରି ହଠାତ୍ ଏକ ଅନ୍ୟ ମଣିଷ ପାଲଟି ଗଲେ । ଦିନକୁ ଦିନ ସେ ବେଶି ଚିନ୍ତା କଲେ, ଚପଳତା ହରାଇ ଧୀରେ ଧୀରେ ଗମ୍ଭୀର ହୋଇ ଉଠିଲେ । ସୁଧୀରର ତାଙ୍କ ଘରକୁ ଯିବାଆସିବା ଅବ୍ୟାହତ ରହିଥିଲା, କିନ୍ତୁ ସେ ଆଉ ଆଗପରି ସୁଧୀର ସହିତ ଗପକରି ପାରିଲେ ନାହିଁ ।

 

ବିଭୂତିବାବୁ ଓ ସୁଧୀର ଗପ କରୁଥିବା ସମୟରେ ସୁନନ୍ଦା ସେମାନଙ୍କ ସହିତ ବେଶୀ ସମୟ ଯୋଗ ଦେଇ ପାରନ୍ତି ନାହିଁ । କାମର ଆଳରେ ଉଠିଆସି ବାଲ୍‌କୋନି କିମ୍ବା ଝରକା ପାଖରେ ଚୁପଚାପ ଠିଆହୋଇ ରହନ୍ତି । ଅନେକ ସମୟ ଧରି ଆକାଶକୁ ଚାହିଁ ରହନ୍ତି । ଆକାଶରେ ଜହ୍ନ ଫିକା ପଡ଼େ । ଧୀରେ ଧୀରେ ତାହା ଏକ ଶବର ମୁହଁ ପରି ଶେତା ନିର୍ଜୀବ ଦେଖାଯାଏ । ସୁନନ୍ଦା ଆଉ ସେ ଆଡ଼େ ଚାହିଁ ପାରନ୍ତି ନାହିଁ । ଅଜଣା ଭୟରେ ଶିହରୀ ଉଠି ଆଖି ବନ୍ଦ କରନ୍ତି । ଆଖି ଖୋଲିଲା ପରେ ଅମୃତା କାଉର ମନେ ପଡ଼େ । କଳ୍ପନାରେ ଏକ ସୁନ୍ଦରୀ ଝିଅ ତାଙ୍କ ଆଗରେ ଆସି ଠିଆ ହୁଏ । ସେ ମନେ ମନେ ଭାବନ୍ତି ସୁଧୀର କଥା ସତ । ଅମୃତା କାଉରଟା ବୋକି ଝିଅ । ଏଡ଼େ ଛୋଟ ଜୀବନଟାକୁ ନଷ୍ଟ କରିଦେବା ପାଇଁ ବିଶାଳ ମୀନାର ଉପରକୁ ଯିବା ଦରକାର ନାହିଁ । ସେ ଚାହିଁଲେ ଏଇ ବାଲ୍‌କୋନି ଉପରୁ…ଚମକି ଉଠନ୍ତି ସୁନନ୍ଦା । ତରତର କରି ବାଲ୍‌କୋନିରୁ ଚାଲିଆସି କୋଲାପସେବ୍ଲ ଗେଟ୍‌ଟାକୁ ଜୋରରେ ବନ୍ଦକରି ଦିଅନ୍ତି । ବିଭୂତିବାବୁ ଡ୍ରଇଂରୁମରୁ ପାଟିକରି ପଚାରନ୍ତି, କଣ ହେଲା–ବାବୁନ୍ ପଡ଼ିଗଲା କି ? ସୁଧୀର ଉଠି ଆସେ । ସୁନନ୍ଦା ନିଜର ଥର ଥର ଦେହଟାକୁ ନେଇ ବିଛଣାରେ ଲେଟାଇ ଦିଅନ୍ତି । ସୁଧୀର ତାଙ୍କ ପଛେ ପଛେ ଘର ଭିତରକୁ ଯାଏ । ବିବ୍ରତ ଅଥଚ ଧୀର ସ୍ଵରରେ ଡାକେ-‘ନନ୍ଦା’ !

 

ସୁନନ୍ଦା ଉତ୍ତର ଦିଅନ୍ତି ନାହିଁ । ତକିଆରେ ମୁହଁ ମାଡ଼ି ଶୋଇ ରହନ୍ତି । କିଛି ସମୟ ପରେ ଡ୍ରଇଂରୁମରୁ ବିଭୂତିବାବୁଙ୍କ ଗଳା ଶୁଣନ୍ତି ।

 

––ନନ୍ଦାର କଣ ହୋଇଛି ମୁଁ ବୁଝିପାରୁ ନାହିଁ । ବହୁତ ଚୁପ୍‍ଚାପ ରହୁଛି । ମୁଁ ଭାବୁଛି, ଗୁଡ଼ାଏ ଦିନ ଘରଛାଡ଼ି ରହିଲାଣି । ଆଉ ମାସକୁ ତାକୁ କଟକ ପଠାଇ ଦେବି । କିଛି ଦିନ ବୁଲି ଆସୁ । ତମର ମତ କଣ ସୁଧୀର ?

 

––ଭାବନ୍ତି ତା ହେଲେ ସେ ନନ୍ଦା କଥା ? ଭାବିଲେ ସୁନନ୍ଦା । ଦିନେ ତ ପଚାରନ୍ତି ନାହିଁ, ନନ୍ଦା–ତମର କଣ ହୋଇଛି । ଦେହ ଭଲ ନାହିଁ ? ମନ ଖରପ ଲାଗୁଛି ? ଘରକଥା ମନେ ପଡ଼ୁଛି ? ...ନିଜ ଅଫିସ ଓ ବହିପତ୍ର ଭିତରେ ବୁଡ଼ିରହି ସେ ସୁନନ୍ଦାଙ୍କ ସହିତ କଥାହେବା ପାଇଁ ମଧ୍ୟ ସମୟ ପାଆନ୍ତି ନାହିଁ । ଦୁନିଆରେ କେବଳ ଜଣେ ଲୋକ ସହିତ ଘଣ୍ଟା ଘଣ୍ଟା ଧରି ସେ ଗପି ପାରନ୍ତି, ସେ ସୁଧୀର ।

 

(ପାଞ୍ଚ)

 

ଦୀର୍ଘ ତିନିଦନ ଧରି ଟ୍ରେନ ଯାତ୍ରାରେ ବାବୁନ ବିରକ୍ତ ହୋଇ ଉଠିଥିଲା, ଅଥଚ ସୁନନ୍ଦା ତାହାକୁ ଆପ୍ରାଣ ଉପଭୋଗ କରୁଥିଲେ । ଏକ ନୂଆ ଜିନିଷର ସନ୍ଧାନରେ ଯାଉଥିବା ଯାତ୍ରୀର ଆଗ୍ରହ ନେଇ ସେ ଟ୍ରେନରେ ବସିଥିଲେ ଓ ଟ୍ରେନରୁ ଓହ୍ଲାଇଲା ପରେ ମଧ୍ୟ ତାଙ୍କର ସେ ଆଗ୍ରହ ଆକ୍ଷୁର୍ଣ୍ଣ ରହିଥିଲା ।

 

ଦୀର୍ଘ ଦୁଇବର୍ଷ ପରେ ପୁଣି ଭାଇ-ଭାଉଜଙ୍କ ସଙ୍ଗେ ଦେଖା । ହସ ଖୁସି, ଗପସପ ଭିତରେ ସୁନନ୍ଦା ଦିନ ଚାରିଟାକୁ ଚାରିଘଣ୍ଟା ସମୟ ଭାବରେ ଅତିବାହିତ କରିଥିଲେ । କଟକ ଫେରି ଆସି ସେ ଯେପରି ପୁଣି ଥରେ ନିଜ ପିଲାଦିନକୁ ଫେରି ପାଇଥିଲେ । ଭାଉଜଙ୍କ ପିଠିରେ ଲଦି ହୋଇ ଗେହ୍ଲେଇ କରି କହିଥିଲେ, ‘‘ଭାଉଜ–ମତେ ଲାଗୁଛି ବାବୁନି ମୋ ପୁଅ ନୁହେଁ, ପୁତୁରା ।’’

 

ସେ ଦିନ ଓଦା ବାଳକୁ ଶୁଖାଇବା ପାଇଁ ସୁନନ୍ଦା ଉପର ମହଲାରେ ପଦଚାରଣ କରୁଥିଲେ । ବାଲ୍‌କୋନି ସାରା କଅଁଳିଆଁ ଖରା ବିଛାଇ ହୋଇ ପଡ଼ିଛି । କାଠଯୋଡ଼ିର ପବନ ଥଣ୍ଡା ଥଣ୍ଡା ଲାଗୁଛି । ସୁନନ୍ଦା ଅନ୍ୟମନସ୍କ ହୋଇ ଉଠିଲେ । ମନ ଭିତର ଘାଣ୍ଟି ହୋଇଗଲା । ତାଙ୍କୁ ଲାଗିଲା, କୌଣସି ଏକ ଦାମୀ ଜିନିଷଟିଏ ସେ ହଜାଇ ଦେଇ ଆସିଛନ୍ତି ଓ ମିଳିବାର ଆଶା ନାହିଁ ବୋଲି ତାକୁ ଅନେକ ଦିନୁ ମନ ଭିତରୁ ଚେଷ୍ଟାକରି ତଡ଼ି ଦେଇଛନ୍ତି ।

 

ବାଲ୍‌କୋନିରେ ବୁଲିବା ପାଇଁ ଆଉ ଭଲ ଲାଗିଲା ନାହିଁ ସୁନନ୍ଦାଙ୍କୁ । ଧୀର ପଦରେ ସେ ବୋଉଙ୍କ ଘରେ ପ୍ରବେଶ କଲେ । ବୋଉ ଆଉ ନାହାନ୍ତି–ସେ ଘର ଆଉ ବୋଉଙ୍କର ହୋଇ ନାହିଁ । ତାଙ୍କର ସମସ୍ତ ଆସବାବ ପତ୍ର ବ୍ୟବହାର୍ଯ୍ୟ ଜିନିଷ ସେଠାରୁ ଉଠି ଯାଇଥିଲେ ମଧ୍ୟ କାନ୍ଥରେ ଟଙ୍ଗା ହୋଇଥିବା ବିରାଟ ଫଟୋଟି ସେହିପରି ଯଥା ସ୍ଥାନରେ ରହିଛି ଓ ତା ନିକଟରେ ଟଙ୍ଗା ହୋଇଛି ସୁନନ୍ଦାଙ୍କ ଶାଶୁଙ୍କ ଫଟୋ ।

 

ଦୁଇଜଣ ଘନିଷ୍ଠ ବନ୍ଧୁ ଥିଲେ । ବୋଉ ଆଗ ଚାଲିଗଲେ ଓ ତା’ ପରେ ପରେ ଶାଶୁ । ସେତେବେଳେ ଭାଇ ସୁନନ୍ଦାଙ୍କ ନିକଟରୁ ଫଟୋଟିଏ ଆଣି ତାହାକୁ ବୋଉଙ୍କ ଫଟୋ ନିକଟରେ ଟାଙ୍ଗି ଛଳ ଛଳ ଆଖିରେ‌ କହିଥିଲେ–‘ଦୁହେଁ ପ୍ରକୃତରେ ବହୁତ ସାଙ୍ଗ ଥିଲେ । ସେଥିପାଇଁ ଜଣେ ଅନ୍ୟ ଜଣଙ୍କୁ ଛାଡ଼ି ବେଶୀଦିନ ରହିପାରିଲେ ନାହିଁ ।’

 

ସୁନନ୍ଦା ଫଟୋ ନିକଟରେ ଯାଇ ଠିଆ ହେଲେ । ଦୁଇଟି ଫଟୋକୁ ନିରେଖି ଦେଖିଲେ । ବୋଉ ଓ ଶାଶୁ ଦୁହେଁ ଅଳ୍ପ ବୟସରେ ସ୍ଵାମୀ ହରାଇଥିଲେ । ସ୍କୁଲ କଲେଜରେ ପଢ଼ୁଥିବା ପିଲା ନେଇ ଏକୁଟିଆ ସଂସାର ଚଳାଇବା ପାଇଁ ସେମାନଙ୍କୁ ସେତେବେଳେ କେତେ କଷ୍ଟ ହୋଇଥିବ–କେତେ ଅସହାୟ ଲାଗି ନଥିବ ! ଭାବିଲେ ସୁନନ୍ଦା ଓ ହଠାତ୍ ନିଜକୁ ମଧ୍ୟ ସେ ଖୁବ୍ ଅସହାୟ ବୋଧ କଲେ ।

 

ବୋଉ କମ୍ବା ଶାଶୁ ଜୀବିତ ଥିଲେ କହିଥାନ୍ତେ ‘‘ନନ୍ଦା ! ଏଇଟା କର, ସେଇଟା କରନା । ଏଇଟା ଠିକ୍, ସେଇଟା ଭୁଲ ।” ନିଜର ଅଭିଜ୍ଞତା ନେଇ ସେମାନେ ସୁନନ୍ଦାଙ୍କ ଜୀବନକୁ ମଧ୍ୟ ନିୟନ୍ତ୍ରିତ କରିଥାଆନ୍ତେ । ତା’ ହେଲେ ସୁନନ୍ଦା ହୁଏତ ନିଜ ମନକୁ ବଲ୍‌ଗା ହରିଣୀ ପରି ୟାଡେ ସାଡ଼େ ଧାଇଁବା ପାଇଁ ଛାଡ଼ି ଦେଇ ନ ଥାନ୍ତେ, କିମ୍ବା ଛାଡ଼ିବା ପୂର୍ବରୁ ସେମାନେ ଟାଣି ଧରି ଥାଆନ୍ତେ ।

 

ଚଟାଣ ଉପରେ ଲଥ୍ କରି ବସି ପଡ଼ିଲେ ସୁନନ୍ଦା । ତାଙ୍କର ଇଚ୍ଛା ହେଲା, ସେ ଖୁବ୍ ଜୋରରେ କାନ୍ଦିବେ । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖି ଗଲେ ମନର ବୋଝ ହାଲ୍‌‌କା ଲାଗିବ । କିନ୍ତୁ କାନ୍ଦିବା ପୂର୍ବରୁ ଅନେକ ଦୂରରେ କୋଠା ଉପରେ ଝିଅଟିଏ ବୁଲୁଥିବାର ଦେଖିଲେ । …ତିନି ତାଲାର ପାରାପେଟ୍ ବିହୀନ ଛାତ ଉପରେ ଝିଅଟି କାହିଁକି ବୁଲୁଛି ? ସେ କଣ ଆତ୍ମହତ୍ୟା କରିବ-? ଝରକା ନିକଟରୁ ଝୁଙ୍କି ଦେଖିଲେ ସୁନନ୍ଦା । ସେ ପଞ୍ଜାବୀ ଝିଅଟିଏ କି ? ଅମୃତା କାଉର-??

 

ସୁଧୀର-ସୁଧୀର କଇଁ କଇଁ ହୋଇ କାନ୍ଦି ଉଠିଲେ ସୁନନ୍ଦା । ଅମୃତା କାଉରର ଭୂତ ତାଙ୍କୁ ତା’ହେଲେ କଟକ ପର୍ଯ୍ୟନ୍ତ ଗୋଡ଼ାଇ ଆସିଛି । ପ୍ରତି ମୁହୂର୍ତ୍ତରେ ସେ ତାଙ୍କୁ ହାତ ଠାରି ଡାକୁଛି । ଫେରି ଚାହିଁଲେ କହୁଛି, ଡରନି । ଡେଇଁ ପଡ଼ । ଆଗ ପଛ ଦେଖନି, ଡେଇଁ ପଡ଼ । ସତକୁ ସତ ଆଉ ସେ ସହି ପାରିବେ ନାହିଁ–ଦିନେ ଡେଇଁ ପଡ଼ିବେ ।

 

ପିଠିରେ ମୃଦୁ ସ୍ପର୍ଶ ।

 

––ମୁଝେ ଛୋଡ଼୍ ଦୋ ସୁଧୀର–ମୁଝେ ଅକେଲେ ରହେନେ ଦୋ ।

 

––ନନ୍ଦା !!

 

ପଛକୁ ଫେରି ଚାହିଁଲେ ସୁନନ୍ଦା । ଭାଉଜ ପଚାରୁଛନ୍ତି, “ସୁଧୀର କିଏ ନନ୍ଦା ?”

 

ଦିଲ୍ଲୀ ଫେରିବା ପାଇଁ ଅସ୍ଥିର ହୋଇ ଉଠିଲେ ସୁନନ୍ଦା । ଯେଉଁ ଜିନିଷକୁ ଭୁଲିବା ପାଇଁ ସେ ଏତେ ଦୂର ଧାଇଁ ଆସିଥିଲେ । ତାହା ଦିନକୁ ଦିନ ବିରାଟ ଆକାର ଧାରଣ କରି ତାଙ୍କର ସମସ୍ତ ସତ୍ତାକୁ ଆୟତ୍ତ କରିବା ପାଇଁ ବସିବ, ଏକଥା ସେ କଳ୍ପନା କରି ନଥିଲେ । ତେଣୁ ଭାଉଜଙ୍କ ଅନୁରୋଧ ରକ୍ଷା ନକରି ସେ କହିଥିଲେ, ‘‘ମୁଁ ଏକା ଚାଲିଯାଇ ପାରିବି ଭାଉଜ, ତମେ ଖାଲି ଭାଇଙ୍କୁ କୁହ, ଦିଲ୍ଲୀକୁ ଟେଲିଗ୍ରାମଟାଏ କରିଦେବେ ।”

 

ଭାଉଜ ହସିଥିଲେ । ସେ ହସ ଦେଖି ସୁନନ୍ଦା ଶିହରୀ ଉଠିଥିଲେ । ଭାଉଜ ହୁଏତ ପୁଣି ଥରେ ପଚାରିବେ–“ସୁଧୀର କିଏ ନନ୍ଦା ? କିନ୍ତୁ ସେ କିଛି ପ୍ରଶ୍ନ ନକରି କେବଳ କହିଥିଲେ ‘‘ହଉ’’ ।

 

ଦିଲ୍ଲୀରେ ପହଞ୍ଚି ସୁନନ୍ଦା ଚାରିଆଡ଼େ ତନ୍ନ ତନ୍ନ କରି ଖୋଜି ବସିଲେ, କିନ୍ତୁ ନାଁ–ବିଭୂତିବାବୁ ତାଙ୍କୁ ନେବା ପାଇଁ ଷ୍ଟେସନ ଆସି ନାହାନ୍ତି । ସେ କଟକ ଛାଡ଼ିବା ଦିନ ଭାଇ ଟେଲିଗ୍ରାମ କରିଥିଲେ; ଅଥଚ ଷ୍ଟେସନର କେଉଁଠି ହେଲେ ତାଙ୍କୁ ଖୋଜି ପାଇଲେ ନାହିଁ ସୁନନ୍ଦା । ଭୟରେ ଛାତି ଥରି ଉଠିଲା । ଏକୁଟିଆ ଟାକ୍‌ସିରେ ବସି ସେ ଚାରି ମାଇଲ ବାଟ ଯିବେ ? ସନ୍ଧ୍ୟା ଶେଷ ହୋଇ ଆସୁଛି । ସୁନନ୍ଦା ଭୟାର୍ତ୍ତ କଣ୍ଠରେ କହିଥିଲେ । ‘ବାବୁନିରେ, କଣ କରିବା ?”

 

ସେତେବେଳେ ନିଜକୁ ମନେ ପକାଇ ହସି ପକାଇଲେ ସୁନନ୍ଦା । କଟକ ରେକ୍‍ସାବାଲାଙ୍କ ସଙ୍ଗେ ପନ୍ଦର ପଇସା ପାଇଁ ସେ ଅନେକ ଯୁକ୍ତି କରିପାରୁଥିଲେ, କିନ୍ତୁ ଦିଲ୍ଲୀର ବିଶାଳକାୟ ଟାକ୍‌ସିବାଲାଙ୍କ ନିକଟରେ ସେ ତିନି ଥର ଛେପ ଢୋକି କଥା ଆରମ୍ଭ କରୁଥିଲେ । ଯୁକ୍ତି ତ ଅନେକ ଦୂରର କଥା । ଦୈତ୍ୟପରି ସେମାନେ ଯେତେବେଳେ ତାଙ୍କ ନିକଟକୁ ହାତ ବଢ଼ାଇ ଦିଅନ୍ତି, ସୁନନ୍ଦା ସେତେବେଳେ ପଇସାର ହିସାବ ମଧ୍ୟ ଭୁଲି ଯାଆନ୍ତି ।

 

କିନ୍ତୁ ସତରେ କଣ ସେ ଏତେ ଦୁର୍ବଳଚିତ୍ତ, ଏତେ ଭୟାଳୁ ଥିଲେ ? ବାପାଙ୍କ ବାହୁଛାୟା ତଳେ, ବୋଉଙ୍କ ପଣତ ଆଢ଼ୁଆଳରେ ମଣିଷ ହୋଇଥିଲେ ମଧ୍ୟ ସେ ତ କାହାରିକୁ ଭୟ କରୁ ନଥିଲେ ? ନିଜର ଭୁଲ ନଥିଲେ କଲେଜ ଶିକ୍ଷକମାନଙ୍କୁ ମଧ୍ୟ ମୁହଁରେ ଜବାବ ଦେବାକୁ ସେ ପଛଉ ନଥିଲେ ଓ ସେଇ ସାହସ ନେଇ ସେ ଦିନେ ସମାଜକୁ ଭ୍ରୂକ୍ଷେପ ନକରି ନିଜ ଇଚ୍ଛା ଅନୁସାରେ ପରିଚାଳିତା ହୋଇଥିଲେ । ଜୀବନରେ ସେ କେବଳ ଭୟ କରିଥିଲେ ନିଜ ସ୍ଵାମୀଙ୍କୁ, ତାଙ୍କର ଗୁରୁଗମ୍ଭୀର ଚାହାଣୀକୁ ଓ ତାଙ୍କର ବ୍ୟକ୍ତିତ୍ଵକୁ । କିନ୍ତୁ ସେହି ଚାହାଣୀର ଇଙ୍ଗିତକୁ ଏଡ଼ାଇ, ଏତେ ବଡ଼ ବ୍ୟକ୍ତିତ୍ଵକୁ ପଦଦଳିତ କରି ତ ପୁଣି ସେ ଦିନେ ତାଙ୍କୁ ପରିତ୍ୟାଗ କରିଥିଲେ ! ! ତେବେ ସେ ଟାକ୍‌ସିବାଲାମାନଙ୍କୁ ଏତେ ଡରୁଥିଲେ କାହିଁକି ? ଭୟ ମନରେ ଏକ ବିକଳ୍ପ ଧାରଣା । ମଣିଷ ଯେତେବେଳେ ଭାବେ ସେ ଗୋଟିଏ ଜିନିଷକୁ ଭୟ କରିବ, ସେତେବେଳେ ଭୟର ଭୂତ ତାକୁ ଚାପି ବସେ ।

 

ସୁନନ୍ଦା ନିଜର ଦାର୍ଶନିକତାକୁ ଆଉ ଥରେ ମନରେ ଦୋହରାଇ ସିଟ୍‌କୁ ଆଉଜି ବସିଲେ-

 

ଲିଫ୍‌ଟ୍‌ରୁ ବାବୁନ୍‌ର ହାତ ଧରି ବାହାରି ଆସିଲେ ସୁନନ୍ଦା ଓ ତା ପରେ ଚମକି ପଡ଼ିଲେ–ସମ୍ମୁଖରେ ସୁଧୀର । ତଳକୁ ଯିବା ପାଇଁ ଲିଫ୍‌ଟ୍‌କୁ ଅପେକ୍ଷା କରି ଠିଆ ହୋଇଛି ।

 

ସୁଧୀର ପାଇଁ ସେ ଏତେ ଆତୁରା ହୋଇ ଧାଇଁ ଆସିଥିଲେ, ଅଥଚ ଷ୍ଟେସନରେ ପହଞ୍ଚିବା ପରେ ଭୟରେ ଏପରି ମୋହାଚ୍ଛନ୍ନ ହୋଇ ପଡ଼ିଥିଲେ ଯେ, ସୁଧୀର କଥା ତାଙ୍କର ଆଦୌ ମନେ ପଡ଼ି ନାହିଁ । କିନ୍ତୁ ନିଜ ବିଲଡ଼ିଂରେ ପାଦ ଦେଉ ଦେଉ ସର୍ବ ପ୍ରଥମେ ତାଙ୍କର ସୁଧୀର ସଙ୍ଗେ ଦେଖା ।

 

ସୁଧୀର ଠାରୁ ଶୁଣିଲେ ସୁନନ୍ଦା–ବିଭୂତିବାବୁ ଟେଲିଗ୍ରାମ ପାଇ ନାହାନ୍ତି । କାରଣ ତା ପୂର୍ବରୁ ସେ କୌଣସି କାମରେ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି ।

 

ସୁନନ୍ଦା କେବେକେବେ ବାହାରକୁ ଗଲେ, କାଳେ ତା ପୂର୍ବରୁ ବିଭୂତିବାବୁ ଅଫିସରୁ ଫେରି ଆସିବେ ବୋଲି ମିସେସ୍ ମେହେରାଙ୍କ ନିକଟରେ ଘର ଚାବି ଦେଇ ବାହାରକୁ ଯାଆନ୍ତି । ତେଣୁ ମିସେସ୍ ମେହେରାଙ୍କୁ ଚାବି କଥା ପଚାରିବେ ବୋଲି ଭାବିଲେ, କିନ୍ତୁ ସୁଧୀର ତାଙ୍କ ସୁଟ୍‌କେଶଟି ଓ ବାବୁନର ହାତ ଧରି ଆଗେଇଲା ପରେ ସୁନନ୍ଦା ନୀରବରେ ତାର ଅନୁଗମନ କଲେ । ସୁଧୀର ପକେଟରୁ ଚାବି ବାହାର କରି କବାଟ ଖୋଲିଥିଲା, ସୁନନ୍ଦାଙ୍କ ସହିତ ମିଶି ଖାଦ୍ୟ ପ୍ରସ୍ତୁତ କରିଥିଲା ଓ ତାଙ୍କର ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଅନେକ ଯତ୍ନ କରିଥିଲା ।

 

ସୁଧୀରର କିଚେନରେ ସେଦିନ ପ୍ରଥମ କରି ରାନ୍ଧିଥିଲେ ସୁନନ୍ଦା । ତାର ଶତ ଅନୁରୋଧ ସତ୍ୱେ ବାହାରୁ ଖାଇବା ଆଣିବା ପାଇଁ ସେ‌ ରାଜି ହୋଇ ନଥିଲେ । ସୁଧୀରର ଅସଜଡ଼ା ରନ୍ଧାଘରେ ରାନ୍ଧିବାକୁ ଉପଭୋଗ କରିଥିଲେ ସୁନନ୍ଦା । ନିଜ ହାତ ରନ୍ଧା ଖାଦ୍ୟ ହେଲେ ମଧ୍ୟ ସେଥିରେ ଭିନ୍ନ ବାସ୍ନା ଥିଲା, ନୂତନ ସ୍ଵାଦ ଥିଲା-ସେ ସ୍ଵାଦ ପୂର୍ବରୁ ଆଉ କେବେ ସୁନନ୍ଦା ପାଇ ନଥିଲେ ।

 

ବାବୁନ୍ ଅନେକ ବେଳୁ ଶୋଇ ଯାଇଥିଲା । ଖାଇ ସାରି ସୁଧୀର ସହିତ ଡ୍ରଇଂରୁମ୍‌ରେ ବସିଲେ ସୁନନ୍ଦା । ତାଙ୍କର ଇଚ୍ଛା ହେଉଥିଲା ସୋଫା, ଟେବୁଲ୍ କ୍ଳଥ ଇତ୍ୟାଦିରୁ ଧୂଳି ଝାଡ଼ି ଜିନିଷଗୁଡ଼ିକ ସୁନ୍ଦର ଭାବରେ ସଜାଇ ରଖିବେ, କିନ୍ତୁ ତା ନକରି ସେ ସୁଧୀରର ନିକଟତମ ସୋଫାରେ ବସି ରହିଲେ । ବିଭୂତିବାବୁ କେବେ ଫେରିବେ, ଆୟା ଠିକ୍ ସମୟରେ ଆସୁଛି କି ନାହିଁ, କିଛି ପଚାରିଲେ ନାହିଁ ସୁନନ୍ଦା କିମ୍ବା କ୍ଳାନ୍ତ, ଅବଶ ଦେହକୁ ବିଛଣାରେ ଲୋଟାଇ ଦେବା ପାଇଁ ବ୍ୟଗ୍ର ହେଲେ ନାହିଁ ।

 

ସକାଳୁ ସୁଧୀର ସହିତ ଚାହାପାନ କରୁଥିବା ସମୟରେ ଡୋରବେଲ୍ ବାଜିଲା । କବାଟ ଖୋଲିଲା ସୁଧୀର–ବିଭୂତିବାବୁ ।

 

(ଛଅ)

 

‘‘ମିସେସ୍ ମେହେରାଙ୍କ ପାଖରୁ ଶୁଣିଲି, ତମେ କାଲି ରାତିରୁ ଆସିଛ ?”

 

ସୁନନ୍ଦା କିଛି ଉତ୍ତର ଦେଲେ ନାହିଁ । ବିଭୂତିବାବୁ ନୀରବରେ ଜୋତା ଖୋଲିବା ଦେଖି ସୁନନ୍ଦା ରନ୍ଧା ଘରକୁ ଯିବା ପାଇଁ ଉଦ୍ୟତ ହେଲେ ।

 

“ନ…ନ୍ଦା ।”

 

ଅଟକିଗଲେ ସୁନନ୍ଦା ଏବଂ ଦୁଇପାଦ ପଛକୁ ଫେରିଆସି ମୁହଁ ତଳକୁ ପୋତି ଠିଆ ହେଲେ । ବିଭୂତିବାବୁଙ୍କ ଆଖିରେ କ୍ରୋଧ ଖୁନ୍ଦି ହୋଇ ରହିଥିଲା । ତାଙ୍କ ମୁହଁକୁ ପଲକରେ ଚାହିଁ ଦେଇ ସୁନନ୍ଦା ପୁଣି ଦୃଷ୍ଟି ଆନତ କଲେ । ତାଙ୍କ ମୁଖରେ ଭାଷା ନଥିଲା, କିନ୍ତୁ ଚାହାଣୀରେ ଭାଷା ଥିଲା–ଯାହା କହିବାର କୁହ ପଛକେ, ଏବେ ଜୋରରେ ଚିତ୍କାର କରନାହିଁ ।

 

‘‘ତମେ ମିସେସ୍ ମେହେରାଙ୍କ ନିକଟକୁ ପ୍ରଥମେ ଯାଇ ଚାବିକଥା ବୁଝିଥିଲ ? ରାତିରେ ତାଙ୍କ ଆୟାକୁ ତମ ପାଖରେ ଶୋଇବାକୁ ଡାକିଥିଲ ? ଏଇ ପ୍ରଥମ ମୁଁ ଦିଲ୍ଲୀ ଛାଡ଼ି ବାହାରକୁ ଯାଇଥିଲି ?”

 

“କାହିଁକି ନୁହେଁ ? କାହିଁକି ତମେ ଚାବି ଆଣି ନିଜ ଘରେ ନଶୋଇ ସୁଧୀର ଘରେ ରାତି କଟାଇଲ ?”

 

ସୁନନ୍ଦାଙ୍କର ହୃଦ୍‌ପିଣ୍ଡର ରକ୍ତ ସଂଚାଳନ ଦୃତ ହୋଇ ଆସୁଥିଲା । କାନରେ ବାରମ୍ବାର ବିଭୂତିବାବୁଙ୍କ ପ୍ରଶ୍ନ ପ୍ରତିଧ୍ଵନିତ ହେଉଥିଲା । କି ଉତ୍ତର ସେ ଦେବେ ତାଙ୍କ ପ୍ରଶ୍ନର ? ‘ରାତି କଟାଇବାର’ କି ଅର୍ଥ ସେ କରୁଛନ୍ତି, କି ଇଙ୍ଗିତ ସେ ଦେଉଛନ୍ତି ?

 

ସୁଧୀର ସହିତ ସେ ଏକାଠି ଖାଇଛନ୍ତି, ଗୋଟିଏ ସୋଫାରେ ବସି କଫି ପିଇଛନ୍ତି ଏବଂ ସକାଳର ସଜ ଗୋଲାପ ପରି ସୁଧୀର ଆଗରେ ନିଜର ମନ ଭିତରର ପ୍ରତିଟି ପାଖୁଡ଼ା ସେ ଖୋଲି ଧରିଛନ୍ତି । ସେହି ନିସ୍ତବ୍‌ଧ ରାତିରେ ସୁଧୀରର ହାତ ପାପୁଲିରେ ମୁହଁ ଲୁଚାଇ ନିଜର ଅଜସ୍ର ଲୁହ ଢାଳିଛନ୍ତି ଏବଂ ଲୁହଧୁଆ ମୁହଁ ପୋଛି ସାରି ସମୟର ପରିମାପ କରିବା ପୂର୍ବରୁ ଆକାଶରେ ଦେଖିଛନ୍ତି ପ୍ରଭାତୀ ତାରାର ସତ୍ତା । ଏକଥା କହିଲେ କଣ ବିଶ୍ଵାସ କରିବେ ମିସେସ୍ ମେହେରା ଓ ନିଜର ସ୍ଵାମୀ ବିଭୂତିବାବୁ ?

 

ସେ ଦିନ ଅନେକ ରାଗିଥିଲେ ବିଭୂତିବାବୁ । ସୁନନ୍ଦାଙ୍କର ଦୁଇ ବାହୁକୁ ନିଜର ବଳିଷ୍ଠ ହାତରେ ଚିପି ଧରି ଖୁବ୍ ଜୋରରେ ହଲାଇ କହିଥିଲେ “ମୋ ପ୍ରଶ୍ନର ଉତ୍ତର ଦିଅ । ମୋ କଥାର ଜବାବ ଦିଅ ।”

 

ସୁନନ୍ଦାଙ୍କର ଇଚ୍ଛାହେଲା, ସେ ମଧ୍ୟ ସେହିପରି ଚିତ୍କାର କରି କହନ୍ତେ, ତମେ ମୋ ପାଟିର ଭାଷା ଚାହିଁଛ କିନ୍ତୁ ମନର ଭାଷା କେବେ ପଢ଼ିବାକୁ ଚେଷ୍ଟା କରିଛ ? ଖୁବ୍ ଜ୍ଞାନୀ ବୋଲି ଦୁନିଆ କହେ, ଅଥଚ ଯେଉଁ ସତର ବର୍ଷର ଝିଅଟାକୁ ଘରକୁ ଆଣିଲ, ତା ମନକଥା ବୁଝିବା ପାଇଁ ତମର କ୍ଷମତା ନଥିଲା । –କିଛି କହି ନଥିଲେ ‘ସୁନନ୍ଦା ସେଦିନ । ନୀରବରେ ସମସ୍ତ ସହ୍ୟ କରିବା ପାଇଁ ଦୃଢ଼ପରିକର ହୋଇ ସେ କେବଳ ନିଜର ତଳ ଓଠଟାକୁ ଜୋରରେ କାମୁଡ଼ି ଦେଇଥିଲେ ।

 

ସେହି ଅଶାନ୍ତିମୟ ପରିସ୍ଥିତି ମଧ୍ୟରେ ସୁନନ୍ଦାଙ୍କର ଆଖି ଆଗରେ ଏକ ସରଳ, ନିରୀହ ଓ ପ୍ରଶାନ୍ତ ଯୁବକର ଛବି ଭାସି ଆସିଥିଲା ଓ ସେ ଭାବିଥିଲେ, ସୁଧୀର ଏପରି ଏକ ମଣିଷ ଯାହାକୁ ଭଲ ନପାଇଲେ ବା ନିଜର ନ କଲେ ମଧ୍ୟ ଆଘାତ ଦେଇ ଦୂରକୁ ଠେଲି ଦେଇ ହେବ ନାହିଁ ।

 

ତା ପରଠାରୁ ବିଭୂତିବାବୁ ଅସମ୍ଭବ ଭାବରେ ବଦଳି ଯାଇଥିଲେ । ସେ ଆହୁରି ବେଶୀ ଗମ୍ଭୀର ରହି ସୁନନ୍ଦାଙ୍କଠାରୁ ଅଧିକ ଦୂରେଇ ଯିବାକୁ ଲାଗିଲେ ଓ ସାମାନ୍ୟ କଥାରେ ବୈଶାଖର ବାଦଲ ପରି ଫାଟି ପଡ଼ୁଥିଲେ । ତଥାପି ସେହି ଲୋକଟିର ବ୍ୟବହାରକୁ ମନେ ପକାଇ ଆଶ୍ଚର୍ଯ୍ୟ ହୁଅନ୍ତି ସୁନନ୍ଦା । ପୂର୍ବପରି ସୁଧୀର ସହିତ ଘଣ୍ଟା ଘଣ୍ଟା ଧରି ଗପ ନ ଜମାଇଲେ ମଧ୍ୟ ସୁଧୀରକୁ ବାହାରେ କେଉଁଠି ଦେଖିଲେ ସେ ତାକୁ ଅଭିବାଦନ କରନ୍ତି । ରାସ୍ତାରେ ଆଗେଇ ଯିବା ପୂର୍ବରୁ ସହଜ ଭାବରେ ପଦେ ଦୁଇପଦ କଥା କହନ୍ତି, ଭଲମନ୍ଦ ପଚାରନ୍ତି, ଯେପରିକି ତାଙ୍କ ସଂସାରରେ ବହୁଥିବା ଝଡ଼ ପାଇଁ ସୁଧୀର ନୁହେଁ, ଅନ୍ୟ କେହି ଦାୟୀ ।

 

ଏକା ଏକା ବସି ସୁନନ୍ଦା ଅନେକ ଭାବନ୍ତି । ତଳ ଓଠରୁ କାମୁଡ଼ା ଦାଗ ଲିଭି ଯାଇଥିଲେ ମଧ୍ୟ ସେ ତାହାର ଜ୍ଵଳନ ଅନୁଭବ କରନ୍ତି ଏବଂ ତା ସହିତ ସମଗ୍ର ଶରୀରରେ ଏକ ଅହେତୁକ ପ୍ରଜ୍ଜ୍ୱଳନ ସୃଷ୍ଟି ହୁଏ । ସେ ଆଗରୁ କେବେ ନ ଦେଖିଥିବା ଏକ ସ୍ଵପ୍ନ ଦେଖି ବସନ୍ତି–ନୂତନ ନୀଡ଼ର ସ୍ଵପ୍ନ । ଶାବକ ସହିତ ଅନ୍ୟ ଏକ ନୀଡ଼ର ସନ୍ଧାନରେ ଉଡ଼ି ଯାଉଥିବା ପକ୍ଷୀର ସ୍ଵପ୍ନ ।

 

ସେ ସ୍ଵପ୍ନ ଖୁବ ଶୀଘ୍ର ଭାଙ୍ଗି ଯାଏ ସୁନନ୍ଦାଙ୍କର । ବିଭୂତିବାବୁ କ୍ରମେ ବାବୁନ୍ ସହିତ ଅନେକ ମିଶୁଛନ୍ତି ବୋଲି ସେ ଆବିଷ୍କାର କରନ୍ତି । ଘରକୁ ଫେରିଲା ପରେ ବିଭୂତିବାବୁ ବାବୁନ୍ ସହିତ ଖେଳୁଛନ୍ତି, ତାକୁ ଧରି ରାସ୍ତାରେ ବୁଲି ଯାଉଛନ୍ତି ଏବଂ ସଂଧ୍ୟାରେ ଗପବହି ଖଣ୍ଡେ ଧରି ବସିବା ବଦଳରେ ସେ ବାବୁନ୍‍କୁ ପଢ଼ାଉଛନ୍ତି । ସ୍କୁଲରୁ ଫେରି ଅଙ୍କଲ ସୁଧୀର କେତେବେଳେ ଆସିବେ ବୋଲି ଆଉ ଏବେ ବାରମ୍ବାର ପଚାରେ ନାହିଁ ବାବୁନ୍ । ବାଲ୍‌କୋନିରେ ଠିଆ ହୋଇ ଅପେକ୍ଷା କରେ ଏବଂ ଦୂରରୁ ଗାଡ଼ି ଦେଖି ଚିତ୍କାର କରି ଉଠେ, “ବାପି ଆସିଗଲେ, ବାପି ଆସିଗଲେ ।”

 

ବାବୁନ୍ ଯେ ତାଙ୍କର ଆଉ ଏକାନ୍ତ ନିଜର ହୋଇ ନାହିଁ, ଏକଥା କ୍ରମେ ଅନୁଭବ କରନ୍ତି ସୁନନ୍ଦା ।

 

ଏବେ ସୁନନ୍ଦା ସମୟେ ସମୟେ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି । ଦୁଇ ହାତରେ ମୁଣ୍ଡକୁ ଚିପି ଧରନ୍ତି । ଆସ୍‌ପ୍ରିନ୍‌ ଟାବ୍‌ଲେଟ୍‌ ଗୋଟାଏ ଗିଳିଦେଇ ଆଖିବୁଜି ଶୋଇବା ପାଇଁ ଚେଷ୍ଟା କରନ୍ତି । ନିଦ ହୁଏ ନାହିଁ । କେବଳ ଗୋଟିଏ ନୁହେଁ, ଗୋଟି ଗୋଟି ହୋଇ ସେ ଅନେକ ବିନିଦ୍ର ରାତି କଟାନ୍ତି । ବିଛଣାରେ ପଡ଼ି ଛଟ ପଟ ହୁଅନ୍ତି । ଆଖିବୁଜି ପଡ଼ନ୍ତି, ଆଖି ଖୋଲନ୍ତି । ଘଣ୍ଟା ଦେଖନ୍ତି, ପାଣି ପିଅନ୍ତି ଓ ପୁଣି ଥରେ ବିଛଣାକୁ ଯାଇ ଶୋଇବା ପାଇଁ ଚେଷ୍ଟା କରନ୍ତି ।

 

ନିଦକୁ ଡାକି ଆଣିବାର ବ୍ୟର୍ଥ ଚେଷ୍ଟା କରୁଥିବା ସମୟରେ ନାନା ଚିନ୍ତା ମନ ଭିତରେ ଘୂରିବୁଲେ, ଅନେକ ଅତୀତ ଉଙ୍କି ମାରେ ଓ ବିଭିନ୍ନ ଘଟଣାମାନ ଚିତ୍ରିତ ହୁଏ । ଏହି ସମୟରେ ଅତି ନିକଟରେ ସେ କାହାର ଶ୍ଵାସପ୍ରଶ୍ଵାସ ଅନୁଭବ କରନ୍ତି ଏବଂ ତାଙ୍କୁ କିଏ ଜଣେ ନିମ୍ନ ଓ ଆବେଗ ଭରା ସ୍ଵରରେ ଡାକୁଥିବାର ଶୁଣନ୍ତି–‘‘ନନ୍ଦା” !

 

ଆଖି ଖୋଲନ୍ତି ସୁନନ୍ଦା । ବିଛଣାରେ ଉଠି ବସନ୍ତି । ତା ପରେ ଧୀରେ ଧୀରେ ଯାଇ ପୂର୍ବ-ଦକ୍ଷିଣ ପଟର ଝରକା ନିକଟରେ ଠିଆ ହୁଅନ୍ତି । ସେଠାରୁ ସୁଧୀର ଘରର ବାଲକୋନି ଓ ଡ୍ରଇଂରୁମ୍‌ର ଝରକା ସ୍ପଷ୍ଟ ଦିଶେ । …ଆଶ୍ଚର୍ଯ୍ୟ ହେଲେ ସୁନନ୍ଦା । ପ୍ରାତଃ ସୂର୍ଯ୍ୟର ମୁଠା ମୁଠା ଆଦ୍ୟରଶ୍ମି ବାଲକୋନି ସାରା ବିଛାଡ଼ି ହୋଇ ପଡ଼ୁଛି, ଅଥଚ ସୁଧୀର କେବେ ତାଙ୍କୁ ସେ କଥା କହି ନାହିଁ ? କିନ୍ତୁ ସଙ୍ଗେ ସଙ୍ଗେ ନିଜକୁ ସଂଶୋଧନ କରନ୍ତି । ସୁଧୀର ହୁଏତ ନିଜେ ମଧ୍ୟ ଏକଥା ଜାଣେ ନାହିଁ । କାରଣ ସୁଧୀର ସାଢ଼େ ପାଞ୍ଚଟା ନୁହେଁ, ସାତଟା ପରେ ବିଛଣା ଛାଡ଼େ । ସେତେବେଳେ ନିଜ ବାଲକୋନିରେ ଠିଆ ହୋଇ ସୂର୍ଯ୍ୟ କିରଣ ଉପଭୋଗ କରିବାର ସମୟ ଅତିବାହିତ ହୋଇ ଯାଇଥାଏ । ତର ତର ହୋଇ ନିତ୍ୟକର୍ମ ସାରି ସେ ଅଫିସ ଯିବାର ଆୟୋଜନ କରେ ।

 

ସୁନନ୍ଦା ଝରକା ନିକଟରେ ବେଶୀ ସମୟ ଠିଆ ହୋଇ ରହି ପାରନ୍ତି ନାହିଁ । ସନ୍ଧ୍ୟା ସମୟରେ ଯନ୍ତ୍ରଣା ପୁଣି ମୁଣ୍ଡ ଭିତରେ ଆରମ୍ଭ ହୁଏ । ସେ ବିଛଣାକୁ ଫେରି ଆସନ୍ତି ଓ ବିଛଣାରେ ଲୋଟିଯିବା ପୂର୍ବରୁ ଚମକି ପଡ଼ନ୍ତି । ସେ ଆବିଷ୍କାର କରନ୍ତି, ଦୁଇଟି ଆଖିର ତୀର୍ଯ୍ୟକ୍ ଚାହାଣୀ ତାଙ୍କ ଉପରେ ବିଛାଡ଼ି ହୋଇ ପଡ଼ୁଛି, ଯେଉଁଥିରେ ବାଳସୂର୍ଯ୍ୟର କୋମଳତା ନାହିଁ, ସ୍ନିଗ୍‌ଧତା ନାହିଁ, ଅଛି ଅଜସ୍ର ଘୃଣା ଓ ବ୍ୟଙ୍ଗର ଦୁର୍ନିବାର ସଙ୍କେତ । ସେ ଚାହାଣୀରେ ସୁନନ୍ଦାଙ୍କୁ କୌଣସି ଜିନିଷ ବୁଝାଇବାର ପ୍ରୟାସ ନାହିଁ, ଅଥଚ ତାର ଅନ୍ତର୍ନିହିତ ଇଙ୍ଗିତ ସୁସ୍ପଷ୍ଟ ।

 

ନିଜର ଯନ୍ତ୍ରଣାକୁ ହଠାତ୍ ଭୁଲି ଯାଆନ୍ତି ସୁନନ୍ଦା । ଭୟରେ ମନ ଭିତରଟା ଥରିଯାଏ ଓ ସେ ନିଜର ଆଖି ଦୁଇଟାକୁ ବନ୍ଦକରି ଦିଅନ୍ତି, ଯେପରିକି ଆଖି ବନ୍ଦ କରିଦେଲେ ସମସ୍ତ ଭୟ ଦୂର ହୋଇଯିବ । କିନ୍ତୁ ବିଭୂତିବାବୁ ନୀରବରେ ବିଛଣା ଛାଡ଼ି ଉଠି ଯାଆନ୍ତି ।

 

ଜଳଖିଆ ଖାଇସାରି ଅଫିସ ଯିବା ପୂର୍ବରୁ ବିଭୂତିବାବୁ ଆଉ କପେ ଚାହା ପିଅନ୍ତି । ଆୟା ଟ୍ରେରେ ଚାହା ଜିନିଷ ସଜାଡ଼ି ଟେବୁଲ ଉପରେ ରଖିଦେଇଯାଏ । ବିଭୂତିବାବୁଙ୍କୁ କପ୍‌ଟି ବଢ଼ାଇ ଦେଇ ସୁନନ୍ଦା ଗୋଟିଏ ଆସପ୍ରିନ୍ ଖାଇ ତାପରେ ଚାହାପାନ ଆରମ୍ଭ କରନ୍ତି ।

 

“ଏତେ ଆସ୍‌ପ୍ରିନ୍‌ ଖାଇବା ଭଲ ନୁହେଁ ନନ୍ଦା । ଦେହ ପାଇଁ ବହୁତ ଖରାପ ।”

 

ସୁନନ୍ଦାଙ୍କ ହାତରେ ଚାହା କପ୍‌ଟା ଅଟକି ଯାଏ । ସେ ନିଜର ଭାରସାମ୍ୟ ହରାଇବା ପୂର୍ବରୁ କପ୍‌ଟା ଟେବୁଲ ଉପରେ ରଖି ଦିଅନ୍ତି । ବିଭୂତିବାବୁଙ୍କ କଥା କେଇପଦ ତାଙ୍କୁ ବିଚଳିତ କରି ପକାଏ । କଣ୍ଠରେ ତାଙ୍କର କେତେ କୋମଳତା, କେତେ ଆନ୍ତରିକତା ! ସେହି ଲୋକଟା ଯେ କିଛି ସମୟ ଆଗରୁ ସୁନନ୍ଦାଙ୍କ ପ୍ରତି ବିଷୋଦ୍‌ଗାର କରୁଥିଲା, ସେ କଥା ଭାବି ପାରନ୍ତି ନାହିଁ ସୁନନ୍ଦା । କିନ୍ତୁ ବିଭୂତିବାବୁଙ୍କ ରାଗ ଅପେକ୍ଷା ତାଙ୍କ ଆନ୍ତରିକତା ତାଙ୍କୁ ବେଶୀ ଆଘାତ ଦିଏ । ସବୁ ଜାଣି ସୁଦ୍ଧା ସେ କାହିଁକି ପୁଣି ଭଲ ବ୍ୟବହାର କରୁଛନ୍ତି ? ତା ଅପେକ୍ଷା ଦୁର୍ବ୍ୟବହାର କଲେ ହୁଏତ ସୁନନ୍ଦା ଖୁସି ହୁଅନ୍ତେ । ସେଥିପାଇଁ ବିଭୂତିବାବୁ ଚାଲିଗଲା ପରେ ପରେ ସେ ଆଉ ନିଜକୁ ସମ୍ଭାଳି ନ ପାରି ବିଛଣାରେ ଲୋଟି ପଡ଼ନ୍ତି ଓ ଅଶ୍ରୁର ଝରଣା ଭିତରେ ନିଜର ବର୍ତ୍ତମାନକୁ ସମ୍ପୂର୍ଣ୍ଣ ନିମଜ୍ଜିତ କରି ଦିଅନ୍ତି ।

 

ଆଜି ଅନେକ ବର୍ଷ ପରେ ଟ୍ରେନରେ ବସି ବସି ନିଜର ସେହି ଅତୀତକୁ ମନେ କଲେ ସୁନନ୍ଦା । ସେ ସେତେବେଳେ ସତରେ କେତେ କାନ୍ଦୁଥିଲେ, କେତେ ବିନିଦ୍ର ରାତି କଟାଉ ନ ଥିଲେ-! ଏବେ ମଧ୍ୟ ମନେ ପଡ଼େ, ପ୍ରଥମ ଥର ସେ ଯେଉଁଦିନ ନିଦ ହେବା ପାଇଁ ଔଷଧ ଖାଇଲେ, ସେ ରାତିଟା ଚିନ୍ତାମୁକ୍ତ ହୋଇ କେତେ ସୁନ୍ଦର ସୁନିଦ୍ରାରେ ଶୋଇଥିଲେ । କେତେ ଅନାବନା ସ୍ଵପ୍ନ ଦେଖିଥିଲେ ମଧ୍ୟ ସକାଳୁ ଉଠି ସେ ସବୁକୁ ଆଦୌ ମନେ ପକାଇ ପାରି ନ ଥିଲେ । ଅଥଚ ତାପରେ ନିଦ ଔଷଧ ଖାଇ ମଧ୍ୟ ତାଙ୍କୁ ରାତିରେ ନିଦ ହେଉ ନଥିଲା । ସେହି ବିନିଦ୍ର ରଜନୀମାନଙ୍କରେ ବିଛଣାରେ ଆଖିବୁଜି ପଡ଼ି ସେ “କଣ କରିବି” ର ଉତ୍ତର ଖୋଜି ପାଇବା ପାଇଁ ନିଜର ଭିତର ବାହାର ତନ୍ନ ତନ୍ନ କରି ଅଣ୍ଡାଳି ପକାଉଥିଲେ । ଦୁଇ ହାତରେ ନିଜର ବୁକୁକୁ ଚିପି ଧରି ସେ ମନକୁ ରୋକିବା ପାଇଁ ଯଥେଷ୍ଟ ପ୍ରୟାସ କରୁଥିଲେ । କିନ୍ତୁ ଖରସ୍ରୋତା ଯମୁନାର ଉତ୍ସୃଙ୍ଖଳ ବନ୍ୟାଜଳ ପରି ତାଙ୍କର ମନର ଗତି ସମସ୍ତ ବାଧାକୁ ନିର୍ବିଘ୍ନରେ ଅତିକ୍ରମ କରି ଆଗକୁ ମାଡ଼ି ଚାଲିଥିଲା.... ଆହୁରି ଆଗକୁ ।

 

ନିଜ ଦେହରେ ହାତ ବୁଲାଇ ଆଣିଲେ ସୁନନ୍ଦା । ଅନେକ ବର୍ଷ ପରେ ପୁଣି ଥରେ ସ୍ଵାମୀଙ୍କ ଆଘାତର ଜ୍ଵଳନ ସେ ପ୍ରତିଟି ଅଙ୍ଗରେ ଅନୁଭବ କଲେ । ବିଭୂତିବାବୁ ତାଙ୍କୁ ଅବୁଝା ଶିଶୁ ପରି ବହୁତ ବୁଝାଇଥିଲେ ଓ ଶାସନ କରିଥିଲେ, କିନ୍ତୁ ସବୁ ନିଷ୍‌ଫଳ ହୋଇଥିଲା । ଶେଷରେ ସୁନନ୍ଦାଙ୍କର ସେହି ଗୁରୁତର ସମସ୍ୟାର ଭାର ବିଭୂତିବାବୁ ନିଜ କାନ୍ଧ ଉପରକୁ ଟେକି ନେଇ ନିଜେ ହିଁ ତାର ସମାଧାନ କରିଥିଲେ ।

 

ଅଫିସରୁ ଫେରି ସେଦିନ ବିଭୂତିବାବୁ ସୁନନ୍ଦାଙ୍କୁ ଡାକିଲେ, ନିକଟରେ ବସାଇଲେ । ଅନେକ ଦିନ ପରେ ପୁଣି ଥରେ ଦୁହେଁ ପାଖା ପାଖି ବସିଥିଲେ ।

 

ତମେ ଯେତେବେଳେ ବଦଳି ପାରିବ ନାହିଁ, ସେତେବେଳେ ମତେ ହିଁ ବଦଳିବାକୁ ପଡ଼ିବ । ––ମୁଁ ଏକ ସିଦ୍ଧାନ୍ତରେ ପହଞ୍ଚିଛି ।

 

କଣ ସେ ସିଦ୍ଧାନ୍ତ ? ତାଙ୍କୁ ଗୃହତ୍ୟାଗୀ ହେବାକୁ କହିବେ ? ବିଷପାନ କରିବା ପାଇଁ ଆଦେଶ ଦେବେ ? ଭୟରେ ଜଡ଼ସଡ ହୋଇ ବସି ରହିଲେ ସୁନନ୍ଦା ।

 

‘‘ମୋର ଓଡ଼ିଶା ବଦଳି ହୋଇଛି । ଗୋଟିଏ ସପ୍ତାହ ଭିତରେ ମତେ ଜ‌ଏନ କରିବା ପାଇଁ ପଡ଼ିବ । ମୁଁ ଯେତେ ଶୀଘ୍ର ପାରେ ଦିଲ୍ଲୀ ଛାଡ଼ି ଚାଲି ଯାଉଛି । ସାଙ୍ଗରେ ମୋର ବାବୁନ୍ ଯିବ-। ଆଉ ତମେ…”

 

ଆଉ କିଛି କହି ନଥିଲେ ବିଭୂତିବାବୁ । କଣ୍ଠ ତାଙ୍କର ସେ ଦିନ ଥରି ଉଠି ନ ଥିଲା, ନିଜର ଗମ୍ଭୀରତା ହରାଇ ନ ଥିଲା, କିନ୍ତୁ ହଠାତ୍ ସମସ୍ତ ବାକ୍ ଶକ୍ତି ହରାଇ ଅବରୁଦ୍ଧ ହୋଇ ଯାଇଥିଲା ।

 

ସୁନନ୍ଦାଙ୍କର ବିଭୂତିବାବୁଙ୍କ ପ୍ରତି ସେଦିନ ସୀମାହୀନ ବିରାଗ ଜାତ ହୋଇଥିଲା । ତାଙ୍କର ମନେ ହୋଇଥିଲା, ସେ ଏତେ ଦିନ ଯାଏ ତାଙ୍କର ମିଥ୍ୟା ମୂଲ୍ୟାଙ୍କନ କରି ଆସିଥିଲେ । ପ୍ରକୃତରେ ସ୍ଵାମୀ ତାଙ୍କର ଅଜେୟ ରାଣାପ୍ରତାପ ନୁହନ୍ତି, ଏକ ଦୁର୍ବଳ ସୈନିକ, ଯେ ଯୁଦ୍ଧ ଭୂମିରୁ ଜୀବନ ବଞ୍ଚାଇବା ପାଇଁ ନିଜର ଇଜ୍ଜତ, ସମ୍ମାନକୁ ବଳିଦେଇ ଛତ୍ରଭଙ୍ଗ କରିପାରେ ।

 

କିନ୍ତୁ ସତରେ କଣ ସୁନନ୍ଦା ନିଜ ହାତରେ ଗଢ଼ିଥିବା ସଂସାରରୁ ଏପରି ଦୟନୀୟ ଭାବରେ ବିଚ୍ଛିନ୍ନ ହେବା ପାଇଁ ଇଚ୍ଛା କରିଥିଲେ ? ସୁଧୀରକୁ ଐକାନ୍ତିକ ଭାବରେ ପାଇବାର ପ୍ରବଳ ସ୍ପୃହା ମଧ୍ୟରେ ତ ସେ ବାବୁନକୁ ହରାଇବାର କଳ୍ପନା ମଧ୍ୟ କରି ନଥିଲେ । ଏବଂ ବିଭୂତିବାବୁ…କେବେ କେବେ କଳ୍ପନା କରିଥିଲେ ମଧ୍ୟ ତାଙ୍କଠାରୁ ଯେ ସତରେ ଦିନେ ବିଚ୍ଛିନ୍ନ ହେବା ପାଇଁ ପଡ଼ିବ, ତା କେବେ ଭାବି ନଥିଲେ ।

 

ତଥାପି ସୁନନ୍ଦା ସେଦିନ ବିଭୂତିବାବୁଙ୍କ ଆଦେଶର ବିରୋଧ କରି ପାରି ନଥିଲେ, ଯାହାକୁ ସେ ପୂର୍ବରୁ ମଧ୍ୟ କେବେ ହେଲେ ଅବମାନନା କରିବାର ସାହସ ସଞ୍ଚୟ କରି ନଥିଲେ ।

 

ଅନେକ ବର୍ଷ ତଳର କଥା ମନେ ପଡ଼େ ସୁନନ୍ଦାଙ୍କର–“ତମେ ବହିପତ୍ର ସାଙ୍ଗରେ ଆଣିଛ ?”

 

ରାତ୍ରିର ନିସ୍ତବ୍‌ଧତା ଭଙ୍ଗ କରି ସ୍ଵାମୀଙ୍କର ଏ ପ୍ରଥମ ସମ୍ଭାଷଣରେ ସେଦିନ ଚମକି ପଡ଼ିଥିଲେ ନବବଧୂ ସୁନନ୍ଦା । ସେ କିଛି ଉତ୍ତର ଦେଇ ନଥିଲେ ।

 

“ଠିକ୍ ଅଛି । ନ ଆଣିଥିଲେ ବି ଚିନ୍ତା କରନା । ପରେ ମଗାଇ ଦେବା । ତମେ ଏଠି ରହି ପଢ଼ାପଢି କରିବ, ଅନ୍ତତଃ ଆଇ.ଏ.ଟା ପାଶ୍ କରିଦିଅ ।

 

ସୁନନ୍ଦାଙ୍କର ସେଦିନ ଖୁବ୍ ଜୋରରେ କାନ୍ଦି ଉଠିବା ପାଇଁ ଇଚ୍ଛା ହୋଇଥିଲା । ସ୍ଵାମୀଙ୍କ ସହିତ କଲିକତା ଯିବାର ସ୍ଵପ୍ନ ତାଙ୍କର ମିଳାଇ ଯାଇଥିଲା । ଯେଉଁ ବହି-ଖାତାଗୁଡ଼ିକୁ ଅତ୍ୟନ୍ତ ହେୟଜ୍ଞାନ କରି ସେ ସାଙ୍ଗମାନଙ୍କୁ ବାଣ୍ଟିଦେଇ ଆସିଛନ୍ତି, ପୁଣି ସେଗୁଡ଼ିକ ସଂଗ୍ରହ କରିବା ପାଇଁ ପଡ଼ିବ, ଏକଥା ଭାବି ମନ୍ଦାକିନୀ ରାୟ ନିକଟରେ ନିଜକୁ ବଡ଼ ବୋକା ଲାଗିଲା ।

 

ବାହାଘର ଠିକ୍ ହୋଇଗଲା ପରେ ସାଙ୍ଗମାନଙ୍କଠାରୁ ଏକ ପ୍ରକାର ବିଦାୟ ନେବା ଭଙ୍ଗୀକରି ସୁନନ୍ଦା ଯେତେବେଳେ ବହିପତ୍ର ଓ ନୋଟ-ଖାତାଗୁଡ଼ିକ ବାଣ୍ଟିବାର ବଦାନ୍ୟତା ଦେଖାଇଥିଲେ, ମନ୍ଦାକିନୀ ସେତେବେଳେ ତାଙ୍କ ବାହୁକୁ ଧରି କଲେଜ ପଛର ଆମ୍ବଗଛ ମୂଳକୁ ଟାଣିନେଇ କହିଥିଲା–‘‘ତୋ ବର ଯେତେବେଳେ ଏତେ ବିଦ୍ଵାନ, ପୁଣି ସବୁବେଳେ ଏତେ ପଢ଼ନ୍ତି ବୋଲି କହୁଛୁ, ସେତେବେଳେ ବାହାଘର ପରେ ତତେ ପାଠ ପଢ଼ିବାକୁ କହିବେ ନାହିଁ ତ ?”

 

ସୁନନ୍ଦା ଦୃଢ଼ତାର ସହିତ ଉତ୍ତର ଦେଇଥିଲେ, ‘‘ସେ ସବୁ ବିଷୟ ନେଇ ଆଉ ମୋର ଡରିବାର କିଛି ନାହିଁ । ବାହାଘରର ଖୁବ୍ ବେଶୀ ହେଲେ ପନ୍ଦର ଦିନ ଭିତରେ ଯେ ମୁଁ କଲିକତା ଚାଲିଯିବି, ଏ କଥା ପକ୍‌କା ମୁଁ ନିଜେ ଭାଉଜଙ୍କ ମୁହଁରୁ ଶୁଣିଛି ।”

 

ଆଶ୍ଚର୍ଯ୍ୟ ଝିଅ ଥିଲା ମନ୍ଦାକିନୀ, ବଡ଼ ଦୁର୍ବଳମନା । ତେଣୁ କହିଥିଲା, “ଆଜିକାଲି ପୁଅମାନେ ଯେମିତି ପାଠପଢ଼ା ଝିଅ ଖୋଜୁଛନ୍ତି ନା ମତେ ଲାଗୁଛି ହୁଏତ ବିଭୂତିବାବୁ ପରେ ତତେ ପଢ଼ାଇବାକୁ ଚାହିଁ ପାରନ୍ତି । ଅନେକ ଝିଅ ଦେଖୁନ, ବାହାଘର ପରେ ପୁଣି ଆସି କଲେଜରେ ପାଠ ପଢ଼ୁଛନ୍ତି । ମୁଁ ଭାବୁଛି ଏତେ ଶୀଘ୍ର ଖାତା ବହିଗୁଡ଼ା ଦେଇଦେବା ତୋ ପକ୍ଷରେ ଭଲ ହେବନି ।”

 

ଅବଜ୍ଞାର ହସ ହସିଥିଲେ ସୁନନ୍ଦା । ଅଯଥାରେ ଡରୁ ବୋଲି ପରିହାସ କରିଥିଲେ ମନ୍ଦାକିନୀକୁ ଓ ଅଭୟବାଣୀ ଶୁଣାଇଥିଲେ, ଯେପରି ବିପଦଟା ତାଙ୍କର ନୁହେଁ, ମନ୍ଦାକିନୀ ପାଇଁ ଥିଲା ।

 

ମନ୍ଦାକିନୀର ଆଶଙ୍କାଟା ଏତେ ଶୀଘ୍ର ଫଳବତୀ ହେବ ବୋଲି ଆଦୌ ଭାବି ନ ଥିଲେ ସୁନନ୍ଦା । ତେଣୁ ବୋଉ, ଭାଇ ବା ଭାଉଜଙ୍କ କଥା ନୁହେଁ, ପୁରୁଣା ବହି-ଖାତାମାନଙ୍କୁ ମନେ ପକାଇ ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ତଥାପି ସେ ମନ୍ଦାକିନୀ ରାୟର ଦୂରଦର୍ଶୀତା ପାଇଁ ତାକୁ ତାରିଫ୍ କରି ନ ଥିଲେ, ବରଂ ଅସ୍ପଷ୍ଟ ଭାବରେ ଉଚ୍ଚାରଣ କରିଥିଲେ–‘‘ହିଂସିକୀ ।’’

 

ଅନ୍ତରଙ୍ଗ ବାନ୍ଧବୀ ମନ୍ଦାକିନୀକୁ ସେଦିନ ପ୍ରଥମ କରି ଘୃଣା କରିଥିଲେ ସୁନନ୍ଦା, ତା ଉପରେ ଭୀଷଣ ରାଗିଯାଇଥିଲେ । ତାଙ୍କର ଧାରଣା ହେଲା, ମନ୍ଦାକିନୀ ତାଙ୍କ ସୌଭାଗ୍ୟକୁ ଇର୍ଷା କରିଛି । ସେ ଏତେ କଷ୍ଟକରି ପାଠ ନପଢ଼ି କଲିକତା ସହରରେ ମଜା କରିବେ, ସେଥିପାଇଁ ମନେ ମନେ ଜଳିଛି ଓ ତା’ରି ନିଶ୍ଵାସ ପଡ଼ିବା ଫଳରେ ତାଙ୍କର ଅଚାନକ ଭାବରେ ଏ ଦୁର୍ଦ୍ଦଶା ଉପସ୍ଥିତ ହୋଇଛି ।

 

ସୁନନ୍ଦାଙ୍କର ବାହାଘର ଠିକ୍ ହୋଇଯିବା ପରେ ମନ୍ଦାକିନୀ ଅନେକଥର ଲୁହ ଛଳ ଛଳ ଆଖି କରି କହେ, ତୁ ଚାଲିଗଲା ପରେ ଏ କଲେଜ ମତେ ମରୁଭୂମି ଭଳି ଲାଗିବ । ମୁଁ’ ସତରେ ବଡ଼ ଏକୁଟିଆ ହୋଇଯିବି ।

 

ମନ୍ଦାକିନୀ ଯେ ତାଙ୍କର କଲେଜ ଛାଡ଼ିଯିବା ସେତେବେଳେ ମନେ ମନେ ଏକାନ୍ତ ଭାବରେ ଚାହୁଁ ନଥିଲା, ଏ ଧାରଣା ସୁନନ୍ଦାଙ୍କ ମନରେ ସେ ରାତିରେ ଦୃଢ଼ୀଭୂତ ହେଲା ।

 

ମନ୍ଦାକିନୀ କଲେଜରେ ଅଙ୍କ ନେଇଥିଲା । ସୁନନ୍ଦା ଅଙ୍କକୁ ବାଘପରି ଡରୁଥିବା ସମୟରେ ମନ୍ଦାକିନୀ ଅଙ୍କ କଷିବା ପାଇଁ ଖୁବ୍ ଭଲ ପାଉଥିଲା । ଦୁହେଁ ଅନ୍ତରଙ୍ଗ ବାନ୍ଧବୀ ହେଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ଥିଲା ଅନେକ । ସୁନନ୍ଦା ସହରର ନାମଜାଦା ଓକିଲଙ୍କ ଝିଅ କିନ୍ତୁ ମନ୍ଦାକିନୀର ବାପା ଥିଲେ ସାଧାରଣ ବେତନଭୋଗୀ ଏକ ସରକାରୀ କର୍ମଚାରୀ । କଲେଜକୁ ସୁନନ୍ଦା ଭଲ ଶାଢ଼ି ପିନ୍ଧି, ପରିପାଟୀ କରି ବେଣୀ ବାନ୍ଧି ଯାଉଥିଲେ ଓ ମନ୍ଦାକିନୀ କଲେଜ ବେଲ୍ ବାଜିବାର ଅବ୍ୟବହିତ ପୂର୍ବରୁ ଅଲରାବାଳରେ ଚିରୁଣୀ ଟିକେ ମାରି, କେବେ କେବେ ଭୁଲବଶତଃ ଶାଢ଼ିକୁ ଓଲଟା ପିନ୍ଧି ଧଇଁସଇଁ ହୋଇ ଗେଟ୍ ଭିତରେ ପ୍ରବେଶ କରୁଥିଲା । ମନ୍ଦାକିନୀକୁ ଦେଖି ସେତେବେଳେ ଅନ୍ୟ ଝିଅମାନେ ହସି ଉଠୁଥିଲେ, ହେଲେ ତାର ସେହି ସରଳତା ହିଁ କଲେଜ ଜୀବନର ଆରମ୍ଭରୁ ସୁନନ୍ଦାଙ୍କୁ ଆକୃଷ୍ଟ କରିଥିଲେ । କିନ୍ତୁ ପୂର୍ବର ସମସ୍ତ ବନ୍ଧୁତ୍ଵକୁ ଭୁଲି ସୁନନ୍ଦା ମନ୍ଦାକିନୀକୁ ସେଦିନ ରାତିରେ ମନେ ମନେ ଅନେକ ଗାଳି ଦେଇଥିଲେ ।

 

ଦିଲ୍ଲୀ ଫ୍ଲାଟରେ ସେହି ସନ୍ଧ୍ୟାରେ ମଧ୍ୟ ସେ ବିଭୂତିବାବୁଙ୍କୁ କମ୍ ଘୃଣା କରି ନଥିଲେ । ବିଭୂତିବାବୁ ନିଜର ସିଦ୍ଧାନ୍ତ କହିବା ପରେ ସେ ବିଭୂତିବାବୁଙ୍କୁ କାପୁରୁଷ ବୋଲି ଧିକ୍‌କାର କରିଥିଲେ, କାରଣ ସେ ନିଜେ ଯେ ପ୍ରକୃତରେ କଣ ଚାହାନ୍ତି, ହୁଏତ ନିଜେ ମଧ୍ୟ କେବେ ଭାବି ଦେଖି ନଥିଲେ, କିମ୍ବା ତାଙ୍କର ଚାହିଁବା ଓ ପାଇବା ମଧ୍ୟରେ ସବୁବେଳେ ଏକ ଗଭୀର ବ୍ୟବଧାନ ରହି ଯାଉଥିଲା ।

 

ଜୀବନରେ ନିଜର ସୁଖର ଆଧାର ବୋଲି ଯାହାକୁ ଭାବିଥିଲେ, ସେ ସମସ୍ତଙ୍କୁ ହରାଇବା ପାଇଁ ପଡ଼ିଥିଲା ତାଙ୍କୁ । ପିତାଙ୍କ ଆଦର ପାଇ ସେ ବୟସରେ ଅନେକ ବଡ଼ ଭାଇଙ୍କୁ ଡରୁ ନ ଥିଲେ, ବୋଉଙ୍କର ଆକଟକୁ ଗ୍ରହଣ କରୁ ନ ଥିଲେ । ସେହି ସ୍ନେହମୟ ପିତାଙ୍କୁ କଲେଜ ଜୀବନର ଆରମ୍ଭରେ ଅଚାନକ ଭାବରେ ହରାଇ ବସିଲେ ।

 

ପିତା ବଞ୍ଚିଥିବା ସମୟରେ ଯେ ତାଙ୍କୁ ଅନେକ ଗାଳିଦେଇ ଶାସନ କରୁଥିଲେ, ପିତାଙ୍କ ମୃତ୍ୟୁ ପରେ ସେହି ଜନନୀ ଦୁଃଖରେ ଶଯ୍ୟାଶାୟୀ ହୋଇ ଅନେକ ବଦଳି ଯାଇଥିଲେ । ସୁନନ୍ଦାଙ୍କୁ ପାଖରେ ପାଇବା ମାତ୍ରେ ଆଖିର ଲୁହ ପୋଛି କୋମଳ କଣ୍ଠରେ କେବଳ ଉପଦେଶ ହିଁ ଦେଉଥିଲେ ସେ । ତାଙ୍କ ବିବାହର ଦୁଇମାସ ପରେ ମାତ୍ର ସେହି ସ୍ନେହମୟୀ ଜନନୀ ଚିର ବିଦାୟ ନେଲେ । ମୃତ୍ୟୁ ପୂର୍ବରୁ ନିଜର ଅଲିଅଳୀ ଝିଅକୁ ସେ ଯାହା ହାତରେ ତୋଳି ଦେଇଥିଲେ, ସେହି ଶାଶୁଙ୍କୁ ମଧ୍ୟ ବେଶୀ ଦିନ ଧରି ରଖି ପାରିଲେ ନାହିଁ ସୁନନ୍ଦା ।

 

ଏବଂ ବିଭୂତିବାବୁ…ଯାହାଙ୍କୁ ଏକଦା ନିଜର ସୁଖ-ସୌଭାଗ୍ୟର ପ୍ରଧାନ ଉତ୍ସ ବୋଲ ଭାବି ସେ ଶାଶୁଘରେ ପାଦ ଦେଇଥିଲେ, ନିଜ ହାତରେ ହିଁ ପରେ ଦୁହିଁଙ୍କ ମଧ୍ୟରେ ବ୍ୟବଧାନର ଏକ ବିରାଟ ପାଚେରୀ ତୋଳି, ତାଙ୍କୁ ଜୀବନରୁ ଆଡ଼େଇ ଦେଇଥିଲେ ।

 

ଆଉ ସୁଧୀର–

 

ସୁନନ୍ଦାଙ୍କର ମନେହେଲା, ସେ ଜୀବନରେ ସବୁ ହିସାବ ଭୁଲ କରି ବସିଛନ୍ତି, କାରଣ ତାଙ୍କୁ ଭଲଭାବରେ ଅଙ୍କ କଷି ଆସେନାହିଁ । ଅନେକ ଦିନ ପରେ ମନ୍ଦାକିନୀ ରାୟ କଥା ଟ୍ରେନ୍‌ରେ ବସି ମନେ ପଡ଼ିଲା ସୁନନ୍ଦାଙ୍କର ଓ ତା ସହିତ ସେହି ନିର୍ବୋଧ ଝିଅଟାକୁ, ଯେ ଦିନେ ପରମ ସୌଭାଗ୍ୟବତୀ ବୋଲି ନିଜକୁ ଧରି ନେଇ ମନେ ମନେ ଖୁବ୍ ଗର୍ବ କରୁଥିଲା ।

 

ମନ୍ଦାକିନୀକୁ ସେ ଅନେକ ଥର ନିଜ କୋଠରୀରେ ଟ୍ରେନ୍ ଦେଖାଇଛନ୍ତି । ସେତେବେଳେ ମନ୍ଦାକିନୀ କହିଥିଲା–‘ଧେତ୍ ! ଛୁଆଙ୍କ ଭଳି ତୁ ଏତେ ଟ୍ରେନ୍ କଣ ଦେଖୁ ?” ସେହି ମନ୍ଦାକିନୀ କଷ୍ଟ କରି ପାଠ ପଢ଼ିଛି, ଜୀବନରେ ସର୍ବତୋଭାବେ ସୁଖୀ ହୋଇ ସ୍ୱାମୀ ସହିତ ଲଣ୍ଡନରେ ଚାକିରି କରୁଛି ଏବଂ ସେ ନିଜେ ଏକ ଟ୍ରେନ୍ ପାଲଟି ଯାଇଛନ୍ତି ଯାହାର ନିର୍ଦ୍ଦିଷ୍ଟ ପଥ ଅଛି ଅଥଚ ତାହା ସରଳ ନୁହେଁ’, ଅଙ୍କାବଙ୍କା ଓ ପଥ ଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ଟ୍ରେନ୍ ପରି ଗୋଟିଏ ଗୋଟିଏ ଷ୍ଟେସନରେ କିଛି ସମୟ ପାଇଁ ଅଟକି ବାକି ସାରା ଜୀବନ ସେ କେବଳ ଘୂରି ବୁଲୁଥିବେ ।

 

(ସାତ)

 

ଟ୍ରେନ୍ ଖୁବ୍ ଜୋରରେ ହଲୁଛି, ଜୋରରେ ସିଟି ବଜାଉଛି, ଚିତ୍କାର କରୁଛି ଝୁକ୍-ଝୁକ୍-ଝୁକ୍ । ସୁଧୀର ସେହି ପ୍ରକୃତିର । ନିଜର ଅସ୍ତିତ୍ଵ ବଜାୟ ରଖିବା ପାଇଁ ଖୁବ ବ୍ୟଗ୍ର ସେ । ଘରେ ଯେତେ ସମୟ ଥାଏ, ଅନବରତ ଗପେ । ରେକର୍ଡ଼ ବଜାଏ ନ ହେଲେ ବେସୁରା କଣ୍ଠରେ ଗୀତ ଗାଇବାକୁ ଆରମ୍ଭ କରେ । ସେ ସବୁବେଳେ ଖୁସିଥାଏ–ଚିର ଚଞ୍ଚଳ ସୁଧୀର । ବିଭୂତିବାବୁ ଠିକ୍ ତାର ଓଲଟା । ଅଫିସରୁ ଫେରି ଖୁବ୍ ଆସ୍ତେ କରି କଲିଂବେଲ୍ ଚିପିବେ, ଯେପରି କି ସେ ଅନ୍ୟ ଜଣେ ଲୋକର ଘର ଠିକଣା ପଚାରିବା ପାଇଁ ଏ ହାରରେ ଡାକୁଛନ୍ତି ।

 

ସାମ୍ନା ସିଟ୍‌ରେ ବସିଥିବା ଭଦ୍ରଲୋକଙ୍କୁ ଚାହିଁଲେ ସୁନନ୍ଦା । ଏତେ ସମୟ ଧରି ଟ୍ରେନ୍‌ରେ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ତାଙ୍କୁ ଭଲ ଭାବରେ ଲକ୍ଷ୍ୟ କରି ନଥିଲେ । ଭଦ୍ରଲୋକଙ୍କୁ ଚିହ୍ନା ଚିହ୍ନା ଲାଗିଲା ସୁନନ୍ଦାଙ୍କୁ । ଆଗରୁ କେଉଁଠି ଦେଖିଥିବା ପରି ମନେ ହେଲା । ସୁନନ୍ଦାଙ୍କର ସ୍ମରଣ ଶକ୍ତି ଅଭୁତ ପ୍ରକାରର ଥିଲା । ଜଣେ ଲୋକକୁ ଥରେ ମାତ୍ର ଦେଖିଲେ ସେ ତାର ମୁହଁଟା ସବୁଦିନେ ମନେ ରଖି ଥାଆନ୍ତି, ଅଥଚ ବର୍ଷ ବର୍ଷ ଧରି ଏକାଠି ପାଠ ପଢ଼ିଥିବା ସାଙ୍ଗମାନଙ୍କର ନାଁ ଏବେ ସେ ମନେ ପକାଇ ପାରନ୍ତି ନାହିଁ ।

 

ହଁ, ମନେ ପଡ଼ିଲା । ଏ ସେହି ଭଦ୍ରଲୋକ ।

 

ବିଭୂତିବାବୁ ବାବୁନ୍‌କୁ ନେଇ ଓଡ଼ିଶା ଫେରିଯିବାର ଠିକ୍ ହେଲା ପରେ ବିଭୂତିବାବୁ କହିଥିଲେ, “ତମେ ଚାହଁ ଯଦି କୋର୍ଟକୁ ଯାଇପାର । ମୁଁ କିନ୍ତୁ ତା ଚାହେଁ ନାହିଁ । ବାପା ମରିଗଲା ପରେ ବି ଆମ ବଂଶରେ ଯେଉଁ ସୁନାମ ଟିକକ ଅଛି, ସେଥିରେ ମୁଁ କାଳି ଲେସିବା ପାଇଁ ଇଚ୍ଛା କରୁନାହିଁ । ତା ଛଡ଼ା ବାବୁନ୍‌ର ଭବିଷ୍ୟତ”–

 

ସୁନନ୍ଦା ବିଭୂତିବାବୁଙ୍କର କୌଣସି କଥାରେ ପ୍ରତିବାଦ କରି ନଥିଲେ, କୌଣସି ଆଦେଶକୁ ଅମାନ୍ୟ କରି ନଥିଲେ, କିନ୍ତୁ ତାଙ୍କର ଶେଷ କଥାଟିକୁ ସେ ଯେତେ ଚେଷ୍ଟା କଲେ ମଧ୍ୟ ରକ୍ଷାକରି ପାରିଲେ ନାହିଁ ।

 

‘‘ତମେ ଷ୍ଟେସନ ଯିବାର କିଛି ଦରକାର ନାହିଁ, ତେଣୁ ନ ଯିବା ହିଁ ଭଲ ।”

 

ସୁନନ୍ଦା ସ୍ତମ୍ଭୀଭୂତ ହୋଇ ଅନେକ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିଲେ । ତାଙ୍କୁ ଲାଗିଥିଲା ଯିବାର ଅବ୍ୟବହିତ ପୂର୍ବରୁ ତାଙ୍କୁ ସବୁଠାରୁ ବଡ଼ ଆଘାତ ଦେଇ ଯାଉଛନ୍ତି ବିଭୂତିବାବୁ–ତମେ ଅସତୀ, ତମ ଲଗି ମୋ ସଂସାର ଉଚ୍ଛନ୍ନ ହୋଇଗଲା । ସମାଜ ଆଗରେ ମୋ ମୁଣ୍ଡ ତଳକୁ ହୋଇଗଲା । ତେଣୁ ତମ ମୁହଁ ମୁଁ ଆଉ ଦେଖିବା ପାଇଁ ଚାହେଁ ନାହିଁ । ଏ ସମସ୍ତ ଅଭିବ୍ୟକ୍ତିକୁ କେବଳ ଗୋଟିଏ ଧାଡ଼ିରେ ଶେଷ କଲେ ବିଭୂତିବାବୁ, ‘‘ତମେ ଷ୍ଟେସନ ଯିବ ନାହିଁ”, ଓ ତା ପରେ ସେ ସ୍ଥାନ ଛାଡ଼ି ଉଠି ଚାଲି ଯାଇଥିଲେ ।

 

ବିଭୂତିବାବୁଙ୍କର ଗାଡ଼ି ଚାଲିଯିବା ପରେ ସେ ସୁଧୀର ସହିତ ତାଙ୍କୁ ଅନୁଗମନ କରିଥିଲେ । ଷ୍ଟେସନରେ ପହଞ୍ଚି ସୁଧୀର ବିଭୂତିବାବୁଙ୍କ ନିକଟକୁ ଆଗେଇ ଯାଇଥିଲେ, କିନ୍ତୁ ସୁନନ୍ଦା ପାରି ନଥିଲେ । ଯେଉଁଟା ସୁଧୀର କରିପାରିଥିଲା ସେଟା ସେ କରିବା ପାଇଁ ସାହସ କରି ନଥିଲେ । ତେଣୁ ହୁଇଲରରୁ ପତ୍ରିକା ଖଣ୍ଡେ କିଣି ତାର ଭିତରେ ଅଧା ମୁହଁ ଲୁଚାଇ ସେ ବିଭୂତିବାବୁ ଓ ବାବୁନ୍‌କୁ ଶେଷଥର ପାଇଁ ଦେଖିଥିଲେ ।

 

ବିଭୂତିବାବୁଙ୍କୁ ଅନେକ ଲୋକ ଦେଖା କରିବା ପାଇଁ ଷ୍ଟେସନ ଆସିଥିଲେ । ସେ କାହା ସହ ହାତ ମିଳାଇ, କାହା କାନ୍ଧରେ ହାତ ରଖି କଥା ହେଉ ଥାଆନ୍ତି । ବିଭୂତିବାବୁଙ୍କର ଯେ ଦିଲ୍ଲୀରେ ଏତେ ବନ୍ଧୁ ଥିଲେ, ସେ କଥା ଜାଣି ସୁନନ୍ଦା ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ ।

 

ସେମାନଙ୍କ ମଧ୍ୟରୁ କେହି କେହି ବାବୁନ୍‍କୁ ଆଦର କରୁଥାଆନ୍ତି, ତା ସହିତ କଥା ହେଉ ଥାଆନ୍ତି । ଟ୍ରେନ୍‍ର ଏହି ଭଦ୍ର ଲୋକଟି ସେ ଦିନ ବିଭୂତିବାବୁଙ୍କ ସହିତ ହାତ ମିଳାଇ ତାପରେ ବାବୁନ୍‍ର ହାତ ଧରି ଭିଡ଼ କାଟି ବାହାରି ଆସିଥିଲେ ଓ ବାବୁନ୍‌କୁ କିଛି ଗପବହି ଓ ଲଜେନ୍‌ସ କିଣି ଦେଇ ତା ପରେ ଯଥା ସ୍ଥାନକୁ ଫେରି ଯାଇଥିଲେ । ସେ ଦିନ ସେ ଭଦ୍ରଲୋକଙ୍କ ପ୍ରତି ସୁନନ୍ଦାଙ୍କ ମନଟା କୃତଜ୍ଞତାରେ ଭରି ଯାଇଥିଲା । ଅନେକ ବର୍ଷ ପରେ ସେହି ଭଦ୍ରଲୋକ ତାଙ୍କର ସହଯାତ୍ରୀ-

 

ଭଦ୍ରଲୋକଙ୍କ ନିକଟରେ ଜଣେ ମହିଳା ବସିଥିଲେ । ବର୍ତ୍ତମାନ ସେ ଭଦ୍ରମହିଳା ଜୋରରେ ହସି ଉଠିବାରୁ ସୁନନ୍ଦା ତାଙ୍କୁ ଅନାଇଲେ ଓ ଚାରିଆଡ଼େ ଚାହିଁ ତାଙ୍କର ହଠାତ୍ ହସିବାର କାରଣ ଖୋଜିବାକୁ ଲାଗିଲେ । ଭଦ୍ରମହିଳାଙ୍କ ହସ ବନ୍ଦ ହୋଇଗଲା । ସେ କିନ୍ତୁ ନିଜ ସ୍ଥାନରେ ଆଉ ବସିଲେ ନାହିଁ, ଉଠି ଆସି ସୁନନ୍ଦାଙ୍କ ନିକଟରେ ବସିଲେ ।

 

ଭଦ୍ରଲୋକ ଖୁବ୍ ନରମ ସ୍ଵର କରି ଡାକିଲେ–“ଅନୁ, ଆଓ । ଇଧର୍ ନହିଁ ବୈଠୋଗେ-?’’

 

“ନହିଁ”–ରୁକ୍ଷ ସ୍ଵରରେ ଜବାବ ଦେଲେ ଭଦ୍ର ମହିଳା ।

 

ଭଦ୍ରମହିଳା ନିଶ୍ଚୟ ଉକ୍ତ ଭଦ୍ରଲୋକଙ୍କ ସ୍ତ୍ରୀ । ହଠାତ୍ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା ଅଥଚ ସେ ନିଜେ କିଛି ଜାଣି ପାରିଲେ ନାହିଁ ? ଆଶ୍ଚର୍ଯ୍ୟ ହେଲେ ସୁନନ୍ଦା !

 

“କିଛି ମନେ କରିବେ ନାହିଁ ଆଜ୍ଞା”–ସୁନନ୍ଦା ଦେଖିଲେ ଭଦ୍ରଲୋକ ତାଙ୍କୁ ହିଁ ଲକ୍ଷ୍ୟ କରି ହିନ୍ଦୀରେ କହୁଛନ୍ତି ।

 

“ସେ ପାଗଳ । କାର ଆକ୍‌ସିଡ଼େଣ୍ଟରେ ତାର ସ୍ଵାମୀ ମରିଯିବା ପରଠାରୁ ସେ ପାଗଳ ହୋଇ ଯାଇଛି ।’’

 

ଭଦ୍ରମହିଳା ଜଣକ ମୁହଁରେ ଲୁଗାଦେଇ ଏହା ଭିତରେ ସୁଁ ସୁଁ ହେଇ କାନ୍ଦିବାକୁ ଆରମ୍ଭ କରିଛନ୍ତି । ହଠାତ୍ ସେ ସୁନନ୍ଦାଙ୍କ, ନିକଟରୁ ଉଠିଗଲେ । ଭଦ୍ରଲୋକଙ୍କ କୋଳରେ ମୁହଁ ଗୁଞ୍ଜି ଆତୁର ହୋଇ କାନ୍ଦିବାକୁ ଲାଗିଲେ–‘‘ଭୈୟା ମେରା ସବକୁଛ ଖୋଗୟା–ମୈଁ ଲୁଟଗୟି ଭୈୟା….-।”

 

କି ନିରାଟ ସତକଥା–ମୈଁ ଲୁଟଗୟି ।

 

ଭଦ୍ରମହିଳାଙ୍କ ବିକଳ କ୍ରନ୍ଦନରେ ସୁନନ୍ଦାଙ୍କ ଆଖିରେ ଲୁହ ଚାଲି ଆସିଲା । ତାଙ୍କର ଇଚ୍ଛା ହେଲା, ସେ ମଧ୍ୟ ସେହିପରି ଜୋରରେ କାନ୍ଦି କହନ୍ତେ, ‘‘ମେରା ସବ୍‌କୁଛ ଖୋଗୟା….” କିନ୍ତୁ ତାଙ୍କଠାରୁ ତ ଜବରଦସ୍ତ କେହି ଲୁଟି ନେଇ ନାହିଁ, ଛଡ଼ାଇ ନେଇ ନାହିଁ । ସେ ଅନେକ କିଛି ହାତ ମୁଠାରେ ପାଇଛନ୍ତି ଓ ପୁଣି ତାକୁ ଜାଣି ଜାଣି ହଜାଇ ଦେଇଛନ୍ତି ।

 

ସୁନନ୍ଦାଙ୍କର ସେ ମହିଳାଙ୍କର ମୃତ ସ୍ଵାମୀ ଉପରେ ରାଗ ଆସିଲା । ହୁଏତ ଖୁବ୍ ବାହାଦୁରୀ ଦେଖାଇ ଜୋରରେ ଗାଡ଼ି ଚଳାଉଥିବ ବା ଦୂରରୁ ଟ୍ରେନ୍‍କୁ ଦେଖି ସୁଦ୍ଧା ଲାଇନ୍‌ ଟପି ଚାଲିଯିବା ପାଇଁ ଚେଷ୍ଟା କରିଥିବ, ଯାହା ଫଳରେ ନିଜେ ମୃତ୍ୟୁବରଣ କରିଛି ଓ ସ୍ତ୍ରୀକୁ କରିଛି ବଦ୍ଧ ପାଗଳ ।

 

ବିଭୂତିବାବୁ ମଧ୍ୟ ତାଙ୍କୁ ପାଗଳ କରିଛନ୍ତି । ଜଣଙ୍କର ସ୍ଵାମୀ ମୃତ୍ୟୁବରଣ କରି ସ୍ତ୍ରୀକୁ ପାଗଳ କରିଛି ଓ ଆଉ ଜଣେ ସ୍ତ୍ରୀ ଭଲ ଥିଲେ ମଧ୍ୟ ତାକୁ ପାଗଳ ଆଖ୍ୟା ଦେଇଛି ।

 

ବିଭୂତିବାବୁ ଦିଲ୍ଲୀ ଛାଡ଼ି ଚାଲିଯିବା ପରେ ସୁଧୀର ସହିତ ସୁନନ୍ଦା ଏକ ନୂଆ ଫ୍ଲାଟକୁ ଚାଲି ଯାଇଥିଲେ । କିଛି ଦିନ ନୀରବ ରହିବା ପରେ ସେ ବାବୁନ ଖବର ଜାଣିବା ପାଇଁ ଭୀଷଣ ବ୍ୟଗ୍ର ହୋଇପଡ଼ିଥିଲେ । ତେଣୁ ଭାଉଜଙ୍କୁ ଚିଠି ଦେଇଥିଲେ, ବାବୁନ କଥା ପଚାରିଥିଲେ ଓ ସେ ଚିଠିର ଉତ୍ତର ପାଇଥିଲେ–‘‘ବାବୁନ ଭଲରେ ଅଛି । ଭଲ ପଢ଼ୁଛି । ଏଠାକୁ କେବେ କେବେ ଆସେ-। ସେ ଜାଣେ, ତମେ ପାଗଳ ହୋଇଯାଇଛ । ଚିକିତ୍ସା ପାଇଁ ଦିଲ୍ଲୀରେ ଅଛ । ….ଏ କଣ କଲ ନନ୍ଦା-? ବିଭୂତିବାବୁଙ୍କ ପରି ଲୋକ ତମର ପସନ୍ଦ ହେଲା ନାହିଁ ? ବାପା, ବୋଉ ଥିଲେ ଆଜି କି ଦୁଃଖ ପାଇ ଥାଆନ୍ତେ କହିଲ ?’’

 

ସେ ଚିଠି ପାଇ ବିଭୂତିବାବୁ ତାଙ୍କର ପସନ୍ଦଯୋଗ୍ୟ କି ନାହିଁ, ତା ଆଉ ଥରେ ଭାବି ଦେଖି ନଥିଲେ । ସୁନନ୍ଦା, “କିନ୍ତୁ ବାବୁନ୍‌ ଯେ ଭଲରେ ଅଛି, ସେ କଥା ଜାଣି ଆଶ୍ଵସ୍ତ ହୋଇଥିଲେ । କାରଣ ଭାଉଜ ଲେଖିଥିଲେ–“ବିଭୂତିବାବୁ ବାବୁନ୍‌ର ଏତେ ଯତ୍ନ ନେଉଛନ୍ତି ଯେ, ନ ଦେଖିଲେ ବିଶ୍ଵାସ କରି ହେବ ନାହିଁ । ତାର ପଢ଼ା, ଖାଇବା ଠାରୁ ଆରମ୍ଭ କରି ଟିକିନିଖି ସବୁ ଖବର ସେ ବୁଝୁଛନ୍ତି । ତମେ ବି ହୁଏତ ତା ପାରନ୍ତ କି ନାହିଁ ।”

 

କଳ୍ପନା କରିଥିଲେ ସୁନନ୍ଦା, ବାବୁନ୍ କହୁଛି–“ଜାଣ ମାଇଁ, ମାମୀ ପାଗଳ ହୋଇ ଯାଇଛି-। ସେଥିପାଇଁ ବାପି ତାକୁ ଛାଡ଼ି ଦେଇ ଆସିଲେ । ମାମୀ ପୁଣି କେବେ ଆସିବ-? ଭଲ ହୋଇଗଲେ ନାଁ । ?” ଭାଉଜ ହୁଏତ ମନେ ମନେ କହିଥିବେ, ‘‘ଆଉ ତୋ ମାମୀ ଫେରିବ ନାହିଁରେ, ତାର ସେ ପାଗଳାମୀ କେବେ ବି ଭଲ ହେବ ନାହିଁ ।’’ କିନ୍ତୁ ଆଜି ସେ ଫେରୁଛନ୍ତି-। ଅତୀତର ସମସ୍ତ ସିଦ୍ଧାନ୍ତକୁ ବ୍ୟର୍ଥ କରି ସେ ଓଡ଼ିଶାକୁ ଫେରି ଆସୁଛନ୍ତି ।

 

ସାମ୍ନା ସିଟ୍‌କୁ ଚାହିଁଲେ ସୁନନ୍ଦା । ଭଦ୍ରଲୋକ ନିଜ ହାତରେ ପୁରୀ ଛିଣ୍ଡାଇ ଭଉଣୀକୁ ଖୁଆଇ ଦେଉଛନ୍ତି । ସୁନନ୍ଦାଙ୍କର ଇଚ୍ଛା ହେଲା, ତାଙ୍କୁ ପଚାରିବେ, ଆପଣ ବିଭୂତିବାବୁଙ୍କୁ ଚିହ୍ନନ୍ତି ? ବିଭୂତି ମହାପାତ୍ର, ଆଇ. ଏ ଏସ୍…. ମୋଟା ହୋଇ ଭଦ୍ରଲୋକ ? .....ଭଦ୍ରଲୋକ ନିଶ୍ଚୟ ପଚାରିବେ, ମହାପାତ୍ର ? କିନ୍ତୁ ତତ୍‌କ୍ଷଣାତ୍‌ ମନେ ପଡ଼ିଯିବ ତାଙ୍କର ଓ ସେ ହସି ହସି କହିବେ, ମିଷ୍ଟର ମହାପାତ୍ରଙ୍କ କଥା କହୁଛନ୍ତି, ଯେ ରେଭିନ୍ୟୁ ଡିପାର୍ଟମେଣ୍ଟରେ ଥିଲେ ? ଓଃ ଖୁବ୍ ଅନେଷ୍ଟ ଅଫିସର, ଭେରି ଏଫିସିଏଣ୍ଟ…. ।

 

ଭଦ୍ରଲୋକ ନିଶ୍ଚୟ ବିଭୂତିବାବୁଙ୍କର ବହୁତ ପ୍ରଶଂସା କରିବେ । କିନ୍ତୁ ନାଁ–ସେ ତାଙ୍କୁ କିଛି ପଚାରିବେ ନାହିଁ, କାରଣ ଭଦ୍ରଲୋକ ଯଦି ପ୍ରଶଂସା କରୁ କରୁ ଅଟକି ଯାଇ ହଠାତ୍‌ ପଚାରିବେ, ସେ ଆପଣଙ୍କର କଣ ହୁଅନ୍ତି ?

 

(ଆଠ)

 

ଫ୍ଲାସ୍କ ଖୋଲି କଫି ଢାଳିଲେ ସୁନନ୍ଦା । ସାଣ୍ଡଉଇଚ ପ୍ୟାକେଟଟିକୁ ବାସ୍କେଟରୁ କାଢ଼ିଲେ–ନାଁ ଥାଉ । ପେଟରେ ଆଦୌ ଭୋକ ନାହିଁ, କିନ୍ତୁ କଣ୍ଠରେ ଅଦମ୍ୟ ତୃଷ୍ଣା । ଦୂରରେ ମୋଗଲସରାଇ ଷ୍ଟେସନର ଆଲୋକମାଳା ଦିଶୁଛି । ସୁଧୀର ସହିତ ସେ ଏହି ଆଠବର୍ଷ ଭିତରେ ଅନେକ ବୁଲିଛନ୍ତି, ଅନେକ ଯାଗା ଦେଖିଛନ୍ତି, କିନ୍ତୁ ମୋଗଲସରାଇ କେବେ ଆସି ନାହାନ୍ତି । କାରଣ ସୁଧୀର ତାଙ୍କୁ ଡାଲ୍‌ଲେକଠାରୁ ଆଇଫେଲ୍‌ ଟାୱାର ପର୍ଯ୍ୟନ୍ତ ଅନେକ ଯାଗାକୁ ନେଇଛି, କିନ୍ତୁ ମୋଗଲସରାଇରେ ତାଙ୍କ ହାତ ଧରି ଟ୍ରେନରୁ ଓହ୍ଲାଇ ଯାଇନାହିଁ ।

 

“ସୁଧୀର, ଚାଲ ଥରେ ମୋଗଲସରାଇ ଯିବା ।”

 

ସୁନନ୍ଦାଙ୍କ କଣ୍ଠର ଆକୁଳତାରେ ହସିଥିଲା ସୁଧୀର । ଛୋଟ ଯାଗାଟାଏ । କଣ ଅଛି ଦେଖିବାରେ ? ତଥାପି ସେ ମନା କରି ନଥିଲା ।

 

‘‘ଆଚ୍ଛା ଦିନେ ଯିବା ।”

 

କିନ୍ତୁ ସେ ଦିନ କେବେ ହେଲେ ଆସି ନ ଥିଲା । ଯିବେ ବୋଲି କେତେ ଥର ଭାବି ସେମାନେ ଅଲଗା ଯାଗାକୁ ଯାଇଥିଲେ, କିନ୍ତୁ ମୋଗଲସରାଇ ନୁହେଁ । ମୋଗଲସରାଇରେ କିଛି ଦେଖିବାକୁ ନାହିଁ, କିଣିବାକୁ ଅଛି । ରଙ୍ଗଦିଆ ମାଟି ଜିନିଷ । ଉପରୁ ସୁନ୍ଦର ଦିଶେ । ଜୋର ଦେଲେ ଭାଙ୍ଗିଯାଏ । କିନ୍ତୁ କେଉଁ ଜିନିଷ ଭାଙ୍ଗେ, କିଏ ଭାଙ୍ଗେ ନାହିଁ, ସେ କଥା କେବେ ଭାବି ଦେଖି ନାହାନ୍ତି ସୁନନ୍ଦା । ଭଲ ଲାଗିଲା, ଆପଣାର କରିବେ । ତାହାହିଁ ତାଙ୍କର ନୀତି ଥିଲା ଓ ମନରେ ଥିଲା ଅଦମ୍ୟ କୌତୂହଳ ।

 

ନିଜ ମନକୁ ତଳେଇ କରି ଦେଖିଲେ ସୁନନ୍ଦା-ସତେ ତ ! ସତର ବର୍ଷ ବୟସର ଆଗ୍ରହ ତାଙ୍କର ତିରିଶ ବର୍ଷରେ ମଧ୍ୟ ଅଦମନୀୟ ରହିଥିଲା ।

 

କଲେଜରୁ ଫେରି ଟେବୁଲ ଉପରେ ବହିପତ୍ର ଫୋପାଡ଼ି ଦେଇ ସୁନନ୍ଦା ଧାଇଁ ଯାଉଥିଲେ ବୋଉଙ୍କ ନିକଟକୁ, ରୁଗ୍‌ଣା ମାତାଙ୍କର ଶଯ୍ୟାଧାର ନିକଟକୁ । ପଛରୁ ପଣତ ଟାଣି ଧରିଲେ ଭାଉଜ, ‘‘ନନ୍ଦା, ଖାଇସାରି ବୋଉଙ୍କ ପାଖକୁ ଯିବ । ଆସ, ଭାତ ଥଣ୍ଡା ହୋଇଯାଉଛି ।”

 

ଭାଉଜଙ୍କ ହାତରୁ ନିଜକୁ ମୁକ୍ତ କରିବା ପାଇଁ ଚେଷ୍ଟା କଲେ ସୁନନ୍ଦା, ‘‘ଛାଡ଼ ଭାଉଜ, ମୁଁ ଟିକେ ଖାଲି ବୋଉକୁ ଦେଖି ଆସେ, ଖାଇବି ।”

 

–“ଏବେ ଯାଅନା । ବୋଉ ଏଇ ଟିକକ ଆଗରୁ ଶୋଇ ପଡ଼ିଛନ୍ତି । ଗଲେ କାଳେ ନିଦ ଭାଙ୍ଗିଯିବ ।”

 

ଭାଉଜଙ୍କ ସଙ୍ଗେ ଖାଇବା ଘରକୁ ଆସିଲେ ସୁନନ୍ଦା, କିନ୍ତୁ ଭାତରେ ଡାଲି ଗୋଳାଉ ଗୋଳାଉ ବୋଉଙ୍କ ଶୋଇବା ଘରୁ କଥାବାର୍ତ୍ତାର ଶବ୍ଦ ଶୁଣିଥିଲେ ।

 

“ବୋଉ ଉଠିଲାଣି ଭାଉଜ । କାହା ସଙ୍ଗେ କଥା ହେଉଛି ?”

 

ଅଳ୍ପ ହସି ଭାଉଜ କହିଥିଲେ–‘‘ମନ୍ଦା ମାଉସୀଙ୍କ ସଙ୍ଗରେ ।”

 

––“ତମେ ମତେ ମିଛ କହିଲ । ବୋଉ ତ ତା’ହେଲେ ଶୋଇ ନଥିଲା ।”

 

ପୁଣି ଥରେ ହସିଲେ ଭାଉଜ । ସୁନନ୍ଦାଙ୍କ ନିକଟକୁ ଘୁଞ୍ଚି ଆସି କହିଥିଲେ, “ତମ ବାହାଘର କଥା ହେଉଛନ୍ତି ବୋଉ । ମନ୍ଦାମାଉସୀଙ୍କ ପୁଅ ସଙ୍ଗରେ ମାର୍ଗଶୀରରେ ତମ ବାହାଘର କରିଦେବା ପାଇଁ ବୋଉ ଚାହାନ୍ତି ।”

 

––କୋଉ ପୁଅ ? ନିଲୁ ଭାଇ ?

 

––ହେଃ, ସେ କଣ ତାଙ୍କ ପୁଅ ? ପୁତୁରା ନା ! ତାଙ୍କ ପୁଅ ଆଇ. ଏ. ଏସ୍. ପାଇ ନାହାନ୍ତି ? କଲିକତାରେ ଚାକିରି କରୁଛନ୍ତି ।

 

––ଏହେ–ସେ ମୋଟୁ ?

 

ହସିଥିଲେ ସୁନନ୍ଦା । ଭାଉଜ ମଧ୍ୟ । ମୁହଁ ତଳକୁ ପୋତି ଖାଉ ଖାଉ ସୁନନ୍ଦାଙ୍କର ଇଚ୍ଛା ହୋଇଥିଲା, ବୋଉ ମନ୍ଦାମାଉସୀଙ୍କ ସଙ୍ଗେ କଣ କଥା ହେଉଛନ୍ତି ଚୁପି-ଚୁପି ଯାଇ ଶୁଣନ୍ତେ କିମ୍ବା କେବେ ମନ୍ଦାମାଉସୀଙ୍କ ଘରକୁ ଯାଇ ତାଙ୍କ ପୁଅକୁ ଭଲ କରି ଦେଖିଲେ ମନ୍ଦ ହୁଅନ୍ତା ନାହିଁ ।

 

ମନ୍ଦା ମାଉସୀ ସୁନନ୍ଦାଙ୍କ ବୋଉଙ୍କର ଭଉଣୀ ନ ଥିଲେ, ଥିଲେ ଅନ୍ତରଙ୍ଗ ବାନ୍ଧବୀ । ସ୍ଵାମୀଙ୍କୁ ହରାଇବା ପରେ ସୁନନ୍ଦାଙ୍କ ବୋଉ ବିଛଣା ଧରିଥିଲେ । କ୍ରମାଗତ ଭାବରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜାଣିପାରିଥିଲେ, ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ । ତା ପୂର୍ବରୁ ସୁନନ୍ଦାଙ୍କ ବିବାହ କାମ ଛିଣ୍ଡାଇ ଦେଲେ ସେ ନିଶ୍ଚିନ୍ତରେ ଆଖି ବୁଜିବେ ବୋଲି ଭାବି ମନ୍ଦାମାଉସୀଙ୍କୁ ପ୍ରସ୍ତାବ ଦେଇଥିଲେ ।

 

“ଆହା, ଗଲା ବର୍ଷ ନନ୍ଦା ଫ୍ରକ୍ ଛାଡ଼ି ଶାଢ଼ି ପିନ୍ଧିଲା । ତାକୁ ଗୋଟାଏ କଣ ବାହା ଦବୁ ? ଏଡ଼େ ଟିକେ ଛୁଆ, ବିଭୁଠାରୁ ନ’ଦଶ ବର୍ଷ ସାନ ହେବ ।”

 

ଝର ଝର ଲୁହ ଝରି ଆସିଲା ସୁନନ୍ଦାଙ୍କ ବୋଉଙ୍କ ଆଖିରୁ । ମନ୍ଦାମାଉସୀଙ୍କ ହାତ ଧରି ପକାଇ କହିଥିଲେ, ‘‘ତୁ ମନା କରନି ମନ୍ଦା । ତୋ’ରି ହାତରେ ମୁଁ ମୋ ଝିଅକୁ ଟେକି ଦଉଛି । ତୁ ତାର ମାଆ । ...ପୁଅ ତୋର ଏତେ ବଡ଼ ଚାକିରି କରିଛି । କେତେ ଯୌତୁକ ଆଣି ଥାଆନ୍ତା । ହେଲେ ନନ୍ଦା ଲାଗି ମୁଁ ନିଶ୍ଚିନ୍ତରେ ମରି ପାରିବି ନାହିଁ । ତୁ ମତେ କଥା ଦେ ।”

 

କବାଟ ଏ ପଟରୁ କାନ ପାରି ସବୁ ଶୁଣିଲେ ସୁନନ୍ଦା । ମନ୍ଦା ମାଉସୀଙ୍କର ‘‘ମୋଟୁ ପୁଅ’’କୁ ପୁଣି ଥରେ ମନେ ପକାଇଥିଲେ, ଯାହାକୁ ସେ ଥରେ ମାତ୍ର ଦେଖିଥିଲେ, ମନ୍ଦାମାଉସୀଙ୍କ ଘର ଛାତ ଉପରେ । ହାତରେ ଥିଲା ଏଡ଼େ ମୋଟା ଇଂରାଜୀ ବହି ।

 

ଫିକ୍ କରି ହସି ପକାଇଥିଲେ ସୁନନ୍ଦା-ସେଇ ଲୋକ ତାଙ୍କର ବର ହେବ !!

 

ବିବାହ କରି ଭବିଷ୍ୟତରେ ସେ ସୁଖୀ ହେବେ କି ନାହିଁ, ସେ କଥା ଚିନ୍ତା କରି ନଥିଲେ ସୁନନ୍ଦା, କିନ୍ତୁ ଖୁସି ନିଶ୍ଚୟ ହୋଇଥିଲେ । ସ୍ଵାମୀଙ୍କ ଜିଦ୍ ଯୋଗୁ” ଯଦିଓ ତାଙ୍କୁ ପୁଣି କଲେଜ ଯିବା ପାଇଁ ପଡ଼ିଲା, ତେବେ ପଢ଼ାର ତାଗିଦ ଦେବା ଲୋକଟି ଖୁବ୍ ଶୀଘ୍ର କଲିକତା ବିଦାୟ ନେଲା । ରାତି ନ’ଟାରେ ରାତି ଖାଇବା ସରିଯାଏ ଓ ଶାଶୁ ଶୋଇ ପଡ଼ନ୍ତି । ତା’ ପରେ ଲୁଡ଼ୋଖେଳ ଆରମ୍ଭ ହୁଏ । ନୀଲୁ ଭାଇ, ନଣନ୍ଦ ରେଣୁ ଓ ସୁନନ୍ଦା । ଦିନେ ଦିନେ ରାତି ବାରଟା ବାଜେ, ତଥାପି ଖେଳ ସରେ ନାହିଁ ।

 

ଶାଶୁ ଥିଲେ ଶାନ୍ତ, ସରଳ ଓ ସ୍ନେହୀ ମଣିଷ । ଛୁଟି ଦିନରେ ସୁନନ୍ଦାଙ୍କୁ ଡାକି ବିଭିନ୍ନ ରନ୍ଧା ଶିଖାଇବା ବ୍ୟତୀତ ସୁନନ୍ଦାଙ୍କ ଉପରେ ସେ ଆଉ କୌଣସି ଦାବୀ ଜାହିର କରୁ ନଥିଲେ । ନିଜର ପ୍ରିୟ ବାନ୍ଧବୀ ମୃତ୍ୟୁଶଯ୍ୟାରେ ଯେଉଁ ଅସୀମ ବିଶ୍ଵାସରେ ଝିଅକୁ ତାଙ୍କ ହାତରେ ତୋଳି ଦେଇଥିଲେ । ସେ ବିଶ୍ଵାସରେ ତିଳେ ହେଲେ ସେ ଧୂଳି ଦେଇ ନ ଥିଲେ । ତେଣୁ ଅତିଶୀଘ୍ର ସେ ଭୁଲି ଯାଇଥିଲେ, ସୁନନ୍ଦା ତାଙ୍କର ଝିଅ ନୁହେଁ, ବୋହୂ । ସେଥିପାଇଁ ସୁନନ୍ଦାଙ୍କର ରେଣୁ ଓ ନିଲୁ ଭାଇଙ୍କ ସହ ସିନେମା ଦେଖା, ଛାତ ଉପରେ ଗପ କରିବା ଇତ୍ୟାଦିରେ ଦିନ ଗୁଡ଼ିକ ଖୁବ୍ ଭଲରେ କଟୁଥିଲା ।

 

ସେହି ଉଚ୍ଛଳ ଜୁଆରରେ ଭଟ୍ଟା ପଡ଼ିଲା, ଯେତେବେଳେ ୟୁନିଭରସିଟିର ପରୀକ୍ଷା ଫଳ ବାହାରିଲା !

 

ବିଭୂତିବାବୁ ସୁନନ୍ଦାଙ୍କୁ କଲିକତା ନେଇ ଯିବା ପାଇଁ ଆସିଥିଲେ । କିନ୍ତୁ ତା ହୋଇ ପାରିଲା ନାହିଁ, କାରଣ ସୁନନ୍ଦାଙ୍କୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପୁଣି ଥରେ ପଢ଼ାପଢ଼ି ଆରମ୍ଭ କରିବା ପାଇଁ ପଡ଼ିଲା । ତେବେ ଏତିକି ସାନ୍ତ୍ଵନା ଥିଲା, ରେଣୁ ତା ପୂର୍ବରୁ ମାଟ୍ରିକ୍ ଫେଲ ହୋଇଥିଲା ଓ ନିଲୁ ଭାଇଙ୍କର ମଧ୍ୟ ବି. ଏ. ପାଶ୍‌ର ବିଶେଷ ସମ୍ଭାବନା ନଥିଲା ।

 

ଅନେକ ବର୍ଷର ପୁରୁଣା ସୁନନ୍ଦାକୁ ମନେ ପକାଇଲେ ସୁନନ୍ଦା । ସେତେବେଳେ ସେ ଚାହୁଁଥିଲେ ଟ୍ରେନ୍ ସାଙ୍ଗରେ ଧାଇଁବା ପାଇଁ, ନୌକା ସହିତ ଭାସି ବୁଲିବା ପାଇଁ ଓ ପକ୍ଷୀମାନଙ୍କ ସହିତ ଗୀତ ଗାଇ ଉଡ଼ିବା ପାଇଁ; କିନ୍ତୁ ଭାଇଙ୍କ ଭୟରେ ସେ ଏକୁଟିଆ ଦ୍ୱାରବନ୍ଧ ମଧ୍ୟ ଟପିବାର ସାହସ କରୁ ନଥିଲେ ।

 

ନିଲୁଭାଇ ତାଙ୍କୁ ପ୍ରଥମ ଭାସିବା ଶିଖାଇ ଥିଲେ, ଉଡ଼ି ବୁଲିବାର ପ୍ରଥମ ସ୍ଵାଦ ଚଖାଇଥିଲେ । ସହରର ପ୍ରତ୍ୟେକଟି ସିନେମା, ଥିଏଟରର ଖବର ରଖୁଥିଲେ ନିଲୁଭାଇ ଓ ଶାଶୁଙ୍କ ଠାରୁ ଅନୁମତି ନେବାର ଦାୟିତ୍ଵ ସୁନନ୍ଦାଙ୍କୁ ଦିଆ ଯାଉଥିଲା । ବିଭୂତିବାବୁ ଆସିଲେ କିନ୍ତୁ ସେ ସବୁ ବନ୍ଦ ହୋଇ ଯାଉଥିଲା । ତିନିଜଣ ଯାକ ସନ୍ଧ୍ୟାବେଳୁ ପାଠ ପଢ଼ି ବସି ଯାଉଥିଲେ । ପରୀକ୍ଷା ପାଇଁ କିଭଳି ଭାବରେ ପ୍ରସ୍ତୁତ ହୋଇଛି ବୋଲି ବିଭୂତିବାବୁ ପଚାରିଲେ ସୁନନ୍ଦା କେବଳ ମୁଣ୍ଡ ଟୁଙ୍ଗାରୁଥିଲେ । ସେତେବେଳେ ତାଙ୍କୁ ଲାଗୁଥିଲା ସେ ନିଜର ସ୍ଵାମୀ ନୁହନ୍ତି, କଲେଜର ପ୍ରିନ୍‌ସପାଲଙ୍କ ସହିତ କଥା ହେଉଛନ୍ତି । ତଥାପି ବିଭୂତିବାବୁ କଲିକତାରୁ ଆସିଲେ ସେ ଖୁସି ହେଉଥିଲେ, ତାଙ୍କ ଚିଠିକୁ ଆଗ୍ରହରେ ପଢ଼ୁଥିଲେ ଓ ପଢ଼ିସାରି ବାକ୍‌ସରେ ସାଇତି ରଖୁଥିଲେ ।

 

ସୁନନ୍ଦାଙ୍କର ମନେହେଲା, ଶେଷ ପର୍ଯ୍ୟନ୍ତ ହୁଏତ ସେ ଦୁହିଁଙ୍କ ମଧ୍ୟରେ ସେହି ଗୁରୁ-ଛାତ୍ରର ବ୍ୟବଧାନ ହିଁ ରହି ଯାଇଥିଲା ।

 

(ନଅ)

 

ସୁଧୀର ସହିତ ଷ୍ଟେସନରୁ ଫେରି ସୁନନ୍ଦା । ସିଧା ନୂଆ ଫ୍ଲାଟକୁ ଯାଇଥିଲେ । ସୁଧୀର ଘର ଖୋଲିଲା ପରେ ସେ ତାର ଅନୁଗମନ କରିଥିଲେ, କିନ୍ତୁ ଘରଟି କେମିତିଆ, କେତେଟା ଝରକା ଅଛି, ବାଲ୍‌କୋନି ଅଛିକି ନାହିଁ, ସେ ସବୁ ଦେଖିବା ପୂର୍ବରୁ ଆଖିବୁଜି ଦେଇଥିଲେ ଓ ସେହି ବୁଜିବା ଅବସ୍ଥାରେ ସେ ସୁଧୀରର ଘରକୁ ଅନୁଭବ କରିବାକୁ ଲାଗିଲେ, କଳ୍ପନା କଲେ ଓ ତାଙ୍କୁ ଲାଗିଲା ସେ ସ୍ଥାନର ବାୟୁରେ ଏକ ସମ୍ମୋହକ ବାସ୍ନା ଅଛି, ଯାହା ସହିତ ସେ ମୋଟେ ପରିଚିତ ନୁହନ୍ତି ।

 

“ନନ୍ଦା’’-

 

ସୁଧୀର ଡାକୁଛି । ରାତି ବେଶୀ ହୋଇଯିବ ନନ୍ଦା । ତମେ ଶାଢ଼ି ବଦଳି ଦିଅ ! ପ୍ରସାଧନ କର । ଆଜି କୌଣସି ଏକ ଭଲ ହୋଟେଲକୁ ଯିବା ।

 

ଆଉ ହୋଟେଲ ନୁହେଁ ସୁଧୀର । ଘରକୁ ଆସି ପୁଣି ହୋଟେଲ ଯିବା ନାହିଁ । ମୁଁ ଯେତେ କ୍ଳାନ୍ତ ହେଲେ ବି ଆଜି ହାତରେ ରାନ୍ଧି ତମକୁ ଖୁଆଇ ପାରିବି ।

 

ହସିଲା ସୁଧୀର । ସୁନନ୍ଦାଙ୍କ ନିକଟରେ ଆସି ଠିଆ ହୋଇ କହିଲା–‘କଣ ରାନ୍ଧିବ ? ଘରେ ବର୍ତ୍ତମାନ ଡିଆସିଲିର ଗୋଟାଏ ଖୋଳ ସୁଦ୍ଧା ନାହିଁ କିମ୍ବା ଲୁଣ ଚାମୁଚେ ମଧ୍ୟ ନାହିଁ ।’’

 

କିନ୍ତୁ କାହିଁକି ? ସପ୍ତାହେ ହେଲା ଏ ନୂଆ ଫ୍ଲାଟ ଭଡ଼ା ନେଇଛି ସୁଧୀର । ଡ୍ରଇଂରୁମ ପାଇଁ ନୂଆ ଫର୍ଣ୍ଣିଚର କିଣିଛି । ବେଡ୍ ରୁମରେ ଦୁଇ ଜଣଙ୍କ ପାଇଁ ପ୍ରଶସ୍ତ ଏକ ଖଟ ପକାଇଛି, ଅଥଚ ରାନ୍ଧିବାର କୌଣସି ସରଞ୍ଜାମ ରଖି ନାହିଁ ?

 

‘‘ସେ ସବୁ ମୋ କାମ ନୁହେଁ ଡାର୍ଲିଂ । ଡ୍ରଇଂରୁମ, ବେଡ୍‍ରୁମର ଫର୍ଣ୍ଣିଚର ମୁଁ କିଣିବି । କେଉଁଠି ଅଧିକା ପଙ୍ଖା ବା ପ୍ଲଗ୍ ପଏଣ୍ଟ ଲାଗିବ ଦେଖିବି, କିନ୍ତୁ ଘର ସବୁ ପରିପାଟୀ କରି ସଜାଇବା ପାଇଁ, ରନ୍ଧା ଘରର ସରଞ୍ଜାମ କିଣିବା ପାଇଁ ତ ମୋର ଏଥର ଲୋକ ଆସି ଯାଇଛି ।

 

ସୁନନ୍ଦା ସୁଧୀରକୁ ଚାହିଁଲେ । ତାର ଆଖିରେ ଖେଳୁଥିବା ଆବେଗର ଗଭୀରତା ମାପିଲେ । ଦୁଇ ହାତରେ ତାର ବାହୁକୁ ଜଡ଼ାଇ ଧରି କହିଲେ–“ଆଉ ଥରେ କୁହ ସୁଧୀର । ସେ କଥା ଥରେ ନୁହେଁ, ବାରମ୍ବାର କୁହ ।”

 

ଫ୍ଲାଟ୍‌ଟି ଥିଲା ଛୋଟ, କିନ୍ତୁ ସୁଦୃଶ୍ୟ । ସୁଧୀର ଅଫିସ ଠାରୁ ତାହା ବେଶୀ ଦୂର ନ ଥିଲା ବୋଲି ସୁନନ୍ଦା ତାକୁ ପସନ୍ଦ କରିଥିଲେ, ଖୁବ୍ ଆଗ୍ରହରେ ରୁଚିପୂର୍ଣ୍ଣ କରି ସଜାଇଥିଲେ, ଦାମୀ ଓ ସୁନ୍ଦର-ସୁନ୍ଦର ଜିନିଷ କିଣି ଆଣି ଘରଟିକୁ ମନୋରମ କରି ତୋଳିଥିଲେ । ବିଲଡ଼ିଂର ସମସ୍ତଙ୍କ ସହିତ ବନ୍ଧୁତ୍ଵ ନଜମାଇଲେ ମଧ୍ୟ ଜଣେ ଦୁଇଜଣଙ୍କ ସହିତ ଘନିଷ୍ଠ ହେଲେ । ଗୋଟିଏ ଖୋଳରୁ ବାହାରି ଅନ୍ୟ ଏକ ଖୋଳରେ ପଶି ସମସ୍ତଙ୍କ ସହିତ ପରିଚୟ ସ୍ଥାପନ କଲେ ସୁନନ୍ଦା, ମିସେସ୍ ରୂପେନ୍‌ୱାର, ସୁଧୀର ଚନ୍ଦ୍ର ରୂପେନ୍ ୱାରର ସ୍ତ୍ରୀ ।

 

ସୁଧୀର ନାହିଁ–ଅଫିସ ଯାଇଛି । ଲଞ୍ଚ ଖାଇବା ପାଇଁ ଘରକୁ ଆସେ ନାହିଁ ସୁଧୀର । ସୁନନ୍ଦା ସଂଧ୍ୟା ପର୍ଯ୍ୟନ୍ତ ଘରେ ଏକା ରହନ୍ତି । ରେଡ଼ିଓ ବଜାନ୍ତି, ଗୁଣୁ ଗୁଣୁ ହୋଇ ଗୀତ ଗାଆନ୍ତି, ନୂଆ ଶିଖୁଥିବା ନାଚ ଲେସନ ଅଭ୍ୟାସ କରନ୍ତି । କେବେ-କେବେ ମନ ହେଲେ ବ୍ୟାଗ୍ ଖଣ୍ଡେ ଧରି ବଜାର ଯାଆନ୍ତି । କିଛି ଜିନିଷ କିଣନ୍ତି, ଚାରିଆଡ଼େ ଘୂରି ଘୂରି ଉଇଣ୍ଡୋ ସପିଂ କରନ୍ତି । ଏପରି ଭାବରେ ନିର୍ଦ୍ଦିଷ୍ଟ କୌଣସି ଜିନିଷ କିଣିବାର ଲକ୍ଷ୍ୟ ନ ରଖି ଦୋକାନରୁ ଦୋକାନ ବୁଲିବା ପାଇଁ ଭଲ ଲାଗେ ସୁନନ୍ଦାଙ୍କୁ । ସେ ଏବେ ଆଉ ଦିଲ୍ଲୀର କନର୍ଟ ପ୍ଲେସ୍‌ରେ ହଜିଯିବାର ଭୟ କରନ୍ତି ନାହିଁ, ଏକୁଟିଆ ବଜାର କରିବା ପାଇଁ ସଂକୋଚ ବୋଧ କରନ୍ତି ନାହିଁ କିମ୍ବା ପଞ୍ଜାବୀ ଡ୍ରାଇଭର ତାଙ୍କୁ ଅପହରଣ କରି ନେଇଯିବ ବୋଲି ଭାବି ଭୟରେ ଥରି ଉଠନ୍ତି ନାହିଁ । ଏକ ଶୁଖିଲା ପତ୍ର ପରି ମନ ଇଚ୍ଛା ଅନିର୍ଦ୍ଦିଷ୍ଟ ସ୍ଥାନରେ ଓ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘୂରି, ପୁଣି ଫେରି ଆସନ୍ତି ସେ ନିଜର ଶାନ୍ତ, ସୁନ୍ଦର, ଟିକି ଫ୍ଲାଟ୍‌କୁ ।

Unknown

 

ସେହିପରି ଏକ ଅଳସ ମଧ୍ୟାହ୍ନରେ ସୁନନ୍ଦା ଘର ସଜାଡ଼ୁ ସଜାଡ଼ୁ ସୁଧୀରର ସାର୍ଟ ପକେଟରୁ ଏକ ଚିଠି ପାଇଲେ । ପୁରୁଣା ଚିଠି, ଚାରି ଦିନ ତଳର ।

 

ସୁଧୀରର ଅନେକ କମ୍ ଚିଠି ଆସେ । ପ୍ରାୟ ସମସ୍ତ ଚିଠି ଅଫିସ ସମ୍ବନ୍ଧୀୟ ଓ କେବେ କେବେ ସାଙ୍ଗ କେହି ଦିଅନ୍ତି, ତା ଖୁବ୍ କମ୍ । ଅଧିକାଂଶ ଚିଠି ଅଫିସ ଠିକଣାରେ ହିଁ ଆସେ, ତେଣୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଲଡ଼ିଙ୍ଗର ଚିଠି ଲକର ପ୍ରାୟ ଖାଲି ଥାଏ ।

 

ଅଙ୍କା ବଙ୍କା ହାତର ଲେଖା । ଚିଠିର ଭାଷା ହିନ୍ଦୀ । ସୁନନ୍ଦା କୌତୂହଳ ଦମନ କରି ପାରିଲେ ନାହିଁ । ଚିଠିଟି ଖୋଲି ଶେଷ ଭାଗଟା ଦେଖିଲେ–‘ଇତି ସୁଧୀର କି ମାତାଜୀ ।’’

 

ମାଆ । ସୁଧୀରର ମାଆ । ସୁଧୀରର ଯେ ସଂସାରରେ ତାଙ୍କ ବ୍ୟତୀତ ଅନ୍ୟ କେହି ନିଜର ଲୋକ ଥାଇ ପାରେ, ତା ଭାବି କିପରି ଅଶ୍ଵସ୍ତି ବୋଧ କଲେ ସୁନନ୍ଦା । ପୃଥିବୀ ଚାରିପଟେ ସମୁଦ୍ର ଥିଲା ପରି ସେ ସୁଧୀରର ସମସ୍ତ ସତ୍ତାକୁ ନିଜର ଗଭୀରତାରେ ବୁଡ଼ାଇ ରଖି ପୁଣି ନିଜେ ଏକ ଛୋଟ ଜଳାଶୟ ପାଲଟି ସୁଧୀର ଭିତରେ ହଜିଯାଇଛନ୍ତି । ତେଣୁ ସୁଧୀର ଜୀବନରେ ଅନ୍ୟଏକ ନାରୀର ଆବିର୍ଭାବ ସୁନନ୍ଦାଙ୍କୁ ଭଲ ଲାଗିଲା ନାହିଁ ।

 

ସୁଧୀର ଆଜି ପର୍ଯ୍ୟନ୍ତ ତାଙ୍କୁ ନିଜ ପରିବାର ବିଷୟରେ କିଛି କହି ନାହିଁ, ତା ପରିବାର କହିଲେ କେତେଲୋକ ବୁଝାଏ, ତା ଜଣାଇ ନାହିଁ । ହୁଏତ ସୁଧୀରର ଆହୁରି ଅନେକ ଚିଠି ଆସିବ-। କେହି କେହି ଆତ୍ମୀୟ ଆସିବେ–ଭାଇ, ଭଉଣୀ, ଦାଦା, ଖୁଡ଼ୀ.. । କିନ୍ତୁ ସେ ମଧ୍ୟ କେବେ ଥରେ ହେଲେ କହି ନାହାନ୍ତି, ‘‘ସୁଧୀର, ମତେ ତମ ପରିବାର ବିଷୟରେ କୁହ’’ କିମ୍ବା ପଚାରି ନାହାନ୍ତି, ‘‘ତମର କିଏ କିଏ ଆତ୍ମୀୟ ଅଛନ୍ତି ?’’

 

ଚିଠିଟି ସଂପୂର୍ଣ୍ଣ ଖୋଲିଲେ ସୁନନ୍ଦା ଏବଂ ଆଶ୍ଚର୍ଯ୍ୟ ହେଲେ । ଚିଠିଟି ତାଙ୍କୁ ହିଁ ଲେଖା ଯାଇଛି । ସମ୍ବୋଧନ ହୋଇଛି “ପ୍ୟାରି ବେଟୀ” ।

 

ଚିଠିଟି ବେଶୀ ଲମ୍ବା ନୁହେଁ, କିନ୍ତୁ ଅନେକ ଗଭୀର । ସୁଧୀରର ମାଆ ତାଙ୍କୁ ହାତପାତି ସୁଧୀରକୁ ମାଗିଛନ୍ତି । ଏପରି ବିବାହରେ କେହି ସୁଖୀ ହେବେ ନାହିଁ, ଏହା ନିଶ୍ଚିତ । ତେଣୁ ତାଙ୍କୁ ପୁଣି ଥରେ ନିଜ ସଂସାରକୁ ଫେରିଯିବା ପାଇଁ ସେ ଅନୁରୋଧ କରିଛନ୍ତି ।

 

ଆହତ ହେଲେ ସୁନନ୍ଦା, ସ୍ତବ୍‌ଧ ହେଲେ । ସୁଧୀରକୁ ବିବାହ କରିବାର ମାତ୍ର ଦୁଇଟି ମାସ ପରେ ତାଙ୍କୁ ଏପରି ପରସ୍ଥିତିର ସମ୍ମୁଖୀନ ହେବା ପାଇଁ ପଡ଼ିବ, ଏହା ସେ ଆଦୌ ଭାବି ନଥିଲେ । କିନ୍ତୁ ବିବାହ ! ! ସେ ସୁଧୀରକୁ ତ ଆଇନ ସମ୍ମତ ବିବାହ କରି ନାହନ୍ତି । ସୁଧୀର ତାଙ୍କୁ ପଚାରିଥିଲା, ସେ ରାଜି ହୋଇ ନଥିଲେ । ଜମିବାଡ଼ି ପରି ବିବାହଟାକୁ ସେ ରେଜିଷ୍ଟ୍ରିଭୁକ୍ତ କରିବା ପାଇଁ ଚାହିଁ ନ ଥିଲେ । ତେଣୁ କହିଥିଲେ, ବରଂ ଚାଲ ସୁଧୀର, ମନ୍ଦିରରେ ଦେବତାଙ୍କୁ ସାକ୍ଷୀରଖି ବିବାହ କରିବା ।

––‘‘ଦେବତା ନୁହେଁ, ବ୍ରାହ୍ମଣକୁ ସାକ୍ଷୀରଖି କୁହ ।’’

‘‘ମନରେ ସେମିତି ବିଶ୍ଵାସ ଥିଲେ ଠାକୁର ମଧ୍ୟ ସାକ୍ଷୀ ଦେବାକୁ ଆସିବେ ସୁଧୀର । ଓଡ଼ିଶାରେ ଥରେ ଠାକୁର ନିଜେ ସାକ୍ଷୀ ଦେବାପାଇଁ ଆସିଥିଲେ । ବିଚରା ବ୍ରାହ୍ମଣର କପାଳ । ତା’ର ଭୁଲ ଯୋଗୁଁ ଠାକୁର ଅଧାବାଟରେ ପଥର ପାଲଟି ଗଲେ ।’’

ହୋ ହୋ ହୋଇ ହସିଲା ସୁଧୀର । ସୁନନ୍ଦାଙ୍କ କାନ୍ଧରେ ହାତରଖି କହିଲା–‘ପିତୁଳା ପୂଜାର ଆରମ୍ଭ କିପରି ଭାବରେ ହେଲା, ତମେ କଣ ତା ଇତିହାସରେ ପଢ଼ି ନ ? ସେ ଠାକୁର କେବେ ବି ଜୀବନ୍ତ ନଥିଲେ ନନ୍ଦା ସବୁଦିନେ ପଥର ହିଁ ଥିଲେ ।”

ସେତେବେଳେ ସୁନନ୍ଦା ସରଳଵିଶ୍ଵାସୀ ଥିଲେ । ସବୁ ଜିନିଷକୁ ଖୁବ୍ ସହଜରେ ଗ୍ରହଣ କରି ନେଉଥିଲେ । ତା ନ ହୋଇଥିଲେ ଠାକୁରଙ୍କ ସାକ୍ଷୀଦେବା ବିଷୟ ନେଇ ସୁଧୀର ମନରେ ବିଶ୍ଵାସ ଜନ୍ମାଇବା ପାଇଁ ସେଦିନ ଏତେ ଚେଷ୍ଟା କରି ନ ଥାଆନ୍ତେ । ସେ କହିଲେ–‘‘ଏ ଯୁଗରେ ଆମେ ସେସବୁ ବିଶ୍ଵାସ କରିବା ନାହିଁ, କିନ୍ତୁ ଲଙ୍କା, ବୃନ୍ଦାବନ, କୁରୁକ୍ଷେତ୍ର, ଏସବୁ ତ ତାର ପ୍ରତ୍ୟକ୍ଷ ପ୍ରମାଣ । ସତ୍ୟ ଯୁଗରେ ସବୁ ସମ୍ଭବ ହୋଇ ପାରୁଥିଲା । ଏବେ ଆମକୁ ହୁଏତ ସେସବୁ ଆଶ୍ଚର୍ଯ୍ୟ ଲାଗୁଛି ।”

––‘‘ମୋଟେ ନୁହେଁ–ମୋଟେ ନୁହେଁ–ସେତେବେଳେ ବି. ପି. ସି. ସରକାର ଥିଲେ, ସାଇବାବା ଥିଲେ । ସେ ସବୁ ଅବିଶ୍ଵାସ କରିବାର ଆମର କୌଣସି ଅଧିକାର ନାହିଁ । କିନ୍ତୁ ସତ୍ୟଯୁଗ କେଉଁଦିନ ନଥିଲା ନନ୍ଦା, ସୃଷ୍ଟିର ଆରମ୍ଭରୁ ହିଁ କଳିର ଆରମ୍ଭ । ମଣିଷ ନିଜର ଛୋଟ ଛୋଟ ସ୍ଵାର୍ଥ ନେଇ ଅନ୍ୟକୁ କଷ୍ଟ ଦେବା ସବୁ ଯୁଗରେ ଚଳି ଆସିଛି । ବରଂ ୟୁ. ଏନ୍. ଓକୁ ଧନ୍ୟବାଦ–ସେ ପୃଥିବୀରେ କଛିଟା ଶାନ୍ତି ଫେରାଇ ଆଣିବାରେ ସହାୟ ହୋଇଛି । ହୁଏ ତ କେତେ ଶହ ବର୍ଷ ପରେ ୟୁ-ଥାଣ୍ଟଙ୍କୁ ଲୋକେ ଭଗବାନଙ୍କ ଅବତାର ଓ ଇଦି ଅମୀନକୁ କଂସ ବୋଲି ଭାବିବେ ।”

ହାଲ୍‌କା ହସ ହସିଲା ସୁଧୀର; କିନ୍ତୁ ନନ୍ଦା ନୀରବ ରହିଥିଲେ । ସୁଧୀର ତାଙ୍କଠାରୁ ବୟସରେ ସାନ ହେଲେ ମଧ୍ୟ ତାର ଜ୍ଞାନ ସେ ତାଙ୍କ ଠାରୁ ଢେର୍‍ ବେଶୀ ଏକଥା ମନେ ପଡ଼ିଲା ତାଙ୍କର ଓ ତା ସହିତ ମନେ ପଡ଼ିଥିଲା, ସୁଧୀର ମଧ୍ୟ ବିଭୂତିବାବୁଙ୍କ ପରି ଅନେକ ବହି ପଢ଼େ, ସେ ବିଷୟରେ ଚର୍ଚ୍ଚା କରିବାକୁ ଭଲପାଏ ଯେଉଁଥିପାଇଁ ଦିଲ୍ଲୀର ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ ବୟସର ଅନେକ ତାରତମ୍ୟ ଥିଲେ ମଧ୍ୟ ସେ ସୁଧୀରକୁ ହିଁ ବନ୍ଧୁ ଭାବରେ ବାଛି ନେଇଥିଲେ ।

“ଡାର୍ଲିଂ ମୋ ଉପରେ ରାଗିଲ ନା କଣ ? ହଠାତ୍ ଏମିତି ଗମ୍ଭୀର ହୋଇଗଲ ଯେ ?’’

––“ସୁଧୀର ! ତମକୁ ଗୋଟାଏ ଅନୁରୋଧ, ତମେ ମୋ ଆଗର କେବେ ବକ୍ତୃତା ଦେବ ନାହିଁ ।’’

କାରଣ ପଚାରି ନଥିଲା ସୁଧୀର । ସୁନନ୍ଦାଙ୍କ କଥାରେ ସେଦିନ ଆହତ ହେଲା ନାହିଁ, ଆଶ୍ଚର୍ଯ୍ୟ ହେଲା ନାହିଁ, କହିଲା–“ଓଃ ଏଇଥିପାଇଁ ରାଗିଲ ? ନାଁ–ଆଉ କେବେ ତମ ଆଗରେ ବକ୍ତୃତା ଦେବି ନାହିଁ । ସତରେ, ବକ୍ତୃତା ଦବା ପାଇଁ ଭଲ ଲାଗେ ଶୁଣିବାକୁ ବଡ଼ ବୋରିଂ । ....ଆରେ ହଁ, ଅମେ ମନ୍ଦିର ଯିବା ପରା ? ଚାଲ ରେଡ଼ି ହୁଅ ।”

––“ନାଁ, ମନ୍ଦିର ନୁହେଁ । ଖାଇବା ଟେବୁଲ ପାଖକୁ ଚାଲ । ଭାରି ଭୋକ ହେଲାଣି ।” ହସିଥିଲେ ନନ୍ଦା । ସୁଧୀର ମଧ୍ୟ ।

ତା’ ପରଠାରୁ ବିବାହ ରେଜିଷ୍ଟ୍ରି ଅଫିସ ବା ମନ୍ଦିର, କେଉଁଠାକୁ ଯିବାର ପ୍ରଶ୍ନ ଦୁହେଁଯାକ ଆଉ ଉଠାଇ ନଥିଲେ । କାରଣ ସେମାନେ ଯେ ପରସ୍ପରକୁ ବିବାହ କରି ନାହାନ୍ତି, ଏହା କ୍ରମେ ଭୁଲି ଯାଇଥିଲେ ।

ଚିଠିଟି ହାତରେ ଧରି ଅନେକ ଦିନର ପୁରୁଣା କଥାକୁ ଦୋହରାଇ ହେଲେ ସୁନନ୍ଦା । ସେ କଣ ସେଦିନ ସୁଧୀର କଥାରେ ରାଜି ନ ହୋଇ ଭୁଲ କରିଛନ୍ତି ? ଆଉ କିଛିଦିନ ପରେ ସୁଧୀରର ମାଆ ଯଦି ଆସି ହଠାତ୍ ପହଞ୍ଚି ଯିବେ ଓ ତାଙ୍କୁ ଅଙ୍ଗୁଳି ନର୍ଦ୍ଦେଶ କରି କହିବେ, ‘ଯାଆ–ଏଇ ମୁହୂର୍ତ୍ତରେ ମୋ ଘରୁ ବାହାରି ଯା’–ସେତେବେଳେ ସେ କେଉଁଠିକୁ ଯିବେ ? ନିଜ ଘରର ଚାବିକାଠି ହଜାଇ ସେ ଆଜି ସୁଧୀରର ଆଶ୍ରୟରେ, କିନ୍ତୁ ସୁଧୀର କଣ ନିଜ ମାଆଙ୍କ ବିରୁଦ୍ଧରେ ଯାଇ ତାଙ୍କ ହାତ ଧରି ଟାଣିଆଣି କହିବ–‘ନାହିଁ ମା ନନ୍ଦା ମୋର ସ୍ତ୍ରୀ । ସେ ଏ ଘର ଛାଡ଼ି କୁଆଡ଼େ ଯିବ ନାହିଁ ।”

ଚମକି ଉଠିଲେ ସୁନନ୍ଦା–ଫୋନ୍‌ ରିଂ କରୁଛି । ଘଣ୍ଟାରେ ଠିକ୍ ଗୋଟାଏ ପାଞ୍ଚ ବାଜିଛି । ସୁଧୀର ଲଞ୍ଚ ଆୱାରରେ ପ୍ରତିଦିନ ତାଙ୍କୁ ଫୋନ୍ କରେ ।

ସୁନନ୍ଦା ଫୋନ୍ ନିକଟକୁ ଘୁଞ୍ଚିଗଲେ ଓ ରିସିଭର ଉଠାଇବା ପାଇଁ ହାତ ବଢ଼ାଇଲେ, କିନ୍ତୁ ହାତ ପୁଣିଥରେ ଫେରାଇ ଆଣିଲେ । ଫୋନ୍ ରିଂ କରି କରି ନୀରବ ହୋଇଗଲା । ସୁନନ୍ଦା ଏକ ଦୀର୍ଘଶ୍ଵାସ ପକାଇଲେ । ସେ ଅନୁଭବ କଲେ, ତାଙ୍କ ବେକ, କପାଳରେ ଝାଳର ଅନେକ ଛୋଟ ଛୋଟ କଣିକା ସୃଷ୍ଟି ହୋଇଛି । ...କେବଳ ସୁଧୀରର ମାଆ ନୁହନ୍ତି, ସୁଧୀରର ଫୋନ୍ ମଧ୍ୟ ତାଙ୍କୁ ଖୁବ୍ ଡରାଇ ଦେଇପାରେ, ଭାବିଲେ ସୁନନ୍ଦା ।

ଅପରାହ୍ନ ଶେଷ ହେବାର ଅବ୍ୟବହିତ ପୂର୍ବରୁ ଡୋର୍ ବେଲ୍ ବାଜିଲା । ସୁଧୀର ଫେରିଛି । ନିଜ ପାଖରେ ଗୋଟିଏ ଚାବି ଥିଲେ ମଧ୍ୟ ସୁଧୀର ବେଲ୍ ବଜାଏ । ଅନେକ ସମୟରେ ସେ ବେଲ୍ ଟିପିବା ପୂର୍ବରୁ ସୁନନ୍ଦା କବାଟ ଖୋଲି ଦିଅନ୍ତି, କାରଣ ସୁଧୀରର ଲଞ୍ଚ ଆୱାରର ଫୋନ୍ ପରି ତାର ଫେରିବାକୁ ମଧ୍ୟ ସେ ଉତ୍ସୁକ ହୋଇ ଚାହିଁ ରହି ଥାଆନ୍ତି ।

ଲୁଗା ବଦଳାଇ ସୁଧୀର ବାଲ୍‌କୋନିରେ ଯାଇ ବସିଲା । ଚାହା, ଜଳଖିଆ ସହିତ ସୁନନ୍ଦା ତାକୁ ସେଠାରେ ଅପେକ୍ଷା କରୁଥିଲେ ।

ସୁଧୀର କହିଲା–“ଆଜି ଜଣେ ଜ୍ୟୋତିଷକୁ ହାତ ଦେଖାଇ ଥିଲି । ସେ କହିଲା, ଇଭିନିଂରେ ତମେ ନୂଆ ସୁଟ୍ ପିନ୍ଧି ସ୍ତ୍ରୀକୁ ନେଇ କ୍ଳବ୍ ଡିନରକୁ ଯିବ । ’'

କ୍ଲବ୍ ଡିନର । ଓଃ ହଁ । ମନେ ପଡ଼ିଲା ସୁନନ୍ଦାଙ୍କର । ଆଜି ଶନିବାର, କମ୍ପାନୀ କ୍ଳବରେ ଗୋଟାଏ ଡିନରକୁ ସେମାନଙ୍କର ନିମନ୍ତ୍ରଣ ଅଛି ।

କ୍ଲବ୍‌ରେ କିଛି ଫଙ୍କସନ୍ ଥିଲେ ସୁନନ୍ଦା ଖୁସି ହୁଅନ୍ତି, ମନ ଭରି ତାକୁ ଉପଭୋଗ କରନ୍ତି-। ଯିବାର ଅନେକ ଆଗରୁ ସେ କେଉଁ ଶାଢ଼ି, ଗହଣା ପିନ୍ଧି ସେଠାକୁ ଯିବେ, ଠିକ୍ କରି ରଖନ୍ତି । ଅଥଚ ଆଜି ଯେ କ୍ଳବ୍‌ରେ ଏକ ବଡ଼ ପାର୍ଟିର ଆୟୋଜନ ହୋଇଛି, ତା ସେ ପୁରପୁରି ଭୁଲି ବସିଛନ୍ତି ।

“ଡାର୍ଲିଂ ! ନୂଆ ସୁଟ୍‍ଟା କାହିଁ ଦେଖାଅ ।’’

ଗଲା ସପ୍ତାହରେ ସେ ଜୋର କରି ସୁଧୀରର ଏକ ନୂଆ ସୁଟ୍ ବରାଦ ଦେଇଥିଲେ । ଆଜି ସୁଧୀର ଛୋଟ ପିଲାଟି ପରି ସେ ସୁଟ ପାଇଁ ଅଳି କରୁଛି । କିନ୍ତୁ ସେ ତ ଦୋକାନକୁ ଯାଇ ସୁଟଟି ଆଣି ନାହାନ୍ତି ?

ତାଙ୍କ କଥାକୁ ବିଶ୍ଵାସ କରୁ ନାହିଁ ସୁଧୀର–ମିଛ କହୁଛ ! ତମେ ଆଜି ବଜାରକୁ ଯାଇଥିଲ ଏବଂ ତା କେବଳ ମୋ ସୁଟକୁ ଆଣିବା ପାଇଁ । ମତେ ପରା ଜ୍ୟୋତିଷ କହିଛି ।

––ନାଁ । ସୁଧୀର । ରହସ୍ୟ କର ନାହିଁ | ଆଜି ଯେ ପାର୍ଟି ଅଛି ଓ ତମେ ସେଠାକୁ ସୁଟ୍‌ଟା ପିନ୍ଧି ଯିବ, ଏ ସିଦ୍ଧାନ୍ତ ମୁଁ ନିଜେ ଆଗରୁ ନେଇଥିଲେ ମଧ୍ୟ ଠିକ୍ ସମୟରେ ତା ଭୁଲି ବସିଛି-। ଆଜି ବଜାର କଣ, କେଉଁ ଆଡ଼େ ମଧ୍ୟ ଯାଇ ନାହିଁ ।

‘‘ତା ହେଲେ ଫୋନ ଉଠାଇଲ ନାହିଁ କାହିଁକି ନନ୍ଦା ? ଲଞ୍ଚ ଆୱାରରେ ମୁଁ ଫୋନ୍ କରିଥିଲି, ଅଥଚ....”

ନନ୍ଦା ମୁହଁ ତୋଳି ସୁଧୀରକୁ ସିଧା ଚାହିଁଲେ । ଆଖିରେ ଆଖି ମିଳାଇ କହିଲେ–‘ଆଜି ସାରାଦିନ ମୁଁ ଅନେକ ଛଟପଟ ହୋଇଛି ସୁଧୀର । ଡେଣାକଟା ଚଢ଼େଇଟିଏ ପରି ବହୁତ ବିକଳ ହୋଇଛି । ଏ ଘର, ସେ ମତେ ଦିନେ ସ୍ଵପ୍ନ ପୁରୀ ଭଳି ଲାଗିଥିଲା, ଯାହା ଭିତରେ ମୁଁ ମୋର ନୀଡ଼ ରଚନା କରି ପରମ ତୃପ୍ତିରେ ଛୋଟ ଚଢ଼େଇଟିଏ ପରି ଘୁମେଇ ପଡ଼ିଥିଲି, ହଠାତ୍ ସେ ମୋ ପାଇଁ ପଞ୍ଜୁରୀ ପାଲଟି ଗଲା । ହୁଏତ ମୋର ସୁଖର ଦିନ ସରିଗଲା ସୁଧୀର, ବାକି ଦିନଟା ଏଠାରେ କେବଳ ଲୁହ ଢାଳି ବିତାଇବି ।

“କିନ୍ତୁ କାହିଁକି ନନ୍ଦା–ହଠାତ୍ ତମର କଣ ହେଲା ?

ସୁଧୀରର ଏ ସରଳ ପ୍ରଶ୍ନରେ ସୁନନ୍ଦା ତରଳିଗଲେ ନାହିଁ । ତା ନିକଟକୁ ଘୁଞ୍ଚି ଯାଇ କହିଲେ ନାହିଁ–‘‘ସେ କିଛି ନୁହେଁ ସୁଧୀର । ଏମିତି ବ୍ୟସ୍ତ ହେଲେ ତମର ସ୍ଵାସ୍ଥ୍ୟ ଖରାପ ହୋଇ ଯିବ । ଅଫିସରୁ ଫେରିଛ, ଟିକେ ବିଶ୍ରାମ ନିଅ । ସେ ସବୁ କଥା ପରେ ଗପିବା ।”

ବ୍ଲାଉଜ ଭିତରୁ ଚିଠି ଖଣ୍ଡିକ ଟାଣି ଆଣିଲେ ସୁନନ୍ଦା–ଟେବୁଲ ଉପରେ ମେଲାଇ ଧରି କହିଲେ, “ସତଟା କେବେ ହେଲେ ଲୁଚିବ ନାହିଁ ସୁଧୀର । ଯେତେ ଲୁଚାଇଲେ ବି ସେ ଦିନେ ଆତ୍ମପ୍ରକାଶ କରିବ । କିନ୍ତୁ ତମେ ଯେ ମତେ ଦିନେ ଏମିତି ଭାବରେ ପ୍ରତାରଣା କରିବ…”

କଣ୍ଠ ରୁଦ୍ଧ ହୋଇ ଆସିଥିଲା ସୁନନ୍ଦାଙ୍କର, କିନ୍ତୁ ସେ ନିଜକୁ ଦୃଢ଼ କଲେ । ନାଁ ସେ ଆଖିର ଲୁହ ଝରାଇ ସୁଧୀର ଆଗରେ ନିଜର ଦୁର୍ବଳତା ପ୍ରକାଶ କରିବେ ନାହିଁ ।

ଚିଠିଟା ଉପରେ ଥରେ ମାତ୍ର ଆଖି ବୁଲାଇ ଆଣି ସୁଧୀର ମୁହଁ ତଳକୁ କଲା ଓ ତାପରେ ହଠାତ୍ ଉଠିଯାଇ ପାରାପେଟ୍ ନିକଟରେ ଠିଆ ହେଲା ।

 

ସୁନନ୍ଦା ଦେଖିଲେ ସୁଧୀର ସିଗାରେଟ୍‌ରେ ନିଆଁ ଧରାଇ ଆକାଶକୁ ଅନେକ ଧୂଆଁ ଛାଡ଼ୁଛି । ତାଙ୍କ ଆଡ଼କୁ ପଛ କରି ଠିଆ ହୋଇଛି ସୁଧୀର । ଗୋଟାଏ ଛୋଟ ବାଲ୍‌କୋନିରେ ଅଳ୍ପ କେତେ ଫୁଟ ବ୍ୟବଧାନରେ ଦୁହେଁ ରହିଛନ୍ତି । କିନ୍ତୁ ତାଙ୍କୁ ଲାଗିଲା ସେ ଦୁହିଁଙ୍କ ମଧ୍ୟରେ ଏକ ବିରାଟ ପ୍ରାଚୀର ଠିଆ ହୋଇଯାଇଛି–ସେ ସୁଧୀର ମାଆଙ୍କ ଚିଠି ।

 

ସୁନନ୍ଦାଙ୍କର ଇଚ୍ଛା ହେଲା ସେ ଯାଇ ସୁଧୀର ନିକଟରେ ଠିଆ ହେବେ । ସୁଧୀର ସହିତ ମିଶି ଆକାଶରେ ଉଡ଼ୁଥିବା ଛୋଟ ଛୋଟ ପକ୍ଷୀମାନଙ୍କୁ ଦେଖିବେ, ହାଲ୍‌କା ପବନକୁ ଉପଭୋଗ କରିବେ । ସୁଧୀରର ଆହୁରି ଘନିଷ୍ଠ ହୋଇ କହିବେ, ଆମେ ବି ଏମିତି ଉଡ଼ିପାରିଲେ କେତେ ମଜା ହୁଅନ୍ତା ନାଁ ?

 

ଏପରି ଭାବରେ ସେ ଚେୟାରରେ ଚୁପ ଚାପ ବସି ରହିବା ଓ ସୁଧୀର ତାଙ୍କ ଆଡ଼କୁ ପଛ କରି ଠିଆ ହୋଇ ସିଗାରେଟ୍ ଧୂଆଁରେ ରିଙ୍ଗ୍ କରିବା ଭଲ ଲାଗିଲା ନାହିଁ ସୁନନ୍ଦାଙ୍କୁ ।

 

ସେ ଉଠି ଶୋଇବା ଘରକୁ ଚାଲିଗଲେ । ବେଶୀ ସମୟ କିନ୍ତୁ ଏପରି ଭାବରେ କଟିଲା ନାହିଁ । କାରଣ ସୁଧୀର ଅଳ୍ପ ସମୟ ପରେ ଆସି ଶୋଇବା ଘରର ଲାଇଟ ଲଗାଇଲା, ହାଲ୍‌କା ନୀଳ ଲାଇଟ । ତାପରେ ସୁନନ୍ଦାଙ୍କ ନିକଟରେ ଶୋଇ ପଡ଼ିଲା ।

 

––‘‘ନନ୍ଦା ! ତୁମକୁ ମୋର ଅନେକ କଥା କଥା କହିବାର ଅଛି । ମୋ କଥା ସବୁ ଶୁଣିସାରି ତା ପରେ ମୋ ଉପରେ ମନ ଇଚ୍ଛା ରାଗିପାର । କିନ୍ତୁ ପ୍ରଥମେ କୁହ, ମୋ କଥା ଵିଶ୍ଵାସ କରିବ ତ ?"

 

––‘‘ତମକୁ ଦିନେ ଅସୀମ ବିଶ୍ଵାସ କରି ମୁଁ ମୋର ଘର ସଂସାର ଛାଡ଼ି ଥିଲି ସୁଧୀର, ଆଜି ତମ କଥାକୁ ବିଶ୍ଵାସ କରିବି ନାହିଁ ? –ମନରେ ଭାବିଲେ ମଧ୍ୟ ପାଟି ଖୋଲିଲେ ନାହିଁ । ପୂର୍ବପରି ତକିଆରେ ମୁହଁ ମାଡ଼ି ଶୋଇ ରହିଲେ ।

 

––“ତମର ମନେ ଥିବ ନନ୍ଦା, ଆମେ ଥରେ କଣ ଗୋଟାଏ ସିନେମା ଯାଇଥିଲେ–ତମେ, ମୁଁ ଓ ମି: ମହାପାତ୍ର । ଇଣ୍ଟରଭାଲରେ ମୁଁ ଉଠିଯାଇ ଜଣେ ଲୋକ ସଙ୍ଗେ କଥାବାର୍ତ୍ତା ହୋଇଥିଲି । ଡେଙ୍ଗା ହୋଇ ପତଳା ଲୋକ, ମୋ ଠାରୁ ବୟସରେ ଅନେକ ସାନ । ଖୁବ୍ ସଫା ଦେହର ଅଙ୍ଗ । ...ହୁଏତ ତମେ ଭୁଲି ଯାଇଛ । ପ୍ରକାଶ ଏଇଠି ୟୁନିଭରସିଟିରେ ପଢ଼େ । ମୋର ସମ୍ପର୍କୀୟ ହେବ–ମାନେ ଭାଉଜଙ୍କ ସାନ ଘଇ ।”

 

ମୁହଁ ତୋଳିଲେ ସୁନନ୍ଦା–‘ତମେ ତ ମତେ କେବେ ଏଠି ତମର ଆତ୍ମୀୟ ଅଛନ୍ତି ବୋଲି କହିନ ?"

 

‘‘ତମେ ମତେ କେବେ ପଚାରିନ । କିନ୍ତୁ ସେ ପଚାରିଥିଲା । ସେ ଦିନ ସିନେମା ହଲରେ ସେ ପଚାରିଥିଲା ଓ ମୁଁ ଉତ୍ତର ଦେଇଥିଲି, ମୋର ବନ୍ଧୁ ଓ ବନ୍ଧୁପତ୍ନୀ । ତାପରେ ମାସକ ତଳେ ତା ସଙ୍ଗେ ରାସ୍ତାରେ ଦେଖା ହୋଇଥିଲା । ତମେ କାରରେ ବସିଥିଲ, ମୁଁ ସିଗାରେଟ କଣିବାକୁ ଯାଇଥିଲି । ସେ ପୁଣି ଥରେ ପଚାରିଲା ଓ ମୁଁ କହିଲି, ମୋର ଧର୍ମ ପତ୍ନୀ ।”

 

“ଏବଂ ତାପରେ ସେ ସୁନ୍ଦର ଭାବରେ ବନେଇ ଚୁନେଇ ମୋ ବିଷୟରେ ତମ ମାଆଙ୍କୁ ଲେଖିଲେ, ସେଇଆ ନାଁ । ?” ତକିଆ ଉପରୁ ମୁହଁ ଉଠାଇ ସିଧା ହୋଇ ବସିଲେ ସୁନନ୍ଦା ।

 

––ନାଁ । ଡାର୍ଲିଂ, ସେ ସେପରି ପିଲା ନୁହେଁ । ୟୁନିଭରସିଟିର ନାମକରା ଛାତ୍ର ସେ । କେବଳ ପାଠ ନୁହେଁ, ଅନେକ ଜିନିଷରେ ତାର ଭଲ ନାଆଁ ଅଛି । ସେ ଏପର୍ଯ୍ୟନ୍ତ ଆମ ବିଷୟରେ କାହାରି ନିକଟକୁ ଲେଖି ନଥିବ, ଏଟା ନିଶ୍ଚିତ । …ମା’ଙ୍କ ନିକଟକୁ ମୁଁ ନିଜେ ଲେଖିଥିଲି । "

 

––ତମେ ନିଜେ ?" ଆଶ୍ଚର୍ଯ୍ୟ ହୋଇ ସୁଧୀର ଆଡ଼େ ଚାହିଁ ରହିଲେ ସୁନନ୍ଦା । ‘‘କାହିଁକି ସୁଧୀର ? ମୋର ସବୁ ଇତିହାସ ଲେଖି ନ ଥିଲେ କଣ ଚଳି ନ ଥାଆନ୍ତା ? ସେମିତି କରି କି ଲାଭ ପାଇଲେ ?"

 

––‘‘ତମରି କଥା ଯଦି ତମକୁ ଫେରାଇ ଦିଏ ନନ୍ଦା–ସତଟା କେବେ ଲୁଚିବ ନାହିଁ, ଯେତେ ଲୁଚାଇଲେ ବି ସେ ଦିନେ ଆତ୍ମପ୍ରକାଶ କରିବ ? ନନ୍ଦା, ତମେ ମୋ ମାଆଙ୍କୁ ଜାଣିନ, ଦେଖିନ । କିନ୍ତୁ ମୁଁ ତାଙ୍କରିଠାରୁ ଜନ୍ମ, ତାଙ୍କରି କୋଳରେ ମଣିଷ । ତାଙ୍କୁ ନ ଜଣାଇ ଏପରି ଭାବରେ ବାହାହୋଇ ପଡ଼ି ମୁଁ ଅନୁତାପ କରି ନାହିଁ, କିନ୍ତୁ ପ୍ରକାଶ ସହିତ ଦେଖାହେଲା ପରେ ମତେ ଲଗିଲା, ଏହା ପରେ ମାଆଙ୍କୁ ନ ଜଣାଇବା ଉଚିତ ହେବ ନାହିଁ ।

 

ତା ସତ୍ତ୍ୱେ ମୁଁ ମାଆଙ୍କୁ ସଙ୍ଗେ ସଙ୍ଗେ ଚିଠି ଲେଖିଲି ନାହିଁ । ଭାବିଚିନ୍ତି କିଛି କରିବା ପାଇଁ ସମୟ ନେଲି । ହଠାତ୍ ମୋର ପ୍ରକାଶ କଥା ମନେ ପଡ଼ିଲା । ସେ ମଝିରେ ମଝିରେ ମତେ ଅଫିସକୁ ଫୋନ୍ କରେ । ସେଦିନ ମୁଁ ତାକୁ ମତେ ଅଫିସରେ ଦେଖା କରିବା ପାଇଁ କହିଲି । …ତମେ ହୁଏତ ଭାବିବ ତାଠାରୁ ମୁଁ କାହିଁକି ଉପଦେଶ ନେଲି । କିନ୍ତୁ ତମେ ପ୍ରକାଶକୁ ଜାଣିନ । ବଡ଼ ସ୍ଥିତପ୍ରଜ୍ଞ ସେ । ସବୁକାମ ଭାବିଚିନ୍ତି କରେ । ଆଗରୁ ମଧ୍ୟ ଥରେ-ଦି' ଥର ମୁଁ ତା ସଙ୍ଗେ ପରମର୍ଶ କରିଛି ।

 

ପ୍ରକାଶ ଉପଦେଶ ଦେଲା, ତମକୁ ନେଇ ଲକ୍ଷ୍ନୌ ଯିବା ପାଇଁ । କାରଣ ପ୍ରଥମେ ମାଆ ବିରକ୍ତ ହେଲେ ବା ଅଭିମାନ କଲେ ମଧ୍ୟ ଦୁଇଦିନ ପରେ ସେ ବଦଳି ଯିବେ । ତାହାହିଁ ମାଆଙ୍କ ପ୍ରକୃତି । କିନ୍ତୁ ଅଫିସରେ ମୋ ଉପରେ କାମର ଚାପ ଏପରି ପଡ଼ିଛି ଯେ, ଆଗାମୀ ଦୁଇମାସ ପର୍ଯ୍ୟନ୍ତ ମତେ ଛୁଟି ମିଳିବା ସମ୍ଭବ ନୁହେଁ ଏବଂ ଥରେ ଲକ୍ଷ୍ନୌ ଗଲେ ମାଆ ଆଠଦିନ ପୂର୍ବରୁ ଛାଡ଼ିବେ ନାହିଁ । ତେଣୁ ମୁଁ ମାଆଙ୍କୁ ଚିଠିଟିଏ ଲେଖିଲି ଓ ଲେଖିଥିଲି ପରେ ଦୁହେଁ ମିଶି ତାଙ୍କ ଆଶୀର୍ବାଦ ଆଣିବା ପାଇଁ ଯିବୁ ।”

 

––“ଏ ଚିଠି ପାଇବା ପରେ ବି କଣ ତମେ ଲକ୍ଷ୍ନୌ ଯିବାକଥା ଭାବୁଛ ? ମାନେ ମୋ କଥା ?"

 

“ନନ୍ଦା...” । ସୁଧୀର ସୁନନ୍ଦାଙ୍କର ଆହୁରି ନିକଟକୁ ଘୁଞ୍ଚି ଆସିଲା । ତାଙ୍କର ଗୋଟିଏ ହାତକୁ ନିଜ ହାତ ଭିତରେ ମୁଠାଇ ଧରି କହିଲା, “ମୁଁ ମାଆଙ୍କୁ କଣ ଲେଖିଥିଲି, ତମେ ଜାଣିନ ଡାର୍ଲିଂ । ନ ହେଲେ ମୋ ଉପରେ ଏତେ ରାଗନ୍ତ ନାହିଁ ।”

 

“ମୋ ବାପା ଯେତେବେଳେ ମରିଗଲେ ମାଆଙ୍କ ବୟସ ସେତେବେଳେ ପଚିଶି ଛବିଶି କିମ୍ବା ତା ଠାରୁ କମ୍ ହୋଇଥିବ । ପାଞ୍ଚ ବର୍ଷର ବାଳକ ସୁଧୀର ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲା, ବାପା ମରିଗଲେ ଅଥତ ମାଆ ଠୋପାଏ ଲୁହ ଝରାଉ ନାହାନ୍ତି ? ...ସତରେ ନନ୍ଦା, ମା ଏତେ ଦୁଃଖରେ ମଧ୍ୟ ଭଙ୍ଗି ପଡ଼ି ନ ଥିଲେ, କାନ୍ଦି କାନ୍ଦି ଚଟାଣରେ ମୁଣ୍ଡ ବାଡ଼େଇ ନ ଥିଲେ । ଦୁଇଟି ପୁଅଙ୍କୁ କୋଳରେ ଭିଡ଼ି ଧରି ସେ ସମୟରେ ଅନେକ ଥର କେବଳ ଆକାଶକୁ ଚାହିଁ ରହନ୍ତି-। ଆକାଶକୁ ଚାହିଁବା ଦ୍ଵାରା ମାଆ କି ସାନ୍ତ୍ୱାନା ପାଉଥିଲେ ମୁଁ ଜାଣେନି, କିନ୍ତୁ ମାଆଙ୍କ ମୁହଁକୁ ଚାହିଁ ମୁଁ ବାପାଙ୍କ ଅନୁପସ୍ଥିତି ଭୁଲି ଯାଇଥିଲି ।”

 

ପିତାମାତା ଉଭୟଙ୍କ ସ୍ଥାନ ଦଖଲ କରି ମାଆ ଆମ ଦୁଇ ଭାଇଙ୍କୁ ମଣିଷ କରିଥିଲେ । ସେ ଯେତେବେଳେ ଆମ ସହିତ ଖାଇବା ଟେବୁଲରେ ଅଛିଣ୍ଡା ଗପ ଯୋଡ଼ନ୍ତି, ସେତେବେଳେ ଆମର ଯେ ଦିନେ ଜଣେ ବାପା ଥିଲେ, ଆଉ ସେ କଥା ମନେ ପଡ଼େ ନାହିଁ । କିନ୍ତୁ ଦୁଃଖ ମାଆଙ୍କ ପିଛା ଛାଡ଼ିଲା ନାହିଁ । ଅନେକ ଖୋଜି, ବାଛି ଯେଉଁ ଝିଅଟାକୁ ଲକ୍ଷ୍ମୀ ବୋଲି ସେ ବୋହୂ, କରି ଆଣିଥିଲେ, ସେଇ ଝିଅକୁ ବାହାଘରର ମାତ୍ର ଦୁଇବର୍ଷ ପରେ ବିଧବା କରି ଭାଇ ଚାଲିଗଲେ । ମାଆ କହନ୍ତି, ବାପାଙ୍କର ଦିନେ ପ୍ଲେନ ଚଳାଇବା ପାଇଁ ଅସମ୍ଭବ ଝୁଙ୍କ ଥିଲା ଅଥଚ ପ୍ଲେନରେ ବସିବାର ସୁଯୋଗ ମଧ୍ୟ ସେ ଜୀବନରେ ପାଇଲେ ନାହିଁ । ଭାଇ ସେହି ଝୁଙ୍କ ନେଇ ଜନ୍ମ ହୋଇଥିଲେ, କିନ୍ତୁ ପ୍ଲେନରେ ବସି ଦେଶ-ବିଦେଶ ବୁଲିବା ଦୂରେ ଥାଉ, ଟ୍ରେନିଂ ପିରିଅଡ଼ରେ ହିଁ ପ୍ଲେନ୍ ସହିତ ସେ ଜଳି ଯାଇ ପାଉଁଶ ହୋଇଗଲେ । ମାଆ ସେତେବେଳେ ଏକ ପ୍ରକାର ପାଗଳ ହୋଇ ଯାଇଥିଲେ । ମାସକ ପରେ ଭାଉଜଙ୍କର ପୁଅଟିଏ ହେଲା, ମୃତ ପିଲା ।’’

 

“ପ୍ରଥମେ ମାଆ ଭାଉଜଙ୍କୁ ବହୁତ ଗାଳି ଦେଉଥିଲେ; ଭାଇଙ୍କ ମୃତ୍ୟୁ ପାଇଁ ଦାୟୀ କରି ଅଭିଶାପ ଦେଉଥିଲେ, କିନ୍ତୁ କ୍ରମେ ସେ ପ୍ରକୃତିସ୍ଥା ହେଲେ । ଭାଉଜଙ୍କୁ ଯେ ଆଉ ବଡ଼ ଅଭିଶାପ ଦେବାକୁ କିଛି ନାହିଁ, ତା ଭାବି ଦେଖିଲେ ଏବଂ ତାପରେ ଭାଉଜଙ୍କୁ କୋଳକୁ ଟାଣି ଆଣି ପୂର୍ବ ପରି ସ୍ନେହ କଲେ ।”

 

ତା ପରେ ମାଆ କଣ କଲେ ଜାଣ ? ମତେ ଦିନେ ଡାକି କହିଲେ, ‘ତୁ କଣ ଚାହୁଁ ଭାଉଜ ଏମିତି ସାରା ଜୀବନ ତୋ ଭାଇକୁ ଝୁରି ଝୁରି ଜୀବନ ବିତାଇବ ? ତୋର ତା ପ୍ରତି ଟିକେ ହେଲେ ଦୟା ଆସୁନାହିଁ ?’’

 

––‘‘ମୁଁ କଣ କରି ପାରିବି କୁହ ।”

 

––ତୁ ତାକୁ ବିବାହ କର । ତାର ଏପରି ସନ୍ୟାସିନୀ ଜୀବନ ବିତାଇବାର କିଛି ଅର୍ଥ ହୁଏ ନାହିଁ । ତାକୁ ବି ଆଉ ଏପରି ରୂପରେ ମୁଁ ଦେଖିପାରୁ ନାହିଁ ।”

 

‘‘ମାଆଙ୍କର ସେ ଆଦେଶକୁ ଲଙ୍ଘନ କରିବାର ସାହସ ମୋର ନଥିଲା, ଅଥଚ ଭାଉଜଙ୍କୁ ନିଜ ସ୍ତ୍ରୀ ଭାବରେ କଳ୍ପନା କରିବା ପାଇଁ ମଧ୍ୟ ସଂକୋଚ ଲାଗିଲା । କଣ କରିବି କିଛି ଠିକ୍ କରି ନ ପାରି ତା’ ପରଦିନ ଦିଲ୍ଲୀ ପଳାଇ ଆସିଲି । ପନ୍ଦର ଦିନ ପରେ ମାଆଙ୍କଠାରୁ ଲକ୍ଷ୍ନୌ ଯିବା ପାଇଁ ଚିଠି ଖଣ୍ଡେ ପାଇଲି । ଯାଇ ଦେଖିଲି, ବାହାଘରର ଆୟୋଜନ ଚାଲିଛି । ମା ଜ୍ୟୋତିଷ ଡକାଇ ଦିନ ଠିକ୍ କରୁଛନ୍ତି । ''

 

ସେ ଦିନ ରାତିରେ ଭାଉଜ ମୋ ଶୋଇବା ଘରକୁ ଆସିଲେ । ବିଛଣାରେ ବସି ପଚାରିଲେ–“ଆପଣ ମତେ ବିବାହ କରିବା ପାଇଁ ଚାହୁଁଛନ୍ତି ?”

 

‘‘ମାଆଙ୍କ କଥାରେ ଯେମିତି ପ୍ରତିବାଦ କରି ପାରି ନଥିଲି, ଭାଉଜଙ୍କ ପ୍ରଶ୍ନର ସେହିପରି କୌଣସି ଉତ୍ତର ଦେଇ ପାରିଲି ନାହିଁ । ହୁଏତ ସେତେବେଳେ ଲାଜକୁଳା ଥିଲି କିମ୍ବା ପରିସ୍ଥିତି ମତେ ସେମିତି କରି ଦେଇଥିଲା ।’

 

“ମୁଁ କିନ୍ତୁ ଆପଣଙ୍କ ଭାଇଙ୍କୁ ଅନେକ ଥର ସ୍ଵପ୍ନରେ ଦେଖେ ।”

 

‘‘ଦୁଇ ହାତରେ ନିଜ ମୁହଁକୁ ଚାପି ଧରିଲେ ଭାଉଜ, ତାପରେ କି ବିକଳ କାନ୍ଦ ! ...ଭାଉଜ ଯେ ଭାଇଙ୍କୁ ଏତେ ଗଭୀର ଭାବରେ ଭଲ ପାଉଥିଲେ ତା ସେ ଦିନ ରାତିରେ ପ୍ରଥମ କରି ମୁଁ ହୃଦୟଙ୍ଗମ କଲି ।”

 

‘‘ତା ପରଦିନ ଭାଉଜ ଏକ କାଣ୍ଡ କରି ବସିଲେ । ମୁଁ ଓ ମାଆ ଚାହା ପିଉଥିଲୁ । ସେ ଏକ ରାକ୍ଷୀ ଆଣି ମୋ ହାତରେ ବାନ୍ଧି କହିଲେ, ସୁଧୀର ମୋ ବଡ଼ ଭାଇ ମା । ମୁଁ ଆପଣଙ୍କର ଝିଅ-। ସବୁଦିନେ ମୁଁ ଆପଣଙ୍କ ପାଖରେ ଝିଅ ହୋଇ ରହିବି । ମତେ ଆଉ ଥରେ ବାହାହେବା ପାଇଁ ବାଧ କରନ୍ତୁ ନାହିଁ ।”

 

....“ଏ ହେଉଛି ଚାରିବର୍ଷ ତଳର ଘଟଣା । ତାପରେ ଭାଉଜଙ୍କୁ ମାଆ କଲେଜକୁ ପଠାଇଛନ୍ତି, ପାଠ ପଢ଼ାଇଛନ୍ତି । ଏବେ ଉପରୁ ଦେଖିଲେ ଲଗେ ମାଆଙ୍କର ଦୁଃଖ ଆଉ କିଛି ନାହିଁ-। କିନ୍ତୁ ତାଙ୍କର ଉଦାସ ଚାହାଣୀ ଦେଖିଲେ ସ୍ପଷ୍ଟ ଜାଣିହୁଏ, ତାଙ୍କର ସମସ୍ତ ଦୁଃଖକୁ ସେ ମନ ଭିତରେ ଏକ ଗଭୀର ଖାଲ କରି ପୋତି ପକାଇଛନ୍ତି, ଯାହା ଏସିଡ଼ ପରି ସେ ଖାଲର ଚାରିପଟ କ୍ଷୟ କରିବାରେ ଲାଗିଛି ।”

 

‘‘ଜଣେ ବିଦେଶୀ ଭଦ୍ରମହିଳା ତାଜମହଲ ଦେଖି ତାଙ୍କ ସ୍ଵାମୀଙ୍କୁ କହିଥିଲେ, ତମେ ମୋ ପାଇଁ ଯଦି ଏହିପରି ଏକ ସମାଧି ମନ୍ଦିର ତିଆରି କରିଦେବ, ତେବେ ମୁଁ ବର୍ତ୍ତମାନ ମରିବା ପାଇଁ ପ୍ରସ୍ତୁତ ଅଛି । ସେତେବେଳେ ସ୍ତ୍ରୀ ଲୋକମାନଙ୍କର ଲୋଭର ସୀମାରେଖା କଥା ଚିନ୍ତା କରି ମୁଁ ଖୁବ୍ ହସିଥିଲି । କିନ୍ତୁ ମୋ ନିଜ ଭାଗ୍ୟ ଏମିତି ଯେ, ମତେ ଦିନେ ଲୋଭର ସେ ସୀମାରେଖା ଟପିଯିବା ପାଇଁ ପଡ଼ିଲା । ମି: ମହାପାତ୍ର ମତେ ନିଜର ସାନଭାଇ ପରି ଭଲ ପାଉଥିଲେ, ଅଥଚ ତାଙ୍କର ଏକାନ୍ତ ନିଜର ଜିନିଷଟାକୁ ମୁଁ ଛଡ଼ାଇ ଆଣିଲି ।”

 

“ବହୁତ କିଛି ସେତେବେଳେ ଭାବୁଥିଲି । ଏଠାରୁ ଚାକିରି ଛାଡ଼ି ଚାଲିଯିବି ବୋଲି ମଝିରେ ଠିକ୍ କରିଥିଲି, କିନ୍ତୁ ତମକୁ ପାଇବାର ମୋହ ମତେ ଅନେକ ଶକ୍ତ କରିଦେଲା ନନ୍ଦା, ମୁଁ ତାକୁ ଯେତେ ଚେଷ୍ଟା କଲେ ମଧ୍ୟ ସମ୍ବରଣ କରି ପାରିଲି ନାହିଁ । ତଥାପି ମୋ ମନରେ ଦୁଃଖ ନାହିଁ-। ମୋ ନିଜର ମଣିଷ ପଣିଆ ମୁଁ ହରାଇଛି, କିନ୍ତୁ ତା ବଦଳରେ ତମକୁ ତ ପାଇଛି ।”

 

“ଏପରି କୃତଘ୍ନ ମଣିଷର ମାଆ ଜଣେ ଦେବୀତୁଲ୍ୟା, ଏ କଥା କହିଲେ ତମେ କଣ, କେହି ମଧ୍ୟ ବିଶ୍ଵାସ କରିବେ ନାହିଁ ।”

 

ମାଆ ମତେ ଅନେକ ଥର ବିବାହ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି ଓ ମୁଁ ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଛି । କିନ୍ତୁ ପ୍ରକାଶ ସଙ୍ଗେ ଦେଖାହେଲା ପରେ ଆଉ ପାରିଲି ନାହିଁ । ଚଠିଟି ଲେଖିଲା ବେଳେ ମାଆ ତାକୁ ପାଇ ଖୁବ୍ ଖୁସି ହେବେ ବୋଲି ଭାବି ଲେଖିଥିଲି, ମୁଁ ଯାହାକୁ ବିବାହ କରିଛି ତମର ବଡ଼ ବୋହୂ ପରି ଖୁବ୍ ମହତ । ମୋ ପାଇଁ ତାର ତ୍ୟାଗ ଅସୀମ । ସେ ମୋ ପାଇଁ ତାର ସ୍ଵାମୀ, ପୁତ୍ର ସମସ୍ତଙ୍କୁ ଛାଡ଼ିଛି… ।”

 

ସୁନନ୍ଦା ଉଠି ବସିଲେ । ରାତି ଆଠଟା ବାଜିବାକୁ ଯାଉଛି । ଖାଇବାର ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସେ କିଛି କରି ନାହାନ୍ତି । ସୁଧୀରର ବର୍ତ୍ତମାନ ନଶ୍ଚୟ କଫି କପେ ଦରକାର । ସୁନନ୍ଦା ରନ୍ଧା ଘରକୁ ଉଠିଗଲେ ।

 

ସୁନନ୍ଦାଙ୍କ ହାତରୁ କଫି କପଟା ନେଇ ନୀରବରେ ପାନ କରିବାକୁ ଲଗିଲା ସୁଧୀର ।

 

––ସୁଧୀର !

 

––କୁହ ।

 

––ତମ ଭାଉଜ ଖୁବ୍ ସୁନ୍ଦରୀ ଦେଖିବାକୁ ?

 

––ସେ ଏତେ ଭଲ ଦେଖିବାକୁ ଯେ, ନ ଦେଖିଲେ ତମେ ବିଶ୍ଵାସ କରି ପାରିବ ନାହିଁ । କିନ୍ତୁ କାହିଁକି ସେ କଥା ପଚାରୁଛ ?

 

––ତମେ ତାଙ୍କୁ ବିବାହ କରିବାକୁ ସତରେ ଚାହିଁ ନଥିଲ ?

 

––ଭାଉଜଙ୍କୁ ଯେ ମୁଁ କେଉଁ ଆଖିରେ ଦେଖୁଥିଲି, ତା ଭଲ ଭାବେ ଜାଣି ପାରିଲି ସେ ଯେଉଁଦିନ ମୋ ହାତରେ ରକ୍ଷୀ ବାନ୍ଧିଦେଲେ । ଅନେକ କହନ୍ତି ବଡ଼ ଭାଉଜ ମାଆ ପରି । ମୋ ଠାରୁ ସେ ବୟସରେ ଏତେ ସାନ ଯେ ତାଙ୍କୁ ସାନ ଭଉଣୀ ଛଡ଼ା ଅନ୍ୟ କିଛି ଭାବି ହେବ ନାହିଁ । ତା ଛଡ଼ା ବାହାହୋଇ ଆସି ସେ ମତେ ‘ସୁଧୀର ଭୈୟା’ କହି ପ୍ରଥମରୁ ଡାକିବା ଆରମ୍ଭ କରି ଦେଇଥିଲେ ।

 

କଫି ଶେଷ କରି କପ୍‌ଟା ରଖିଦେଲା ସୁଧୀର । କହିଲା–“ଆମ ପରିବାରକୁ ଅନେକ ଅଭିଶପ୍ତ ବୋଲି କହନ୍ତି । କହନ୍ତି ଭଗବାନ ପଇସା ଦେଇଛନ୍ତି, କିନ୍ତୁ ଭାଗ୍ୟ ଦେଇ ନାହାନ୍ତି । ...ସେ କଥା ଆଜି ବାରମ୍ବାର ମନେ ପଡ଼ୁଛି ନନ୍ଦା । ଭାବୁଛି ଏତେଟା ଲୋଭ କରିବା ମୋର ଉଚିତ ହୋଇ ନାହିଁ । ତମକୁ ହୁଏତ ମୁଁ ସୁଖୀ କରି ପାରିବି ନାହିଁ । ତେଣୁ ଏ ଅଭିଶପ୍ତ ପରିବାର ଭିତରକୁ ଟାଣି ଆଣି ମୁଁ ଖୁବ୍ ଭୁଲ କରିଛି ।”

 

––‘‘ତମ ପରି ଲୋକ ଯେଉଁ ଘରେ ଜନ୍ମ, ସେ ଅଭିଶପ୍ତ ନୁହେଁ ସୁଧୀର । ମୁଁ ତମର ଯୋଗ୍ୟ ନୁହେଁ । ଅଯଥାରେ ଅଭିମାନ କରି ତମ ମନରେ ମୁଁ କଷ୍ଟ ଦେଇଛି, ମତେ କ୍ଷମା କର-।’’ ମନେ ମନେ ଭାବିଲେ ମଧ୍ୟ ମୁହଁ ଖୋଲି କଛି କହିଲେ ନାହିଁ ସୁନନ୍ଦା । ସେ ପରିସ୍ଥିତିର ସମାପ୍ତି ଘଟାଇବା ପାଇଁ ଚେୟାର ଛାଡ଼ି ଉଠି ଠିଆ ହେଲେ । ସୁଧୀରର ଆଖିରେ ଲୁହ ବୁନ୍ଦା ଚିକ୍ ଚିକ୍ କରୁଛି । ଗମ୍ଭୀର ଆବେଗରେ ସୁନନ୍ଦା ଡାକିଲେ–“ସୁଧୀର”... ।

 

(ଦଶ)

 

ପେନ୍ଥା ପେନ୍ଥା ହୋଇ ଗଛରେ ସଦ୍ୟ ଫୁଟିଥିବା ଫୁଲମାନେ ଦିନେ ଶୁଖି ତଳେ ପଡ଼ିଯିବେ ବୋଲ ଭାବନ୍ତି ନାହିଁ । ଅକାତ ପାଣିରେ ଭାସୁଥିବା ନୌକାଟି କେବେ ହେଲେ ବିଶ୍ଵାସ କରେ ନାହଁ ଯେ ପାଣି ଶୁଖି ନଈଟା କେବେ ବାଲିମୟ ଦେଖାଯାଏ ବୋଲି । ସୁନନ୍ଦା ମଧ୍ୟ କେବେ ଭାବି ନଥିଲେ ଯେ ତାଙ୍କର ଜୀବନରୁ ଦିନେ ତରଙ୍ଗ ହ୍ରାସ ପାଇବ ବୋଲି, ଭଟ୍ଟା ଆସିବ ବୋଲି । ସୁଧୀର ଓ ସେ ଦୁଇଟି ଝରଣା ପରି ଆନନ୍ଦ, କଲ୍ଲୋଳ ଭିତରେ ବହି ଚାଲିଥିଲେ । ସେମାନଙ୍କ ଜୀବନରେ ସ୍ଥିତି ଥିଲା, ଗତିଥିଲା, ବଞ୍ଚିବାର ଅଦମ୍ୟ ପିପାସା ଥିଲା ଏବଂ ଉପଭୋଗର ସବୁ ରାସ୍ତା ଖୋଲାଥିଲା । ଅସୀମ ବିଶ୍ଵାସ ଓ ଗଭୀର ଆବେଗ ମଧ୍ୟରେ ଦୁହିଁଙ୍କ ଜୀବନ ଗଡ଼ି ଚାଲିଥିଲା । ସେତେବେଳେ ସୁନନ୍ଦା ଥରେ ହେଲେ ଭାବି ନଥିଲେ ତାଙ୍କ ଦେହରେ ଦିନେ ବୟସର ଛାପ ଲାଗିବ । ସେ ଭାବୁଥିଲେ ଯେଉଁମାନେ ଶ୍ଳଥଚର୍ମା ବୃଦ୍ଧ, ସେମାନେ ଆରମ୍ଭରୁ ସେହିପରି ହୋଇ ଜନ୍ମ ନେଇ ଥାଆନ୍ତି । ସେମାନେ ଅଭିଶପ୍ତ କିମ୍ବା ସେ ସବୁ କଥା ଦିନେ ହେଲେ ଚିନ୍ତାକରି ନଥିଲେ ସୁନନ୍ଦା, ଚିନ୍ତା କରିବା ପାଇଁ ସମୟ ପାଇ ନଥିଲେ । ସୁଧୀର ଭିତରେ ହଜିଯିବା ପରେ ତାଙ୍କର ସମସ୍ତ ଚିନ୍ତା ଶକ୍ତି ମଧ୍ୟ ହୁଏତ ଲୋପପାଇ ଯାଇଥିଲା । ସେଥିପାଇଁ ସେ ସେଦିନ ବିଜୁଳି ସକ୍ ମାରିବା ପରି ଚମକି ପଡ଼ିଲେ, ଭୀଷଣ ଭାବରେ ।

 

ସଚ୍‌ଦେବଙ୍କ ପାର୍ଟିକୁ ଯିବା ପାଇଁ ଡ୍ରେସିଂ ହେଉଥିଲେ ସୁନନ୍ଦା । ବଡ଼ ପାର୍ଟି, ବହୁତ ଲୋକ ଆସିବେ । ସଚ୍‌ଦେବ ଦମ୍ପତି ବର୍ଷକ ପାଇଁ ସୁଇଜରଲ୍ୟାଣ୍ଡ ଯାଇଥିଲେ । ଗଲାମାସରେ ଫେରିଛନ୍ତି । ତାଛଡ଼ା ତାଙ୍କର ମ୍ୟାରେଜ୍ ଆନିଭରସରୀ ମଧ୍ୟ–ଦୁଇଟି ଯାକ ପାର୍ଟି ଏକାଠି ମିଶାଇ ଦେଉଛନ୍ତି । ପ୍ରତିବର୍ଷ ସଚ୍‌ଦେବ ସେମାନଙ୍କ ମ୍ୟାରେଜ ଆନିଭରସରୀକୁ ସମାରୋହରେ ପାଳନ କରନ୍ତି । ବହୁତ ଲୋକ ଡାକନ୍ତି । ଫରେନର ଚାରି-ପାଞ୍ଚ ଜଣ ମଧ୍ୟ ଥାଆନ୍ତି ।

 

ଫରେନରଙ୍କ ସଙ୍ଗେ ନାଚିବା ପାଇଁ ପସନ୍ଦ କରନ୍ତି ସୁନନ୍ଦା । ସେମାନଙ୍କର କଟୀ ଧରିବା ରୀତିରେ କୋମଳତା ଥାଏ, ପାଦ ପକାଇବାର ଭଙ୍ଗୀରେ ଏକ ଭିନ୍ନ ଛନ୍ଦ ଥାଏ । ପ୍ରଥମେ ସୁଧୀର ସଙ୍ଗରେ କେବଳ ନାଚୁଥିଲେ ସେ, ଅନ୍ୟ କେହି ଡାକିଲେ ତାଙ୍କର କାନ ଲଜ୍ଜାରେ ଲାଲ ହୋଇ ଯାଉଥିଲା । ଏବେ ସେ ପରିସ୍ଥିତି ସହିତ ନଜକୁ ଅନେକ ବଦଳାଇ ଦେଇଛନ୍ତି । ଅନ୍ୟମାନଙ୍କ ସହିତ ବିନା ସଂକୋଚରେ ବେଶ ନାଚି ପାରୁଛନ୍ତି ।

 

ମୁହଁରେ ବିଭନ୍ନ ପ୍ରଲେପ ଲଗାଇଲେ ସୁନନ୍ଦା, ଦେହରେ ପରଫ୍ୟୁମ୍ ସ୍ପ୍ରେ କଲେ । ମେକଅପ୍ ସାରି କେଶଗୁଚ୍ଛରେ ଚିରୁଣୀର ଶେଷ-ସ୍ପର୍ଶ ଦେବା ପାଇଁ ଯାଇ ଚମ୍‌କି ପଡ଼ିଲେ । ଇସ୍-ଏ କଣ ? ସେ ଜିନିଷ ଦୁଇଟା କଣ, ଯେ ମୁଣ୍ଡରେ ଚିକ୍ ଚିକ୍ କରୁଛନ୍ତି–ଏକବାର ସିନ୍ଥି ନିକଟରେ-? କଣ ସେ ଦୁଇଟା ? ନାଗସାପ ? ହଁ-ହଁ ସେ ଦୁଇଟା ନାଗସାପ । ସବୁ ଲୋକଙ୍କ ନଜର ପ୍ରଥମେ ସେଇଠାରେ ପଡ଼ିବ, ଅଥଚ ସୁଧୀର ତାକୁ ଦେଖି ନାହିଁ ?

 

ତର ତର ହୋଇ ଡ୍ରଇଂରୁମରେ ପଶିଗଲେ ସୁନନ୍ଦା । ସୁଧୀର ରେଡ଼ି ହୋଇ ଅନେକବେଳୁ ତାଙ୍କୁ ଅପେକ୍ଷା କରିଛି । ଖଣ୍ଡେ ମାଗାଜିନ୍ ଧରି ପଡ଼ୁଛି । ତାର କେଶଗୁଚ୍ଛକୁ ଘାଣ୍ଟି ପକାଇଲେ ସୁନନ୍ଦା । ତନ୍ନ ତନ୍ନ କରି ଖୋଜି ପକାଇଲେ । ନାଁ–ନାହିଁ । କୁଞ୍ଚୁକୁଞ୍ଚିଆ ଗହବା କଳା ବାଳରେ ମୁଣ୍ଡଟା ଭର୍ତ୍ତି । କେଉଁଠି ହେଲେ ନାଗ ସାପର ସତ୍ତା ନାହିଁ । ସୁଧୀର ଦେହରେ ତାରୁଣ୍ୟ ଅଚଞ୍ଚଳ ରହିଛି । କିନ୍ତୁ ସେ ...

 

ପ୍ରତିବର୍ଷ ସୁନନ୍ଦାଙ୍କ ଜନ୍ମଦିନକୁ ସୁଧୀର ସମାରୋହରେ ପାଳନ କରେ । ଅନେକ ବନ୍ଧୁ, ଡାକେ । ରାତି ଦୁଇଟା-ତିନିଟା ପର୍ଯ୍ୟନ୍ତ ପାର୍ଟି ଚାଲେ, ଅଥଚ ସେ ଦିନେ ହେଲେ ନିଜର ବୟସ ହିସାବ କରି ଦେଖି ନଥିଲେ । ପ୍ରତିବର୍ଷ ବିରାଟ କେକ ଉପରେ ଗୋଟିଏ ମାତ୍ର କ୍ୟାଣ୍ଡଲ ଜାଳି ସେ ନିଜ ବୟସକୁ ଗତିହୀନ କରି ରଖିଥିଲେ । ଆଜି ସଚଦେବଙ୍କ ପାର୍ଟିକୁ ଯିବାର ଅବ୍ୟବହିତ ପୂର୍ବରୁ ସେ ସବୁ ମନେ ପଡ଼ିଲା ସୁନନ୍ଦାଙ୍କର । କାରଣ ସେ ହଠାତ୍ ଶରୀରର ସମସ୍ତ ଚାଞ୍ଚଲ୍ୟ ହରାଇ ନିଜର ବୋଧଶକ୍ତି ଫେରି ପାଇଲେ । ତାଙ୍କର ବୟସ ଆଉ କେତେଟା ଦିନ ପରେ ପୂର୍ଣ୍ଣ ଛତିଶ ହେବାକୁ ଯାଉଛି ଓ ଚାଳିଶ ଟପିବା ପାଇଁ ବେଶୀ ଦୂର ନାହିଁ । ଏକ ପୂର୍ଣ୍ଣ ଯୁବତୀ ବୋଲି ନିଜକୁ ଯେତେ ସଜାଇଲେ ମଧ୍ୟ ସେ ପ୍ରୌଢ଼ା । ସୁଧୀର ତାଙ୍କଠାରୁ ତିନିବର୍ଷ ସାନ ।

 

ତଥାପି ନିଜକୁ ମନପ୍ରାଣ ଦେଇ ସଜାଇଲେ ସୁନନ୍ଦା । ଗାଢ଼ ନୀଳରଙ୍ଗର କାଞ୍ଜିଭରମ ଶାଢ଼ି ସହିତ ମ୍ୟାଚିଂ ଲୋକଟ୍ ପିନ୍ଧିଲେ । ହାଇଦ୍ରାବାଦରୁ କିଣିଥିବା ଧଳା ପଥରର ଆଧୁନିକ ସେଟ୍‌ଟା ପିନ୍ଧି ଡ୍ରେସିଂ ଟେବୁଲର ବିରାଟ ଦର୍ପଣ ସମ୍ମୁଖରେ ଠିଆ ହୋଇଥିଲେ । ସୁଧୀର ମିଛ କହେ ନାହିଁ । ସେ ଅପୂର୍ବ ସୁନ୍ଦରୀ । ସୁଧୀରର ସମସ୍ତ ବନ୍ଧୁ ପତ୍ନୀଙ୍କ ମଧ୍ୟରେ ସେ ଅନନ୍ୟା । ତାଙ୍କ ଚେହେରାରେ ମାଧୁର୍ଯ୍ୟ ଅଛି । ନିଜକୁ ସଜାଇବାରେ ପଟୁତା ଅଛି । ହାତରେ ଭ୍ୟାନଟି ବ୍ୟାଗ୍ ଓହଳାଇ ପୁଣି ଥରେ ଦର୍ପଣକୁ ଫେରି ଚାହିଁଲେ ସୁନନ୍ଦା–ନାଁ, ମୁଣ୍ଡରେ ଆଉ ତାର ସତ୍ତା ନାହିଁ । ନାଗସାପ ଦୁଇଟାକୁ ଛିଣ୍ଡାଇ ପଦରେ ସେ ଅନେକ ବେଳୁ ଦଳି ଦେଇଛନ୍ତି ।

 

କିନ୍ତୁ ସେହିଦିନଠାରୁ ସୁନନ୍ଦା କିପରି ଏକ ଅନ୍ୟ ମଣିଷ ହୋଇଗଲେ । କ୍ରମେ ନିଜଠାରେ ଭିନ୍ନତା ଅନୁଭବ କଲେ । ତାଙ୍କୁ ଲାଗିଲା, ତାଙ୍କ ଦେହ, ମନ ଯେପରି ବଦଳି ଯାଉଛି । ଡାନ୍‌ସ କଲାବେଳେ ହାତ, ପାଦରେ ପୂର୍ବପରି ଚଞ୍ଚଳତା ନାହିଁ । କେମିତି ଏକ ଅସ୍ଵାଭାବିକ କ୍ଳାନ୍ତି । ...ମ୍ୟୁଜିକ ବାଜି ଚାଲିଚି ଅଥଚ ସେ ତା ସଙ୍ଗରେ ଛନ୍ଦ ତୋଳି ନାଚି ପାରୁ ନାହାନ୍ତି । ସବୁ ସୁର ବେସୁରା, ସବୁ ଯନ୍ତ୍ର ତାଳହୀନ… ।

 

ଆଜିକାଲି ଯୁଗରେ କେଶର ରଙ୍ଗ ବଦଳିବା ଯେ ବୟସର ପରିମାଣ ନୁହେଁ; ତା’ କଣ ସେ ଜାଣି ନଥିଲେ ? ସେ କଣ ଭୁଲି ଯାଇଥିଲେ ଯେ ଭେଜାଲ ଖାଦ୍ୟ, ଦୂଷିତ ବାୟୁମଣ୍ଡଳ ଯୋଗୁଁ ସ୍କୁଲ, କଲେଜ ପିଲାମାନଙ୍କ ମୁଣ୍ଡରେ ମଧ୍ୟ ବାଳ ପାଚୁଛି ? ନାଁ–କିଛି ଭୁଲି ଯାଇ ନଥିଲେ ସୁନନ୍ଦା, ବରଂ ସେହିସବୁ କଥା କହି ନିଜ ମନକୁ ନିଜେ ଅନେକ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତଥାପି ପାରି ନଥିଲେ ସେ । ସୁଇମିଂ ପୁଲ୍‌ରେ ଆଉ ଆଗପରି ଘଣ୍ଟା ଘଣ୍ଟା ଧରି ମତ୍ସ୍ୟକନ୍ୟା ପରି ସୁଇମ୍ କରି ପାରିଲେ ନାହିଁ । କଟୀରେ ଅସମ୍ଭବ ଶିଥିଳତା…ପାଦ ଅବଶ ହୋଇ ଯା‌ଉଛି । ତର ତର ହୋଇ ପାଣିରୁ ଉଠି ଆସି ବିକିନି ଖୋଲି ଦିଅନ୍ତି ସୁନନ୍ଦା । ଶାଢ଼ିଟାକୁ ଦେହରେ ଗୁଡ଼ାଇ ଢକ ଢକ କରି ଚାହାତକ ପିଇ ଯାଆନ୍ତି ।

 

––“ଡାର୍ଲିଂ ! ତୁମ୍‌ହାରା ତବୀୟତ୍ ଠିକ୍ ନହିଁ ହୈ କ୍ୟା ?

 

ନାଁ–ତବୀୟତ ପୁରାପୁରି ଠିକ୍ ଅଛି । ତନୁପାତଳୀ ସୁନନ୍ଦାଙ୍କ କ୍ଷୀଣ କଟୀରେ ଏବେ ମଧ୍ୟ ମାଂସର ଅଯଥା ବାହୁଲ୍ୟ ଦେଖାଦେଇ ନାହିଁ । ମୁଖମଣ୍ଡଳରେ ଏବେ ମଧ୍ୟ ମୁଠା ମୁଠା ଲାବଣ୍ୟ ଲାଖି ରହିଛି । ସୁନ୍ଦର ସ୍ଵାସ୍ଥ୍ୟ ତାଙ୍କର, ରୋଗବ୍ୟାଧିଠାରୁ ଅନେକ ଦୂରରେ । ତଥାପି ତାଙ୍କ ଶରୀରରେ ହଠାତ୍ ଅବଶତା ଘେରି ଯାଉଛି । ସେ ଆଜି ଶ୍ରାନ୍ତ, କ୍ଳାନ୍ତ, ସଂଧ୍ୟାର ବିହଙ୍ଗୀ ପରି ତେଜହୀନ ।

 

ତଥାପି ତାଙ୍କୁ ନାଚିବା ପାଇଁ ହେବ, ପାର୍ଟି ଆଟେଣ୍ଡ କରିବାକୁ ପଡ଼ିବ । ଓଠରେ ରଙ୍ଗ ଲଗାଇ ସମସ୍ତଙ୍କ ସମ୍ମୁଖରେ ହସ ହସ ମୁହଁରେ ଠିଆହେବା ପାଇଁ ପଡ଼ିବ । ହୀରା, ନୀଳା, ଜହରତର ଲୋଭରେ ସେ ଏକ ବାଦସାହୀ ଗନ୍ତାଘରେ ପଶି ଅନେକ ବାଟ ଆଗେଇ ଆସିଛନ୍ତି । ଫେରିଯିବାର ହାର ମନକୁ ମନ ବନ୍ଦ ହୋଇ ଯାଇଛି । ଚାରିଆଡ଼େ ତାଙ୍କର ଝଲମଲ ଆଲୋକ ଅଥଚ ସେ ମୂଲ୍ୟବାନ ପଥରମାନଙ୍କୁ ମୁଠା ମୁଠା କରି ଥଳିରେ ପୁରାଇବାର ସ୍ପୃହା ଆଉ ତାଙ୍କର ନାହିଁ । ବର୍ତ୍ତମାନ ତାଙ୍କର କେବଳ ଦରକାର ବାହାରର ଶାନ୍ତ ଶୀତଳ ପବନ, ଆକାଶର ସ୍ନିଗ୍‌ଧ ଆଲୋକ । ତଥାପି ସେ ପଛକୁ ଫେରିବେ ନାହିଁ, ତାଙ୍କୁ ଆଗେଇବାକୁ ହିଁ ପଡ଼ିବ । ସେହି ନିଷ୍‌ପ୍ରାଣ ଗନ୍ତାଘର ଅପ୍ରଶସ୍ତ ସୁଡ଼ଙ୍ଗ ଭିତରେ ତାଙ୍କୁ ଆଗେଇବାକୁ ହେବ ।

 

ନାଚ ନାଚୁ ପାଦ ଶିଥିଳ ହୋଇ ପଡ଼େ ସୁନନ୍ଦାଙ୍କର । ବନ୍ଧୁମାନଙ୍କ ସହ ଗପ କରୁ କରୁ ମନେ ହୁଏ ଯେପରି ସେ ଘରେ ଏକ ମୂଲ୍ୟବାନ ଜିନିଷ ଛାଡ଼ି ଆସିଛନ୍ତି । ସେଇ ଜିନିଷ ନିକଟକୁ ଫେରିଯିବାକୁ ମନ ଛଟପଟ ହୁଏ ।

 

ଅନେକ ରାତିରେ ସୁଧୀର ସହିତ ଫେରନ୍ତି ସୁନନ୍ଦା । ଖଟ ଉପରେ ଭ୍ୟାନିଟ ବ୍ୟାଗ୍‌ଟାକୁ ଫିଙ୍ଗି ଦେଇ ସେ ଘର ସାରା ଘୂରି ଆସନ୍ତି । ମନ ମୁତାବକ ସମସ୍ତ ଜିନିଷ କିଣିଛନ୍ତି ସେ । ରନ୍ଧା ଘରେ କୁକିଂରେଞ୍ଜ, ଫ୍ରିଜ, ଡ୍ରଇଂ ରୁମରେ ଟେଲିଭିଜନ୍, ପର୍ସିଆନ କାର୍ପେଟ, ବେଡ୍ ରୁମରେ ଏୟାରକଣ୍ଡିସନର । ସାମ୍ନାରେ ସୁଦୃଶ୍ୟ ଲନ୍‍ଥିବା ଘର । ସମସ୍ତ ପ୍ରାଚୁର୍ଯ୍ୟ ପୁରି ରହିଛି ସେଠାରେ, ସମସ୍ତ ଆସବାସ ଯନ୍ତ୍ର ସୁସଜ୍ଜିତ, ସୁଶୃଙ୍ଖଳିତ । ତାହାରି ଭିତରେ ସୁନନ୍ଦା ଏକ ଜିନିଷର ତୀବ୍ର ଅଭାବ ଅନୁଭବ କରନ୍ତି । ତାଙ୍କ ଘରେ ସବୁ ଜିନିଷ ଅଛି, ଅଥଚ ବଡ଼ ଜିନିଷଟି ନାହିଁ । ତା ହେଉଛି ଆକର୍ଷଣ । ଛୋଟ ଛୋଟ ଦୁଇଟି ହାତର ଆକର୍ଷଣ, ଯାହା ଏ ସମସ୍ତ ସାଜସଜ୍ଜାକୁ ଇତସ୍ତତଃ, ବିକ୍ଷିପ୍ତ କରି ରଖି ଥାଆନ୍ତା ଓ ଟିକ ଟିକି ଦୁଇଟି ଆଖିର ଆକର୍ଷଣ, ଯେ କଥା କହି ନ ପାରିଲେ ମଧ୍ୟ ସୁନନ୍ଦାଙ୍କୁ ଅଧରାତି ପର୍ଯ୍ୟନ୍ତ ଏପରି ଭାବରେ ବାହାରେ ରଖିବା ପାଇଁ ନ ଦେଇ ଘରକୁ ଟାଣି ଆଣି ଥାଆନ୍ତା ।

 

ନିଜ ଘରର ସାଜସଜ୍ଜା ସୁନନ୍ଦାଙ୍କୁ ଦୋଲମୁଣ୍ଡିର ଏକ ରୂପସୀ ବାରବନିତା ପରି ମନେ ହୁଏ, ଯାହାର ସମସ୍ତ ସୌନ୍ଦର୍ଯ୍ୟ ଅଛି ଅଥଚ ଯାହା ନାରୀକୁ ଶ୍ରୀମୟୀ କରି ତୋଳେ, ସେହି ସ୍ତ୍ରୀ ସୁଲଭ ଲଜ୍ଜାଟିକକ ନାହିଁ ।

 

ଅନେକ ବର୍ଷ ପରେ ବାବୁନ୍ କଥା ଖୁବ୍ ବେଶୀ ମନେ ପଡ଼େ ସୁନନ୍ଦାଙ୍କର । ମନେ ପଡ଼େ ତାର ବ୍ୟାଗ୍ କାନ୍ଧରେ ଝୁଲାଇ ସ୍କୁଲ ଯିବାର ଦୃଶ୍ୟ । ତାର ଦୁଷ୍ଟାମୀ, ତାର ଜିନିଷ ନଷ୍ଟ କରିବା, ତାର ସମସ୍ତ ଅତୀତ…. । ସେ ଅତୀତକୁ ଦିନେ ଭୁଲିଯିବା ପାଇଁ ଚେଷ୍ଟା କରିଥିଲେ ସୁନନ୍ଦା-। ସେଥିପାଇଁ ବହି ଆସୁଥିବା ଲୁହଧାରକୁ ପୋଛି ଦେଇଥିଲେ । ସେତେବେଳେ ସବୁ ସେ ପାରିଥିଲେ, କାରଣ ସୁଧୀର ସହିତ ତାଳ ଦେଇ ଦୌଡ଼ିବାର ଅଦମ୍ୟ ଉତ୍ସାହ ତାଙ୍କୁ ସବୁ କିଛି ଭୁଲାଇ ଦେଇଥିଲା । ଦୌଡ଼ି ଦୌଡ଼ି ସେ ଦିନେ କ୍ଳାନ୍ତ ହେବେ, ମୃଗୁଣୀ ପାଦର ଶକ୍ତି ଯେ ଦିନେ କମି ଯିବ, ଏକଥା ଦିନେ ହେଲେ ଭାବିପାରି ନଥିଲେ । ଶିଥିଳ ମନ, ଅବଶ ଶରୀର ତାଙ୍କର ସେତେବେଳେ ବିକଳ ହୋଇ ଚାହିଁଥିଲା ଏକ ଛୋଟ ନୀଡ଼–ଯେଉଁଠାରେ ପ୍ରଚୁର ଉଷ୍ଣତା, ନୀବିଡ଼ତା ଛଡ଼ା ଆଉ କିଛି ନଥିବ ।

 

ପ୍ରବଳ ବେଗରେ ଟ୍ରେନ୍‌ଟା ଧାଇଁଥିଲା । ତା’ର ଗତି ବର୍ତ୍ତମାନ ହ୍ରାସ ପାଉଛି । ...ସେ କଣ ଏଇ ଟ୍ରେନ୍‌ପରି ଦିନେ ପାଗଳ ହୋଇ ଧାଉଁଥିଲେ ? କେଜାଣି ! ସେ ସବୁ ଭାବିବାର ଅବସର କଣ ତାଙ୍କର ସେତେବେଳେ ଥିଲା ? ଯେ ଧାଏଁ, ସେ ତ ତା ନିଜର ଗତି ମାପି ପାରେ ନାହିଁ !!

 

(ଏଗାର)

 

ଦିଲ୍ଲୀ ଏକ ବିରାଟ ସହର । ପୃଥିବୀର ବିଭିନ୍ନ ଦେଶର ଲୋକ ସେଠାରେ ବାସ କରନ୍ତି-। ସୁଧୀର ଘର ନିକଟରେ ଅନେକ ବଡ଼-ସାନ ଫ୍ଲାଟ ଥିଲା–ବିଲ୍‌ଡିଙ୍ଗ ଥିଲା । ସମସ୍ତଙ୍କ ସହିତ ସେମାନେ ମିଶିବା ବା ପରିଚିତ ହେବା ପାଇଁ ସମୟ ବା ସୁବିଧା ନ ଥିଲା । ସେମାନଙ୍କର ଚାଲିଚଳନ ଭିନ୍ନ ଥିଲା, ଭାଷା ବିଭିନ୍ନ ଥିଲା । ସୁଧୀର ମଜା କରି ତେଣୁ ସେ ବିଲ୍‌ଡିଂକୁ କହେ ପାର୍ଲିଆମେଣ୍ଟ ହାଉସ ।

 

ପଡ଼ିଶା ଘର ଫ୍ଲାଟରେ କିଏ ରହନ୍ତି, ସୁନନ୍ଦା ଜାଣି ନଥିଲେ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ସେ ଘରୁ ଜଣେ ବୟସ୍କା ମହିଳା ହାତରେ ପୂଜା ଜିନିଷ ଧରି ଯିବାର ଦେଖନ୍ତି । ସେତେବେଳେ ବାଲ୍‌କୋନିରେ କ୍ରୋଟନ ଗଛ ନିକଟରେ ଠିଆ ହୋଇ ସୁଧୀରର ଅପେକ୍ଷା କରି ଥାଆନ୍ତି ।

 

ପିତଳ ଥାଳିରେ ନଡ଼ିଆ, ଫୁଲ, ଧୂପକାଠି ଇତ୍ୟାଦି ଧରି ମହିଳାଟି ଧୀର ପଦରେ ସୁନନ୍ଦାଙ୍କ ଗେଟ୍ ଅତିକ୍ରମ କରି ଆଗେଇ ଯାଆନ୍ତି । ସୁନନ୍ଦା ତାଙ୍କୁ ଚିହ୍ନିଥିଲେ, ଅଥଚ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତାର ଆଦାନ ପ୍ରଦାନ ବିଶେଷ ହୋଇ ନଥିଲା !

 

ସେଦିନ ସୁଧୀର ଅଫିସ ଚାଲିଯିବା ପରେ ପରେ ଦ୍ଵାରରେ କିଏ ବେଲ୍ ଚିପିଲା । ସୁନନ୍ଦା ଖୋଲି ଦେଖିଲେ ପୂର୍ବୋକ୍ତ ଭଦ୍ରମହିଳା । ହାତରେ ତାଙ୍କର ପୂଜାର ଡାଲା ବଦଳରେ ଏକ ବଡ଼ ରୂପାର ଥାଳି । କୃଶକାମକରା ଘୋଡ଼ଣୀ କାଢ଼ି ଭଦ୍ରମହିଳା ଥାଳିଟି ସୁନନ୍ଦାଙ୍କ ହାତକୁ ବଢ଼ାଇ ଦେଲେ । ତାହା ବିଭିନ୍ନ ମିଷ୍ଟାନ୍ନରେ ପୂର୍ଣ୍ଣ ଥିଲା ।

 

“ଏ ରାଧାରାଣୀଙ୍କ ଭୋଗ ମା ! ବୋହୂର ପୁଅଝିଅ କିଛି ହେଉ ନଥିଲା । ରାଧାରାଣୀଙ୍କ ପ୍ରସାଦରୁ ପୁଅଟିଏ ହୋଇଛି । ଯିବ ମା । ପୁଅକୁ ଦେଖିବ । ମୋ ବୋହୂ ସଙ୍ଗେ କଥା ହେବ । ତମେ ଏଠି ବିଦେଶୀ । ଆମେ ବି ଏଠି ବିଦେଶୀ ।”

ଭଦ୍ର ମହିଳାଙ୍କ ଶାଢ଼ି ପିନ୍ଧା ଢଙ୍ଗ ଓ ହିନ୍ଦୀ ଉଚ୍ଚାରଣରୁ ସୁନନ୍ଦା ଜାଣିଲେ, ସେ ରାଜସ୍ଥାନର ଲୋକ ।

ବୁଢ଼ୀ ସେଦିନ ରାଧାରାଣୀଙ୍କର ଅନେକ ଗୁଣ କୀର୍ତ୍ତନ କରିଥିଲେ, ତାଙ୍କର ଅପାର ମହିମାର ଅନେକ ପ୍ରମାଣ ଦେଖାଇଥିଲେ ଓ ଯିବା ପୂର୍ବରୁ ସୁନନ୍ଦାଙ୍କୁ ସେ ମନ୍ଦିରରେ ଯାଇ ପୂଜା ଦେବା ପାଇଁ ଉପଦେଶ ଦେଇଥିଲେ ।

ଦୁଇଦିନ ପରେ ସୁନନ୍ଦା ତାଙ୍କ ଘରକୁ ଯାଇଥିଲେ, ଟିକି ପୁଅଟିକୁ କୋଳକୁ ନେଇ ଆଦର କରିଥିଲେ, ତା ହାତରେ ଖେଳନା ଧରାଇଥିଲେ । ସେଦିନ ବୁଢ଼ୀ ଓ ତାଙ୍କ ବୋହୂକୁ ଦେଖି ସୁନନ୍ଦାଙ୍କର ମନେହେଲା, ସେମାନଙ୍କର କେବଳ ଗୋଟିଏ ମାତ୍ର ଅଭାବ ଥିଲା ଓ ତାହା ପୂର୍ଣ୍ଣ ହୋଇଛି । ସେମାନେ ବର୍ତ୍ତମାନ ସର୍ବତୋଭାବେ ସୁଖୀ । କିନ୍ତୁ ତାଙ୍କ ଉପଦେଶ ମାନି ସୁନନ୍ଦା ରାଧାରାଣୀ ମନ୍ଦିରକୁ ଯାଇ ନଥିଲେ, କାରଣ ରାଧାଙ୍କ ପ୍ରତି ମନରେ ତାଙ୍କର ସେତେବେଳେ ଭୀଷଣ ବିଦ୍ୱେଷ ଜନ୍ମିଥିଲା । ସେ ସବୁ ଛାଡ଼ି କୃଷ୍ଣଙ୍କ ପାଇଁ ପାଗଳ ହେଲେ । ଆଜି ଦୁନିଆ ତାଙ୍କୁ ସତୀ ବୋଲି ପ୍ରଶଂସା କରୁଛି । ଠାକୁରାଣୀ ବୋଲି ପୂଜା କରୁଛି । ତାଙ୍କୁ କଣ ଲୋକେ ଏମିତି ବହୁବର୍ଷ ପରେ ପୂଜା କରିବେ ? ତାଙ୍କ ଭଲ ପାଇବାକୁ ରାଗାନୁଗା ଭକ୍ତି ନାଁ ଦେଇ ଉଚ୍ଚକୁ ଟେକିବେ ? ନାଁ–ରା‌ଧା ପ୍ରେମ କରି ପରମ ସତୀ ହେଲେ, ଅଥଚ ତାଙ୍କ ନାଁ ଶୁଣିଲେ ଲୋକେ ଘୃଣାରେ ନାକ ଟେକିବେ । କିନ୍ତୁ କାହିଁକି ?

କେତେ ଯତ୍ନ କରି ସେ ବିଭୂତିବାବୁ ଓ ବାବୁନ୍‌ର ଜିନିଷ ସଜାଡ଼ି ଥିଲେ । ସେମାନେ ଟ୍ରେନରେ ଖାଇବେ ବୋଲି କେକ୍, ବିସ୍କୁଟ ହାତରେ ତିଆରି କରି ଦେଇଥିଲେ । ସେମାନଙ୍କୁ ବିଦାୟ ଦେଇ ଅନେକ କାନ୍ଦିଥିଲେ । ଶେଷରେ ନିଜର ସମସ୍ତ ଜିନିଷ ସହ ସୁଧୀର ଫ୍ଲାଟ୍‌କୁ ଆସି ନିଜର ସକଳ ଅତୀତକୁ ବିସ୍ମୃତ ହୋଇ ସେ ସୁଧୀର ଭିତରେ ନିଜର ସମସ୍ତ ସତ୍ତା ହରାଇ ବସିଥିଲେ । ତେବେ ତାଙ୍କର ଭୁଲ ରହିଲା କେଉଁଠି ? ...ନିଜକୁ ସୁଧୀର ଚିନ୍ତାରୁ ଦୂରେଇ ନେବା ପାଇଁ, ନିଜ ମନକୁ ଦୃଢ଼ କରିବା ପାଇଁ ସେ ତ କମ୍ ଚେଷ୍ଟା କରି ନଥିଲେ ! କିନ୍ତୁ ରାଧାଙ୍କ ପରି ସେ ମଧ୍ୟ ଲୋକାପବାଦକୁ ଡରି ସୁଧୀରକୁ ଏଡ଼ାଇ ଦେଇ ପାରି ନଥିଲେ ।

ଦୀର୍ଘ ସାତବର୍ଷ ତଳର କଥା । ଉକ୍ତ ରାଜସ୍ଥାନୀ ପରିବାରଟିକୁ ସେତେବେଳେ ଭଲ ଲାଗିଥିଲା ସୁନନ୍ଦାଙ୍କୁ । ତେଣୁ ସେ ଆଉ ଦୁଇ ତିନିଥର ମଧ୍ୟ ତାଙ୍କ ଘରକୁ ଯାଇଥିଲେ, ଛୋଟ ପିଲାଟି ସଙ୍ଗେ ଖେଳିଥିଲେ, ବୋହୂ ସଙ୍ଗେ ଆଳାପ କରିଥିଲେ ଓ ବୁଢ଼ୀଙ୍କର ଉପଦେଶ ନୀରବରେ ଶୁଣି ମନେ ମନେ ହସିଥିଲେ । କାରଣ ସୁଧୀର ଓ ତାଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟିକରି ପୃଥିବୀରେ ଆଉ କେହି ଜନ୍ମନେଉ, ତା ସେ ଆଦୌ ଚାହୁଁ ନଥିଲେ । ସୁନନ୍ଦାଙ୍କର ଇଚ୍ଛା ହେଲା, ସେ ପୁଣି ଥରେ ସେହି ଘରକୁ ଧାଇଁଯିବେ, ସେହି ବୟସ୍କା ଭଦ୍ରମହିଳାଙ୍କ ସମ୍ମୁଖରେ କିଛି ନ ଲୁଚାଇ ନିଜର ସବୁ କାହାଣୀ ଖୋଲି କହିବେ । ପଚାରିବେ, ରାଧା କଣ ଜୀବନରେ କେବେ ହେଲେ ଅନୁତାପ କରି ନଥିଲେ ? ସାରା ଜୀବନ କଣ ସେ ଯୁବତୀ ସୁଲଭ ଉନ୍ମାଦନା ନେଇ ଶ୍ରୀକୃଷ୍ଣଙ୍କ ସହିତ ରାସଲୀଳା କରିପାରିଥିଲେ ? କେବେ ଦିନେ ହେଲେ ତାଙ୍କ ଅବୟବରେ ଶିଥିଳତା ଆସି ନଥିଲା, ପାଦରେ କ୍ଳାନ୍ତି ଘେରି ଯାଇ ନଥିଲା ?

 

କିନ୍ତୁ ସେମାନେ ତ ଆଉ ସୁନନ୍ଦାଙ୍କର ପଡୋଶୀ ହୋଇ ନାହାନ୍ତି । ଅନ୍ୟ ଯାଗାରେ ଘର ନେଇ ଅନେକ ବର୍ଷ ତଳୁ ଚାଲିଯାଇଛନ୍ତି । ଯିବା ପୂର୍ବରୁ ବୁଢ଼ୀ ସୁନନ୍ଦାଙ୍କ ଘରକୁ ଆସିଥିଲେ । ତାଙ୍କ ନୂଆ ଘରକୁ ଯିବା ପାଇଁ ସୁନନ୍ଦାଙ୍କୁ ଆମନ୍ତ୍ରଣ କରିଥିଲେ ଓ ଘରର ଠିକଣା ଲେଖି ସୁନନ୍ଦାଙ୍କୁ ଦେଇଥିଲେ । ଆଜି ଅନେକ ଦିନ ପରେ ସୁନନ୍ଦା ସେ ଠିକଣାଟିକୁ ଖୋଜିଲେ–ତନ୍ନ ତନ୍ନ କରି ଖୋଜି ବାହାର କରିବା ପାଇଁ ବ୍ୟଗ୍ର ହୋଇ ଉଠିଲେ ।

 

ସଂଧ୍ୟାରେ ଅଫିସରୁ ଫେରିଲା ସୁଧୀର । ଅନେକ ଦୂରରୁ ସୁଧୀର ଗାଡ଼ିକୁ ଚିହ୍ନିପାରନ୍ତି ସୁନନ୍ଦା–ପାଉଁଶିଆ ରଙ୍ଗର ନୂଆ ମଡ଼େଲ ଫିଆଟ । ଗାଡ଼ିର ରଙ୍ଗ ବା ମଡ଼େଲ ଦେଖି କିନ୍ତୁ ସୁନନ୍ଦା ତାଙ୍କ ଗାଡ଼ି ଚିହ୍ନନ୍ତି ନାହିଁ, ଚିହ୍ନନ୍ତି ସୁଧୀରର ଗାଡ଼ି ଚଲାଇବା ଢଙ୍ଗରୁ । ରାଜରାସ୍ତା ଉପରୁ ଡାହାଣ ହାତି ମୋଡ଼ିଲେ ତିନିଟା ବିଲଡ଼ିଂ ପରେ ତାଙ୍କ ଘର, ଅଥଚ ସୁଧୀର ମୋଡ଼ ପରଠାରୁ ଗାଡ଼ିର ଗତି ନ ବଢ଼ାଇ ଧୀର ଗତିରେ ଆସି ଗେଟ୍ ନିକଟରେ ବ୍ରେକ୍ ଦିଏ । …ଷ୍ଟିୟରିଂ ଧରି ଗାଡ଼ି ଚଳାଇବା ସମୟରେ ସୁଧୀରକୁ ଭଲ ଲାଗେ ସୁନନ୍ଦାଙ୍କୁ–ଏକ ସୁପୁରୁଷ ବୋଲି ମନେ ହୁଏ ।

 

ସେଦିନ ଫେରିବା ପାଇଁ ଡେରି କଲା ସୁଧୀର–ଉତ୍ସୁକ ହୋଇ ସୁନନ୍ଦା ତାକୁ ଲନ୍ ନିକଟରେ ଅପେକ୍ଷା କରିଥିଲେ । ସୁଧୀର ଏକା ଫେରିଲା ନାହିଁ, ସଙ୍ଗରେ ଜଣେ ଯୁବତୀ ।

 

ସୁଧୀର ଗାଡ଼ି ପଛର ଡିକି ଖୋଲି ସୁଟକେଶ ଇତ୍ୟାଦି ବାହାର କରୁଥିବା ସମୟରେ ଯୁବତୀଟି ଆଗେଇ ଆସି ସୁନନ୍ଦାଙ୍କୁ ନମସ୍କାର କଲା । ସୁନନ୍ଦା ତାକୁ ଚିହ୍ନନ୍ତି ନାହିଁ, ଜାଣନ୍ତି ନାହିଁ, ଅଥଚ ସେ ଝିଅଟିକୁ ତ ପଚାରିବେ ନାହିଁ, ‘‘ତମେ କିଏ ?” ...ସୁଧୀର ଜିନିଷ ଓହ୍ଲାଇ ଗାଡ଼ି ଗ୍ୟାରେଜ୍‌ରେ ପୁରାଉଛି । ସୁନନ୍ଦା ଆଗନ୍ତୁକାର ହାତ ଧରି ଘର ଭିତରକୁ ଆଗେଇ ଗଲେ ।

 

ଏକଦା ସୀମା ଲକ୍ଷ୍ନୌର ବାସିନ୍ଦା ଥିଲା । କେତେବର୍ଷ ପାଇଁ ସୁଧୀର ଘରର ସେମାନେ ପଡ଼ୋଶୀ ଥିଲେ । ଦୁଇଟି ପରିବାର ଭିତରେ ଅନେକ ଘନିଷ୍ଠତା ଥିଲା । ସେ ଘନିଷ୍ଠତା ବୃଦ୍ଧି ପାଇଲା ଯେତେବେଳେ ସୁଧୀର ଓ ସୀମାର ବଡ଼ ଭାଇ ଏକା ସ୍କୁଲରେ ଓ ଏକା ଶ୍ରେଣୀରେ ନାମ ଲେଖାଇଲେ ।

 

‘‘ଜାଣ ନନ୍ଦା, ସୀମା ଲାଗି ମୁଁ ଅଷ୍ଟମ ଶ୍ରେଣୀରେ ଫେଲ ହୋଇ ଯାଇ ଥାଆନ୍ତି । ତାକୁ ଚେରୀ ଦେଲି ନାହିଁ ବୋଲି ଖରାବେଳେ ଆମ ଘରକୁ ଆସି ମୋ ଅଙ୍କ ଖାତାକୁ ଖଣ୍ଡ ଖଣ୍ଡ କରି ଚିରୁଥିଲା । ଭାଗ୍ୟକୁ ମାଆ ଦେଖିଦେଲେ ।”

 

ହସିଲେ । ନନ୍ଦା–ହସିଲା ସୁଧୀର । ସୀମା ଅଳ୍ପ ହସି ମୁହଁ ତଳକୁ ପୋତିଲା । ସୁନନ୍ଦା ଲକ୍ଷ୍ୟ କଲେ, ସୀମା ହସିଲେ ତାର ବାମପଟ ଗାଲରେ ଏକ ଛୋଟ ଗର୍ତ୍ତ ସୃଷ୍ଟି ହୁଏ ।

 

“ସୀମା ମିରାଣ୍ଡା କଲେଜକୁ ଚାକିରୀ ପାଇ ଆସିଛି । ବନାରସରେ ଥିଲା । ଭଲ କଲେଜ । ସେଠାରୁ କାହିଁକି ଛାଡ଼ି ଚାଲି ଆସିଲା ଜାଣିଚ ? ପିଲାଏ ବଡ଼ ହଇରାଣ କଲେ । ଜଣେ ପି. ଜି. ଛାତ୍ର ତା ପଛରେ ଲାଗିଲା । କହିଲା–ମାଡ଼ାମ୍, ଆପଣଙ୍କ ଚେହେରା ସୁନ୍ଦର, ବୟସ ଅଛି...-।”

 

“ମିଛ, ସବୁ ମିଛ ।’’ ସୁଧୀରକୁ କଥା ସମ୍ପୂର୍ଣ୍ଣ କରିବା ପାଇଁ ଦେଲା ନାହିଁ ସୀମା । ଏତେ ବର୍ଷ ପରେ ବି ତମେ ବଦଳିନ ସୁଧୀର ଭୈୟା–ଯେମିତି ଥିଲ ଠିକ୍ ସେମିତି ଅଛ ।’’

 

ପିଲାଦିନେ ମଧ୍ୟ ସୁଧୀର ଏମିତି ସମସ୍ତଙ୍କୁ ଚିଡ଼ାଇ ବ୍ୟତିବ୍ୟସ୍ତ କରୁଥିଲା, ଅନ୍ୟମାନଙ୍କ ଆଗରେ ଦୋଷଦୁର୍ବଳତା କହି ଅପଦସ୍ତ କରୁଥିଲା ଭାବି ସୁନନ୍ଦା ଏକ ଅହେତୁକ ଆନନ୍ଦ ଅନୁଭବ କଲେ ।

 

ଲକ୍ଷ୍ନୌରେ ମଧ୍ୟ ସୁଧୀରର ଭାଉଜ କହିଥିଲେ ତମେ ଏଥର ଆଉ ସେମିତି ପିଲାଳିଆମୀ ନକରି ଗମ୍ଭୀର ହେବାକୁ ଚେଷ୍ଟାକର । ବାହାହେଲ, ଏହାପରେ ବାପା ହେବ । ସବୁ ଦିନେ କଣ ଏମିତି ମଜା କରି ସମସ୍ତଙ୍କୁ ହସାଉଥିବ ? ...ଆଠ ବର୍ଷ ତଳର ଉପଦେଶ ଗ୍ରହଣ କରିନାହିଁ ସୁଧୀର, ସେ ବଦଳି ନାହିଁ ।

 

‘‘ସୀମାକୁ ଦେଖିଲେ ଭାବିପାରୁଛ ନନ୍ଦା, ସେ ଦିନେ ଲିଟରେଚର୍‌ରେ ୟୁନିଭରସିଟିରେ ରେକର୍ଡ଼ ବ୍ରେକ କରିଥିଲା ବୋଲି ? ଏତେ ପାଠ ପଢ଼ିଲା, କଲେଜର ଲେକଚରର୍‍ ହେଲା ଅଥଚ ପିଲାଦିନର ଡର ତାର ଗଲା ନାହିଁ । ସେ ଆସୁଛି ବୋଲି ଚାରିଦିନ ଆଗରୁ ଟେଲିଗ୍ରାମ କରିଥିଲା । ମତେ ଷ୍ଟେସନ ଯିବା ପାଇଁ ସେଥିରେ ଅନୁରୋଧ କରିଥିଲା । ଟେଲିଗ୍ରାମ ମୁଁ ପାଇ ନାହିଁ ଅଥଚ ସୀମା ଆସି ଦିଲ୍ଲୀରେ ହାଜର । ଷ୍ଟେସନରେ ମତେ ନ ଦେଖି ବିଚାରୀର ଅବସ୍ଥା ଖରାପ । ଯାହା ହେଉ, ଭଗବାନ କେମିତ ବୁଦ୍ଧି ଦେଲେ, ସେ ଲକ୍ଷ୍ନୌ ଫେରି ନଯାଇ ମୋ ଅଫିସକୁ ଆସିଗଲା । ଅଫିସରେ ମତେ ନଦେଖି କାନ୍ଦିବା ଉପରେ ।”

 

ସୀମା ନିଜ ଦୁରାବସ୍ଥାକୁ ଆହୁରି ପ୍ରାଞ୍ଜଳ କରି ବୁଝାଇବା ପାଇଁ ଚେଷ୍ଟା କଲା–“ସତରେ ଭାବି‌, ମୁଁ ବଡ଼ ଡରିଗଲି । ଏଠାରେ ଆଉ କାହାରିକୁ ମୁଁ ଚିହ୍ନି ନାହିଁ । ଟାକ୍‌ସିରେ ବସି ଭାବୁଥାଏ, ସୁଧୀର ଭୈୟା ଯଦି ଅଫିସରେ ନଥିବେ, ମୁଁ କଣ କରିବି ? ଘର ଠିକଣାତ ଜାଣେ ନାହିଁ ?”

 

ଡାକତାର ବିଭାଗକୁ ନିଜର ଦାୟିତ୍ଵହୀନତା ପାଇଁ, ଟାକ୍‌ସିବାଲାଙ୍କୁ ସେମାନଙ୍କର ବହୁତ ଭଡ଼ା ନେବା ପାଇଁ, ସୁଧୀର ଅଫିସର ଲିଫ୍‌ଟମ୍ୟାନକୁ ତାର ବୋକାମୀ ପାଇଁ ଓ ସୁଧୀରକୁ ଅଫିସର ଲୋକମାନଙ୍କ ସମ୍ମୁଖରେ ତାର ଦୁରାବସ୍ଥା ଦେଖି ହସିବା ପାଇଁ ଗାଳି ଦେଲା ସୀମା । ଗର କରୁ କରୁ ସେ ଶିକ୍ଷକତାକୁ ସବୁଠାରୁ ମହତ୍ ଜୀବିକା ବୋଲି ଅନେକ ତାରି‌ଫ କଲା ଓ ଶିକ୍ଷକମାନଙ୍କୁ ସେମାନଙ୍କର ଆଦର୍ଶବୋଧ ନାହିଁ ବୋଲି ଦୋଷ ଦେଲା । ସୁନନ୍ଦାଙ୍କୁ ଲାଗିଲା, କେବଳ ସୁଧୀର ନୁହେଁ, ସୀମା ମଧ୍ୟ ବୟସ ଅନୁପାତରେ ବୟସ୍କା ହୋଇ ନାହିଁ ।

 

ସୀମା ସୁଧୀର ଘରେ ସବୁଦିନେ ରହିବା ପାଇଁ ଆସି ନାହିଁ, ସେ ହଷ୍ଟେଲ ଚାଲିଯିବ । ହଷ୍ଟେଲରେ ରହିବା ପାଇଁ ହେଲେ ନିଜର ଅନେକ ଗୁଡ଼ିଏ ଜିନିଷ ଦରକାର । ସୁନନ୍ଦା ସୀମାକୁ ସଙ୍ଗରେ ଧରି ସବୁ ଜିନିଷ କିଣିଲେ । ତାର ହଷ୍ଟେଲ୍‌ରେ ଚଳିବାରେ ଯେପରି କିଛି ଅସୁବିଧା ନହୁଏ, ସେଥିପ୍ରତି ବିଶେଷ ଦୃଷ୍ଟିଦେଲେ ଓ ତାକୁ ନିର୍ଦ୍ଦିଷ୍ଟ ଦିନ ହଷ୍ଟେଲ ନ ଛାଡ଼ି ଆଉ ଚାରିଦିନ ଅଟକାଇ ଦେଲେ ।

 

ସୀମା ପାଇଁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଜିନିଷ ଯତ୍ନ କରି ରାନ୍ଧି ଥିଲେ ସୁନନ୍ଦା । ଖାଇବା ସମୟରେ ତା ନିକଟରେ ବସି ବଳେଇ ବଳେଇ ଖୁଆଇ ଥିଲେ । ସୀମାକୁ ହଷ୍ଟେଲର ଦ୍ଵାର ନିକଟରେ ନଛାଡ଼ି ତା ସହିତ ରୁମକୁ ଗଲେ । ତା ଖଟରେ ଛାରପୋକ ଅଛନ୍ତି କି ନାହିଁ ପରୀକ୍ଷା କଲେ । ହଷ୍ଟେଲ ଖାଇବା ଉପରେ ନିର୍ଭର ନକରି ବାହାରୁ ଦୁଧ, ଅଣ୍ଡା ଖାଇବା ପାଇଁ ତାକୁ ଉପଦେଶ ଦେଲେ । ତଥାପି ମନ ମାନିଲା ନାହିଁ ସୁନନ୍ଦାଙ୍କର । ଛୁଟିଦିନମାନଙ୍କରେ ସେ ଆସି ତାକୁ ଘରକୁ ନେଇଯିବେ ଓ ଛୁଟି ସରିଲେ ଆଣି ଛାଡ଼ିଯିବେ ବୋଲି ଠିକ୍ କରି ଗାଡ଼ି ନିକଟକୁ ଫେରିଲେ । ସେତେବେଳେ ତାଙ୍କ ଆଖିରେ ଲୁହ ଛଳ ଛଳ କରୁଥିଲା ।

 

ରାସ୍ତାରେ ଯାଉଥିବା ସମୟରେ ସୁଧୀର କହିଲା, “ତମେ ଏତେ ସ୍ନେହୀ ବୋଲି ଆଗରୁ ଜାଣି ନଥିଲି ନନ୍ଦା । ସୀମାକୁ ଯେମିତି ଭାବରେ ଏଇ କେତେଦିନ ଭିତରେ ଆପଣାର କରିନେଲ, ଅନ୍ୟ କେହି ଭାବିବ ତମର ସାନ ଭଉଣୀ ବୋଲି ।”

 

ସୁଧୀର କଥା ଶୁଣି ଏତେ ଦିନ ପରେ ନିଜଆଡ଼େ ଫେରି ଚାହିଁଲେ ସୁନନ୍ଦା–ସତେ ତ ! ଏଇ ଆଠ ଦିନ ହେଲା ସେ ରାତିଦିନ ନିଜର ଅନ୍ୟ ସବୁକୁ ପଛରେ ପକାଇ ସୀମା ଚିନ୍ତାରେ ରହିଛନ୍ତି । ତାକୁ ଚାରିଆଡ଼େ ବୁଲାଇ ଦେଖାଇବା, ଭଲ ଜିନିଷ ଖୁଆଇବା ଓ ତାର ଜିନିଷ କିଣିବାରେ ସେ ତାଙ୍କର ସବୁ ସମୟ ବ୍ୟୟ କରିଛନ୍ତି, ଏପରିକି କୌଣସି ଜିନିଷ କିଣିବା ପାଇଁ ସେ ସୀମାକୁ ଟଙ୍କା ଖର୍ଚ୍ଚ କରିବା ପାଇଁ ମଧ୍ୟ ଦେଇ ନାହାନ୍ତି ।

 

ସୁନନ୍ଦାଙ୍କର ନିଜର ସାନ ଭଉଣୀ ନାହିଁ । ହୁଏତ ସାନଭଉଣୀଟିଏ ଥିଲେ ସେ ତାକୁ ଏହିପରି ଆଦର କରି ଥାଆନ୍ତେ, ସେ ଆସିଥିଲେ ଏମିତି ଖୁସି ହୋଇ ଥାଆନ୍ତେ । କିନ୍ତୁ ସୀମା ତାଙ୍କର କିଏ ? ଅନ୍ତରଙ୍ଗ ବନ୍ଧୁର ସାନ ଭଉଣୀ, ପିଲାଦିନଠୁ ଏକାଠି ଖେଳିଛନ୍ତି, ବଢ଼ିଛନ୍ତି, କିନ୍ତୁ ସୁଧୀର ସୀମା ପାଇଁ ଏତେ ଚିନ୍ତିତ ହୋଇ ନାହିଁ, ତାକୁ ହଷ୍ଟେଲ ନଛାଡ଼ି ଆଉ ଦୁଇଦିନ ଅଟକାଇ ରଖିନାହିଁ । ଅଥଚ ସୀମାକୁ ପାଇ ଅତି ଆପଣାର ପରି ସେ ଖୁସିରେ ଉଛୁଳି ପଡ଼ିଛନ୍ତି ।

 

ଟ୍ରେନ୍‌ରେ ବସି ଦୂର ଦିଗ୍‌ବଳୟକୁ ଚାହିଁ ପଛକଥା ମନେ ପକାଉ ପକାଉ ସୁନନ୍ଦାଙ୍କର ଭାଇଙ୍କ କଥା ମନେ ପଡ଼ିଲା । ଭାଇ ମଧ୍ୟ ତାଙ୍କୁ ସାନଭଉଣୀ ହିସାବରେ ଅନେକ ଆଦର କରୁଥିଲେ । ବିବାହ ପୂର୍ବରୁ ତାଙ୍କ ପ୍ରତି କଠୋର ବ୍ୟବହାର କରୁଥିଲେ ମଧ୍ୟ ବିବାହ ପରେ ଭାଇ ହଠାତ୍ ବଦଳି ଯାଇଥିଲେ । ସେ ରେକ୍‌ସା କରି ଭାଇଙ୍କ ଘରକୁ ଯିବା କ୍ଷଣି ଭାଇ ଖୁସି ହୋଇ କହୁଥିଲେ–ଆରେ ଦେଖିଲ କଏ ଆସିଛି… । ନନ୍ଦା, ତୁ ଆଜି ଆସି ଭଲ କରିଛୁ । ଭାଉଜ କଣ ଭଲ ଏକ୍‌ଜିବିସନ୍‌ଟାଏ ଆସିଛି ବୋଲି କହୁଥିଲା, ଚାଲ ଯିବା ।

 

ଏକ୍‌ଜିବିସନ୍‌ରେ ଭାଉଜ ଶାଢ଼ି ଦେଖୁଥିବା ସମୟରେ ଭାଇ କହନ୍ତି, ଆଗ ନନ୍ଦା ପାଇଁ ଖଣ୍ଡେ ଭଲ ଶାଢ଼ି ବାଛିଲ । ତାପରେ ଗୋଟାଏ ଶାଢ଼ିକୁ ଟାଣି ଆଣି ଭାଉଜଙ୍କୁ ଦେଖାନ୍ତି–“ଏଇଟା ନନ୍ଦାକୁ ମାନିବ ନାହିଁ ?” ଭାଉଜ ଶାଢ଼ିଟି ଖୋଲି ଦାମ୍ ଖୋଜି ବସିଲେ ଭାଇ ଅସନ୍ତୁଷ୍ଟ ହୋଇ କହନ୍ତି–ତମର ସେ ଦାମ୍ ଦେଖିବା ରୋଗ ଗଲା ନାହିଁ ।

 

ଥରେ ଥରେ ଭାଉଜ ଫୋନ୍ କରନ୍ତି–“ନନ୍ଦା । ଭାଇ ସିନେମା ଯିବାକୁ ଟିକେଟ କାଟିଛନ୍ତି, ରେଡ଼ି ହୋଇଥିବ ।”

 

ସିନେମା ହଲ ପୂର୍ବରୁ ଭାଇ ଜଳଖିଆ ଦୋକାନରେ ଗାଡ଼ି ଅଟକାନ୍ତି । ଭାଉଜ ପଚାରିଲେ ହସି ହସି କହନ୍ତି–“ତମେ ତ ଡିସେଣ୍ଟ୍ରି ରୋଗୀ । ବଜାର ଜିନିଷ ଖାଇବ ନାହିଁ । ଆମେ ଭାଇ, ଭଉଣୀ ଚାଟ୍ ଖାଇବୁ । ନାଁ କଣରେ ନନ୍ଦା ?”

 

ଫେରିବା ବାଟରେ ଭାଉଜଙ୍କୁ ଗେଟ୍ ପାଖରେ ଓହ୍ଲାଇ ଦେଇ ଭାଇ ସୁନନ୍ଦାଙ୍କୁ ତାଙ୍କ ଶାଶୁଘରେ ଛାଡ଼ିବା ପାଇଁ ଆସନ୍ତି । ବିଭୂତିବାବୁ ଚିଠି ଦେଇଥିଲେ କି, କେବେ ଆସିବେ ଇତ୍ୟାଦି କେତେ ଘରୋଇ ପ୍ରଶ୍ନ ବାଟରେ ପଚାରନ୍ତି । ଦରକାରୀ ଅଦରକାରୀ କେତେ କଥା ଗପନ୍ତି ।

 

ସେ ଦିନଗୁଡ଼ିକ ଏବେ ସୁନନ୍ଦାଙ୍କୁ ବିଗତ ରାତ୍ରିର ସ୍ୱପ୍ନ ପରି ମନେ ହୁଏ ।

 

କେତେ ଦିନ ତଳେ ଭାଉଜ ଚିଠି ଲେଖିଥିଲେ–ଭାଇଙ୍କ ଦେହ ଏବେ ମୋଟେ ଭଲ ରହୁନି । ବ୍ଲଡ଼ ପ୍ରେସର ବହୁତ ହୋଇ ରହୁଛି । ତାଙ୍କ ମନ ବି ବହୁତ ଦବିଗଲାଣି । କହୁଛନ୍ତି–ଆମ ବଂଶରେ ତ ସମସ୍ତେ ଅଳ୍ପାୟୁ । ପିଲା ସମସ୍ତେ ମଣିଷ ହେବା ଯାଏଁ ମୁଁ ହୁଏତ ବଞ୍ଚିବି ନାହିଁ ।

 

ସେହି ଚିଠିଟି ପଢ଼ିସାରି ଦୀର୍ଘଶ୍ଵାସ ପକାଇ ସୁନନ୍ଦା ରୋଷାଇ ଘରୁ ଦୁଇକପ୍ ଚାହା ଧରି ବାହାରି ଆସିଲେ । କେତେବେଳୁ ବର୍ଷା ଆରମ୍ଭ ହୋଇ ଯାଇଛି ତାଙ୍କୁ ଜଣା ନାହିଁ । ସୁଧୀର ଝରକା ବାଟେ ଏକ ଲୟରେ ବାହାରକୁ ଚାହିଁ ରହିଛି । ସୁନନ୍ଦା ସୁଧୀରକୁ ଚାହା ଦେଇ ତା ନିକଟରେ ଖଟ ଉପରେ ବସି ପଡ଼ିଲେ ।

 

ହଠାତ୍ ବର୍ଷା ଆରମ୍ଭ ହେଲେ ମଧ୍ୟ ଜୋରରେ ପବନ ବହୁ ନାହିଁ । ତାର ଗତି ମଧ୍ୟମ–କିପରି ଏକ ମୃଦୁ ତାଳରେ ବର୍ଷା ପଡ଼ୁଛି । ତା ସହିତ ଏକ ଅଭିନବ ସଙ୍ଗୀତ ସୃଷ୍ଟି ହେଉଛି ବୋଲି ସୁନନ୍ଦାଙ୍କର ମନେ ହେଲା । ହଠାତ୍ ଏକ ବାସ୍ନା ସୁନନ୍ଦାଙ୍କ ନିକଟକୁ ଭାସି ଆସିଲା–ଭିଜା ମାଟିର ବାସ୍ନା । ସୁନନ୍ଦା ଆଖି ବୁଜି ସେ ବାସ୍ନାକୁ ଉପଭୋଗ କରିବା ପାଇଁ ଲାଗିଲେ ଏବଂ ଆଖି ବୁଜିବା ସଙ୍ଗେ ସଙ୍ଗେ ସେ ଦୂର ଅତୀତକୁ ଫେରିଗଲେ, ଯେଉଁ ଅତୀତରେ ସେ ଭିନ୍ନ ଘରେ ରହୁଥିଲେ, ଭିନ୍ନ ଲୋକ ସହିତ ସଂସାର କରୁଥିଲେ ।

 

…ସେ ଦିନ ମଧ୍ୟ ଅଚାନକ ଭାବେ ବର୍ଷା ଆରମ୍ଭ ହୋଇଥିଲା । ଖରାଦିନିଆ ବର୍ଷା । ବିଭୂତିବାବୁ ବାରଣ୍ଡାରେ ବସି ବହି ଖଣ୍ଡେ ପଢ଼ୁଥିଲେ । ବର୍ଷା ହେବା ଦେଖି ସୁନନ୍ଦା ଖୁସି ହୋଇ ଘର ଭିତରୁ ବାହାରି ଆସି ବିଭୂତିବାବୁଙ୍କ ନିକଟସ୍ଥ ଚେୟାରରେ ବସି ପଡ଼ିଲେ । ତାଙ୍କର ଇଚ୍ଛା ହେଉଥିଲା ବାହାରେ ଠିଆହୋଇ ବର୍ଷାରେ ଭିଜନ୍ତେ, ହାତରେ ଆଞ୍ଜୁଳା ଆଞ୍ଜୁଳା ବର୍ଷା ପାଣି ଧରି ବିଭୂତିବାବୁଙ୍କ ଉପରେ ପକାନ୍ତେ । କିନ୍ତୁ ସେସବୁ କିଛି ନକରି ସେ ବସି ବସି ମାଟିର ବାସ୍ନା ଉପଭୋଗ କରିବାରେ ଲାଗିଲେ ।

 

––ଏ ବାସ୍ନା । ତମକୁ ଭଲଲାଗେ ନାହିଁ ?

 

––ହୁଁ ।

 

––ଶୁଖିଲା ମାଟିରେ ବର୍ଷା ପଡ଼ିଲେ ଏମିତି ବାସ୍ନା କାହିଁକି ବାହାରେ ?

 

––ଉହୁଁ ।

 

ବିଭୂତିବାକୁ ତାଙ୍କ କଥା କିଛି ନଶୁଣି ବହି ପଢ଼ି ଚାଲିଛନ୍ତି ଅଥଚ ସେ ଅଦିନିଆ ବର୍ଷାକୁ ଦେଖି ସେଦିନ ସୁନନ୍ଦାଙ୍କର ଖାଲି ଗପିବା ପାଇଁ ଇଚ୍ଛା ହେଉଥିଲା । କିନ୍ତୁ କାହା ସଙ୍ଗେ ଗପିବେ ?

 

––ବହି ପଢ଼ା ବନ୍ଦକରି ଟିକେ ଗପ କଲେ ହୁଅନ୍ତାନି ? ଆଉ ଘଣ୍ଟାକ ପରେ ତ ମୁଁ ରାନ୍ଧିବା ପାଇଁ ଚାଲିଯିବି ।

 

ବହିରୁ ମୁହଁ ଟେକି ସୁନନ୍ଦାଙ୍କ ଆଡ଼େ ଚାହିଁଲେ ବିଭୂତିବାବୁ । ବହିଟାକୁ ବନ୍ଦକରି ସୁନନ୍ଦାଙ୍କ ଆଡ଼େ ଚେୟାର ଘୂରାଇ ବସିଲେ ।

 

––ଗପ । କଣ ଗପିବାକୁ ଚାହୁଁଛ ଗପ ।

 

ତାପରେ ସୁନନ୍ଦାଙ୍କର ବର୍ଷାରେ ଭିଜିବାର ବା ସ୍ଵାମୀଙ୍କ ସହିତ ଗପକରିବାର ପ୍ରବଳ ସ୍ପୃହା ଦପ୍‌କରି ଲିଭିଗଲା । ସେ ସେଠାରୁ ଉଠିଗଲେ । ଖାଇବା ଟେବୁଲର ଚେୟାରଟାକୁ ଗୋଡ଼ରେ ସେ ଜୋରରେ ଠେଲି ଦେଇ ଶୋଇବା ଘରେ ପଶିଲେ । ଖଟ ଉପରେ ବାବୁନି ଏକା ବସି ଛବି ବହି ଦେଖୁଥିଲା । ତାକୁ ଦେଖି ସୁନନ୍ଦାଙ୍କ ରାଗ ବଢ଼ି ଯାଇଥିଲା ।

 

––ସବୁବେଳେ ଗଧପରି ଖଟ ଉପରେ ବସି କାହିଁକି ବିଛଣା ମଇଳା କରୁ ? ଯା–ବାହାରକୁ ଯା ।

 

ଖଟ ଉପରେ ଧଡ଼୍ କରି ସୁନନ୍ଦା ଶୋଇ ପଡ଼ିଲେ । ତାଙ୍କର ଇଚ୍ଛା ହେଲା, ବାପାବୋଉଙ୍କ କଥା ମନେ ପକାଇ ଖୁବ୍ କାନ୍ଦିବେ କିମ୍ବା ଭାଇଙ୍କୁ ଖଣ୍ଡେ ଚିଠି ଲେଖିବେ–ଶୀଘ୍ର ଆସି ମତେ ନେଇଯାଅ ।

 

ଟିକିଏ ପରେ ବିଭୂତିବାବୁ ‘ବାବୁନି’ ‘ବାବୁନିରେ’ ବୋଲି ଡାକିଲେ । ସୁନନ୍ଦା କାନ ପାରିଲେ । (ହୁଁ, ଏତେବେଳେ ମୁଣ୍ଡରେ ଚିନ୍ତା ପଶିଲା । ଏହାପରେ ବାବୁନ୍ ଆସି ତାଙ୍କ ପାଖରେ ଠିଆ ହେବ । ଗେହ୍ଲେଇ ହୋଇ କହିବ, ମାମୀ–ବାପି କହୁଛନ୍ତି ତାଙ୍କ ପାଇଁ କପେ ଚାହା ନେଇ ଯାଆ । ସେ କିନ୍ତୁ ସେହିପରି ଶୋଇ ରହିବେ, ଉଠିବେ ନାହିଁ । ଶୋଇ ଶୋଇ କହିବେ–ମୁଁ ଦେଇ ପାରିବି ନାହିଁ । ମୋ ଦେହ ଭଲ ଲାଗୁ ନାହିଁ–ତୁ ଏଠୁ ଯାଆ । ତା ପରେ ହୁଏତ ‘ସେ’ ନିଜେ ଆସିବେ, କହିବେ...)

 

––ଦେଖ୍ ବାବୁନି, ଆକାଶରେ ସେଟା କଣ ଦିଶୁଛି ?

 

––ମାମୀ କହିଥିଲା ସେଟା ଇନ୍ଦ୍ରଙ୍କର ଧନୁ । ସେ ସେଥିରେ ହଜାର-ହଜାର ଅସୁର ମାରିଛନ୍ତି ।

 

ବିଭୂତିବାବୁ ବିରକ୍ତ କଣ୍ଠରେ କହିଥିଲେ–ରବିଶ୍ । ତୋ ମାମୀର ଜ୍ଞାନର ପରିସର ଏତେ ସୀମିତ ଯେ, ତାକୁ ରାଜାରାଣୀ, ଅସୁରୁଣୀ ବୁଢ଼ୀ କଥା ହିଁ ଭଲ ଲାଗେ ।

 

ବାବୁନ୍‌କୁ ଇନ୍ଦ୍ରଧନୁ ବିଷୟରେ ବିଶଦ ଭାବରେ ବୁଝାଇଥିଲେ ବିଭୂତିବାବୁ–‘‘ତାକୁ ଇଂଲିଶରେ କହନ୍ତି ‘ରେନ୍‌ବୋ’–ରାଇମସ୍ ବହିରେ ପଢ଼ିନୁ ?”

 

...ସୁନନ୍ଦା ସୁଧୀର ଆଡ଼େ ଚାହିଁଲେ । ତାଙ୍କର ଇଚ୍ଛା ହେଲା ସୁଧୀର କୋଳରେ ତାର ଛୋଟ ପୁଅ ଥାଆନ୍ତା । ସେ ତାକୁ ରେନ୍‌ବୋ ବିଷୟରେ ବୁଝାଉଥାଆନ୍ତା, ଆଦର କରୁଥାଆନ୍ତା ।

 

ହଠାତ୍ ସୁନନ୍ଦାଙ୍କୁ ନିଜ ଚିନ୍ତାଧାରା ଅଡ଼ୁଆ-ଅଡ଼ୁଆ ଲାଗିଲା । ସୁଧୀର କୋଳରେ ଛୋଟ ପିଲାଟିଏର ପରିକଳ୍ପନା କିପରି ଅସଙ୍ଗତ ବୋଧ ହେଲା । ସେ ଭଲ ଭାବରେ ପୁଣିଥରେ ସୁଧୀରକୁ ଚାହିଁଲେ । ସେ ତାଙ୍କର ସ୍ଵାମୀ ନୁହେଁ…ପୁଅ ? ଆଖିରୁ ସୁଧୀର ପ୍ରତି ମୁଠା ମୁଠା ମାତୃତ୍ୱ ଝରି ପଡ଼ିଲା ।

 

ସୁଧୀର ଆକାଶକୁ ଚାହିଁ କଣ ଦେଖୁଛି ?

 

––ଦେଖ ନନ୍ଦା, ଆକାଶରେ କେଡ଼େ ସୁନ୍ଦର ରେନ୍‌ବୋ ଦିଶୁଛି । ଓଡ଼ିଆରେ ତାକୁ କଣ କହନ୍ତି ?

 

ଆକାଶକୁ ଚାହିଁଲେ ସୁନନ୍ଦା–ସୁନେଲୀ ଖରା ଭିତରେ ଏକ ବିରାଟ ଇନ୍ଦ୍ରଧନୁ । ତାକୁ ସୁଧୀର ଆଗ୍ରହରେ ଦେଖୁଛି, ଖୁସି ହୋଇ କହୁଛି ମାମୀ, ଦେଖ ରେନ୍‌ବୋ ପଡ଼ିଛି…ରେନ୍‌ର କଣ ବୋ ଥାଏ ? ସେ କଣ ମଣିଷ ? …ଆକାଶକୁ କିଛି ସମୟ ଧରି ଦେଖିଲେ ସୁନନ୍ଦା । ତା ଭିତରେ ଏକ ଝିଅର ସତ୍ତା ଉଦୟ ହେଲା । ଛାତି ଥରି ଉଠିଲା ସୁନନ୍ଦାଙ୍କର–ପୁଣି ଥରେ ଅନେକ ବର୍ଷ ପରେ ଅମୃତା କାଉର୍ ତାଙ୍କୁ ଡାକୁଛି ? ତାର ଅଶରୀରି ଛାୟା ତାଙ୍କ ପଛେ ପଛେ ଘୂରି ବୁଲୁଛି ? ନାଁ–ସେ ଝିଅଟି ଅମୃତା କାଉର ନୁହେଁ । ସେ କାନ୍ଦୁ ନାହିଁ, ହସୁଛି ଓ ତାର ବାମପଟ ଗାଲରେ ଏକ ଛୋଟ ଗର୍ତ୍ତ ।

 

(ବାର)

 

ସୀମାକୁ ହଷ୍ଟେଲରେ ଛାଡ଼ିବାର ପନ୍ଦର ଦିନ ପରେ ସୁଧୀରର ହଠାତ୍ ବମ୍ବେ ଯିବା ପାଇଁ ଉପର କର୍ମକର୍ତ୍ତାଙ୍କ ଠାରୁ ନିର୍ଦ୍ଦେଶ ଆସିଲା । ସେ ଏଇ ଅଳ୍ପଦିନ ହେଲା ରାଞ୍ଚିରୁ ଫେରିଛି, ତେଣୁ ପୁଣି ଥରେ ତାକୁ ନିକଟରୁ ଛାଡ଼ିବା ପାଇଁ ଇଚ୍ଛା ନ ଥିଲା ସୁନନ୍ଦାଙ୍କର । ସୁଧୀରର ଉପର ଅଫିସରଙ୍କ ଉପରେ ସୁନନ୍ଦା ରାଗ କଲେ । ଏମିତି ଘୂରି ବୁଲିଲେ ସ୍ଵାସ୍ଥ୍ୟ ଖରାପ ହୋଇଯିବ ବୋଲି ଚିନ୍ତିତା ହେଲେ ଓ ସୁଧୀର ମନା ନ କରି ସମସ୍ତ ନିର୍ଦ୍ଦେଶକୁ ନୀରବରେ ମାନି ନେଉଛି ବୋଲି ତା ଉପରେ ବିରକ୍ତ ହେଲେ ।

 

‘‘ଡାର୍ଲିଂ ତୁମ୍ ଭି ବମ୍ବେ ଚଲୋ ନା !”

 

ତିନିମାସ ତଳେ ବମ୍ବେରେ ଗୋଟାଏ ସପ୍ତାହ କଟେଇ ସେମାନେ ଫେରିଛନ୍ତି । କେବଳ ବମ୍ବେ ନୁହେଁ, ହାଇଦ୍ରାବାଦ, ମହୀଶୂର, ଗୋଆ ପ୍ରଭୃତି ସ୍ଥାନରେ ମାସେ କାଳ ଘୂରି ଘୂରି ଆସିଛନ୍ତି-। ସେ ଘୂରିବାର କ୍ଳାନ୍ତି ସୁନନ୍ଦାଙ୍କ ଶରୀରରୁ ଏ ପର୍ଯ୍ୟନ୍ତ ଯାଇ ନାହିଁ । ତେଣୁ କେବଳ ସୁଧୀର ହିଁ ଲାଞ୍ଚ ଖାଇବା ପରେ ପ୍ଲେନ୍ ଧରିଲା ।

 

ସୁଧୀର ଚାଲିଯିବା ପରେ ପୁଣିଥରେ ଶୂନ୍ୟତା ଘେରିଗଲା ସୁନନ୍ଦାଙ୍କୁ…ମହା ଶୂନ୍ୟତା ।

 

ଖଟରେ ପଡ଼ି ପଡ଼ି ସୁନନ୍ଦା ମନେମନେ ଅନେକ ପୁରୁଣା କଥାକୁ ଓଲଟ ପାଲଟ କରନ୍ତି-। କେତେ ଗମ୍ଭୀର ଥିଲା ଲୋକଟା ସତେ ! କେନ୍ଦ୍ରସରକାରଙ୍କର ଗୁରୁ ଦାୟିତ୍ଵ ଯେପରି ସବୁତକ ହସଖୁସି ମନ ଭିତରୁ କାଢ଼ି ନେଇଥିଲା । ହାତରେ ଏଡ଼େ ମୋଟା ମୋଟା ବହି ଧରି ସେ ନିଜ ଦୁନିଆକୁ ତା’ରି ଭିତରେ ଆବଦ୍ଧ ରଖିବାକୁ ଚାହୁଁଥିଲେ । …ତାଙ୍କର ଖବର ଆଉ ସେ କିଛି ରଖି ନାହାନ୍ତି । ଅନେକ ଦିନ ତଳେ ଭାଉଜ ଲେଖିଥିଲେ, ‘‘ବିଭୂତିବାବୁଙ୍କର ମାଡ଼୍ରାସ ବଦଳି ହୋଇଛି ! ସେମାନେ ଭଲରେ ଅଛନ୍ତି ।”

 

ଏହି ‘‘ସେମାନେ” ନିକଟରେ ଅଟକି ଯାଇଥିଲେ ସୁନନ୍ଦା । ଭାଉଜ କି ଇଙ୍ଗିତ ଦେବାକୁ ଚାହୁଁଛନ୍ତି ? ଅନେକ ଚିନ୍ତା କଲାପରେ ସେ ଏହି ସିଦ୍ଧାନ୍ତ ନେଇଥିଲେ ଯେ, ବିଭୂତିବାବୁ ପୁଣିଥରେ ଘର ସଂସାର କଲେଣି–ତମ ପାଇଁ ତାଙ୍କ ଜୀବନଟା ନଷ୍ଟ ହୋଇ ଯାଇନାହିଁ । ଏହି କଥାଟାକୁ ଭାଉଜ ପ୍ରକାରନ୍ତରେ ବ୍ୟକ୍ତ କରିଛନ୍ତି ।

 

ସେଦିନ ସୁନନ୍ଦା ସ୍ତବ୍‌ଧ ହୋଇ ଅନେକ ସମୟ ବସିଥିଲେ ଓ ପ୍ରଥମ ଥର ପାଇଁ ନିଜର ଭୁଲ ବୁଝି ପାରିଥିଲେ । ଦିନେ ସେ ବିଭୂତିବାବୁଙ୍କୁ ପରାହତ ସୈନିକ ବୋଲି ଭାବୁଥିଲେ, କିନ୍ତୁ ଚିଠିଟା ପାଇବା ପରେ ତାଙ୍କୁ ଲାଗିଲା ବିଭୂତିବାବୁ ଜୟଯୁକ୍ତ ହୋଇ ଫେରି ଯାଇଛନ୍ତି ଓ ତାଙ୍କ ନିଜର ହିଁ ଶୋଚନୀୟ ପରାଜୟ ଘଟିଛି ।

 

ସୁଧୀର ମାଆଙ୍କଠାରୁ ପ୍ରଥମ ଚିଠି ପାଇବାର ଦେଢ଼ମାସ ପରେ ସେମାନେ ଲକ୍ଷ୍ନୌ ଯାଇଥିଲେ । ଯିବାରେ ଆଦୌ ଆଗ୍ରହ ନ ଥିଲେ ମଧ୍ୟ ସେ ସୁଧୀରର ମନରେ ଆଘାତ ଦେବା ପାଇଁ ଚାହିଁ ନ ଥିଲେ । ଅଳ୍ପ କେତେ ଦିନ ତଳର ବିବାହିତ ବଧୂ ପରି ଅନେକ ଗହଣା ଓ ଜରୀ ଶାଢ଼ିରେ ସୁସଜ୍ଜିତା ହୋଇ ଯାଇଥିଲେ ସୁନନ୍ଦା । ସେମାନଙ୍କୁ ନେବା ପାଇଁ ସୁଧୀରର ମାଆ ଷ୍ଟେସନକୁ ଗାଡ଼ି ପଠାଇ ଥିଲେ । ଘରେ ପହଞ୍ଚି ସୁନନ୍ଦା ତାଙ୍କୁ ପ୍ରଣାମ କରିବା କ୍ଷଣି ଆଦରରେ କୋଳାଗ୍ରତ କରିଥିଲେ । ସେମାନଙ୍କ ଚର୍ଚ୍ଚାର ତୃଟି ନଥିଲା, ଆଦରର ସୀମା ନ ଥିଲା, ଅଥଚ ମାତ୍ର ଚାରିଦିନ ପରେ ସୁନନ୍ଦା ଅଣନିଶ୍ଵାସୀ ହୋଇ ଉଠିଲେ । ରାତିରେ ସୁଧୀରକୁ ପ୍ରସ୍ତାବ ଦେଲେ, “ଦିଲ୍ଲୀ ଫେରିଯିବା ସୁଧୀର ।”

 

ସୁଧୀର ସେଦିନ ଆଶ୍ଚର୍ଯ୍ୟ ହୋଇଥିଲା, କାରଣ ତାକୁ ହିଁ ପଚାରି ସେ ଗୋଟିଏ ସପ୍ତାହର ଛୁଟି ନେଇ ଲକ୍ଷ୍ନୌ ଆସିଥିଲା । କିନ୍ତୁ କୌଣସି ପ୍ରଶ୍ନ ନ ପଚାରି କହିଥିଲା–“ଠିକ୍ ହୈ, କଲ ହି ଚଲ ଯାଏଙ୍ଗେ ।”

 

ଷ୍ଟେସନରେ ଛାଡ଼ିବା ପାଇଁ ସୁଧୀରର ମାଆ ସଙ୍ଗରେ ଆସିଥିଲେ । ସେଠାରେ ସୁନନ୍ଦାଙ୍କ ହାତରେ ପାଞ୍ଚ ହଜାର ଟଙ୍କାର ଚେକ୍ ଧରାଇ କହିଥିଲେ, “ମୋର ଏ ଆଶୀର୍ବାଦ ଟଙ୍କା ମା । ତୋର ଯାହା ଇଚ୍ଛା ଏଥିରେ କିଣିବୁ ।’’

 

ଟ୍ରେନ୍ ଛାଡ଼ିବା ପୂର୍ବରୁ ସୁନନ୍ଦା ଡବା ଭିତରୁ ବାହାରକୁ ଚାହିଁଲେ । ସୁଧୀର ମାଆଙ୍କୁ ପ୍ରଣାମ କରିସାରି ତରତର ହୋଇ ଟ୍ରେନ୍ ଉପରକୁ ଉଠିଆସୁଛି, ଅଥଚ ତାର ମାଆ ତାକୁ ନୁହେଁ, ତାଙ୍କରି ଆଡ଼େ ଚାହିଁଛନ୍ତି । …ସେ ଚାହାଣୀ ଅନେକ ବର୍ଷ ପରେ ସୁନନ୍ଦାଙ୍କ ମନ ଭିତରେ ଉଙ୍କି ମାରିଲା । ସେଥିରେ କାତରତା ଥିଲା, ମୁଠା ମୁଠା ବ୍ୟାକୁଳତା ଥିଲା ଓ ଥିଲା ଅଜସ୍ର ମିନତି–ମତେ ସୁଧୀରକୁ ଫେରାଇ ଦେ ମା…

 

ସୁନନ୍ଦା ଅସ୍ଥିର ଚିତ୍ତରେ ବିଛଣା ଉପରେ ଉଠି ବସନ୍ତି । ସାରା କୋଠରୀଟା ଅନ୍ଧକାରମୟ । ତରତର ହୋଇ ସେ ଉଠିଯାଇ ସୁଇଚ୍ ଟିପନ୍ତି । କୋଠରୀସାରା ଆଲୋକ ଖେଳିଯାଏ, ଅଥଚ ତାଙ୍କ ଭିତରର ଅନ୍ଧକାର ଦୂର ହୁଏ ନାହିଁ । ଏକ ଅପ୍ରଶସ୍ତ ନିର୍ଝରିଣୀ ପରି ତାଙ୍କ ମନ କୁଳୁକୁଳୁ ନାଦ କରି ବହି ଚାଲିଥିଲା । ସେ ନିର୍ଝରିଣୀ କ୍ରମେ ପ୍ରଶସ୍ତ ହେଲା । ସେତେବେଳେ ସାଗର ସଙ୍ଗମରେ ନିଜକୁ ହଜାଇ ଦେଇ ପରମ ଆଶ୍ଵସନା ଭିତରେ ଲୀନ ହେବା ପାଇଁ ସେ ବ୍ୟାକୁଳ ହୋଇ ଉଠିଲା । ଆଉ ବହି ଯିବାର ବାସନା ନାହିଁ–କେବଳ ଦରକାର ବିଶ୍ରାମ ।

 

ସୁନନ୍ଦା ପୁଣି ଥରେ ସୁଇଚ୍ ଟିପି ଲାଇଟ୍‌ଟା ଲିଭାଇ ଦେଲେ, କାରଣ ବାହାର ଆଲୋକରେ ଆଲୋକିତ ହେବାର ସ୍ପୃହା ତାଙ୍କର ଅନେକ ଦିନୁ ଚାଲିଯାଇଛି କିନ୍ତୁ ସୁଧୀର କେତେ ପଛରେ ପଡ଼ିଯାଇଛି ! ପଚିଶ ବର୍ଷ ବୟସର ଚପଳାମୀ ତାର ଆଠବର୍ଷ ପରେ ମଧ୍ୟ ଅକ୍ଷୁଣ୍ଣ ରହିଛି-। ବଲ୍‌ ଡାନ୍‌ସ, ପିକିନିକ୍ ରେସ୍ତୋରାଁ, କ୍ଳବ୍, ସବୁର ଆକର୍ଷଣ ତଥାପି ତା ପାଇଁ ଲୋଭନୀୟ ହୋଇ ରହିଛି । ସେ କିନ୍ତୁ ଅନେକ ବଦଳି ଯାଇଛନ୍ତି । କାରଣ ସେଦିନ ପାଦରେ ଦଳି, ଚକଟି ସେ ନାଗସାପ ଦୁଇଟାଙ୍କୁ ମାରି ଦେଇଥିଲେ ମଧ୍ୟ ସେମାନଙ୍କର ଦଂଶନର ତୀବ୍ର ପ୍ରତିକ୍ରିୟା ତାଙ୍କ ଦେହ, ମନକୁ କ୍ରମେ ବିବଶ କରି ପକାଉଛି ।

 

––ଡାର୍ଲିଂ…

 

ଇସ୍–ସୁଧୀର ସେ ଡାକ ବନ୍ଦ କରି ପାରନ୍ତା ନାହିଁ ? ଆଗ ଭଳି କାହିଁକି ତମର ନାଚିବାରେ, ବୁଲିବାରେ ଉତ୍ସାହ ନାହିଁ କହି କୈଫିୟତ ମାଗନ୍ତା ନାହିଁ ? କୋଲ୍‌ଡ଼ ରହୁଛ କହି ମଧ୍ୟ ରାତ୍ରିରେ ପଦାଘାତ କରନ୍ତା ନାହିଁ ? ନାଁ-ସୁଧୀର ଆଜି ପର୍ଯ୍ୟନ୍ତ ସେହି ସରଳ, ଚପଳ ବାଳକ ହୋଇ ରହିଛି ଓ ଆଦର ସ୍ନେହର ଆତିଶଯ୍ୟରେ ତାଙ୍କ ମନକୁ କ୍ଷତବିକ୍ଷତ କରୁଛି ।

 

ବିଛଣାରେ ପଡ଼ି ବିକଳ ହୁଅନ୍ତି ସୁନନ୍ଦା । ଅନେକ ବର୍ଷ ପରେ ପୁଣି ଥରେ ‘କଣ କରିବି’ଟା ଏକ ମୂର୍ତ୍ତିମନ୍ତ ପିଶାଚ ହୋଇ ତାଙ୍କ ଆଗରେ ନୃତ୍ୟ କରେ । ଏହି ସମୟରେ ଆକାଶରେ ଏକ ଲାଲ ଆଲୋକ ଦପ୍ ଦପ୍ ହୋଇ ଜଳୁଥିବାର ସେ ଦେଖନ୍ତି । ଝରକା ନିକଟକୁ ଉଠିଯାଆନ୍ତି । ଉଡ଼ାଜାହାଜଟାଏ ଉଡ଼ୁଛି । …ଭୟରେ ଛାତି ଥରି ଉଠେ । ଉଡ଼ାଜାହାଜରେ ନିଆଁ ଲାଗିଯିବ ନାହିଁ ତ ? ଉଡ଼ୁ ଉଡ଼ୁ ତଳେ ଖସି ପଡ଼ିବ ନାହିଁ ତ ? ସୁଧୀର କୁଆଡ଼େ ଗଲେ ସେ ଏବେ ଏକ ଅଜଣା ଭୟରେ ଖୁବ୍ ଭୟଭୀତା ହୋଇ ଉଠୁଛନ୍ତି । ଏହି ନୂତନ ଦୁଶ୍ଚିନ୍ତା କଥା ସେ କିନ୍ତୁ ସୁଧୀରକୁ କେବେ କହି ନାହାନ୍ତି, କାରଣ ସେ ଶୁଣିଲେ ହସିବ, ଡରୁଆ କହି ଚିଡ଼େଇବ ।

 

ସୋମବାର ଦିନ ଫେରିବ ସୁଧୀର-ଆଉ ପାଞ୍ଚଦିନ ପରେ । ସଙ୍ଗରେ ଆଣିବ ହିନ୍ଦୀ, ଇଂରାଜୀର ଗୁଡ଼ାଏ ପତ୍ରିକା ଏବଂ ହୁଏତ ଇଂଲିଶ ରେକର୍ଡ଼, ଘରସଜା ଜିନିଷ, ତାଙ୍କ ପାଇଁ ଶାଢ଼ି, ନିଜ ପାଇଁ ଡ୍ରେସ ଇତ୍ୟାଦି ଅନେକ କିଛି । କେବେ କେବେ ଆଗରୁ ପଢ଼ିଥିବା ପତ୍ରିକା ଭୁଲରେ କିଣିଆଣେ ସୁଧୀର, ଘରେ ଥିବା–ନଥିବା ଗୁଡ଼ାଏ ଜିନିଷ ଆଣି ଜମା କରେ । ସୁଧୀର ସରଳ, ନିର୍ବୋଧ । କେଉଁଟା ନିଜର ଦରକାରୀ, କେଉଁଟା ଅଦରକାରୀ ସେ ବୁଝିପାରେ ନାହିଁ । ତା ନ ହୋଇଥିଲେ ଅଫିସରୁ ଆଠଦିନର ଛୁଟି ନେଇ ସ୍ତ୍ରୀ କଥାରେ କିଏ ନିଜ ମାଆକୁ ଛାଡ଼ି ଚାରିଦିନ ପରେ ଦିଲ୍ଲୀକୁ ଫେରି ଆସେ ?

 

ସୁଧୀର ପାଇଁ ମନ ବ୍ୟାକୁଳ ହେଲା ସୁନନ୍ଦାଙ୍କର । ନିଜ ସଂପର୍କ ତା ସହିତ ଆଜି ପ୍ରଥମ କରି ତାଙ୍କୁ ତିକ୍ତ ମନେ ହେଲା । ସୁଧିର ତାଙ୍କୁ ଅନେକ କିଛି ଦେଇଛି । ତାଙ୍କୁ ସୁଖୀ କରିବା ପାଇଁ, ତାଙ୍କ ମୁଖରେ ହସ ଫୁଟାଇବା ପାଇଁ ସେ ସର୍ବଦା ବ୍ୟାକୁଳ କିନ୍ତୁ ସେ ତା ଠାରୁ ଆଜି ପର୍ଯ୍ୟନ୍ତ ମନ ଭରି ଆଦାୟ କରିଛନ୍ତି, କିଛି ତ ଦେଇ ନାହାନ୍ତି ?

 

ସୁନନ୍ଦାଙ୍କର ମନେହେଲା, ସେ ଏକ ବୁଢ଼ିଆଣୀ ଓ ସୁଧୀର ଏକ ଛୋଟ, ନିରୀହ ପୋକଟିଏ, ଯାହାକୁ ନିଜର ସୂତା ଜାଲରେ ଭଲ ଭାବରେ ବାନ୍ଧି ନିଜ ଆୟତ୍ତରେ ରଖିଛନ୍ତି ।

 

ସାରା ରାତି ବିଛଣାରେ ପଡ଼ି ଛଟପଟ ହେଲେ ସୁନନ୍ଦା । ବିଛଣାରୁ ଉଠି ସୁଧୀର ଭଲରେ ଫେରିଆସୁ ବୋଲି ଠାକୁରଙ୍କ ନିକଟରେ ଧୂପକାଠି ଜାଳି ପ୍ରଣାମ କଲେ । କଫି କପେ ଧରି ପୁଣି ଥରେ ଅନେକ ରାତି ପର୍ଯ୍ୟନ୍ତ ନିଜ ଚିନ୍ତାରେ ବୁଡ଼ି ରହିଲେ ।

 

(ତେର)

 

ଆଖି ଖୋଲିଲେ ସୁନନ୍ଦା–ନିଜର ଅଜାଣତରେ ତାଙ୍କୁ ନିଦ ହୋଇ ଯାଇଥିଲା । ଅନେକ ବେଳୁ ସକାଳ ହୋଇ ଯାଇଛି । ଆୟା ହୁଏତ ସେ ଉଠିବା ଦେଖି ଟିକେ ପରେ ଚାହା ଆଣିବ । ତରତର ହୋଇ ଉଠି ବସିଲେ ସୁନନ୍ଦା, ବିଛଣାରେ ଚାହା ପିଇବା ପାଇଁ ତାଙ୍କର ସମୟ ନାହିଁ । ନିତ୍ୟକର୍ମ ସାରି ସେ ବାହାରକୁ ଯିବାପାଇଁ ପ୍ରସ୍ତୁତ ହେଲେ । ପାହାନ୍ତାରେ ଏକ ସ୍ଵପ୍ନ ଦେଖିଛନ୍ତି. ସୁନ୍ଦର ସ୍ଵପ୍ନ । ଶୀଘ୍ର ଯାଇ ସୀମାକୁ ସେ ସ୍ଵପ୍ନର ବୃତ୍ତାନ୍ତ କହିବେ ।

 

ଟ୍ୟାକ୍‌ସିରେ ବସି ଉତ୍ସୁକ ହୋଇ ଉଠିଲେ ସୁନନ୍ଦା । ସ୍ୱପ୍ନର ଇମେଜ ମିଳାଇ ଯିବା ପୂର୍ବରୁ ତାଙ୍କର ସୀମାକୁ ଦେଖା କରିବା ଦରକାର ‘‘ଜ୍ୟାଦା ପୈସା ମିଲେଗା ସର୍ଦ୍ଦାରଜୀ–ଜରା ଜୋର୍‌ସେ ଗାଡ଼ି ଚଲାଇଏ...??

 

––କିଧର ଯାଏଙ୍ଗେ ମାଇଜୀ ???

 

ଆପ୍ରାଣ ଚେଷ୍ଟାକରି ନିଜକୁ ତୋଳି ଧରିଲେ ସୁନନ୍ଦା । ନାଁ ସେ ଏତେ ଶୀଘ୍ର ନିଜକୁ ଭାଙ୍ଗି ପଡ଼ିବା ପାଇଁ ଦେବେ ନାହିଁ ।

 

“ମିରାଣ୍ଡା ହାଉସ୍ ଲେ ଚଲୋ ସର୍ଦ୍ଦାରଜୀ...ଷୋଲା ନମ୍ବର କମରା । ମୁଝେ ସୀମା ଶ୍ରୀବାସ୍ତବ ଚାହିଏ–ସିର୍ଫ ସୀମାକୋ… ।

 

ପର ପର କରି ଦୁଇ କପ୍ କଫି ପାଣିପରି ପିଇଗଲେ ସୁନନ୍ଦା ସୀମାର ବିଛଣା ଉପରେ ଲୋଟିଯାଇ ଆଖି ବୁଜିଲେ । ସୀମା ବ୍ୟସ୍ତ ହୋଇ ମୁଣ୍ଡରେ ହାତ ବୁଲାଉଛି, ପଚାରୁଛି–‘‘କ୍ୟା ହୁଆ ଭାବି, କ୍ୟା ହୋ ଗୟା ଆପ୍‌ କୋ ?’’

 

ଜଳ ଜଳ କରି ଚାହିଁ ରହିଲେ ସୁନନ୍ଦା । କହିପାରିଲେ ନାହିଁ ‘‘ସୀମା ମୁଁ କାଲି ସ୍ଵପ୍ନ ଦେଖିଲି, ପାର୍କରେ ତମେ ଓ ସୁଧୀର ହାତ ଧରାଧରି ହୋଇ ବୁଲୁଛ ।”

 

ଫେରି ଆସିଲେ ସୁନନ୍ଦା । ସୀମାର ସମସ୍ତ ଆବେଗର, ସମସ୍ତ ପ୍ରଶ୍ନର ଉତ୍ତର କେବଳ ‘‘କୁଛ୍ ନେହିଁ ହୁଆ’’ରେ ସମାପ୍ତ କରି ପୁଣି ଥରେ ସେ ରାସ୍ତାକୁ ଓହ୍ଲାଇ ଆସିଲେ ।

 

ଦୂରରୁ କୁତବମୀନାରର ଶୀର୍ଷ ଦେଖା ଯାଉଛି । ସେ ଜୀବନରେ ଦ୍ଵିତୀୟଥର ପାଇଁ ତା ଉପରକୁ ଯିବା ଲାଗି ଚାହିଁ ନାହାନ୍ତି । ଭୟରେ ଦୁଇ ହାତରେ ଆଖି ବୁଜି ଧରିଲେ ସୁନନ୍ଦା ।

 

ପାଗଳିନୀ ପରି ହୋଇ ସୁନନ୍ଦା ଚାଲିଗଲା ପରେ ସୀମା ବ୍ୟସ୍ତ ହୋଇ ପଡ଼ିଲା । ସେ ଶାନ୍ତ, ସୁନ୍ଦର, ସ୍ନେହୀ ସୁନନ୍ଦାଙ୍କୁ ଦେଖିଛି, ଏପରି ଭାବରେ ସେ ଆଜି ତାଙ୍କୁ ପ୍ରଥମ କରି ଦେଖିଲା, ଅଥଚ ସେ ନିଜେ କଣ କରିବ ଭାବି ଠିକ୍ କରିବା ପୂର୍ବରୁ ସୁନନ୍ଦା ଯେମିତ ଝଡ଼ ପରି ଆସିଥିଲେ ଠିକ୍‌ ସେହିପରି ଭାବରେ ଚାଲିଗଲେ ।

 

ଡୋର ବେଲ ଚିପିଲା ସୀମା । ଆୟା କବାଟ ଖୋଲିଲା । ସୀମା ବାଟସାରା ଅନେକ ଚିନ୍ତା କରି କରି ଆସିଥିଲା–ହୁଏତ ଡାକ୍ତର ବର୍ତ୍ତମାନ ଭାବିଙ୍କର ରକ୍ତଚାପ ମାପୁଥିବେ କିମ୍ବା ସୁଧୀର ଭୈୟା ତାଙ୍କୁ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରୁଥିବେ । ଖଟ ଉପରେ ଭାବି ବେହୋସ ହୋଇ ପଡ଼ିଥିବେ କି ? ଭାବି ଘରେ ପହଞ୍ଚି ପାରିଥିବେ ତ ? ବାଟରେ ଆଉ କିଛି... ନାଁ ନାଁ । ଭଗବାନ ତା ନ କରନ୍ତୁ । କିନ୍ତୁ ଭିତରକୁ ପଶି ସୀମା ସଂପୂର୍ଣ୍ଣ ଏକ ଭିନ୍ନ ସୁନନ୍ଦାଙ୍କୁ ଦେଖିଲା ? ସେ ଓଦା ବାଳରେ ତଉଲିଆ ଗୁଡ଼ାଉ ଗୁଡ଼ାଉ ବାଥରୁମରୁ ବାହାରି ଆସୁଥିଲେ ।

 

ନିଜ ଶୋଇବା ଘର ଖଟ ଉପରେ ସୀମାକୁ ବସାଇଲେ ସୁନନ୍ଦା, କଥା ଆରମ୍ଭ କରିବା ପୂର୍ବରୁ ନୀରବ ରହି କିଛିଟା ଶକ୍ତି ସଞ୍ଚୟ କଲେ ।

 

––ସୀମା, ତମକୁ ମୁଁ କେତେଗୁଡ଼ିଏ ପ୍ରଶ୍ନ ପଚାରିବି ଓ ତମେ ତାର ଠିକ୍‍ ଉତ୍ତର ଦେବ-। କିଛି ଲୁଚାଇବ ନାହିଁ ।

 

ଏପରି ଆକସ୍ମିକ ଅନୁରୋଧରେ ଆଶ୍ଚର୍ଯ୍ୟ ହେଲା ସୀମା, କିନ୍ତୁ ତାକୁ ସମ୍ମତ ହେବା ପାଇଁ ପଡ଼ିବ, କାରଣ ସୁନନ୍ଦା ଅସମ୍ଭବ ଭାବରେ ଗମ୍ଭୀର ଦେଖାଯାଉଛନ୍ତି ।

 

––ତମେ ପିଲାଦିନେ ସୁଧୀର ସଙ୍ଗେ ଖେଳିବାକୁ ଚାହୁଁଥିଲ ଓ ସେ ତମକୁ ସଙ୍ଗରେ ନଖେଳାଇ ଚିଡ଼ାଉଥିଲା ନାଁ ? ତମ ବହି ଲୁଚାଇ ବେଣୀ ଟାଣି ତମକୁ କନ୍ଦାଉ ଥିଲା ? ତମେ ତା ସଙ୍ଗେ ମିଶିବା ପାଇଁ ଚାହୁଁଥିଲ ଅଥଚ ସେ ତମକୁ ଚିଡ଼ାଇ, କନ୍ଦାଇ ଅପାର ଆନନ୍ଦ ପାଉଥିଲା ?

 

––ସେ ଅନେକ ପୁରୁଣା କଥା ଭାବି ପିଲାଦିନେ ସେମିତି ଅନେକ ହୋଇଥାଏ ।

 

––ତମେ କିନ୍ତୁ ସେଇ ଚିଡ଼ିବା ଭିତରେ ଏକ ନୂତନ ସ୍ଵାଦ ପାଉଥିଲ ଏବଂ କିଶୋର ବୟସରେ ସୁଧୀରକୁ ସେହି ପୂର୍ବପରି ପାଇବା ପାଇଁ ବ୍ୟାକୁଳ ହୋଇ ଉଠିଥିଲ–ସେଇଆ ନା ?

 

ଚମ୍‌କି ପଡ଼ିଲା ସୀମା–“ତମେ ଏ ସବୁ କଣ କହୁଚ ଭାବି ? ଏମିତି ଭାବରେ ମତେ କାହିଁକି ପଚାରୁଛ ?”

 

––ମନା କରନି ସୀମା ! ମୋ ଆଗରେ କିଛି ଲୁଚାଅନି । କୁହ, ତମେ ସୁଧୀରକୁ ଭଲ ପାଉଥିଲ କି ? ....ତମେ ନ କହିଲେ ମଧ୍ୟ ମୁଁ ଜାଣେ ସୀମା, ତମ ମନ ଭିତରେ ସୁଧୀର ପ୍ରତି ଦିନେ ଗଭୀର ଅନୁରାଗ ଥିଲା ଅଥଚ ସୁଧୀର ତମ ମନ କଥା ଏତେ ଟିକେ ବୁଝି ପାରିଲା ନାହିଁ ।

 

ସୀମା ମୁହଁ ଉପରକୁ ଟେକିଲା । ଆଖି ଦୁଇଟିରେ ଉଙ୍କି ମାରୁଥିବା ଲୁହବୁନ୍ଦାକୁ ଲୁଚାଇବା ପାଇଁ ଚେଷ୍ଟାକରି କହିଲା, “ମନା କରୁ ନାହିଁ ଭାବି, ମୁଁ ଦିନେ ସୁଧୀର ଭୈୟାଙ୍କୁ ମନେ ମନେ ଚାହିଁଥିଲି । କିନ୍ତୁ ସେ ଅନେକ ପୁରୁଣା କଥା । ସୁଧୀର ଭୈୟା ତୁମକୁ ପାଇ ସୁଖୀ ହୋଇଛନ୍ତି–ମୁଁ ସେଥିରେ ଖୁବ୍ ଖୁସି ।

 

ଶୁଖିଲା ହସ ହସିଲେ ସୁନନ୍ଦା–‘‘ସୁଧୀର ମତେ ପାଇ ନଥିଲା ସୀମା, ମୁଁ ତାକୁ ତମଠାରୁ ଛଡ଼ାଇ ନେଇ ଜବରଦସ୍ତ ଦଖଲ କରିଥିଲି । କାରଣ ତମେ ଏକ ମସ୍ତ ବୋକା ଝିଅ…ମୋର ଭୁଲ ହୋଇଛି ସୀମା, ସବୁ ଜିନିଷକୁ କେବଳ ହାତ ବଢ଼ାଇଲେ ସେ ଆପଣାର ହୋଇଯାଏ ନାହିଁ ।

 

ମୁଁ ସୁଧୀରକୁ ତମକୁ ଫେରାଇ ଦେଉଛି । ତାକୁ ତମ ହାତରେ ସମର୍ପି ଦେଇ ମୁଁ ନିଶ୍ଚିନ୍ତରେ ଚିରଦିନ ପାଇଁ ଓଡ଼ିଶା ଫେରଯିବି ।”

 

ଏହା ପରେ ଆଉ କିଛି କହି ନଥିଲେ ସୁନନ୍ଦା । ଚଟ୍‌କରି ସେଠାରୁ ଉଠି ଅନ୍ୟଘରକୁ ଚାଲି ଯାଇଥିଲେ ଓ ସୀମା ସ୍ଥାଣୁ ହୋଇ ସେହି ଖଟ ଉପରେ ଅନେକ ସମୟ ପର୍ଯ୍ୟନ୍ତ ବସି ରହିଥିଲା । ତାର ଇଚ୍ଛା ହୋଇଥିଲା ସେ ପାଟିକରି କାନ୍ଦନ୍ତା । ଧାଇଁ ଯାଇ ସୁନନ୍ଦାଙ୍କ ହାତ ଧରି ପକାଇ କହନ୍ତା ମୋର ଭୁଲ ହୋଇଛି ଭାବି–ମୁଁ ତା ଚାହେଁ ନାହିଁ । ତମେ ସୁଖରେ ଥିଲେ ମୁଁ ସୁଖୀ-। ପୁରୁଣା କଥାକୁ ମନରେ ଘାଣ୍ଟି ଗୋଟାଏ ମୁହୂର୍ତ୍ତର ଆବେଗରେ ସେମିତି ଲେଖିଦେଇଥିଲି-। ତମ ସଂସାରକୁ ଭଙ୍ଗିବା ମୋର ଉଦ୍ଦେଶ୍ୟ ନଥିଲା । ଛି-ଛି, ଯେ ଶୁଣିବ ମତେ କଣ କହିବ-? ସାରା ଜୀବନ କେବଳ ଅନୁତାପରେ ଜଳିପୋଡ଼ି ମରିବି ମୁଁ ।

 

ସୀମାର ଇଚ୍ଛା ହେଲା, ଡାଏରୀଟିକୁ ବର୍ତ୍ତମାନ ସେ ଟିକି ଟିକି କରି ଛିଣ୍ଡାଇ ଜାଳି ଦିଅନ୍ତା । ‘‘ସୁଧୀର, ତମକୁ ଏ ଜନ୍ମରେ ପାଇଲିନି । ଆର ଜନ୍ମରେ କିନ୍ତୁ ମତେ ଫାଙ୍କି ଦେଇ ପାରିବ ନାହିଁ ।’’ ଏତକ ନ ଲେଖିଥିଲେ ଚଳି ନ ଥାନ୍ତା ? କଣ ବା ଦରକାର ଥିଲା ଲେଖିବାରେ । ମଣିଷ ସବୁ ମନକଥା କଣ ଲେଖେ, ବ୍ୟକ୍ତ କରେ ? କେତେ କେତେ ଅବ୍ୟକ୍ତ ବେଦନାକୁ ଲେକମାନେ ଛତି ଭିତରେ ଚିରଦିନ ପାଇଁ ଚାପି ଧରି ଏ ସଂସାରରୁ ବିଦାୟ ନେଇଛନ୍ତି ! ସେମାନଙ୍କ ଦେହ ସହିତ ମନ ମଧ୍ୟ ସମାଧି ନିଏ, ତା ସହତ ଲୁଚିଯାଏ ସେମାନଙ୍କର ବେଦନା, ଚିନ୍ତା, ସବୁକିଛି ।

 

ପିଲାଦିନେ ମଧ୍ୟ ସେ ଡାଏରୀ ଲେଖୁଥିଲା । ଡାଏରୀ ଅର୍ଥ–ଦିନକ ଭିତରେ କେତେଥର ମିଛ କହିଛି, କେତେ ସମୟ ପଢ଼ିଛି, କାହା ସହିତ କଳି କରିଛି ତାହାରି ଟିପ୍‌ପଣୀ । ସୁଧୀର ଓ ସୀମାର ବଡ଼ଭାଇ ତାହାକୁ ପଢ଼ି ତାକୁ ଭୀଷଣ ଚିଡ଼ାଇବାକୁ ଆରମ୍ଭ କରିଦେଲେ । ସେଥିପାଇଁ ସେ ସୁଧୀରର ଜନ୍ମଦିନ ଭୋଜି ଖାଇବା ପାଇଁ ଗଲା ନାହିଁ, ଅଥଚ ଖଟ ଉପରେ ପଡ଼ି ସେ ଅନେକ ଛଟପଟ ହୋଇଥିଲା । ସୁଧୀର ତାର ନୂଆ ତିଆରି ହୋଇଥିବା ସିଲକ୍ ପଞ୍ଜାବୀ ଓ ପାଇଜାମା ପିନ୍ଧି କେମିତି ଦିଶୁଥିବ’ ସେ ଦିନ ଦେଖିବା ପାଇଁ ତାର ଭୀଷଣ ଇଚ୍ଛା ହୋଇଥିଲା । ମିଛରେ ପେଟ କାଟୁଛି ବୋଲି କହି ବିସ୍କୁଟ ଓ ସର୍ବତ ଖାଇ ବିଛଣାରେ ପଡ଼ି ରହିଥିଲେ ମଧ୍ୟ ସେ କାନ ପାରିଥିଲା, କେତେବେଳେ ସୁଧୀର ନିଜେ ଆସି ତାକୁ ଡାକିବ–କିନ୍ତୁ ସୁଧୀର ଆସି ନଥିଲା । ତାର କଣ୍ଠସ୍ଵର, ତାର ପଦ ଶବ୍ଦକୁ ଚାହିଁ ଚାହିଁ ଅଭିମାନରେ ସୀମା ଆଖିରୁ ଧାର ଧାର ଲୁହ ଝରି ଆସିଥିଲା ଓ ନିଜ ଅଜାଣତରେ ସେ ରାତିରେ ଶେଷକୁ ତାକୁ ନିଦ ହୋଇ ଯାଇଥିଲା ।

 

ହଠାତ୍ ବାସ୍ତବତାକୁ ଫେରି ଆସିଲା ସୀମା–ହଷ୍ଟେଲରେ ଡାଏରୀ ଲେଖି ସେ ବାକ୍‌ସ ଭିତରେ ବନ୍ଦ କରିଛି । ତା ଡାଏରୀ ତ ଭାବି ପଢ଼ି ନାହାନ୍ତି ! ଭାବି ଜାଣନ୍ତି ନାହିଁ ଯେ ସେ ଡାଏରୀ ଲେଖେ, ଅଥଚ ତା ମନ ଭିତର କଥା ସେ କେମିତି ଜାଣି ଦେଲେ ? ସୀମାର ଧାରଣା ହେଲା ଯେ, ସୁଧୀର ଭୈୟା ଓ ଭାବିଙ୍କ ଭିତରେ କିଛି କାରଣରୁ ଝଗଡ଼ା ହୋଇଛି, ତାପରେ ସୁଧୀର ଭୈୟା ବମ୍ବେ ଚାଲି ଯାଇଛନ୍ତି । ଏକୁଟିଆ ପଛ କଥାକୁ ମନରେ ବାରମ୍ବାର ଦୋହରାଇ ଭାବିଙ୍କର ମାନସିକ ବିକୃତି ଘଟିଛି, ତେଣୁ ତାଙ୍କ ଆଗରେ ଏପରି ଭାବରେ ସତକଥାଟା ମାନିନେବା ଉଚିତ ହୋଇ ନାହିଁ । ଏକଥା ଟିକିଏ ଆଗରୁ ଚିନ୍ତା କରିଥିଲେ ସେ ଟିକେ ଚେଷ୍ଟା କରି ଭାବିଙ୍କୁ ମିଛ କହିଥାଆନ୍ତା, ତମେ ଏ କଣ କହୁଛ ଭାବି, ସୁଧୀର ଭୈୟାଙ୍କୁ ମୁଁ ମୋ ନିଜର ବଡ଼ ଭାଇ ପରି ଦେଖେ । ପିଲାଦିନରୁ ତାଙ୍କୁ ସେହିପରି ଭାବରେ ଦେଖି ଆସିଛି । ତମକୁ ଏ ଅଜବ କଥା କିଏ କହିଲା ?...କଣ କହିଥିଲେ ଭଲ ହୋଇ ଥାଆନ୍ତା ସେ କଥା ଆଉ ବର୍ତ୍ତମାନ ଭାବି କିଛି ଲାଭ ନାହିଁ, ଭାବିଲା ସୀମା ଓ ହଠାତ୍ ତାର ସୁଧୀର କଥା ମନେ ପଡ଼ିଲା । ସୁଧୀର ଭୈୟା ଆସିଲେ ସବୁର ସମାଧାନ କରିଦେବେ, ଏହା ଭାବି ନିଜକୁ ଶାନ୍ତ୍ୱାନା ଦେଲା ସୀମା ଏବଂ ହଷ୍ଟେଲ ଫେରିଯିବ ବୋଲି ଠିକ୍ କରି କୋଠରୀରୁ ବାହାରିଗଲା ।

 

ପାହାନ୍ତା ହୋଇ ଆସୁଛି । ଅନ୍ଧାରର ରଙ୍ଗ ଫିକା ହୋଇ ଚାରିଆଡ଼େ ଅନେକ ରଙ୍ଗ, ଅଜସ୍ର ବର୍ଣ୍ଣର ମହୋତ୍ସବ ଅଥଚ ଆକାଶର ରଙ୍ଗରେ ସେ ଆଉ ରଞ୍ଜିତ ହୋଇ ପାରିବେ ନାହିଁ । ସେ ଏକ ଭିନ୍ନ ପୃଥିବୀକୁ ଯାଉଛନ୍ତି, ଯେଉଁ ପୃଥିବୀ ଚିର ବିବର୍ଣ୍ଣ । ସେ ତାଙ୍କ ନିଜସ୍ଵ ପୃଥିବୀ ।

 

ବର୍ତ୍ତମାନ ସୀମା ଓ ସୁଧୀର କଣ କରୁଥିବେ ? ସୁଧୀରର ଗଭୀର ନିଦ୍ରା ତଥାପି ଭାଙ୍ଗି ନଥିବ ଓ ସୀମା...ବାଲକୋନିରେ ବୁଲୁ ବୁଲୁ ନିଜ ଚାରିପଟେ ଘେରି ରହିଥିବା ସୁନେଲୀ ସଂସାରକୁ ଦେଖୁଥିବ, ଉପଭୋଗ କରୁଥିବ...ଆଖିବୁଜି ବିଛଣା ଅଣ୍ଡାଳି ସୁଧୀର ନନ୍ଦା–ନନ୍ଦା ବୋଲି ଜୋରରେ ଡାକି ଉଠିବ ନାହିଁ ତ ?

 

ସୁଧୀର ଫେରିବାର ଦୁଇଦିନ ପୂର୍ବରୁ ସେ ପ୍ରକାଶକୁ ଫୋନ୍‍ରେ ଡକାଇଥିଲେ । ଅନ୍ୟଦିନ ପରି ପ୍ରକାଶ ଉତ୍‌ଫୁଲ୍ଲ ହୋଇ କହି ନଥିଲା, “ନନ୍ଦା ଦିଦି କଣ ମୋ ପାଇଁ ଚାଇନିଜ୍ ଖାନା ରଖିଛ ନାଁ ମୋଗଲାଇ ?” ନନ୍ଦାଙ୍କ ସ୍ଵରରୁ ହୁଏତ ସେ କିଛି ଭିନ୍ନତାର ଆଭାସ ପାଇଥିଲା । ତେଣୁ ଉତ୍ତର ଦେଇଥିଲା, “ଯିବି–ଜରୁର ଯାଇ ସୁଧୀର ଭୈୟା ଅଫିସରୁ ଫେରିବା ସମୟକୁ ପହଞ୍ଚିବି ।

 

––ସୁଧୀର ନାହିଁ ପ୍ରକାଶ, ବମ୍ବେ ଯାଇଛୁ ।

 

ପ୍ରକାଶ ସହିତ ସୁନନ୍ଦାଙ୍କର କୌଣସି ଆତ୍ମୀୟତା ନାହିଁ, ମାତ୍ର କେଇ ବର୍ଷ ତଳର ଚିହ୍ନା ସେ । ତାଙ୍କରି ଆଗରେ ସେ ମାତ୍ର ଛଅ ବର୍ଷ କଟାଇଛି । ୟୁନିଭରସିଟିରୁ ପାଶ୍ କରି ସେଇଠାରେ ଅଧ୍ୟାପକ ହୋଇଛି । କିନ୍ତୁ ନିଜ ମନର ଦ୍ଵନ୍ଦ ଖୋଲି କହିବା ପାଇଁ ସୁନନ୍ଦା ତା ଛଡ଼ା ଆଉ କାହା କଥା ଭାବି ପାରି ନଥିଲେ ।

 

ପ୍ରକାଶକୁ ଦେଖିବା କ୍ଷଣି ସୁନନ୍ଦାଙ୍କର ପ୍ରଥମେ କଥା କହିବା ପାଇଁ ପାଟି ଫିଟି ନଥିଲା । କିପରି କହିବେ, କଣ କହିବେ କିଛି ଭାବି ଠିକ୍ କରି ପାରି ନଥିଲେ । କିନ୍ତୁ ଥରେ ଆରମ୍ଭ କଲା ପରେ ସବୁ କିଛି ସେ ତା ଆଗରେ ଖୋଲି କହିଥିଲେ । କାରଣ ତା ପରେ ପ୍ରକାଶ ତାଙ୍କ ଠାରୁ ବୟସରେ ସାନ ଏକ ଯୁବକ ନୁହେଁ, ନିଜର ସମବୟସୀ ବନ୍ଧୁ, ବୋଲି ମନେ ହୋଇଥିଲା ।

 

କଥା କହି ସାରି ସୁନନ୍ଦା ନୀରବ ହୋଇଥିଲେ । କିନ୍ତୁ ହଠାତ୍ ଆଖିରୁ ତାଙ୍କର ଝର ଝର ହୋଇ ଲୁହ ଧାର ଝରି ଆସିଥିଲା । ସେ ଲୁଗା କାନିରେ ଦୁଇ ଆଖିକୁ ଚାପି ଧରିଲେ । ପ୍ରକାଶ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଚେଷ୍ଟା କଲାନାହିଁ, ପାଖକୁ ଉଠି ଆସି ନନ୍ଦାଦିଦି କାନ୍ଦନା ବୋଲି ଅନୁରୋଧ କଲା ନାହିଁ, କିଛି ସମୟ ଚୁପ୍ ହୋଇ ବସି ରହିଲା ।

 

––‘ଯେ ତ୍ୟାଗ କରେ, ସେ ଦୁଃଖ କରେ ନାହିଁ । ତା’ହେଲେ ତ୍ୟାଗର ମୂଲ୍ୟ କମିଯାଏ-। ତମେ ଅନେକ ଭାବିଚିନ୍ତି...ବହୁତ ବଡ଼ ତ୍ୟାଗ କରୁଛ, ଆଉ ସେଥିପାଇଁ ଭାବନା କରିବା ମୋ ମତରେ ଠିକ୍ ନୁହେଁ ।

 

––ମୋର ସେଥିପାଇଁ ଦୁଃଖ ନାହିଁ ପ୍ରକାଶ । ମୋ ନିଜ ବିଷୟରେ ମୁଁ ଟିକିଏ ବି ଭାବୁନାହିଁ । ଚିନ୍ତା ମୋର ସୁଧୀର ଲାଗି । ସୁଧୀର ଦିନେ ନିଜ କାମ ନିଜେ କରୁଥିଲା, ନିଜ କଥା ନିଜେ ବୁଝୁଥିଲା–ଏଇ ଆଠବର୍ଷ ଭିତରେ ସେ ଅନେକ ନଷ୍ଟ ହୋଇଯାଇଛି । ଠିକ୍ ସମୟରେ ତା ଆଗରେ ଖାଇବା ନେଇ ନ ରଖିଲେ ସେ ଉପବାସରେ ରହିଯିବ ପଛେ, ଖାଇବାକୁ ମାଗିବ ନାହିଁ । ତାର ଲୁଗାପଟା, ଜିନିଷ ପତ୍ର, ଏପରିକି ତା ଅଫିସର କାଗଜ ମଧ୍ୟ ମତେ ସଜାଡ଼ି ରଖିବାକୁ ହୁଏ । ଟ୍ରେନ ଟିକେଟ୍ ଘରେ ଛାଡ଼ିଯାଇ ଷ୍ଟେସନରୁ ଫୋନ୍ କରେ ସେ, ବାଥ୍‌ରୁମରୁ ପାଟି କରେ ତଉଲିଆ ଦିଅ ବୋଲି । ତା’ର ପାଖରେ ଜିନିଷ ଥିବ, ଅଥଚ ରନ୍ଧା ଘରୁ ମତେ ବାରମ୍ବାର ଡାକିବ, ନନ୍ଦା–ମୋ ପେନ୍ କେଉଁଠି ରହିଲା, ଚଷମା ପାଉନି, ମୋଜା ମିଳୁନି । ସୀମା କଣ ସୁଧୀରକୁ ଚଳାଇ ପାରିବ ? ସେ ତରତର ହୋଇ ଅଫିସ ଯିବା ସମୟରେ ତାର ପାଖେ ପାଖେ ରହି ତାର ସୁବିଧା ଦେଖିବ ? ସୁଧୀର ତ ପ୍ରତି ମୁହୂର୍ତ୍ତରେ, ପ୍ରତି କଥାରେ ସୀମା ଉପରେ ନିର୍ଭର କରିବ । ସୀମା ପିଲା ଲୋକ–ସେ ସେତେବେଳେ ବିରକ୍ତ ହୋଇ ତାକୁ “ନିଜ କାମ ନିଜେ କର” କହି କଲେଜ ଚାଲିଯିବ ନାହିଁ ତ ?

 

ତାଙ୍କର ସେହି ବ୍ୟାକୁଳତା ଦେଖି ସେଦିନ ପ୍ରକାଶ ମନେ ବିରକ୍ତ ହୋଇଥିବ ? ନାଁ–ହୁଏତ ହସିଥିବ । କାରଣ ସେହି ପରିସ୍ଥିତିରେ ପଡ଼ିଥିବା ଜଣେ ସ୍ତ୍ରୀ ଲୋକ ଛଡ଼ା ତାଙ୍କ ଦୁଃଖର ଗଭୀରତା ଅନ୍ୟ କେହି ଅନୁଭବ କରି ପାରିବ ନାହିଁ । ପ୍ରକାଶ ବା କିପରି ବୁଝନ୍ତା ? ସେ ତ ଅଳ୍ପବୟସର ଏକ ଅବିବାହିତ ଯୁବକ । ତେଣୁ ତାଙ୍କୁ ନୀରବ ରହିବା ଦେଖି ସେ କହିଥିଲା–‘‘ସୁଧୀର ଭୈୟାଙ୍କର କିଛି ଅସୁବିଧା ହେବ ନାହିଁ ନନ୍ଦାଦିଦି–କିନ୍ତୁ ମତେ ଲାଗୁଛି ତମେ ତାଙ୍କୁ ଝୁରି ଝୁରି ହୁଏତ ପାଗଳ ହୋଇଯିବ । ତେଣୁ ତମେ ଚାଲିଯିବାର ଶେଷ ସିଦ୍ଧାନ୍ତ ନେବା ଆଗରୁ ଆଉ ଥରେ ସବୁ ଭାବି ଦେଖ ।’’

 

ନନ୍ଦା ସେଦିନ ତର ତର ହୋଇ କହିଥିଲେ–“ନାଁ ନାଁ । –ସେ କଥା କୁହନାହିଁ ପ୍ରକାଶ । ଶେଷ ସିଦ୍ଧାନ୍ତ ନେଲା ପରେ ହିଁ ମୁଁ ତମକୁ ଜଣାଇଛି ।” ତାପରେ ତାଙ୍କର ମନେ ପଡ଼ିଥିଲା ଯେ ପ୍ରକାଶକୁ ସେ ନିଜ ଦୁଃଖ କହିବା ପାଇଁ ଡାକି ନାହାନ୍ତି ।

 

––ମୋ କଥା ଭାଙ୍ଗିବ ନାହିଁ ପ୍ରକାଶ । ମୁଁ ଚାଲିଯିବା ପୂର୍ବରୁ ତମେ ଲକ୍ଷ୍ନୌ ଯିବ । ଯେମିତିକି ମୁଁ ଯିବା ଦିନେ ବା ଦୁଇଦିନ ଭିତରେ ତମେ ଫେରି ଆସିବ । ଏବଂ ଫେରିବ ଏକା ନୁହେଁ–ସୁଧୀରର ମାଆଙ୍କୁ ସଙ୍ଗରେ ଧରି । ଯେତେ ଶୀଘ୍ର ପାର ଫେରି ଆସିବ ପ୍ରକାଶ, ସୁଧୀରକୁ ଏକା ରହିବା ପାଇଁ ଦେବ ନାହିଁ । ଲକ୍ଷ୍ନୌରେ ସବୁକଥା ଖୋଲି କହିବ । ସୀମା ଘରକୁ ଚିଠିଦେବାରେ ଯେପରି ଡେରି ନ ହୁଏ, ଦେଖିବ । ମାଆଙ୍କୁ କହିବ, ତାଙ୍କ ଜିନିଷ ମୁଁ ତାଙ୍କୁ ଫେରାଇ ଦେଇ ଖାଲି ହାତରେ ଫେରି ଯାଇଛି ।

 

ପ୍ରକାଶକୁ ସେଦିନ ତାଙ୍କ ହାତରନ୍ଧା ଶେଷଥର ପାଇଁ ଖୁଆଇବାକୁ ଭୁଲି ଯାଇଥିଲେ ସୁନନ୍ଦା, ଏପରିକି ଚାହା କପେ ମଧ୍ୟ ସେ ତାକୁ ଯାଚି ନଥିଲେ । ପ୍ରକାଶ ଯିବା ପରେ ପରେ ସେ ତର ତର ହୋଇ ରାସ୍ତାକୁ ଓହ୍ଲାଇ ଯାଇଥିଲେ ଓ ଘରକୁ ଫେରିଥିଲେ ସୀମାକୁ ଧରି ।

 

ସୁଧୀର ଫେରିବା ପର୍ଯ୍ୟନ୍ତ ସେ ସୀମାକୁ ନିଜ ସହିତ ବାନ୍ଧି ରଖିଥିଲେ । ସୀମା ଅନୁନୟ କରିଥିଲା, ‘‘ଭାବି, ଏହା କେବେ ବି ସମ୍ଭବ ନୁହେଁ, କାରଣ ଜୀବନରେ ମୁଁ ବିବାହ କରିବି ନାହିଁ ବୋଲି ଠିକ୍ କରି ସାରିଛି । ତମେ ସେମିତି ହେଲେ ମୁଁ ସୁଧୀର ଭୈୟାଙ୍କୁ ଆଉ ମୁହଁ ଦେଖାଇ ପାରିବି ନାହିଁ ।”

 

––“ମୁଁ କିନ୍ତୁ ତାଙ୍କରି ଫେରିବା ପଥକୁ ଅନାଇ ରହିଛି ସୀମା । ତମେ ଆସି ମୋର ଏକ ବିରାଟ ପ୍ରଶ୍ନର ସମାଧାନ କରି ଦେଇଛ ।”

 

––“ମୋ କଥା ଶୁଣ ଭାବି । ଏମିତି କଲେ ଆମେ କେହି ସୁଖୀ ହୋଇ ପାରିବା ନାହିଁ । ମୁଁ ଜାଣେ, ସୁଧୀର ଭୈୟା ତମକୁ......” ।

 

ସୀମାର ପାଟିକୁ ନିଜ ହାତରେ ଜାବୋଡ଼ି ଧରିଥିଲେ ସୁନନ୍ଦା । ବିକଳ ହୋଇ କହିଥିଲେ, ‘‘ମତେ ସେକଥା ଭୁଲି ଯିବାକୁ ଦିଅ ସୀମା । ବାରମ୍ବାର ଆଉ ମନେ ପକାଅ ନାହିଁ । ...ମୁଁ ଚାହେଁ ସୁଧୀର ଖୁସିରେ ରହୁ । ସେ ସୁଖୀ ହେଉ । ସବୁଦିନେ ସେ ଏମିତି ଝରଣା ପରି ଖୁସି ମନରେ ବହିଚାଲୁ, ସକାଳର ଖରା ପରି ଚିର ପ୍ରଶାନ୍ତ ଥାଉ । ତାକୁ ସଂସାରର ଦୁଃଖ ସ୍ପର୍ଶ ନକରୁ, ବୟସ ସୀମା ସ୍ପର୍ଶ ନକରୁ । ତାଛଡ଼ା ଆଉ ମୁଁ କିଛି ଚାହେଁ ନାହିଁ ।”

 

ସୀମାର ହାତ ଧରିଥିଲେ ସୁନନ୍ଦା–“ମତେ କଥା ଦିଅ, ତମେ ତାକୁ ଖୁସିରେ ଗ୍ରହଣ କରିବ । ତାକୁ ପ୍ରାଣ ଦେଇ ଭଲ ପାଇବ । ସର୍ବତୋଭାବେ ସୁଖୀ କରିବା ପାଇଁ ଚେଷ୍ଟା କରିବ ।”

 

ସୀମା ଏହା ପରେ ନୀରବ ରହିଥିଲା । ସୁନନ୍ଦା ତାର ମୁହଁକୁ ନିଷ୍ପଲକ ଆଖିରେ ଚାହିଁ ରହିଥିଲେ–ଉଷାର ଆଲୋକ ପରି ତାହା କ୍ରମେ ସ୍ଵଚ୍ଛ, ଶୁଭ୍ର, ସତେଜ ଓ ଶାନ୍ତ ହୋଇ-ଉଠୁଥିଲା ।

 

ସେଦିନ ରାତିରେ ହିଁ ସୁନନ୍ଦା ଭାଉଜଙ୍କ ନିକଟକୁ ଚିଠି ଦେଇଥିଲେ । ଆରମ୍ଭରୁ, ବିଶେଷ କିଛି ଲେଖିବେ ନାହିଁ ବୋଲି ଠିକ୍ କରିଥିଲେ ମଧ୍ୟ ନିଜକୁ ସେ ଆବଦ୍ଧ ରଖି ପାରିଲେ ନାହିଁ । ନିଜର ବ୍ୟର୍ଥ ଜୀବନର ବିଶଦ ବର୍ଣ୍ଣନା ଲେଖି ସେ ଚାରିପୃଷ୍ଠାର ଚିଠିଟି ଶେଷ କଲେ । ଲେଖିଥିଲେ, ଜୀବନରେ କାହା କଥା ମୁଁ ଭାବି ନାହିଁ । ମୋ ନିଜ ଲୋକଙ୍କ ମନରେ କେବଳ ଆଘାତ ଦେବା ଛଡ଼ା ମୁଁ ସେମାନଙ୍କ ପାଇଁ ଆଉ କିଛି କରିନାହିଁ । ମୋର ସେତେବେଳେ ବିଚାର ଶକ୍ତି ନଥିଲା ଭାଉଜ । ନିଜ ଅଜାଣତରେ ସେମାନଙ୍କ ମନରେ ଏତେ ଆଘାତ ଦେଇଛି ଯେ, ସେମାନଙ୍କର ଅଭିଶାପରେ ମତେ ଜନ୍ମ-ଜନ୍ମାନ୍ତର ଘାଣ୍ଟି ହେବା ପାଇଁ ପଡ଼ିବ । ମୋ ନିଜ ଛଡ଼ା ହୁଏତ ଆଉ କାହାରି କଥା ମୁଁ ମନରେ ସ୍ଥାନ ଦେଇ ନାହିଁ । କୌଣସି କଥା ଭାବିଚିନ୍ତି କରି ନାହିଁ । କିନ୍ତୁ ଭାଉଜ, ମୋ ଜୀବନରେ ପ୍ରଥମ କରି ମୁଁ ଏକ ବଡ଼ କଥା ବହୁତ ଚିନ୍ତାକରି କରୁଛି, ଯାହା ଦ୍ଵାରା ମୁଁ ହୁଏତ ଅଥଳ ଦରିଆରେ ଭାସିଯିବି, କିନ୍ତୁ ଅନ୍ୟ କେତେ ଜଣ ବହୁତ ସୁଖୀ ହେବେ । ....ସତ କହୁଛି, ସେଥିପାଇଁ ମୋ ମନ ଖୁସିରେ ଫୁଲି ଉଠୁଛି । କିନ୍ତୁ ସହରରେ ଭାଇଙ୍କ ମୁଣ୍ଡ ମୁଁ ତଳକୁ କରିବାକୁ ଚାହେ ନାହିଁ । …ବେଶୀ ପାଠ ତ ପଢ଼ି ନାହିଁ, ତେବେ ଯାହା ଗୋଟାଏ ଚାକିରି କଲେ ମୋ ପେଟ ପୋଷି ପାରିବି, ନଚେତ୍ କେଉଁ ଆଶ୍ରମରେ ପଡ଼ି ରହିଲେ ମତେ ଦୁଇ ଓଳି ଦୁଇ ମୁଠା ଆହାର ଜୁଟିଯିବ । ତେଣୁ ଯେତେ ଶୀଘ୍ର ପାରେ ତମମାନଙ୍କଠାରୁ ଦୂରକୁ ଚାଲିଯିବି ।

 

ଚିଠିଟି ଡାକରେ ପକାଇବା ପରେ ସୁନନ୍ଦା ଅନେକ ଚିନ୍ତା କରିଥିଲେ । ଭାଇ, ଭାଉଜ ତାଙ୍କର ଏପରି ଭାବରେ ଫେରିଯିବାକୁ କିପରି ଭାବରେ ଗ୍ରହଣ କରିବେ ସେ ଠିକ୍ କରିପାରୁ ନଥିଲେ । କିନ୍ତୁ ଭାଉଜ ନିର୍ଦ୍ଦୟ ନଥିଲେ । ତାଙ୍କ ଚିଠିଟିର ଅପ୍ରତ୍ୟାଶିତ ଉତ୍ତର ଖୁବ୍ ଶୀଘ୍ର ଆସିଥିଲା । ଭାଉଜ ଲେଖିଥିଲେ; ତମେ ଯଦି ଫେରି ଆସ ତୁମକୁ ଚାକିରି ଖୋଜିବାକୁ ବା ଆଶ୍ରମକୁ ଯିବାପାଇଁ ପଡ଼ିବ ନାହିଁ ନନ୍ଦା, ଭାଇଙ୍କୁ ତମେ କଣ ଚିହ୍ନିନା ? ଆଗରୁ ଯେତେ ରାଗିଥିଲେ ବି ତମର ଏ ଚିଠି ପାଇଲା ପରେ ସେ ଖୁବ୍ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତମକୁ ଦେଖିଲା ପରେ ହୁଏତ ଟିକେ ଆଶ୍ୱସ୍ତ ହେବେ । –କେବେ ଆସିବାକୁ ଚାହୁଁଛ ଲେଖିଲେ ଭାଇ ଯାଇ ତମକୁ ନେଇ ଆସିବେ ।

 

ସେହି ଚିଠିଟିକୁ ପଢ଼ିସାରି ଫିଙ୍ଗି ନ ଦେଇ ସେ ଏବେ ମଧ୍ୟ ନିଜ ହାତ ବ୍ୟାଗରେ ପାସପୋର୍ଟ ପରି ସାଇତି ରଖିଛନ୍ତି ।

 

ବମ୍ବେରୁ ଫେରି ତାଙ୍କ କଥା ଶୁଣି ହୋ-ହୋ-ହୋଇ ହସିଥିଲା ସୁଧୀର ଓ ସେ ଯେତେବେଳେ ଖୁବ ଗମ୍ଭୀର ହୋଇ ବୁଝାଇବା ପାଇଁ ଚେଷ୍ଟା କରିଥିଲେ, ସେ ରାଜରାସ୍ତାକୁ ଓହ୍ଲାଇ ଦ୍ରୁତ ପଦରେ ଜନଗହଳି ସହିତ ମିଶି ଯାଇଥିଲା । ତଥାପି ସେ ପାରିଥିଲେ । ସୁଧୀର ଖୁବ୍ ରାଗିଯିବା ପରେ ସେ ତାକୁ ବୁଝାଇଥିଲେ, ତା ଆଖିରୁ ଲୁହ ଝରିବା ଦେଖି ନିଜ ପଣତରେ ପୋଛି ତାକୁ ଆଦର କରିଥିଲେ । ସୁଧୀର ସେତେବେଳେ କହିଥିଲା–“ତୁମ ପାଗଲ ହୋଗୟେ ଡାର୍ଲିଂ” ? କିନ୍ତୁ ସୁନନ୍ଦା ଅନୁଭବ କରିଥିଲେ ସେ ଯେପରି ଅନେକ ଦିନ ପରେ ମାନସିକ ବିକାରତାରୁ ମୁକ୍ତି ପାଇ ସୁସ୍ଥ ବାତାବରଣକୁ ଫେରି ଯାଉଛନ୍ତି ।

 

ଭାଉଜଙ୍କ ଚିଠି ପାଇବା ପରେ ସୁଧୀର ହତାଶ ହୋଇଥିଲା, ସୁନନ୍ଦା ଆଶ୍ଵସ୍ତ ହୋଇଥିଲେ । କିନ୍ତୁ ଦିନ ଠିକ୍ କରି ଭାଇଙ୍କୁ ଦିଲ୍ଲୀ ଆସିବା ପାଇଁ ଲେଖି ନ ଥିଲେ । ସେ'ତ ଆଉ ନୂଆ ବାହାହୋଇ ପ୍ରଥମ କରି ବାପଘରକୁ ଫେରୁ ନାହାନ୍ତି ! ହୁଏତ ଭାଇ ନିଜର ଆଶ୍ରିତ ଭଉଣୀକୁ ଏପରି ନେବା ପାଇଁ ଆସିବା କଥା ଶୁଣିଲେ ବାହାର ଲୋକ ହସିବେ ।

 

ଦିଲ୍ଲୀ ଛାଡ଼ିବା ପୂର୍ବଦିନ ରାତିରେ ସେ ଆଲ୍‌ବମ୍‌ରୁ ନିଜର ଫଟୋଗୁଡ଼ିକ କାଢ଼ି ଗୋଟି ଗୋଟି କରି ସେଥିରେ ନିଆଁ ଧରାଇ ଥିଲେ । କିନ୍ତୁ କେବଳ ଫଟୋ ସହିତ ଯେ ମଣିଷର ସ୍ମୃତି ନିଶ୍ଚିହ୍ନ ହୋଇଯାଏ ନାହିଁ, ତାହା ଟ୍ରେନ୍‌ରେ ବସିଲା ପରେ ତାଙ୍କର ବାରମ୍ବାର ମନେ ପଡ଼ିଲା । ଅନେକ ସ୍ମୃତି ସେ ସୁଧୀର ପାଇଁ ଛାଡ଼ି ଆସିଛନ୍ତି । ଦୀର୍ଘ ଆଠ ବର୍ଷର ନିରବଚ୍ଛିନ୍ନ ସ୍ମୃତି । ସେ ସ୍ମୃତିକୁ ଭୁଲିବା ପାଇଁ ସୁଧୀରକୁ ଅନେକ ଦିନ ଲାଗିବ । କିନ୍ତୁ ସୀମା ନିଶ୍ଚୟ ଅତିଶୀଘ୍ର ତା ମୁଖରେ ହସ ଫୁଟାଇ ପାରିବ । ସେ ମୁହଁ ଖୋଲି ନ କହିଲେ ମଧ୍ୟ ତାର ସଲ୍ଲଜ ଆଖି ପତାର କମ୍ପନ କହିଦିଏ, ସୀମା ସୁଧୀରକୁ ଚାହେଁ, ଚିରଦିନ ଚାହିଁ ଆସିଛି ।

 

ହୃଦୟରେ ଦିନେ ଅଖଣ୍ଡ ବିଶ୍ଵାସ ନେଇ ସେ ସୁଧୀର ଜୀବନ ସହିତ ନିଜ ଜୀବନକୁ ମିଶାଇ ଦେଇଥିଲେ । କୋର୍ଟରେ ସେଥିପାଇଁ ସ୍ଵାକ୍ଷର କରିବା ପାଇଁ ଚାହିଁ ନ ଥିଲେ, ମନ୍ଦିରରେ ମାଳା ବଦଳ କରି ନ ଥିଲେ । ସେହିପରି ଦୃଢ଼ ବିଶ୍ୱାସ ରଖି ସେ ସୀମା ହାତରେ ସୁଧୀରକୁ ତୋଳି ଦେଇ ଆସିଛନ୍ତି । ସୁଧୀର ଭବିଷ୍ୟତରେ ଖୁସିରେ ରହିବ । ଆଉ ସେ ପଛକୁ ଫେରି ଚାହିଁବେ ନାହିଁ-

 

(ଚଉଦ)

 

ଆଖି ଖୋଲିଗଲା ପରେ ବିଭୂତିବାବୁ ତାଙ୍କ ଶଯ୍ୟାର ବାମପଟକୁ ବୁଲି ଚାହିଁଲେ; ବାବୁନ୍ ଶୋଇଛି–ଅନେକ ନାଆଁ ଭିତରୁ ବାଛି ଯାହାର ନାଆଁ ସେ ଦେଇଥିଲେ ସହସ୍ରାଂଶୁ ଏବଂ ଯାହାକୁ ସୁନନ୍ଦା ଆଦରରେ ବାବୁନି ବୋଲି ଡାକି ଆସିଥିଲେ । ଆରପଟକୁ ମୁହଁ ବୁଲାଇ ଶୋଇଛି ବାବୁନ୍, ଦୁଇଟି ଗୋଡ଼ ଏକ ସଙ୍ଗରେ ଜାକି ଅଧା ଭାଙ୍ଗି ଦେଇଛି । ବାମ ହାତଟିକୁ ଗାଲ ତଳେ ରଖିଛି । ଦୁହିଙ୍କ ମଝିରେ ଅନେକ ବ୍ୟବଧାନ ରଖି ଶୋଇଛି ସେ, ଖଟର ଶେଷ ଭାଗକୁ ଘୁଞ୍ଚି ଯାଇଛି । ତାଙ୍କ ନିକଟରେ ଏକୁଟିଆ ସେ କେବେ ଶୋଇ ନ ଥିଲା । ଖୁବ୍ ସାନବେଳେ ସୁନନ୍ଦାଙ୍କ ନିକଟରେ ଶୋଉଥିଲା । ଅନେକ ଥର ସେତେବେଳେ ସକାଳୁ ଉଠି ସୁନନ୍ଦା କହନ୍ତି’ ଟୋକାଟା ଏତେ ଗଡ଼ୁଛି, ରାତିସାରା ଗୋଡ଼ରେ ଠେଲି ମତେ ଶୁଆଇ ଦେଉନି । କେବେ କେବେ ଅଧା ନିଦରେ ରାତିରେ ପାଟି କରନ୍ତି, ଓଃ ବାବୁନି, ମୋ ଉପରୁ ଗୋଡ଼ ଉଠା ତ ! କିନ୍ତୁ ରାତି ଭିତରେ ଥରେ ହେଲେ ବାବୁନ୍ ତାଙ୍କୁ ଠେଲି ନାହିଁ କିମ୍ବା ତାଙ୍କ ଉପରେ ଗୋଡ଼ ପକାଇ ନାହିଁ ।

 

ଅନେକ ଛୋଟ ଦିନୁ ବାବୁନ୍‍କୁ ସେ ଅଲଗା ଶୋଇବା ଅଭ୍ୟାସ କରିଥିଲେ । ନିଜ କୋଠରୀରେ ସେ ଶୁଏ । କାଳେ ନିଦରେ ତଳକୁ ଖସି ପଡ଼ିବ ବୋଲି ସୁନନ୍ଦା କରରେ ତାର ତକିଆ ଦେଉଥିଲେ । ତାହା ସତ୍ତ୍ୱେ ଥରେ-ଦୁଇଥର ବାବୁନ୍ ଖଟରୁ ଚଟାଣ ଉପରେ ଖସି ପଡ଼ିଥିଲା-। ତଥାପି ତାକୁ ତା’ରି ଖଟରେ ଶୁଆଯାଇଥିଲା, କାରଣ ସେ‌ ବାବୁନ୍‍କୁ ସାହସୀ କରିବା ପାଇଁ ଚାହିଁଥିଲେ ।

 

କଟକରେ ପହଞ୍ଚି ସେ ମାତ୍ର ଗୋଟିଏ ଶଯ୍ୟାର ବନ୍ଦୋବସ୍ତ କରି ଯେତେବେଳେ ବାବୁନ୍‌କୁ ସେଠାରେ ଶୋଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଆଶ୍ଚର୍ଯ୍ୟ ହୋଇ ବାବୁନ୍ ପଚାରିଥିଲା, ଆଉ ତମେ ?

 

––ମୁଁ ବି ତୋ ପାଖରେ ଶୋଇବି ।

 

ବାବୁନ୍ ଲାଜରେ ସଙ୍କୁଚିତ ହୋଇ ଯାଇଥିଲା । ସେ ତାକୁ ବୁଝାଇ କହିଥିଲେ, “ଦେଖ୍, ପ୍ୟାକିଂ ସବୁ ଆଜି ଆଉ ଫିଟାଇ ହେବନି । ବଡ଼ କ୍ଳାନ୍ତ ଲାଗୁଛି । ଆଜି ଏକାଠି ଶୋଇଯିବା ।”

 

ସେ ଆଜିକୁ ତିନିଦିନ ତଳର କଥା । ଅଖା ଓ ଝୋଟ ଦଉଡ଼ି ବନ୍ଧା ହୋଇ ଚାରିଆଡ଼େ ସ୍ତୂପାକାରରେ ପ୍ୟାକେଟମାନ ଖେଳା ହୋଇ ପଡ଼ିଛି । ପ୍ରତିଦିନ ଅଫିସରୁ ଦୁଇଜଣ ଲୋକ ଆସି ସନ୍ଧ୍ୟାରେ ଫେରୁଛନ୍ତି, ଅଥଚ ଆଉ ଗୋଟିଏ ଖଟ ଖୋଲା ହୋଇ ବାବୁନ୍‌ର ବିଛଣା ଏ ତିନିଦିନ ମଧ୍ୟରେ ପ୍ରସ୍ତୁତ ହୋଇ ପାରିଲା ନାହିଁ । ସୁନନ୍ଦା ଥିଲେ ଏହା ଭିତରେ ରନ୍ଧା ଘର ଠାରୁ ଆରମ୍ଭ କରି ଡ୍ରଇଁରୁମ୍ ପର୍ଯ୍ୟନ୍ତ ସବୁ କୋଠରୀ ସଜଡ଼ା ସରି ଥାଆନ୍ତା । ଅଡ଼ର୍ଲିକୁ ବରାଦ କରି କେଉଁ ଜିନିଷ କେଉଁଠି ରହିଲେ ଚଳ ପ୍ରଚଳରେ ସୁବିଧା ହେବ, ଆଖିକୁ ସୁନ୍ଦର ଦିଶିବ, ସବୁ ସେ ଭାବିଚିନ୍ତି ରଖାଇ ଥାଆନ୍ତେ । ହୁଏତ ଫୁଲଦାନୀରେ କିଛି ଫୁଲ ସଜାଇ ନିଜକୁ ନିଜେ ଖୁସି ହେଉ ଥାଆନ୍ତେ । ଦିଲ୍ଲୀରେ ବଗିଚାଟିଏ ପାଇଁ ସେ କେତେ ବିକଳ ହୁଅନ୍ତି । ଗ୍ରାଉଣ୍ଡଫ୍ଲୋରର ଭଡ଼ାଟିଆଙ୍କୁ ମନେ ମନେ ଈର୍ଷା କରୁଥିଲେ । ବାଲକୋନିରେ ବସି, ସେମାନଙ୍କର ରୁଚିନାହିଁ ବୋଲି ସମାଲୋଚନା କରୁଥିଲେ–ଦେଖିଲ, ଏଡ଼ିକି ଟିକେ ଲନ୍‍ରେ କେଡ଼େ ଡେଙ୍ଗା ଡେଙ୍ଗା ଗଛ ଲଗାଇଛନ୍ତି । ...ଇସ୍ ! ଲନ୍‌ଟାର ଜମା ଯତ୍ନ ନେଉ ନାହାନ୍ତି । …ସିଜନ୍ ଗଲା ପରେ ଜିନିଆ ଗଛ ଲଗାଇଛନ୍ତି । ଆମର ଏମିତି ଯାଗା ଖଣ୍ଡେ ଥିଲେ ନା ! ...

 

କଟକରେ ସେ ବଡ଼ ଘର ପାଇଛନ୍ତି, ଚାରିପଟେ ବଗିଚା କରିବା ପାଇଁ ପ୍ରଚୁର ଯାଗା ରହିଛି, ଅଥଚ ସୁନନ୍ଦା ନାହାନ୍ତି । ନୂଆ ଘରର ଚାରିପଟ ହତାକୁ ମନେ ପକାଇଲେ ବିଭୂତିବାବୁ–ନାଁ ମନେ ପଡ଼ୁନି, କାରଣ ସେ ଏ ପର୍ଯ୍ୟନ୍ତ ହତା ଚାରିପଟେ ବୁଲି ଦେଖି ନାହାନ୍ତି । ଅଡ଼ର୍ଲି କହୁଥିଲା, ପଛପଟେ ଦୁଇଟା ଭଲ ଜାତିର ପିଜୁଳି ଗଛ ଅଛି । ସେଥିରେ ପ୍ରଚୁର ପିଜୁଳି ହୁଏ । ବାବୁନ୍ ଖୁସି ହୋଇ କହୁଥିଲା, ‘‘ବାପି, ସୁମନ କହୁଛି ଆମ କ୍ୱାଟର୍ସରେ ଗୋଟାଏ ଆମ୍ବଗଛ ଅଛି, ତାକୁ କଞ୍ଚା ଖାଇଲେ ବି ଭାରି ମିଠା ଲଗେ ।”

 

––ସୁମନ କିଏ ?

 

––ସୁମନ ମୋର ନୂଆ ସାଙ୍ଗ । ଆରପଟ କ୍ୱାଟର୍ସରେ ରହୁଛି । ଦେଖିନ ମୋ ସଙ୍ଗେ ଆସି ଖେଳୁଛି । ସେ କହିଛି, ଆମେ ଦୁହେଁ ମିଶି ସ୍କୁଲ ଯିବୁ । ସେ ବି ମୋ କ୍ଲାସରେ ପଢ଼େ । ବାପି, ତାର ଗୋଟିଏ ବେବି ସିଷ୍ଟର ଅଛି । ସବୁବେଳେ କାନ୍ଦୁଛି । ସୁମନ, ମୁଁ ମିଶି ତାକୁ ଚିଡ଼ାଉଛୁ–କ୍ରାଇଂ ବେବି ।

 

ବିଭୂତିବାବୁ ବାବୁନ୍ ଆଡ଼େ ଫେରି ଚାହିଁଲେ–କଣ କହିବାକୁ ଚାହୁଁଛି ସେ ? ସୁମନର ପରିବାର ସହିତ ନିଜ ପରିବାରକୁ ତୁଳନା କରି ମନେ ମନେ ଦୁଃଖ କରୁଛି–ନିଜର ବିଖଣ୍ଡିତ ସଂସାରର ଦୁରାବସ୍ଥାକୁ ମନେ ପକାଇ ସୁମନକୁ ନିଜଠାରୁ ଭାଗ୍ୟବାନ ମନେ କରୁଛି ?

 

ଭଗବାନ ବୃଦ୍ଧ କିଶ୍‌ଶା ଗୌତମୀଙ୍କୁ ପଠାଇଲେ, ଯେଉଁ ଘରେ କେବେ ମୃତ୍ୟୁ ପ୍ରବେଶ କରି ନଥିବ ସେହି ଘରୁ ମୁଠାଏ ସୋରିଷ ଆଣିବା ପାଇଁ । ସେ ଶୂନ୍ୟହସ୍ତରେ ଫେରି ଆସିଲା ପରେ ପୁଣି ଥରେ ଯଦି ତାଙ୍କୁ ଭଗବାନ ପଠାଇ ଥାଆନ୍ତେ, ଯେଉଁ ଘରେ ଦୁଃଖ ନାହିଁ ସେହି ଘରୁ ମୁଠାଏ ସୋରିଷ ଆଣିବା ପାଇଁ, ଆହୁରି ଥରେ ଗୌତମୀ ଶୂନ୍ୟ ହସ୍ତରେ ଫେରି ଥାଆନ୍ତେ । ସଂସାର ଅର୍ଥ ହଁ ଦୁଃଖ । ସବୁରି ସଂସାରରେ ଦୁଃଖ ଅଛି; ବେଦନା ଅଛି କିନ୍ତୁ ସମସ୍ତେ ତାହା ବାହାରେ ପ୍ରକାଶ କରନ୍ତି ନାହିଁ । ହୁଏତ ସୁମନ ଘରେ ମଧ୍ୟ ସେହିପରି କିଛି ଦୁଃଖ ଥିବ ଯାହା ବାବୁନ ଜାଣିପାରୁ ନାହିଁ–କିନ୍ତୁ ସେ ଜାଣି ପାରିବେ । ସେମାନଙ୍କ ଘର ସହର ବେଶୀ ପରିଚିତ ହେବା ପରେ ସୁମନର ବାପା ନିଜେ ତାଙ୍କୁ କହିବେ, ଆଜ୍ଞା ବୁଝିଲେ…କିମ୍ଵା ଦିନେ ତାଙ୍କ ଘରକ ଆସି ସାହାଯ୍ୟ ମାଗିବେ, ମତେ ଏ ବିପଦରୁ ଉଦ୍ଧାର କରନ୍ତୁ ।

 

ନିଜକୁ ନିଜେ ହସିଲେ ବିଭୂତିବାବୁ–କଣ ୟାଡ଼ୁ ସାଡ଼ୁ ଗୁଡ଼ାଏ ବାଜେ କଥା ଭାବି ଯାଉଛନ୍ତି ? ବାବୁନ୍ ବୟସର ପିଲା କଣ ଇଙ୍ଗିତ ଦେଇ କଥା କହେ ? ସେମାନେ ମନରେ ଯାହା ଭାବନ୍ତି, ବ୍ୟକ୍ତ କରନ୍ତି । ସିଧା ସିଧା କଥା କହନ୍ତି କାରଣ ସେମାନେ ମଣିଷ ନୁହନ୍ତି, ସରଳ ବାଳକ-

 

ବାବୁନକୁ ଏଠାରେ ଭଲ ଲାଗୁଛି । ଖୁସି ହୋଇ କହୁଥିଲା, “ବାପି, ଆମେ ଆଉ କୁଆଡ଼େ ଯିବା ନାହିଁ । ଏଇ ଘରେ ସବୁଦିନେ ରହିବା ।”

 

ବାବୁନ୍ ହୁଏତ ସୁନନ୍ଦାଙ୍କ ପରି ହେବ । ବଡ଼ ଘର, ଫୁଲ ବଗିଚାକୁ ପସନ୍ଦ କରିବ । ସୌଖିନ ଜୀବନକୁ ବାଛି ନେବ । ବଡ଼ ହେଲେ ତାଙ୍କର ପରି ମନ ଭିତରେ ନିଜର ପସନ୍ଦ ଅପସନ୍ଦର ଗୋଟାଏ ବଡ଼ ତାଲିକା କରି ତାହାରି ଦ୍ଵାରା ନିଜର ବ୍ୟକ୍ତିଗତ ଜୀବନକୁ ନିୟନ୍ତ୍ରିତ କରିବ । କିନ୍ତୁ ତାଙ୍କରି ପରି କଣ ସେ ବିନା ଦ୍ଵିଧାରେ ନିଜର ଚରିତ୍ର ହରାଇ ବସିବ ?

 

ଚରିତ୍ର !! ସୁନନ୍ଦାଙ୍କୁ କଣ ଚରିତ୍ରହୀନା କୁହାଯିବ ? ଚରିତ୍ରକୁ ବାଖ୍ୟା କରି ପୃଥିବୀର ସ୍ତ୍ରୀ ଲୋକମାନଙ୍କୁ ପ୍ରଶ୍ନ କଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁଇ ହାତରେ ନିଜର ମୁଖ ଢାଙ୍କି ଧରିବେ, କାରଣ ସେମାନେ ଏକ ପ୍ରଚାରକ ଦୁନିଆରେ ଆତଯାତ ହୁଅନ୍ତି । କାହାର ଚରିତ୍ରହାନୀ ସମ୍ବନ୍ଧରେ ଟିକେ ଶୁଣିଲେ, ଘୃଣାରେ ନାକ ଟେକନ୍ତି, କାନରେ ହାତ ଦିଅନ୍ତି । ସୁନନ୍ଦା ତାହା ପାରିଲେ ନାହିଁ, କାରଣ ସେ ଚରିତ୍ରହୀନା ନୁହନ୍ତି–ପାଗଳ । ମିସେସ୍ ମେହେରାଙ୍କ ସହିତ ଏତେ ଘନିଷ୍ଠ ହୋଇଥିଲେ ମଧ୍ୟ, ଦିନେ ତାଙ୍କ ସହିତ କଥା ହେବା ପାଇଁ ସେ ଘୃଣା ବୋଧ କଲେ । ରାନ୍ଧିବାରେ ଏତେ ସଉକ ଥିଲା ଅଥଚ ହଠାତ୍ ତାହା ପ୍ରତି ସ୍ପୃହା ହରାଇ ବସିଲେ । ତାପରେ ସବୁବେଳେ କହିବାକୁ ଲାଗିଲେ–ରାନ୍ଧିବା ପାଇଁ ଲୋକ ମିଳିଲେ ଭଲ ହୁଅନ୍ତା । ତାଙ୍କ ପ୍ରତି ଥିବା ଅନୁରାଗକୁ ହରାଇ ବସି ସୁନନ୍ଦା ପସନ୍ଦ ତାଲିକାରୁ ତାଙ୍କ ନାଆଁ କେତେବେଳେ କାଟି ଦେଇଥିଲେ, ତା ମଧ୍ୟ ଅନେକ ପରେ ସେ ଜାଣିଲେ । ଏସବୁ ସୁସ୍ଥ ମସ୍ତିଷ୍କର ପରିଚାୟକ ନୁହେଁ ।

 

ହେଲ୍ ଟୁ ଦ୍ୟାଟ୍‌ ଓମ୍ୟାନ୍–କହି ବିଛଣାରୁ ଉଠି ବସିଲେ ବିଭୂତିବାବୁ ।

 

ବିଭୂତିବାବୁ କଟକରେ ପହଞ୍ଚିଲା ପରେ ରେଣୁ ଆସିଥିଲା । ବାବୁନ୍‌କୁ ଦେଖି ବହୁତ ଦୁଃଖ କରିଥିଲା । ବିଭୂତିବାବୁଙ୍କୁ କହିଥିଲା, ବାବୁନ୍‌କୁ ତାର ପାଖକୁ ନେଇଯିବ । ତା ପିଲାମାନଙ୍କ ସହିତ ଏକ କରି ଖୁବ ଯତ୍ନ କରିବ । ସୁନନ୍ଦାଙ୍କ ଭାଉଜ ମଧ୍ୟ ବହୁତ ଦୁଃଖ କରିଥିଲେ । ସୁନନ୍ଦାଙ୍କୁ ଦୋଷ ଦେଇ ବିଭୂତିବାବୁଙ୍କ ପ୍ରତି ସମବେଦନାରେ ଲଇଁ ଯାଇଥିଲେ । ନିଜ ଶାଶୁଙ୍କୁ ମନେ ପକାଇ ସେ କେଡ଼େ ପତିବ୍ରତା ଥିଲେ, କେତେ ଭଲ ଥିଲେ, ମାତୃହରା ବାବୁନ୍‌କୁ ସେ ବଞ୍ଚିଥିଲେ କିପରି କୋଳକୁ ଉଠାଇ ନେଇ ଆସି ଥାଆନ୍ତେ କହି ନିଜ ଆଖିରୁ ଲୁହ ପୋଛି ଥିଲେ ।

 

ପୃଥିବୀ ବିଷୟରେ ଅନେକ ବହି ପଢ଼ିଥିଲେ ବିଭୂତିବାବୁ କିନ୍ତୁ ସେଠାରେ ବାସ କରୁଥିବା ଲୋକମାନଙ୍କ ପ୍ରକୃତି ବିଷୟରେ ତାଙ୍କର ଯଥେଷ୍ଟ ଜ୍ଞାନ ନ ଥିଲା । ବାବୁନ୍‌ ଠାରୁ ସେ ସତ୍ୟ ଘଟଣା ଲୁଚାଇ ରଖିବା ପାଇଁ ଚାହିଁଥିଲେ, ତେଣୁ ସେ ‘ମାମୀ କାହିଁ’ ବୋଲି ପ୍ରଶ୍ନ କରିବା ପରେ ବିଭୂତିବାବୁ ତାକୁ ବୁଝାଇଥିଲେ, ମାମୀ ପାଗଳ ହୋଇ ଯାଇଛି । ଏଠାରେ ଭଲ ପାଗଳ ଡାକ୍ତରଖାନା ନାହିଁ । ମାମୀ ଦିଲ୍ଲୀରୁ ଭଲ ହେଲେ ଆସିବ ।

 

––ମାମୀ ଦିଲ୍ଲୀରେ କଣ ଏକୁଟିଆ ରହିବ ? ନାଁ-ନାଁ ତା ପାଖରେ ଅଙ୍କଲ୍ ସୁଧୀର ରହିବେ ନାଁ ?

 

ଅଟକି ଯାଇଥିଲେ ବିଭୂତିବାବୁ, କିନ୍ତୁ ହାରିଯାଇ ନ ଥିଲେ । ଉତ୍ତର ଦେଇଥିଲେ, “ନାଁ’ ମାମୀ ଡାକ୍ତରଖାନାରେ ରହିବ–ଘରେ ନୁହେଁ ।” ତାପରେ ବାବୁନ୍ ଚାରିପଟେ ସ୍ଵପ୍ନ ବୁଣି ଦେଇଥିଲେ ସେ–ଆଗାମୀ ଦିନର ସ୍ୱପ୍ନ । ତୁ ବଡ଼ ହେବୁ, ସବୁବେଳେ କ୍ଲାସରେ ଫାଷ୍ଟ ହେବୁ । ସ୍କଲାରସିପ୍ ପାଇ ଫରେନ୍ ଯିବୁ…ଆହୁରି ବଡ଼ ହେବୁ…ଆହୁରି… ।

 

ବିଭୂତିବାବୁଙ୍କୁ ସଙ୍ଖୋଳିବା ପାଇଁ ମଝିରେ ମଝିରେ ଅନେକ‌ ଜ୍ଞାତି ଆସିଲେ, ବନ୍ଧୁମାନେ ଆସିଲେ । ସେମାନଙ୍କ ଆଖିରେ ସମବେଦନା, ଭାଷାରେ ସମବେଦନା । କଥା-କଥାକେ ଆହା, ଚୁ-ଚୁ ! ବିଭୂତିବାବୁଙ୍କ ପରି ଲୋକକୁ ତାଙ୍କ ସ୍ତ୍ରୀ ପରିତ୍ୟାଗ କରି ପାରିଲା ? ବାବୁନ୍ ପରି ଛୋଟ ପିଲିଟାକୁ ତାର ମାଆ ଭୁଲିଯାଇ ପାରିଲା ? ଏ କି ଅଘଟଣା ଘଟଣା ? ଏ କି ଅଶୃତପୂର୍ବ ଘଟଣା । କେହି କେହି ଉପଦେଶ ଦେଲେ, ତୁ ଶୀଘ୍ର ବିବାହ କରିପକା । ତାହାରି ମଧ୍ୟରେ ଦିନେ ହଠାତ୍ ଆସି ପହଞ୍ଚିଲା ମାଧବ । ସ୍କୁଲ୍ ବେଳର ପୁରୁଣା ବନ୍ଧୁ । ସଙ୍ଗରେ ନୂତନ-ଆଧୁନିକା ପତ୍ନୀ ।

 

ବଂଧୁପତ୍ନୀ ବାବୁନ୍‌କୁ ଆଦର କରି ତାର ଦେହ ମୁଣ୍ଡ ଆଉଁସି ପକାଇଲେ । ବିଭୂତିବାବୁ ଅଡ଼ର୍ଲିକୁ ଚାହା ବରାଦ କରିବା କ୍ଷଣି ଅଡ଼ର୍ଲି ସଙ୍ଗରେ ବାବୁନ୍‌କୁ ବଗିଚାକୁ ଖେଳିବା ପାଇଁ ପଠାଇ ଦେଇ ସେ ରୋଷାଇ ଘର ଭିତରକୁ ପଶିଗଲେ । କପ୍-ପିଆଲାର ଟୁଂ ଟାଂ ଶବ୍ଦ ଭିତରେ କହିବାକୁ ଲାଗିଲେ, ଆହା ! ଘରେ ସ୍ତ୍ରୀ ଲୋକଟିଏ ନ ଥିଲେ ଘରର ଅବସ୍ଥା କଣ ହୁଏ ସତେ ! ରନ୍ଧାଘର ଟିକିଏ ଦୂରରେ ଥିଲେ ମଧ୍ୟ ସେହି ବେଦନାସୂଚକ ଶବ୍ଦ ବିଭୂତିବାବୁଙ୍କ କାନରେ ଆସି‌ ବାଜୁଥିଲା । ତାପରେ ବଂଧୁ ମାଧବ ଏକ ଫଟୋ କାଢ଼ି ଦେଖାଇଲେ–ଝିଅଟି କେମିତି ଦେଖିବାକୁ କହ ।

 

ବଂଧୁପତ୍ନୀ ହାତରେ ଚାହା ଟ୍ରେ ଧରି ହସ ହସ ମୁହଁରେ ପଶି ଆସିଲେ–ମୋ ସାନ ଭଉଣୀ । ବି. ଏ. ପାଶ୍ କରିଛି । ମୋ ଠାରୁ ରଙ୍ଗ ଢେର୍‌ ସଫା । ମୋଟାଳିଆ ଚେହେରା–ଆପଣଙ୍କୁ ଠିକ୍ ମାନିବ ।

 

ବଂଧୁ କହିଲେ–ମୁଁ ସିନା କିରାଣୀ ହୋଇଛି, ହେଲେ ତାଙ୍କ ଘର ପୁରୁଣା କାଳର ଜମିଦାର ଘର । ଗାଁରେ ଦୋ ମହଲା କୋଠା । ଭାଇମାନେ ଭଲ ରେଜଗାରିଆ । ଖାଲି ଯାହା, ଝିଅଟି ଟିକେ ଛୋଟୀ । କିନ୍ତୁ ସବୁ କାମ କରିପାରେ । ଭାଇମାନଙ୍କ ପିଲାଙ୍କୁ କୋଳରେ କାଖରେ ମଣିଷ କରିଛି । ତମ ପୁଅକୁ ନିଜ ପୁଅ ପରି ଦେଖିବ । ବୟସ ସତେଇଶି ଉପରେ, ତମ ବୟସକୁ ଖାପ ଖାଇବ ।

 

ଏତ ସମବେଦନା ନୁହେଁ–ଏହା ବିଦ୍ରୂପ । ଦୁର୍ବଳତାର ସମାଲୋଚନା । ନିଜେ ସୁନ୍ଦର ନୁହେଁ, ଅଥଚ ସୁନ୍ଦରୀ ଝିଅ ବାହା ହେଲ । ନିଜର ବୟସ ହୋଇଥିଲା, ଅଥଚ କିଶୋର ବୟସୀକୁ ଘରକୁ ଆଣିଲ । ନିଜେ ହିଁ ତାର ଫଳ ଭୋଗୁଛ । ଏହି ଝିଅକୁ ବାହା ହୁଅ । ଛୋଟୀଟିଏ, ମୋଟିଟିଏ । ବୟସ ହୋଇଛି, ଆଉ ଏଣେତେଣେ ପଳାଇ ପାରିବ ନାହିଁ । ବୁଢ଼ୀ କୁତିଟିଏ ପର ଘର ଭିତରେ ପଡ଼ି ରହିବ । ତାହା ହିଁ ତମର ପ୍ରାପ୍ୟ । ତାଠାରୁ ବେଶୀ ଆଶା କଲେ ପୁଣି ଥରେ ବିପଦରେ ପଡ଼ିବ ।

କଟକରେ ପହଞ୍ଚି ବାବୁନ୍‌ର ସ୍କୁଲରେ ନାମ ଲେଖାଇବା ପରେ ବିଭୂତିବାବୁ ହତୋତ୍ସାହ ହୋଇ ପଡ଼ିଥିଲେ । ଏହି ଆଠ ବର୍ଷର ପିଲାଟିକୁ କଣ ସତରେ ସେ ଲାଳନ ପାଳନ କରି ବଡ଼ ହେବାଯାଏ ବଞ୍ଚାଇ ରଖି ପାରିବେ ? ବାବୁନ୍‌ ଦିନକୁ କେତେଥର ଖାଏ, କେତେ ଦୁଧ ପିଏ, ସ୍କୁଲକୁ କଣ ଟିଫିନ୍ ନିଏ ସେ ସବୁ ତ କିଛି ସେ ଜାଣନ୍ତି ନାହିଁ; ଏପରିକି, ଦୂରହେଲେ ସୁନନ୍ଦା ତାର ଶରୀର ତାପ ପାଟିବାଟେ ନାଁ କାଖତଳେ ମାପୁ ଥିଲେ, ତା ମଧ୍ୟ ମନେ ପକାଇ ପାରିଲେ ନାହିଁ । ତେଣୁ ମନେ ମନେ ଠିକ୍ କରିଥିଲେ, ସାନ ଭଉଣୀ ରେଣୁ ବା ସୁନନ୍ଦାଙ୍କ ଭାଉଜଙ୍କ ନିକଟରେ ବାବୁନ୍‌କୁ ଛାଡ଼ିଦେବେ । ତାହାରି ମଧ୍ୟରେ ବାବୁନ୍‌ ଦିନେ ତାଙ୍କୁ ପଚାରିଥିଲା, ‘‘ବାପି, ମାମୀ କୁଆଡ଼େ ପାଗଳ ହୋଇ ନାହିଁ–ଆମକୁ ଛାଡ଼ି ଚାଲିଯାଇଛି,” ଏବଂ ବନ୍ଧୁ ମାଧବ ଆଣି ତାଙ୍କ ଶାଳୀର ଫଟୋ ଦେଖାଇ ଥିଲେ । ତାପରେ ନିଜକୁ ଦୃଢ଼କରି ଧରିଥିଲେ ବିଭୂତିବାବୁ–ସେ ନିଜେ ହିଁ ବାବୁନକୁ ମଣିଷ କରିବେ । ଏପରି ସମବେଦନା ଭିତରେ ସେ ବାବୁନ୍‌କୁ ବଢ଼ିବା ପାଇଁ ଛାଡ଼ି ଦେବେ ନାହିଁ । ତା’ର ଚାରିପଟେ ତାରଜାଲ ପରି ନିଜକୁ ବେଢ଼ାଇ ରଖି ସେ ତାକୁ ସବୁ କଷ୍ଟ ମଧ୍ୟ ଦେଇ ମଣିଷ ହେବା ପାଇଁ ଛାଡ଼ି ଦେବେ । ଯେ ପର୍ଯ୍ୟନ୍ତ ସେ ବଳିଷ୍ଠ ନହୋଇଛି, ଯେ ପର୍ଯ୍ୟନ୍ତ ସେ ବିରାଟ ନ ହୋଇଛି, ସେ ପର୍ଯ୍ୟନ୍ତ ସେ ସେହିପରି ଦୃଢ଼ ବନ୍ଧନ ଭିତରେ ତାକୁ ବେଢ଼ାଇ ରଖିବେ ।

ତାପରେ ବିଭୂତିବାବୁଙ୍କୁ ସବୁ କିଛି ସହଜ ମନେ ହୋଇଥିଲା, ସଂସାର ଚଳାଇବା ଆୟସସାଧ୍ୟ ହୋଇଥିଲା । ଏକ ନୂତନ ଉତ୍ସାହ ନେଇ ସେ ବାବୁନର ହାତଧରି ଦୃଢ଼ ପଦରେ ଆଗେଇ ଚାଲିଥିଲେ । ଅଫିସ କାମରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ତାର ପଢ଼ା ଦେଖୁଥିଲେ, ତାକୁ ବୁଲାଇ ନେଉଥିଲେ । ରାତିରେ ସେ ଶୋଇବା ସମୟରେ ତାକୁ ଗପ କହୁଥିଲେ–ଜୀବଜନ୍ତୁ ବା ରଜାପୁଅର ଗପ ନୁହେଁ, ଯେଉଁମାନେ ଦୁଃଖ କଷ୍ଟ ଭିତରେ ନିଜକୁ ଦୃଢ଼ ରଖି ଶେଷରେ ଦିନେ ବଡ଼ ହୋଇଛନ୍ତି, ଦୁନିଆ ଭିତରେ ଉପରକୁ ମୁଣ୍ଡଟେକି ପାରିଛନ୍ତି, ସେହିମାନଙ୍କର ଗପ । ବଦଳି ହେବା ସମୟରେ ନିଜେ ଠିଆ ହୋଇ ଜିନିଷ ପ୍ୟାକିଂର‌ ତଦାରଖ କରିଛନ୍ତି, ପୁଣି ନୁଆଘର ସଜଡ଼ା ସମୟରେ ଅନ୍ୟ ଉପରେ ସବୁ ଦାୟିତ୍ୱ ନଦେଇ ନିଜେ ସଜାଡ଼ିଛନ୍ତି–‘‘ପାଖେ ପାଖେ ତାଙ୍କର‌ ବାବୁନ୍ ରହିଛି । ବଗିଚାରେ ବୁଲୁ ବୁଲୁ ସେ ମାଳୀକୁ ବିଭନ୍ନ ସ୍ଥାନରେ ଫୁଲଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ବାବୁନ୍‌କୁ ପଚାରିଛନ୍ତି ତାକୁ କେଉଁ ଫୁଲ ଭଲଲାଗେ–ତା ସହିତ ସେ ଫୁଲମାନଙ୍କର ସୌନ୍ଦର୍ଯ୍ୟକୁ ପସନ୍ଦ କରିବାପାଇଁ ଚେଷ୍ଟା କରିଛନ୍ତି । ତାହାରି ମଧ୍ୟରେ ବାବୁନ୍ ବଡ଼ ହୋଇଛି, ଭଲ ପଡ଼ିଛି, କଲେଜରେ ନାଆଁ ଲେଖାଇଛି । ଏବଂ ହଠାତ୍ ଦିନେ ସେ ସୁନନ୍ଦାଙ୍କ ଭାଇଙ୍କ ଘରକୁ ଯାଇ ସେଠାରେ ଏକ ଅସ୍ଵାଭାବିକ ବାତାବରଣର ଆଭାସ ପାଇଛନ୍ତି–ସବୁ ନୀରବ, ସମସ୍ତେ‌ ଗମ୍ଭୀର–ସୁନନ୍ଦା‌ ଫେରି ଆସୁଛନ୍ତି ।

ସୁନନ୍ଦା ଦିଲ୍ଲୀ ଛାଡ଼ି ଚାଲି ଆସୁଛନ୍ତି । ତାଙ୍କର ନୂତନ ସଂସାରକୁ ଛାଡ଼ି ଚାଲି ଆସୁଛନ୍ତି, ଆଉ ସେ ସେଠାକୁ ଫେରିଯିବେ ନାହିଁ ।

ବଡ଼ଭାଇ ଥମ ଥମ ମୁହଁ କରି ଗମ୍ଭୀର ହୋଇ ବସି ରହିଥିଲେ । ଭାଉଜ ଅନବରତ ଗପି ଚାଲିଥିଲେ–ପାଗଳୀଟା, ସବୁଦିନେ ସେମିତି । ମୁଁ ବାହାହୋଇ ଆସିଲା ବେଳକୁ ଏଡ଼େ ଟିକେ ଝିଅ । ଗପ କରୁଥିଲା ଅନବରତ । ଭଲ ଜିନିଷ ନହେଲେ ଖାଇବନି । ପସନ୍ଦ ଯାମା ନ ହେଲେ ପିନ୍ଧିବନି । ପୁଣି ଚାରିମାସ ନ ଯାଉଣୁ ତାକୁ ଫିଙ୍ଗି ଦବ–ନାଁ ଆଉ ଭଲ ଲାଗୁନି । କେତେବେଳେ କଣ ମନ ତାର । ଟିକିଏ କଥାରେ କାନ୍ଦି ପକାଇବ, ଟିକିଏ କଥାରେ ପୁଣି ହସିଦେବ... ।

 

ସେମାନଙ୍କ ଠାରୁ ବିଦାୟ ନେଇ ଗାଡ଼ିରେ ଷ୍ଟାର୍ଟ ଦେଲା ପରେ ବିଭୂତିବାବୁଙ୍କର ମନେ ହୋଇଥିଲା, ସେ ଏହା ଅନେକ ବର୍ଷ ଆଗରୁ ଜାଣିଥିଲେ । ସୁନନ୍ଦା ଯେ ଦିନେ ପୁଣି ଫେରି ଆସିବେ, ଏହା ଅନେକ‌ ପୂର୍ବରୁ ଜାଣିପାରିଥିଲେ, ନୂଆଦିଲ୍ଲୀ ଛାଡ଼ିବା ଦିନଠାରୁ । କିନ୍ତୁ କେଉଁ କାରଣ ଯୋଗୁଁ ସେ ଏପରି ଭାବରେ ଚାଲି ଆସୁଛନ୍ତି, ତାହା ବୁଝିବା କଷ୍ଟ । ଭାଉଜ ସୁନନ୍ଦାଙ୍କ ଚିଠିଟି ଦେଖାଇଥିଲେ । ସେ ତାହା ଉପରେ ଖାଲି ଆଖି ବୁଲାଇ ତାଙ୍କୁ ଫେରାଇ ଦେଇଥିଲେ । ଅନେକ ବଡ଼ ଚିଠି, ଅନେକ ବକ୍ତବ୍ୟ, ଅଥଚ ଫେରିଆସିବାର କାରଣ ଅସ୍ପଷ୍ଟ । ସେ ସୁଧୀରକୁ ସୁଖୀ କରିବା ପାଇଁ ଏକ ବଡ଼ ତ୍ୟାଗ କରୁଛି, ତାହା ହେଉଛି ତାକୁ ଚିରଦିନ ପାଇଁ ଛାଡ଼ି ଅନ୍ୟତ୍ର ଚାଲିଯିବା । ବିଭୂତିବାବୁଙ୍କର ଇଚ୍ଛା ହୋଇଥିଲା, ସେ ଜୋରରେ ହସିବେ । ସୁନନ୍ଦାଙ୍କର ଏହି ଅଦ୍ଭୁତ ତ୍ୟାଗ କଥା ଶୁଣି ଯେ କେହି ଲୋକ ହସିବ । ସୁଧୀର ତାଙ୍କୁ ଆଉ ଚାହେଁ ନାହିଁ, ଏହି ସତକଥାଟିକୁ ଲୁଚାଇବା ପାଇଁ ସେ ଚାରିପୃଷ୍ଠା ଧରି ଅନେକ ମିଛ ଲେଖିଛନ୍ତି । ହଠାତ୍ ନିଜ ମନକୁ ଅଟକାଇ ଦେଲେ ବିଭୂତିବାବୁ । ସୁନନ୍ଦା ତାଙ୍କର କେହି ନୁହେଁ, ତେଣୁ ତାଙ୍କ ବିଷୟରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ ।

 

ତିନିଦିନ ପରେ ନିଜ ମନକୁ ବିଶ୍ଳେଷଣ କରି ବିଭୂତିଵାବୁ ଆଶ୍ଚର୍ଯ୍ୟ ହେଲେ । ଅଫିସ କାମ ମଧ୍ୟରେ, ଖାଇବା ଟେବୁଲ୍ ଉପରେ, ଶୋଇବା ବିଛଣାରେ ପଡ଼ି ରହି ଏପରିକି କାର ଚଳାଇବା ସମୟରେ ମଧ୍ୟ, କେବଳ ଜଣକର ଚିନ୍ତା ତାଙ୍କର ସମଗ୍ର ଚିନ୍ତାଧାରକୁ ଆଚ୍ଛନ୍ନ କରି ରଖିଛି । ସେ ଚେଷ୍ଟା କରିଛନ୍ତି କିନ୍ତୁ ତାକୁ ମନରୁ ତଡ଼ିପାରି ନାହାନ୍ତି । ଜଣଙ୍କର ମୁହଁ ମାନସପଟରେ ବାରମ୍ବାର ଉଙ୍କି ମାରିଛି–ସେଥିରେ ଦୀପ୍ତି ନାହିଁ, ଜ୍ୟୋତି ନାହିଁ, ତାହା ବିରସ, ଶୁଷ୍କ-। ଚରୁର୍ଥ ଦିନ ରାତିରେ ବିଛଣାରେ ବହିଖଣ୍ଡେ ଖୋଲି ପଢ଼ିବା ପାଇଁ ଚେଷ୍ଟା କରୁଥିବା ସମୟରେ ତାଙ୍କର ମନେହେଲା, ସୁନନ୍ଦାଙ୍କର ଏହି ପରିଣତି ପାଇଁ ସେ ନିଜେ ହିଁ ଦାୟୀ । କାରଣ ସେ ନିଷ୍ଠୁର-

 

ବୋଉଙ୍କ ଛବି ବିଭୂତିବାବୁଙ୍କ ଆଖି ଆଗରେ ଭାସି ଉଠିଲା । ସେ ବୋଉଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି, ତାଙ୍କୁ ପ୍ରତିଶ୍ରୁତି ଦେଇ ତାହା ସେ ପାଳନ କରି ନାହାନ୍ତି । ପ୍ରତିହିଂସା ପରାୟଣ ହୋଇ ସେ ନିଜ ହାତରେ ନିଜ ସଂସାରକୁ ଛିନ୍ନ ବିଛିନ୍ନ କରିଦେଇଛନ୍ତି ଅଥଚ ଏଇ ଆଠବର୍ଷ ଧରି ସେ ସେଥିପାଇଁ କେବଳ ଅନ୍ୟକୁ ହିଁ ଦୋଷ ଦେଇ ଆସିଛନ୍ତି ।

 

କଲିକତାରୁ ଆସି ପହଞ୍ଚିବା ପରଦିନ ଜଳଖିଆ କାମ ସାରି ବୋଉ ତାଙ୍କୁ ନିଜର ଶୋଇବା ଘରକୁ ଡାକି ନେଇଥିଲେ । ଖଟ ଉପରେ ନିଜେ ବସି ତାଙ୍କୁ ବସାଇଥିଲେ, ସମ୍ମୁଖରେ ମୃତ ପିତାଙ୍କର ବିରାଟ ତୈଳଚିତ୍ର । –ତୋର ବାହାଘର ପକ୍‌କା କରି ଦେଇଛି ବିଭୁ । ଏଇ ମାର୍ଗଶୀରରେ କରିବାକୁ ସ୍ଥିର ହୋଇଛି । ତାପରେ ରେଣୁକୁ ଉଠାଇ ଦେଲେ ମୋର ଛୁଟି ।

 

ଦୀର୍ଘଶ୍ଵାସଟିଏ ପକାଇଲେ ବୋଉ, ଯେପରିକି ସେ ଦୁହିଁଙ୍କ ବାହାଘର ଚିନ୍ତାରେ ସେ ଶାନ୍ତିରେ ରହିପାରୁ ନାହାନ୍ତି ।

 

ନିଜ ବାହାଘର ବିଷୟରେ ତା ପୂର୍ବରୁ କେବେ ଚିନ୍ତାକରି ନଥିଲେ ବିଭୂତିବାବୁ, ତେଣୁ ବୋଉଙ୍କ କଥା ଶୁଣି ନୀରବରେ କିଛି ସମୟ ବସି ରହିଥିଲେ । ବୋଉ କନ୍ୟାପାତ୍ରର ବାପା, ଭାଇ, ଘର ବିଷୟରେ ଗପିଚାଲିଥିଲେ ।

 

––ତୁ ସେ ଝିଅକୁ ଦେଖିଥିବୁ, ରେଣୁର ସାଙ୍ଗ । କେତେ ଥର ଆମଘରକୁ ଆସିଛି । ନିଲୁ ପାଖରୁ ଗପବହି ନିଏ ।

 

ନାଁ, ଦେଖି ନାହାନ୍ତି ବିଭୂତିବାବୁ । ରେଣୁର ଗୋରା ହୋଇ, ଲମ୍ବାମୁହଁ ଥିଲା କୌଣସି ସୁନ୍ଦର ସାଙ୍ଗକୁ ସେ ମନେ ପକାଇ ପାରିଲେ ନାହିଁ କିନ୍ତୁ କଥା ମଝିରେ ବୋଉଙ୍କୁ ବାଧା ଦେଇ କହିଥିଲେ–ସେ ରେଣୁର ସାଙ୍ଗ, ଆଉ ମୁଁ ତାକୁ ବାହା ହେବି ?

 

ବୋଉ ଜବାବ ଦେଇଥିଲେ–ରେଣୁର ସାଙ୍ଗ ନୁହେଁ, ତା ବୋଉ ସାଙ୍ଗରେ କେବେ କେବେ ଆମ ଘରକୁ ଆସିଛି । ଆସିଲେ ରେଣୁ ସାଙ୍ଗରେ ଗପେ । ଭାରି ଲାଜକୁଳୀ । ବେଶୀ ଆସେନି । ଆଇ. ଏ. ପଢ଼ୁଛି । ରେଣୁଠାରୁ ଦେଢ଼ବର୍ଷ ବଡ଼ ।

 

––ତଥାପି–

 

––ତୋ ବାପାଙ୍କଠାରୁ ତ ମୁଁ ପୁଣି ତେରବର୍ଷ ସାନ ଥିଲି ? ...ତା ବୋଉ ଆଉ ବେଶୀଦିନ ବଞ୍ଚିବ ନାହିଁରେ । ସେଇଥିପାଇଁ ଝିଅଟାକୁ ଉଠାଇଦେବା ପାଇଁ ସେ ତରତର ହେଉଛି । ମୁଁ କଥା ଦେଇସାରିଛି, ତୁ କଣ ମନା କରିଦେବୁ ?

 

ତା ପରଦିନ ଛାତ ଉପରେ ଠିଆ ହୋଇଥିବା ସମୟରେ ନିଲୁ କହି ଉଠିଥିଲା–ହେଇ ଦେଖ, ନନ୍ଦା ଯାଉଛି ।

 

ତିନୋଟି ଝିଅ ରାସ୍ତାରେ ଗପ କରି କରି ଯାଉଥିଲେ । ଏତେ ଦୂରରୁ କେଉଁ ଝିଅ ତାଙ୍କର ଭାବିପତ୍ନୀ, ତାହା ବିଭୂତିବାବୁ ଜାଣିପାରି ନ ଥିଲେ କିନ୍ତୁ ବୋଉଙ୍କ ମନରେ ଦୁଃଖ ନ ଦେଇ ବାହାହୋଇ ପଡ଼ିଥିଲେ । ତାଙ୍କର ମନେହେଲା, ସେ ଘରସଂସାର କରିବା ପାଇଁ ନୁହେଁ, ଦୁଇଟି ସ୍ତ୍ରୀ ଲୋକଙ୍କ ପ୍ରତି ଦୟାପରବଶ ହୋଇ ବିବାହରେ ସମ୍ମତି ଦେଇଥିଲେ । ଗୋଟିଏ ବୋଉ ଏବଂ ଅନ୍ୟଟି ନନ୍ଦା ।

 

ବୋଉ ପରିସ୍ଥିତିର ଚାପରେ ସେଠାରେ ବିବାହ ଠିକ୍ କରିଥିଲେ । ମୃତ୍ୟୁଶଯ୍ୟାରେ ବାନ୍ଧବୀର ବିକଳ ଅନୁରୋଧ ଭାଙ୍ଗିବା ତାଙ୍କ ପକ୍ଷରେ କଷ୍ଟକର ହୋଇଥିଲା । ଝିଅଟିକୁ ଯେତେ ଭଲ ଲାଗିଥିଲେ ମଧ୍ୟ, ପୁଅର ସମ୍ମତି ନ ନେଇ କଥା ଦେବା ପାଇଁ ସେ ଦ୍ଵିଧାବୋଧ କରିଥିଲେ । ଅଥଚ ମୁହଁ ଖୋଲି ସେତିକି ପ୍ରକାଶ କରିବା ପାଇଁ ସମୟ ପାଇ ନ ଥିଲେ । ସେହି ସବୁ ପରେ ସେ “ନାଁ ମୁଁ ବର୍ତ୍ତମାନ ବାହା ହେବିନାହିଁ’ କହିଥିଲେ ବୋଉଙ୍କ ମୁହଁରେ ଚୂନକାଳି ଦେବା ପରି ହୋଇ ଥାଆନ୍ତା, ଏବଂ ନନ୍ଦା...ଅସହାୟା ଗୋଟିଏ ଝିଅକୁ ସେ ଆସନ୍ନ ବିପଦରୁ ଉଦ୍ଧାର କରୁଛନ୍ତି, ହୁଏତ ଏହି ମନୋବୃତ୍ତି ନେଇ ବିବାହ କରିଥିଲେ । ତେଣୁ କୌଣସି ଦିନ ସେ ତାକୁ ନିଜର କରିବା ପାଇଁ ଚେଷ୍ଟା କରି ନ ଥିଲେ, ତାକୁ ବୁଝିବାର ପ୍ରୟାସ କରି ନ ଥିଲେ । ବାରମ୍ବାର ତାକୁ ଜଣାଇ ଦେଇଥିଲେ, ମୋର ଏ ଜିନିଷ ପସନ୍ଦ, ସେ ଜିନିଷ ନୁହେଁ, ଅଥଚ ଦିନେ ପଚାରି ନ ଥିଲେ, ତମକୁ କଣ ଭଲଲାଗେ । ହୁଏତ ସେ ଚାହୁଁଥିଲେ, ନନ୍ଦା ତାଙ୍କର ସ୍ତ୍ରୀ ହେଲାପରେ ନିଜତ୍ଵକୁ ଭୁଲି ଯାଆନ୍ତୁ, ପୋଷାଜୀବ ପରି ତାଙ୍କୁ ଅନୁଧାବନ କରନ୍ତୁ ।

 

ନିଲୁ, ରେଣୁ ଓ ନନ୍ଦା ସେଦିନ ସର୍କସ ଦେଖି ବାହାରିଥିଲେ, ବାହାଘରର କେତେ ମାସ ପରେ । ବୋଉ ନନ୍ଦାଙ୍କୁ ତରତର କରି ଉପରକୁ ପଠାଇ ଦେଇଥିଲେ, ‘‘ସର୍କସ ଟାଇମ ହୋଇ ଯାଉଛି । ତୁ ଯାଆ ଲୁଗା ପିନ୍ଧ ।” ସେ ନନ୍ଦାଙ୍କୁ ପଚାରିଥିଲେ–ସର୍କସ ଦେଖିବାକୁ ତମକୁ ଭଲ ଲାଗେ ?

 

––ହଁ, ଖୁବ୍ ।

 

––କଣ ଭଲଲାଗେ ?

 

––ଟ୍ରାପେଜରେ ଲୋକମାନେ ଝୁଲିବା, ଜନ୍ତୁମାନଙ୍କ ଖେଳ, ଆଉ ସବୁଠାରୁ ମଜା ଲାଗେ ଜୋକରମାନଙ୍କୁ ।

 

ଆଗ୍ରହରେ ଗଦଗଦ ହୋଇ ଏହା କହିଥିଲେ ନନ୍ଦା, କିନ୍ତୁ ହୋ-ହୋ ହୋଇ ଉଚ୍ଚ କଣ୍ଠରେ ହସି ଉଠିଥିଲେ ବିଭୂତିବାବୁ । ସତର ବର୍ଷ ଝିଅର ସେହି ପିଲାଳିଆମୀକୁ ବିଦ୍ରୂପ କରି ସେ ସେଦିନ ହସି ଉଠିଥିଲେ, କାରଣ ସେ ନିଜେ କେଉଁଦିନ ପିଲା ନ ଥିଲେ । ଦଶବର୍ଷ ବୟସରେ ବାପାଙ୍କୁ ହରଇବା ପରେ ଗୋଟିଏ ରାତି ଭିତରେ ସେ ଜଣେ ବଡ଼ ମଣିଷ ହୋଇ ଯାଇଥିଲେ, ଜଣେ ‘ବ୍ୟକ୍ତି’ ପାଲଟି ଯାଇଥିଲେ ।

 

ବାହାଘରର ଦୁଇମାସ ପରେ ସୁନନ୍ଦାଙ୍କ ବୋଉ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଅନ୍ତେଷ୍ଟିକ୍ରିୟା ପରେ ବୋଉ ଦିନେ ନିରୋଳାରେ ଡାକି କହିଥିଲେ, ତତେ ଦୁଇଟି କଥା କହିବି, ମାନିବୁ ? ପ୍ରଥମଟି ହେଲା, ନନ୍ଦାକୁ ଭଲରେ ରଖିବୁ । ତା ବୋଉ କେତେ ଭରସା ରଖି ତୋ ହାତରେ ତାକୁ ଟେକି ଦେଇଛି । ଉପରୁ ରହି ସେ ସବୁ ଦେଖୁଛି । ତୁ ତାକୁ ଅଣହେଳା କରିବୁ ନାହିଁ-। ଦ୍ୱିତୀୟଟି ହେଉଛି, ମଲା ପୂର୍ବରୁ ସେ ସମ୍ପତ୍ତିକୁ ଦୁଇଭାଗ କରିଯାଇଛି । ତୁ ତାହା ଗ୍ରହଣ କରିବୁ ନାହିଁ । ନନ୍ଦାର ଭାଇକୁ ଫେରାଇ ଦବୁ । ସମ୍ପତ୍ତି ଭାଗ ହେଲେ ତୋ ପିଲାଏ ମାମୁଁ ଘରର ଶ୍ରଦ୍ଧା ଆଦର ପାଇବେ ନାହିଁ, ମାମୁଁ, ମାଇଁଙ୍କ ମନର ସରାଗ ମରିଯିବ ।

 

ତାଙ୍କ ଉପରେ ଭରସା ରଖି ନନ୍ଦାକୁ ତାର ବୋଉ ବିବାହ ଦେଇଥିଲେ ଏବଂ ତାଙ୍କ ଉପରେ ଗଭୀର ବିଶ୍ଵାସ ରଖି ସେ ଦାନକୁ ଗ୍ରହଣ କରିଥିଲେ ବୋଉ–ପୁଅ ମୋର ଅମଣିଷ ହେବ ନାହିଁ, ସେ ସୁପୁତ୍ର । ଭବିଷ୍ୟତରେ ଏପରି ଭାବରେ ତାଙ୍କର ସଂସାର ଉଜୁଡ଼ି ଯିବ ବୋଲି କଣ ବୋଉ ସନ୍ଦେହ କରିଥିଲେ ? ତା ନ ହେଲେ ନନ୍ଦାକୁ ଭଲରେ ରଖିବୁ, ତାକୁ ଅବହେଳା କରିବୁ ନାହିଁ ବୋଲି ସେ ବାରମ୍ବାର କହୁଥିଲେ କାହିଁକି ? ...ନା’, ସେ ସନ୍ଦେହୀ ହୋଇଥିଲେ ତାଙ୍କ ହାତରେ ରେଣୁ ଓ ନନ୍ଦାର ଭାର ଦେଇ ସେ ଏତେ ଶାନ୍ତିରେ ଆଖି ବୁଜି ନ ଥାଆନ୍ତେ । ସେହି ସବୁ ବିଶ୍ଵାସ, ଭରସାକୁ ସେ ଭାଙ୍ଗି ଚୁରମାର କରି ଦେଇଛନ୍ତି । ସେ ପ୍ରତିହିଂସା ପରାୟଣ ।

 

ଖଟ ଉପରେ ଉଠି ବସିଲେ ବିଭୂତିବାବୁ, ବହିଟିକୁ ଟେବୁଲ ଉପରେ ରଖିଲେ । ରାତି ଗୋଟାଏ ବାଜି ସାରିଲାଣି–ନିଦ ହେବାର କୌଣସି ଉପକ୍ରମ ଏ ପର୍ଯ୍ୟନ୍ତ ହେଲାନାହିଁ । ନିଦ ଔଷଧଟିଏ ଖାଇଲେ କେମିତି ହୁଅନ୍ତା ? କିନ୍ତୁ ଏତେ ରାତିରେ ସେ ଜିନିଷଟି ପାଇବେ କେଉଁଠୁ; ନନ୍ଦା ରଖୁଥିଲେ । ନିଦ ହେବା ପାଇଁ ମୁଣ୍ଡବିନ୍ଧା ପାଇଁ ଔଷଧମାନ ପାଖେ ପାଖେ ରଖୁଥିଲେ । କାନ୍ଥରେ ବଡ଼ କ୍ୟାଲେଣ୍ଡରଟିଏ ଝୁଲୁଛି । ପବନ ବାଜିଲେ ସାମାନ୍ୟ ହଲି ଯାଉଛି । ତା ନିକଟରେ ଯାଇ ଠିଆ ହେଲେ ବିଭୂତିବାବୁ । ଇଲେକ୍‌ଟ୍ରିକ୍ କମ୍ପାନୀର କ୍ୟାଲେଣ୍ଡର । ପ୍ରତି ପୃଷ୍ଠାରେ ବଡ଼ ଛବିଟିଏ ରହିଛି । ଜଣେ ସ୍ତ୍ରୀଲୋକର ମାତ୍ର ଦୁଇଟି ଆଖିର ଛବି । ଗୋଟିଏ ପରେ ଗୋଟିଏ ପୃଷ୍ଠା ଟେକି ଛବି ଦେଖିବାକୁ ସେ ଆରମ୍ଭ କଲେ–ନିରେଖି ଦେଖିଲେ । ପ୍ରଥମ ଆଖିରେ ଦୟା, ତାପର ପୃଷ୍ଠାରେ ଲଜ୍ଜା, ତା ପରେ ଭୟ... ।

ବାପାଙ୍କର ମୃତ୍ୟୁପରେ ବଡ଼ବାପା ରାୟ ଦେଇଥିଲେ, ବିଭୁ ମୋ ସଙ୍ଗରେ ଚାଲୁ । ସ୍କୁଲ ପାଠ ମୋ ପାଖରେ ରହି ଶେଷ କରିବ । କଲେଜ ବେଳକୁ ଏଠାକୁ ପଠାଇ ଦେବି । ତାଙ୍କର ବିଶ୍ଵାସ ଥିଲା, ପୁଅଟିଏକୁ ମଣିଷ କରିବାକୁ ହେଲେ ବାପର ସାନିଧ୍ୟ ଏକାନ୍ତ ଦରକାର । ମା’ପାଖରେ ରହିଲେ ସ୍ନେହର ପ୍ରାଚୁର୍ଯ୍ୟ ଭିତରେ ବିଭୁ ନଷ୍ଟ ହୋଇଯିବ ।

ରାତିରେ କାହାର କୋମଳ ସ୍ପର୍ଶରେ ବିଭୁର ନିଦ ଭାଙ୍ଗିଗଲା–ବୋଉ । ପାଖରେ ବସି ଧୀରେ ଧୀରେ ତାଙ୍କର କପାଳକୁ ଆଉଁସୁଛନ୍ତି । ସେ ଆଖି ଖୋଲିବା ଦେଖି ବୋଉ ପଚାରିଲେ । ତତେ ନେବାପାଇଁ ବଡ଼ ବାପା ଏକା ଜିଦ୍ ଧରି ବସିଛନ୍ତି । ତତେ ଛାଡ଼ି ତ ମୁଁ ରହି ପାରିବି ନାହିଁରେ, କଣ କରିବା କହିଲୁ ?

ସେହି ଆବେଗପୂର୍ଣ୍ଣ ପ୍ରଶ୍ନର ଉତ୍ତର ଶୁଣି ବୋଉ ସେ ଦିନ ସ୍ଥାଣୁ ପାଲଟି ଯାଇଥିଲେ । ଦଶବର୍ଷର ପୁଅ ବିଭୁ କହିଥିଲା–‘‘ବଡ଼ବାପା ଠିକ୍ କଥା କହୁଛନ୍ତି ବୋଉ ! ମୁଁ ତାଙ୍କ ସାଙ୍ଗରେ ଯିବି-।”

ଟିକି ଭଉଣୀ ରେଣୁକୁ ଆଦର କରି, ବୋଉଙ୍କ ଆଖିରୁ ଲୁହ ଧାର ପୋଛି ଦେଇ, ବଡ଼ ବାପାଙ୍କ ସହିତ ଗାଡ଼ିରେ ବସିଲା ବିଭୁ, କାରଣ ସେ ହୃଦୟଙ୍ଗମ କରିଥିଲା ଯେ, ସମସ୍ତଙ୍କର ସହାନୁଭୂତି ଓ ବୋଉଙ୍କର ଦୀର୍ଘଶ୍ଵାସ ଭିତରେ ସେ ଦୂର୍ବଳ ହୋଇଯିବ–ମଣିଷ ହୋଇ ପାରିବ ନାହିଁ-

ନିଜକୁ ଆଜି ପ୍ରଥମ କରି ଦେଖିବାକୁ ଚେଷ୍ଟାକଲେ ବିଭୂତିବାବୁ । ନିଜକୁ ବିଶ୍ଳେଷଣ କରିବାକୁ ଲାଗିଲେ । ସେହି ଦଶବର୍ଷର ବିଭୁ ନିଜର ମନୋବଳ ନେଇ ବଡ଼ ହୋଇଛି, ମଣିଷ ହୋଇଛି, କିନ୍ତୁ ନିଜ ଭିତରର ସେହି ଛୋଟ ଶିଶୁଟିକୁ ସେ ତଣ୍ଟି ଚିପି ହତ୍ୟା କରିଛି, କାରଣ ସେ ବଡ଼ ବାପାଙ୍କର କଡ଼ା ଶାସନ ଭିତରେ ବଢ଼ି ଉଠିଛି, ବୋଉଙ୍କର କୋମଳ ବାହୁଛାୟା ନୁହେଁ । ହଠାତ୍ ଚମକି ଉଠିଲେ ବିଭୂତିବାବୁ–ବାବୁନ୍ ମଧ୍ୟ ଠିକ୍ ତାଙ୍କରି ପରି ହେବ !

ଦିଲ୍ଲୀରୁ ଫେରିବା ପରେ ବାବୁନ୍‌ କିଛିଟା ନିଜ ଦେହର ଓଜନ ହରାଇ ଥିଲା, ଧୀରେ ଧୀରେ କ୍ଷୀଣ ହୋଇଯାଉଥିଲା । ସମସ୍ତେ କହୁଥିଲେ ମାଆକୁ ଝୁରୁଛି । କିନ୍ତୁ କ୍ରମେ ବାବୁନ୍‌ ମାଆକୁ ଭୁଲିଗଲା, ଆଉ ଅନେକ ବର୍ଷ ହେଲା ସେ ମାଆ କଥା ପଚାରେ ନାହିଁ । ସତରେ କଣ ବାବୁନ୍ ତାର ମାଆକୁ ଭୁଲି ଯାଇଛି ? ଏତେ ବର୍ଷ ହେଲା ବୋଉଙ୍କୁ ହରାଇ ମଧ୍ୟ ବୋଉଙ୍କ କଥା ଆଜି ତାଙ୍କର ବାରମ୍ବାର ମନେ ପଡ଼ୁଛି, କିନ୍ତୁ ସେ ଦୃଢ଼ ବିଶ୍ଵାସ ନେଇ ବସିଛନ୍ତି ଯେ, ବାବୁନ୍‌ ତାର ମାଆକୁ ପୂରାପୂରି ଭୁଲି ଯାଇଛି !!

ବୋଉଙ୍କର ସେହି ରାତିର ଆଖି ଦୁଇଟି ମନେ ପକାଇଲେ ବିଭୂତିବାବୁ । ବଡ଼ବାପାଙ୍କ ସଙ୍ଗେ ସେ ଯିବା ପାଇଁ ଚାହାନ୍ତି ବୋଲି କହିବା ପରେ ବୋଉ ତାଙ୍କୁ ବଡ଼ ବଡ଼ ଆଖି କରି ଚାହିଁଥିଲେ । ସେ ଚାହାଣୀରେ କି ଚିହ୍ନ ଫୁଟି ଉଠୁଥିଲା ? ଭୟ ? ବିଷାଦ ? ...ନା, ବିସ୍ମୟ । ସେହି ବିସ୍ମୟ ନନ୍ଦାଙ୍କ ଆଖି ଦୁଇଟିରେ ପ୍ରତିଫଳିତ ହୋଇଥିଲା, ଯେଉଁ ଦିନ ସେ ତାଙ୍କୁ କହିଥିଲେ, ତମେ ଏଠାରେ ରହିବ, ମୁଁ ବାବୁନ୍‌କୁ ନେଇ ଓଡ଼ିଶା ଫେରିଯିବି । ସେ ସେଦିନ କଠୋର ହେବା ପାଇଁ ଚେଷ୍ଟା କରୁଥିଲେ, ତେଣୁ ଆଉ ଥରେ ସେ ନନ୍ଦାଙ୍କ ଆଡ଼େ ଫେରି ଚାହିଁ ନଥିଲେ ।

କ୍ୟାଲେଣ୍ଡର ଆଡ଼େ ଆଉ ଥରେ ଦୃଷ୍ଟିପାତ କରି ବିଛଣା ନିକଟକୁ ପୁଣି ଥରେ ଫେରି ଆସିଲେ ବିଭୂତିବାବୁ–ଇଲେକ୍‌ଟ୍ରିକ କମ୍ପାନୀର କ୍ୟାଲେଣ୍ଡର କିନ୍ତୁ ଲ୍ୟାମ୍ପ, ବଲବ୍ କିମ୍ବା ଷ୍ଟୋଭ, ଗିଜରର ଫଟୋ ନାହିଁ, ଅଛି ଛ’ ହଳ ଆଖିର । କଣ ସେ କହିବାକୁ ଚାହୁଁଛି ? ଆଖି ସହିତ ବିଦ୍ୟୁତ୍‌ଶକ୍ତିର ତୁଳନା କରୁଛି ? ସାମାନ୍ୟ ଗୋଟିଏ ଶକ୍ତି ଅଥଚ ସେ ମହାଶକ୍ତିରେ ପରିଣତ ହୋଇପାରେ । ସେ ଆଲୋକ ଦିଏ ପୁଣି ଜାଳିଦିଏ, ଧ୍ଵଂସ କରିଦିଏ । ସେହି ଶକ୍ତି ଶୀତଳତା ଦିଏ ପୁଣି ଉତ୍ତାପ ମଧ୍ୟ ଦିଏ । ଦୁଇଟି ଆଖି ଠିକ୍ ସେହିପରି, ଏତେ କୋମଳ ପୁଣି ଖୁବ୍ ବଳଶାଳୀ । କିନ୍ତୁ କେବଳ ସ୍ତ୍ରୀ ଲୋକର ଚିତ୍ର ନଦେଇ ପୁରୁଷ ଆଖିର ଚିତ୍ର ମଧ୍ୟ ଦିଆଯାଇ ପାରିଥାଆନ୍ତା ? ନାଁ, ପୁରୁଷମାନେ ଆଖିରେ ନୁହେଁ, ନିଜ ମନ କଥା ମୁହଁରେ ବ୍ୟକ୍ତ କରନ୍ତି । ଯାହା ଦରକାର ପାଟି ଖୋଲି ଦାବୀ କରନ୍ତି । ସେମାନଙ୍କ ଆଖିରେ ବିଭିନ୍ନ ଭଙ୍ଗୀ ନଥାଏ । ସ୍ତ୍ରୀଲୋକମାନେ ତାଙ୍କ ଆଖି ମାଧ୍ୟମରେ ଯେ ଏତେ ଭାବ, ଏତେ ଭାଷା ବ୍ୟକ୍ତ କରନ୍ତି, ତାହା ସେ ଆଗରୁ କେବେ ଭାବି ଦେଖି ନଥିଲେ । ଇଲେକ୍‌ଟ୍ରିକ କମ୍ପାନୀର ଏହି କ୍ୟାଲେଣ୍ଡରର ଯେ ପରିକଳ୍ପନା କରିଛି, ସେ ନିଶ୍ଚୟ ଜଣେ କବି ହୋଇଥିବ, ଜଣେ ରସିକ କବି, ଯାହାର ସ୍ତ୍ରୀ ଚରିତ୍ର ବିଷୟରେ ଗଭୀର ଅନୁଧ୍ୟାନ ରହିଛି–ଭାବିଲେ ବିଭୂତିବାବୁ ।

ବିଛଣାରେ ପଡ଼ିରହି ତାଙ୍କର କେବଳ ଆଖି ବିଷୟରେ ଭାବିବା ପାଇଁ ଇଚ୍ଛାହେଲା, ଦୁଇଟି ବଡ଼ ବଡ଼ ଲମ୍ବା ଆଖି, ଯାହାର ତଳପତାରେ ସରୁ କଜ୍ଜ୍ଵଳର ଗାର ଟଣା ହୋଇଥାଏ ଓ ଉପର ପତାର ବାଳ ଯାହାର ଖୁବ୍ ଲମ୍ବା । ପ୍ରଥମଥର ପାଇଁ ସେହି ଆଖି ଯେତେବେଳେ ଖୋଲିଯାଇ ତାଙ୍କୁ ଚାହିଁଥିଲା, ସେଥିରେ ଲଜ୍ଜା ଥିଲା ? ନାଁ । କେବଳ ଲଜ୍ଜା ନୁହେଁ, ଭୟ ମଧ୍ୟ । ସେହିଦିନ ପରେ ଯେତେବେଳେ ସେ ଆଖି ତାଙ୍କୁ ଚାହିଁଥିଲା, ସେଥିରେ ସେହି ଭୟର କିଞ୍ଚିତ ଆଭାସ ଥାଏ, ସତେ ଯେପରି ଆଗକୁ କିଛି ବିପଦ ମାଡ଼ି ଆସିବ । ସେହି ଆଖି ଦୁଇଟି ବାବୁନ୍ ନିକଟରେ କେତେ ବଦଳିଯାଏ–ସେଥିରୁ ବାତ୍ସଲ୍ୟ ଝରିଆସେ, ଅନୁରାଗ ଝରିଆସେ । ରାଗିବା ସମୟରେ ସୁନନ୍ଦାଙ୍କ ଆଖି କପରି ଦିଶେ, ମନେ ପକାଇଲେ ବିଭୂତିବାବୁ–ନାଁ । ମନେ ପଡ଼ୁନାହିଁ । ରାଗିବା ସମୟରେ ସେ ଆଖିର ଚାହାଣୀ କିପରି ବଦଳେ, ତାଙ୍କର ହଠାତ୍ ମନେ ପଡ଼ିଲା ନାହିଁ । ଗଭୀର ଭାବରେ ଭାବିଲେ ସେ । ନାଁ, ରାଗିବା ସମୟରେ ତାଙ୍କ ଆଖି ଦୁଇଟିରୁ ଅଗ୍ନିକଣା ଝରିପଡ଼େ ନାହିଁ, ତାହା ଅଭିମାନରେ ଭାରାକ୍ରାନ୍ତ ହୋଇଉଠେ । ତାପରେ ସେଥିରେ ଲୁହ ଜମିଯାଏ । କ୍ରମେ ସେ ଆଖି ଦୁଇଟି ବନ୍ଦ ହୋଇଯାଏ, ସେଥିରୁ ଧାର ଧାର ଲୁହ ଆପେ ତଳକୁ ଝରି ଆସେ ।

ସୁନନ୍ଦା ଫେରି ଆସୁଛନ୍ତି, କିନ୍ତୁ ବାବୁନ୍ ତାହା ଜାଣେ ନାହିଁ । ସେ ଆଗାମୀ ପରୀକ୍ଷା ନେଇ ପଢ଼ାରେ ଖୁବ୍ ବ୍ୟସ୍ତ, ତେଣୁ ମାମୁଁ ଘରକୁ କେତେ ଦିନ ହେବ ବୁଲି ଯାଇ ନାହିଁ । ଯାଇଥିଲେ ହୁଏତ ଶୁଣି ଥାଆନ୍ତା । ବିଭୂତିବାବୁଙ୍କର ଇଚ୍ଛାହେଲା, ବାବୁନ୍‌କୁ ନିଦରୁ ଉଠାଇ କହିବେ, ତୋର ମାମୀ ଫେରି ଆସୁଛି । ବାବୁନ୍ ହୁଏତ ପଚାରିବ, ତାର ମୁଣ୍ଡ ଭଲ ହୋଇଗଲା ? କିନ୍ତୁ ବାବୁନ୍‌ କଣ ଏହା ଭିତରେ ପ୍ରକୃତ ସତ୍ୟ ଜାଣେ ନାହିଁ ? ଅନେକ ବର୍ଷ ତଳେ ଦିନେ ସେ ପଚାରିଥିଲା, ବାପି–ମାମୀ କୁଆଡ଼େ ପାଗଳ ହୋଇ ନାହିଁ, ଆମକୁ ଛାଡ଼ି ଚାଲି ଯାଇଛି ?

––ତତେ କିଏ କହିଲା ?

––କେତେ ଲୋକ କହୁଛନ୍ତି ।

ସେ ଦିନ ବାବୁନ୍ ଅନ୍ୟମାନଙ୍କୁ ଅବିଶ୍ଵାସ କରିଥିଲା, ତେଣୁ ତାଙ୍କୁ ପଚାରି ଥିଲା । ଏବେ ସେ ଷୋହଳବର୍ଷର କିଶୋର । ସବୁ ଜିନିଷର ସତ ମିଛ ଜାଣିବା ପାଇଁ ସେ ଏବେ ତାଙ୍କୁ ପଚାରେ ନାହିଁ ।

ବାବୁନ୍ ଅନେକଟା ତାର ମାମୀ ପରି ହୋଇଛି । ମାମୀର ଉଜ୍ଵଳ ବର୍ଣ୍ଣ ନ ଆଣିଲେ ମଧ୍ୟ ମୁହଁର ଗଢ଼ଣ ପୂରାପୂରି ତାଙ୍କର । କିନ୍ତୁ ବାବୁନ୍‌ ବହୁତ କମ୍ କଥା କହେ, ବାବୁନ୍ ତାର ମାମୀ ପରି ଗପୁଡ଼ା ନୁହେଁ । ବାବୁନ୍ କଥା ଭାବିଲେ ସେହି ସତର ବର୍ଷ ଝିଅଟାର ଛବି ସ୍ୱତଃ ଆଖିରେ ଭାସି ଆସୁଛି, ଯେ ରେଣୁ ସହିତ, ନିଲୁ ସହିତ ଏବଂ ବୋଉଙ୍କ ସହିତ ଅନେକ ଗପୁଥିଲା । ଅଥଚ ସ୍ଵାମୀଙ୍କୁ ଦେଖିଲେ ନୀରବ ହୋଇ ଯାଉଥିଲା, କାରଣ ସେ ବହୁତ ପାଠ ପଢ଼ିଛନ୍ତି, ସାରା ପୃଥିବୀ ବିଷୟରେ ଖବର ରଖିଛନ୍ତି । ସେହି ଝିଅଟି ତାଙ୍କୁ ଦେଖିଲେ ମୁଣ୍ଡର ଓଢ଼ଣା ଟାଣି ଦେଉଥିଲା, ପଢ଼ା ଚୌକି ଛାଡ଼ି ଠିଆ ହୋଇ ଯାଉଥିଲା । ଠିକ୍‌ ସମୟରେ ଚାହା ଆଣି ଦେଉଥିଲା ଏବଂ ଚିଠିରେ ଲେଖୁଥିଲା, ମୋ ପାଇଁ କଲିକତାରୁ ବ୍ଲାଉଜକନା ଆଣିବ । ସେ ତାଙ୍କୁ ନିଜର କରିବା ପାଇଁ ଚେଷ୍ଟାକରିଥିଲ, ଭଲ ପାଇଥିଲା । ସେ କିନ୍ତୁ ତା ପ୍ରତି କଠୋର ହୋଇଥିଲେ । ଉପର କର୍ମକର୍ତ୍ତା ବା ମନ୍ତ୍ରୀଙ୍କର ଅନ୍ୟାୟ ଅନୁରୋଧ ଲାଗି ତାଙ୍କ ମନରେ ଯେଉଁ ଅଶାନ୍ତି ସୃଷ୍ଟି ହେଉଥିଲା, ସେହି ଅଶାନ୍ତିକୁ ସତେ ଯେପରି ସେ ସେହି ଝିଅଟା ଉପରେ ଲଦି ଦେଉଥିଲେ ।

ନନ୍ଦାଙ୍କୁ ସେ ଉଚିତ ଶିକ୍ଷା ଦେବାପାଇଁ ଚାହିଁଥିଲେ । ଫୁର୍ତ୍ତି କରିବା, ମଉଜ କରିବା, ଘର ସଂସାର କରିବାଠାରୁ ଅନେକ ଭିନ୍ନ,–ଏହା ନନ୍ଦା ନିଜର ଅଭିଜ୍ଞତା ଦେଇ ହୃଦୟଙ୍ଗମ କରନ୍ତୁ, ଏହି ଉଦ୍ଦେଶ୍ୟ ରଖି ସେ ତାଙ୍କୁ ସଙ୍ଗରେ ନଆଣି ଦିଲ୍ଲୀରେ ଛାଡ଼ିଦେଇ ଆସିଥିଲେ ଏବଂ ତାଙ୍କର ସବୁଠାରୁ ପ୍ରିୟ ଜିନିଷ, ବାବୁନ୍‌କୁ ସଙ୍ଗରେ ନେଇ ଫେରିଥିଲେ । କାରଣ ସେ ଚାହିଁଥିଲେ ନନ୍ଦା ମାନସିକ ଯନ୍ତ୍ରଣାରେ ସାରା ଜୀବନ ତିଳ ତିଳ ହୋଇ ଦଗ୍‌ଧ ହୁଅନ୍ତୁ ।

ଦୀର୍ଘ ଆଠବର୍ଷ ଅତିକ୍ରମ କରିଗଲା ପରେ ସେ ଦିନ ପ୍ରଥମ କରି ବିଭୂତିବାବୁଙ୍କ ହୃଦୟ ଅନୁତାପରେ ଦଗ୍‌ଧ ହେବାକୁ ଲଗିଲା । ସେ ଠିକ୍ କଲେ, ଭାଉଜଙ୍କ ନିକଟକୁ ସୁନନ୍ଦା ଲେଖିଥିବା ଚିଠିଟି ମାଗି ଆଉଥରେ ଭଲଭାବରେ ପଢ଼ିବେ ।

ଦୀର୍ଘ ନିଶ୍ଵାସଟିଏ ପକାଇ ସେ ଶୋଇବା ପାଇଁ ଚେଷ୍ଟାକଲେ କାରଣ ସେହି ଅନୁତାପ ତାଙ୍କ ଜୀବନରେ ଆଉ କିଛି ପରିବର୍ତ୍ତନ ଆଣିପାରିବ ନାହିଁ, ସେଥିପାଇଁ ଅନେକ ଡେରି ହୋଇ ଯାଇଛି ।

 

(ପନ୍ଦର)

 

ସୁନନ୍ଦା ବାହାରକୁ ମୁହଁ ବଢ଼ାଇ ଦେଖିଲେ, ଓଡ଼ିଶାର ସୀମା ଭିତରେ ଗାଡ଼ି କେତେବେଳୁ ପ୍ରବେଶ କଲାଣି ଅଥଚ ସେ ଲକ୍ଷ୍ୟକରି ନାହାନ୍ତି । ଟ୍ରେନ୍‌ର ଗତି ଶିଥିଳ ହେବାକ୍ଷଣି ସେ କେଉଁ ଷ୍ଟେସନ, ନାଆଁ ପଢ଼ି ଚିହ୍ନିବା ପାଇଁ ଚେଷ୍ଟା କଲେ ।

 

ଦଳ ଦଳ ହୋଇ କେତେ ପିଲା ବୁଲୁଛନ୍ତି । ସୁନନ୍ଦା ତାଙ୍କୁ ଦେଖି ବାବୁନି କଥା ମନେ ପକାଇଲେ । କେତେ ବୟସ ହେବ ବାବୁନିର...ପୂର୍ଣ୍ଣ ଷୋହଳ । ସେ କଣ ଏଇ ପିଲାମାନଙ୍କ ପରି ଲମ୍ବାବାଳ ରଖୁଥିବ, ବ୍ଲାଉଜ କନାର ଜାମା ପିନ୍ଧୁଥିବ ? –କଣ କରୁଥିବ ବାବୁନି, କେମିତି ଥିବ ଓ ଭାରତର କେଉଁ ପ୍ରାନ୍ତରେ ବାସ କରୁଥିବ ତାହା ସେ ଜାଣନ୍ତି ନାହିଁ ଅଥଚ ସେ ତାର ଜନ୍ମଦାତ୍ରୀ । ଭାଉଜ ଥରେ ଲେଖିଥିଲେ, ବାବୁନି ଭଲ ପଢ଼ୁଛି । ସେ ତମରି ପରି ପତଳା ଓ ଲମ୍ବା ହୋଇଛି ।” ....ସେ ତ ଅନେକ ବର୍ଷ ତଳର କଥା ।

 

ବାବୁନି କଟକ ଆସିଲେ ସେ କଣ କରିବେ ? ଧାଇଁ ଯାଇ ତାକୁ ଆଦର କରିବେ ? ଛି-ଛି-ବାବୁନି ଆଗରେ ସେ ନିଜର ପରିଚୟ ଦେବା ପୂର୍ବରୁ ମରିଯିବା ଭଲ । ସେ ବାବୁନିକୁ କୋଠା ଛାତ ଉପରୁ ଲୁଚି ଲୁଚି ଦେଖିବେ, କିନ୍ତୁ ସେ ତାଙ୍କୁ ଦେଖିବା ପୂର୍ବରୁ ରୁମ୍‌ରେ ପଶି କବାଟ ବନ୍ଦ କରି ଦେବେ ।

 

ଅପରାହ୍ନ ନଇଁ ଆସୁଛି । ଆଗରେ ଏକ ଷ୍ଟେସନ ଦିଶୁଛି । ସୁନନ୍ଦାଙ୍କ ଛାତିରେ ଦ୍ରୁତ ଉତ୍‌ଥାନ-ପତନ ସୃଷ୍ଟି ହେଲା । କି ଷ୍ଟେସନ ? କଟକ ??

 

ଟ୍ରେନ୍‌ର ଦ୍ଵାର ନିକଟରେ ଉଙ୍କି ମାରିଲେ ସୁନନ୍ଦା । ଭାଇ କାହାନ୍ତି ? ଶହ ଶହ ମାଇଲ ଅତିକ୍ରମ କରି ସେ ଦିଲ୍ଲୀରୁ ଓଡ଼ିଶାରେ ଆସି ପହଞ୍ଚି ପାରିଲେ, ଅଥଚ ଭାଇ ତାଙ୍କୁ ନେବା ପାଇଁ ଷ୍ଟେସନରେ ଆସି ପହଞ୍ଚି ପାରି ନାହାନ୍ତି ! ! ଚାରିଆଡ଼େ ଇତସ୍ତତଃ ଆଖି ବୁଲାଇଲେ ସୁନନ୍ଦା–ନାଁ, କେହି ଜଣେ ହେଲେ ପରିଚିତ ଲୋକ ନାହିଁ । ଆଠବର୍ଷ ତଳର କଟକ ଷ୍ଟେସନ ବଦଳି ନାହିଁ, ସେହିପରି ଅଛି, ଅଥଚ ଲୋକମାନେ ବଦଳି ଯାଇଛନ୍ତି । କିନ୍ତୁ ଭାଇ କଣ ସୁଧୀରର ଟେଲିଗ୍ରାମ ପାଇ ନାହାନ୍ତି ? ହୁଏତ ସେ ଦୁଃଖ କରିବେ ବୋଲି ଭାଉଜ ମିଛ ଲେଖିଥିଲେ । ଭାଇଙ୍କ ରାଗ ଏବେ ବି କମି ନାହିଁ ।

 

କୁଲି ପଚାରୁଛି–“ମା, ଜିନିଷ ଉଠାଇବି ?”

 

ନାଁ–କେହି ତାଙ୍କୁ ନବା ପାଇଁ ଆସି ନାହାନ୍ତି । ରିକ୍‌ସାଟିଏ ଧରି ସେ ଏକା ଏକା ଭାଇଙ୍କ ଘର ଗେଟ୍ ପାଖରେ ଓହ୍ଲାଇବେ । ତାଙ୍କୁ ଦେଖି ଚେନ୍‌ରେ ବନ୍ଧାଥିବା କୁକୁରମାନେ ଭୁକି ଉଠିବେ । ସେ ଚୁପ୍ ହୋଇ ଠିଆ ହେବେ । ଅପେକ୍ଷା କରିବେ, କେତେବେଳେ ଚାକର ସଦର ଦରଜା ଖୋଲି ଉଙ୍କି ମାରିବ ।

 

ହଠାତ୍ ଶହ ଶହ ଲୋକଙ୍କ ଭିତରେ ସୁନନ୍ଦା ଏକ ପରିଚିତ ମୁଖ ଦେଖିଲେ । ଷ୍ଟେସନର ପାଟିତୁଣ୍ଡ, ଗୋଳମାଳ କ୍ଷଣକରେ ବନ୍ଦ ହୋଇଗଲା । ନିଷ୍ପଲକ ଆଖିରେ ଚାହିଁ ରହିଲେ ସୁନନ୍ଦା । ….ମୁଣ୍ଡର କେଶ ପତଳା ହୋଇ ନାହିଁ, କିନ୍ତୁ ରଙ୍ଗ ବଦଳାଇବା ଆରମ୍ଭ କରିଛି । ଶରୀରର ସ୍ଥୂଳତା ହୁଏତ ବୃଦ୍ଧି ପାଇ ନାହିଁ, କିନ୍ତୁ ଉଦରର ବର୍ତ୍ତୁଳତା ବୃଦ୍ଧି ପାଇଛି । ମୁହଁରେ ନୂତନ ବସ୍ତୁର ସମାହାର–ଦୁଇଧାଡ଼ି ମୋଟା ନିଶ । ଆଖିରେ ମୋଟା କଳା ଫ୍ରେମ୍‌ର ଚଷମା । ପାଟିରେ ସିଗାରେଟ୍ ବଦଳରେ ପାଇପ୍‌ଟା । ସବୁ କିଛି ବଦଳିଛି, ଅଥଚ ବଦଳି ନାହିଁ ଆଖି ଦୁଇଟିର ସେହି ସ୍ଥିର ଗମ୍ଭୀର ଚାହାଣୀ, ଯେଉଁଥିରେ ଆକାଶର ଅସୀମ ଉଦାରତା, ଅଥଳ ଜଳର ଅମାପ ଗଭୀରତା ।

 

ସୁନନ୍ଦାଙ୍କର ଛାତି ଥରି ଉଠିଲା–କାହାକୁ ନବା ପାଇଁ ଷ୍ଟେସନକୁ ଧାଇଁ ଆସିଛନ୍ତି–କିଏ ତାଙ୍କର ଲୋକ ଆସିଛି ?

 

“ନନ୍ଦା’’–

 

“ସେ’’ ଟ୍ରେନ୍ ଉପରକୁ ଉଠି ଆସୁଛନ୍ତି । ସୁନନ୍ଦା ସଂକୋଚରେ ମାଟିରେ ମିଶିଯିବାକୁ ଲାଗିଲେ । ତାଙ୍କର ଇଚ୍ଛାହେଲା, ଓଠରୁ ପୋଛି ପୋଛି ଲିପ୍‌ଷ୍ଟିକର ସବୁ ରଙ୍ଗ ଛଡ଼ାଇ ଦେବେ, ଦେହରୁ ସିମ୍ଫନ୍ ଶାଢ଼ିଟାକୁ କାଢ଼ି ଫିଙ୍ଗି ଦେଇ ତନ୍ତଲୁଗା ଖଣ୍ଡେ ଗୁଡ଼ାଇ ହୋଇଯିବେ । ତାଙ୍କର ପାଦ ଦୁଇଟାକୁ ଯାବୋଡ଼ି ଧରି ଅନେକ ସମୟ ପର୍ଯ୍ୟନ୍ତ କାନ୍ଦିବେ । କିନ୍ତୁ ନିଶ୍ଚଳ ହୋଇ ଠିଆ ହୋଇ ରହିଲେ ସେ ।

 

––ଭାଉଜଙ୍କ ବାପାଙ୍କ ଦେହ ଖରାପର ଟେଲିଗ୍ରାମ ପାଇ ସେମାନେ ସମସ୍ତେ ହଠାତ୍ ଚାଲିଯାଇଛନ୍ତି ।

 

ସୁନନ୍ଦା ବିଭୂତିବାବୁଙ୍କୁ କିଛି କହିବା ପାଇଁ ଇଚ୍ଛାକଲେ କିନ୍ତୁ ବାକ୍ୟ ସ୍ଫୁରିଲା ନାହିଁ । ତାଙ୍କ ଆଡ଼େ ଚାହିଁବା ପାଇଁ ଚେଷ୍ଟା କଲେ ଅଥଚ ମୁଣ୍ଡ ଟେକି ପାରିଲେ ନାହିଁ । କୁଆଡ଼େ ସେ ଚାହିଁବେ ? ମୁଣ୍ଡ ଉପରକୁ ଟେକିଲେ ଆଖିରେ ପଡ଼ିବ ବିରାଟ ନୀଳ ଆକାଶର ଛାଇ । ସେଥିରେ ଅନେକ ଆଲୋକ, ଅନେକ ତାରାର ଆଲୋକ, ଜହ୍ନର ଆଲୋକ । ତାହା ଉଜ୍ଜ୍ୱଳ । ଉଜ୍ଜ୍ୱଳ ଆଲୋକକୁ କଣ ଚାହିଁ ହୁଏ ? ତା ତଳେ ଠିଆ ହେଲେ ଅନ୍ଧାର ଦୂର ହୁଏ, ସମସ୍ତ ବସ୍ତୁ ସ୍ପଷ୍ଟ ଦେଖାଯାଏ । ସେ ଆଲୋକକୁ ଉପଭୋଗ କରିହୁଏ, ଅନୁଭବ କରିହୁଏ କିନ୍ତୁ ତାହାର କେନ୍ଦ୍ର ବିନ୍ଦୁକୁ ଚାହିଁଲେ ଆଖି ବୁଜି ହୋଇଯାଏ ।

 

କୁଲିକୁ ଜିନିଷ ଉଠାଇବାକୁ ନିର୍ଦ୍ଦେଶ ଦେଲେ ବିଭୂତିବାବୁ । ପ୍ଲାଷ୍ଟିକ୍ ଝୁଡ଼ିଟାକୁ ହାତରେ ଟେକି ଧରି ପଚାରିଲେ, ଏଟା ତମର ତ ?

 

ଥର ଥର ହୋଇ ସୁନନ୍ଦାଙ୍କର ସମଗ୍ର ଶରୀର କମ୍ପି ଉଠୁଥିଲା । ପତ୍ନୀଙ୍କର ବିବଶ ଶରୀର ନିଜର ଭାରସାମ୍ୟ ହରାଇ ତଳେ ଲୋଟିଯିବା ପୂର୍ବରୁ ତାକୁ ତୋଳି ଧରିଲେ ବିଭୂତିବାବୁ । ନିଜର ବଳିଷ୍ଠ ବାହୁର ଆଶ୍ରୟରେ ଧୀରେ ଧୀରେ ତାଙ୍କୁ ଗାଡ଼ି ନିକଟକୁ ଆଗେଇ ନେଲେ ।

Image